ମୁଦ୍ରଣରେ ଉପଲବ୍ଧ
ପୁସ୍ତକ

ଇସ୍ରାଏଲ ଆମ୍ଭମାନଙ୍କ ପିତାଙ୍କ ଅନ୍ଵେଷଣ କରିବାକୁ ସ୍ଥିର କଲେ

ଦାଉଦ ସମସ୍ତଙ୍କ ସହ ପରାମର୍ଶ କରି ଆମ ପିତାଙ୍କ ଅବହେଳିତ ସିନ୍ଦୁକକୁ ଏକ ନୂଆ ଶଗଡ଼ରେ ନିଅନ୍ତି। ବଳଦମାନେ ଝୁଣ୍ଟିବାରୁ ଉଷ ତାହାକୁ ଧରନ୍ତି, ଏବଂ ସେ ସେହିଠାରେ ମରନ୍ତି। ଦାଉଦଙ୍କ ପ୍ରତିକ୍ରିୟା କ୍ରୋଧ, ତାʼପରେ ଭୟ, ଏବଂ ସିନ୍ଦୁକକୁ ଓବେଦ୍-ଇଦୋମଙ୍କ ଘରେ ରଖାଯାଏ — ଯେଉଁଠାରେ ପରିବାର ଆଶୀର୍ବାଦ ପାଏ।

ଅଧ୍ୟାୟ 13।

ଦାଉଦ ସହସ୍ରପତି ଓ ଶତପତିମାନଙ୍କ ସହିତ, ପ୍ରତ୍ୟେକ ଅଧିପତିଙ୍କ ସହିତ ମନ୍ତ୍ରଣା କଲେ। ପୁଣି ଦାଉଦ ଇସ୍ରାଏଲର ସମଗ୍ର ସମାଜକୁ କହିଲେ, “ଯଦି ତୁମ୍ଭମାନଙ୍କୁ ଭଲ ଦିଶେ, ଓ ଯଦି ଏହା ଆମ୍ଭମାନଙ୍କ ପିତାଙ୍କଠାରୁ ହୁଏ, ତେବେ ଆସ, ଇସ୍ରାଏଲର ସକଳ ଦେଶରେ ଥିବା ଆମ୍ଭମାନଙ୍କ ଅବଶିଷ୍ଟ ଭାଇମାନଙ୍କ ନିକଟକୁ, ଆଉ ସେମାନଙ୍କ ସହିତ ଆପଣା ଆପଣା ନଗର ଓ ତତ୍ପାର୍ଶ୍ଵବର୍ତ୍ତୀ ପଶୁଚାରଣ ଭୂମିରେ ଥିବା ଯାଜକ ଓ ଲେବୀୟମାନଙ୍କ ନିକଟକୁ ଚାରିଆଡ଼େ ସମ୍ଵାଦ ପଠାଉ, ଯେପରି ସେମାନେ ଆମ୍ଭମାନଙ୍କ ନିକଟରେ ଏକତ୍ର ହେବେ। ଆଉ ଆସ, ଆମ୍ଭେମାନେ ଆମ୍ଭମାନଙ୍କ ପିତାଙ୍କ ସିନ୍ଦୁକ ପୁନର୍ବାର ଆମ୍ଭମାନଙ୍କ ନିକଟକୁ ଆଣୁ, କାରଣ ଶାଉଲଙ୍କ ସମୟରେ ଆମ୍ଭେମାନେ ତାହାର ଅନ୍ଵେଷଣ କଲୁ ନାହିଁ।”

ତହିଁରେ ସମଗ୍ର ସମାଜ ସେପରି କରିବାକୁ ସମ୍ମତ ହେଲେ, କାରଣ ସମସ୍ତ ଲୋକଙ୍କ ଦୃଷ୍ଟିରେ ତାହା ଯଥାର୍ଥ ଦିଶିଲା।

ଏଣୁ ଦାଉଦ ଆମ୍ଭମାନଙ୍କ ପିତାଙ୍କ ସିନ୍ଦୁକ କିରୀୟଥ୍‍-ଯିୟାରୀମରୁ ଆଣିବା ନିମନ୍ତେ ମିସରର ଶୀହୋରଠାରୁ ହମାତର ପ୍ରବେଶ ସ୍ଥାନ ପର୍ଯ୍ୟନ୍ତ ସମଗ୍ର ଇସ୍ରାଏଲକୁ ଏକତ୍ର କଲେ।

ପୁଣି ଦାଉଦ ଓ ସମଗ୍ର ଇସ୍ରାଏଲ, ଯାହାଙ୍କ ଉପରେ ତାହାଙ୍କ ନାମ ଘୋଷିତ ହୁଏ, କିରୂବମାନଙ୍କ ଉପରେ ଉପବିଷ୍ଟ ଆମ୍ଭମାନଙ୍କ ପିତାଙ୍କ ସିନ୍ଦୁକ ସେଠାରୁ ଆଣିବା ନିମନ୍ତେ ବାଲା, ଅର୍ଥାତ୍‍ ଯିହୂଦାସ୍ଥିତ କିରୀୟଥ୍‍-ଯିୟାରୀମକୁ ଗଲେ। ଆଉ ସେମାନେ ଆମ୍ଭମାନଙ୍କ ପିତାଙ୍କ ସିନ୍ଦୁକ ଅବୀନାଦବର ଗୃହରୁ ଗୋଟିଏ ନୂତନ ଶଗଡ଼ରେ ବୋହିନେଲେ; ପୁଣି ଉଷ ଓ ଅହୀୟୋ ଶଗଡ଼ ଚଳାଇଲେ। ପୁଣି ଦାଉଦ ଓ ସମଗ୍ର ଇସ୍ରାଏଲ ଆମ୍ଭମାନଙ୍କ ପିତାଙ୍କ ସମ୍ମୁଖରେ ସମସ୍ତ ଶକ୍ତିରେ ଗୀତ, ବୀଣା, ନେବଲ, ଦାରା, କରତାଲ ଓ ତୂରୀ ସହିତ ଉଲ୍ଲାସ କଲେ।

ମାତ୍ର ଯେତେବେଳେ ସେମାନେ କୀଦୋନର ଶସ୍ୟମର୍ଦ୍ଦନ ସ୍ଥାନରେ ଉପସ୍ଥିତ ହେଲେ, ସେତେବେଳେ ବଳଦମାନେ ଝୁଣ୍ଟି ପଡ଼ିବାରୁ ଉଷ ସିନ୍ଦୁକ ଧରିବା ନିମନ୍ତେ ଆପଣା ହସ୍ତ ବଢ଼ାଇଲା। ସେଥିରେ ଉଷ ବିରୁଦ୍ଧରେ ଆମ୍ଭମାନଙ୍କ ପିତାଙ୍କ କ୍ରୋଧ ପ୍ରଜ୍ଵଳିତ ହେଲା, ଆଉ ସେ ସିନ୍ଦୁକ ପ୍ରତି ଆପଣା ହସ୍ତ ବଢ଼ାଇବା ସକାଶୁ ତାହାକୁ ଆଘାତ କଲେ; ତହିଁରେ ସେ ସେଠାରେ ଆମ୍ଭମାନଙ୍କ ପିତାଙ୍କ ସମ୍ମୁଖରେ ମଲା। ଆମ୍ଭମାନଙ୍କ ପିତା ଉଷ ଉପରେ ଭାଙ୍ଗି ପଡ଼ିବାରୁ ଦାଉଦ କ୍ରୁଦ୍ଧ ହେଲେ; ଏଣୁ ଆଜି ପର୍ଯ୍ୟନ୍ତ ସେହି ସ୍ଥାନ ପେରସ-ଉଷ ବୋଲି ଖ୍ୟାତ। ପୁଣି ସେହି ଦିନ ଦାଉଦ ଆମ୍ଭମାନଙ୍କ ପିତାଙ୍କୁ ଭୟ କରି କହିଲେ, “ମୁଁ କିପରି ଆମ୍ଭମାନଙ୍କ ପିତାଙ୍କ ସିନ୍ଦୁକ ଆପଣା ନିକଟକୁ ଆଣିବି?” ଏଣୁ ଦାଉଦ ସିନ୍ଦୁକ ଆପଣା ନିକଟକୁ, ଅର୍ଥାତ୍‍ ଦାଉଦ-ନଗରକୁ ଆଣିଲେ ନାହିଁ; ମାତ୍ର ତାହା ବାଟରୁ ଫେରାଇ ଗାଥୀୟ ଓବେଦ୍‍-ଇଦୋମର ଗୃହକୁ ନେଇଗଲେ। ତହିଁରେ ଆମ୍ଭମାନଙ୍କ ପିତାଙ୍କ ସିନ୍ଦୁକ ଓବେଦ୍‍-ଇଦୋମର ପରିବାର ସହିତ ତାହାର ଗୃହରେ ତିନି ମାସ ରହିଲା; ପୁଣି ଆମ୍ଭମାନଙ୍କ ପିତା ଓବେଦ୍‍-ଇଦୋମର ପରିବାରକୁ ଓ ତାହାର ସର୍ବସ୍ଵକୁ ଆଶୀର୍ବାଦ କଲେ।