ଝଡ଼ ପୂର୍ବରୁ ଏକତ୍ର ହୁଅ
ଆହ୍ୱାନ ହେଉଛି ଆମ ପିତାଙ୍କ କ୍ରୋଧ ଓ ଆଜ୍ଞା ଦେଶ ଉପରେ ପଡ଼ିବା ପୂର୍ବରୁ ଏକତ୍ର ହେବାକୁ, ଏବଂ ଦିଆଯାଉଥିବା ଏକମାତ୍ର ଆଶା ଏକ 'ହୁଏତ' — ନମ୍ରତା ଖୋଜ, ଆଉ ହୁଏତ ତୁମେ ଲୁଚାଯିବ। ତାʼପରେ ଚାରିପାଖର ଜାତିମାନଙ୍କ ନାମ ଏକ ଏକ କରି ନିଆଯାଏ, ଶେଷରେ ଅହଂକାରୀ ନୀନିବୀ, ନିଜ ବିଷୟରେ ନିଶ୍ଚିନ୍ତ, ଧ୍ୱଂସସ୍ତୂପ ହୋଇ ପଡ଼ିରହେ।
2 1ହେ ନିର୍ଲଜ୍ଜ ଜାତି, ଏକତ୍ର ହୁଅ, ଆପଣାମାନଙ୍କୁ ସଂଗ୍ରହ କର, 2ଆଜ୍ଞା ପ୍ରସବ ହେବା ପୂର୍ବରୁ—ସେହି ଦିନ ତୁଷ ପରି ଉଡ଼ିଯାଏ—ଆମ୍ଭମାନଙ୍କ ପିତାଙ୍କ ପ୍ରଜ୍ଵଳିତ କ୍ରୋଧ ତୁମ୍ଭମାନଙ୍କ ଉପରେ ଆସିବା ପୂର୍ବରୁ, ଆମ୍ଭମାନଙ୍କ ପିତାଙ୍କ କ୍ରୋଧର ଦିନ ତୁମ୍ଭମାନଙ୍କ ଉପରେ ଆସିବା ପୂର୍ବରୁ। 3ହେ ଦେଶର ନମ୍ର ଲୋକ ସମସ୍ତେ, ଯେଉଁମାନେ ତାହାଙ୍କ ବିଚାର ପାଳନ କର, ତୁମ୍ଭେମାନେ ଆମ୍ଭମାନଙ୍କ ପିତାଙ୍କୁ ଅନ୍ଵେଷଣ କର; ଧାର୍ମିକତା ଅନ୍ଵେଷଣ କର, ନମ୍ରତା ଅନ୍ଵେଷଣ କର। କେଜାଣି ତୁମ୍ଭେମାନେ ଆମ୍ଭମାନଙ୍କ ପିତାଙ୍କ କ୍ରୋଧର ଦିନରେ ଲୁକ୍କାୟିତ ହେବ। 4କାରଣ ଘସା ପରିତ୍ୟକ୍ତ ହେବ, ଓ ଅସ୍କିଲୋନ ଧ୍ଵଂସସ୍ଥାନ ହେବ; ମଧ୍ୟାହ୍ନ ସମୟରେ ଅସ୍ଦୋଦ ତଡ଼ାଯିବ, ଓ ଇକ୍ରୋଣ ଉତ୍ପାଟିତ ହେବ। 5ହେ ସମୁଦ୍ର ତୀରବାସୀମାନେ, କରେଥୀୟ ଜାତି, ତୁମ୍ଭମାନଙ୍କ ପ୍ରତି ସନ୍ତାପ! ହେ କିଣାନ, ପଲେଷ୍ଟୀୟମାନଙ୍କ ଦେଶ, ଆମ୍ଭମାନଙ୍କ ପିତାଙ୍କ ବାକ୍ୟ ତୁମ୍ଭ ବିରୁଦ୍ଧରେ ଅଛି: “ଆମ୍ଭେ ତୁମ୍ଭକୁ ଏପରି ବିନାଶ କରିବା ଯେ କୌଣସି ନିବାସୀ ଅବଶିଷ୍ଟ ରହିବ ନାହିଁ।” 6ପୁଣି ସମୁଦ୍ର ତୀର ଚରାସ୍ଥାନ ହେବ, ମେଷପାଳକମାନଙ୍କ ନିମନ୍ତେ ତୃଣଭୂମି ଓ ପଲ ନିମନ୍ତେ ଖୁଆଡ଼ ହେବ। 7ସେହି ତୀର ଯିହୁଦା ବଂଶର ଅବଶିଷ୍ଟାଂଶର ହେବ; ସେମାନେ ସେଠାରେ ଚରିବେ, ଓ ସନ୍ଧ୍ୟା ସମୟରେ ଅସ୍କିଲୋନର ଗୃହମାନଙ୍କରେ ଶୟନ କରିବେ। କାରଣ ଆମ୍ଭମାନଙ୍କ ପିତା ସେମାନଙ୍କ ପ୍ରତି ଦୃଷ୍ଟି ରଖିବେ ଓ ସେମାନଙ୍କ ବନ୍ଦୀତ୍ଵ ଫେରାଇ ଆଣିବେ। 8ଆମ୍ଭେ ମୋୟାବର ନିନ୍ଦା ଓ ଅମ୍ମୋନ-ସନ୍ତାନଗଣର ଅପମାନବାକ୍ୟ ଶୁଣିଅଛୁ, ଯଦ୍ଵାରା ସେମାନେ ଆମ୍ଭ ଲୋକମାନଙ୍କୁ ନିନ୍ଦା କଲେ ଓ ସେମାନଙ୍କ ସୀମା ବିରୁଦ୍ଧରେ ଗର୍ବ କଲେ।
9ଏଣୁ ସୈନ୍ୟାଧିପତି ପିତା, ଇସ୍ରାଏଲର ଆମ୍ଭମାନଙ୍କ ପିତା କହନ୍ତି, ଆମ୍ଭର ଜୀବନ ଥିବା ପ୍ରମାଣେ, ମୋୟାବ ସଦୋମ ତୁଲ୍ୟ ଓ ଅମ୍ମୋନ-ସନ୍ତାନଗଣ ହମୋରା ତୁଲ୍ୟ ହେବେ— ବିଛୁଆତି ଓ ଲବଣ-ଗର୍ତ୍ତର ଦେଶ, ଅନନ୍ତକାଳ ନିମନ୍ତେ ଏକ ଉଜାଡ଼ ସ୍ଥାନ ହେବେ। ଆମ୍ଭ ଲୋକମାନଙ୍କ ଅବଶିଷ୍ଟାଂଶ ସେମାନଙ୍କୁ ଲୁଟିବେ ଓ ଆମ୍ଭ ଜାତିର ବଞ୍ଚିଥିବା ଲୋକମାନେ ସେମାନଙ୍କୁ ଅଧିକାର କରିବେ। 10“ସେମାନଙ୍କ ଅହଙ୍କାର ସକାଶୁ ସେମାନେ ଏହା ପାଇବେ, କାରଣ ସେମାନେ ସୈନ୍ୟାଧିପତି ପିତାଙ୍କ ଲୋକମାନଙ୍କ ବିରୁଦ୍ଧରେ ନିନ୍ଦା ଓ ଗର୍ବ କଲେ। 11ଆମ୍ଭମାନଙ୍କ ପିତା ସେମାନଙ୍କ ପ୍ରତି ଭୟଙ୍କର ହେବେ, କାରଣ ସେ ପୃଥିବୀର ସମସ୍ତ ଦେବତାଙ୍କୁ କ୍ଷୀଣ କରିବେ; ଆଉ ନାନା ଜାତିର ସମସ୍ତ ଉପକୂଳ, ପ୍ରତ୍ୟେକେ ଆପଣା ଆପଣା ସ୍ଥାନରୁ, ତାହାଙ୍କୁ ପ୍ରଣାମ କରିବେ।”
12ହେ କୂଶୀୟମାନେ, ତୁମ୍ଭେମାନେ ମଧ୍ୟ ଆମ୍ଭ ଖଡ଼୍ଗ ଦ୍ଵାରା ହତ ହେବ।
13ଆଉ ସେ ଉତ୍ତର ଦିଗ ବିରୁଦ୍ଧରେ ଆପଣା ହସ୍ତ ବିସ୍ତାର କରିବେ ଓ ଅଶୂରକୁ ବିନାଶ କରିବେ, ପୁଣି ନୀନିବୀକୁ ଧ୍ଵଂସସ୍ଥାନ, ମରୁଭୂମି ପରି ଶୁଷ୍କ କରିବେ। 14ତାହା ମଧ୍ୟରେ ପଲ ଓ ସର୍ବପ୍ରକାର ବନ୍ୟ ପଶୁ ଶୟନ କରିବେ; ପାଣିଭେଳା ଓ ଝିଙ୍କ ଉଭୟ ତାହାର ସ୍ତମ୍ଭ-ଶୀର୍ଷରେ ବାସ କରିବେ। ଝରକା ଦେଇ ଏକ ରବ ଗାନ କରିବ, ଦ୍ଵାରବନ୍ଧ ଉପରେ ଭଗ୍ନାବଶେଷ ପଡ଼ିବ, କାରଣ ତାହାର ଏରସ-କାଷ୍ଠ ଅନାବୃତ ହୋଇଅଛି। 15ଏ ସେହି ଆନନ୍ଦମୟ ନଗର, ଯେ ନିର୍ଭୟରେ ବାସ କରୁଥିଲା, ଯେ ଆପଣା ହୃଦୟରେ କହିଲା, “ଆମ୍ଭେ ଅଛୁ, ଆମ୍ଭ ଛଡ଼ା ଆଉ କେହି ନାହିଁ।” ସେ କିପରି ଧ୍ଵଂସସ୍ଥାନ, ବନ୍ୟ ପଶୁମାନଙ୍କ ଶୟନସ୍ଥାନ ହୋଇଅଛି! ତାହା ନିକଟ ଦେଇ ଗମନ କରିବା ପ୍ରତ୍ୟେକ ଲୋକ ହିସ୍ ଶବ୍ଦ କରିବ ଓ ଆପଣା ମୁଷ୍ଟି ହଲାଇବ।