କୋରହ-ସନ୍ତାନଗଣ
ପ୍ରଧାନ ବାଦ୍ୟକରଙ୍କ ନିମନ୍ତେ। କୋରହ-ସନ୍ତାନଗଣଙ୍କ ଗୀତ।
ଆମ ପିତା ପୂର୍ବରୁ ଏହି ଲୋକମାନଙ୍କୁ କ୍ଷମା କରିଛନ୍ତି, ଏବଂ ପିଢ଼ି ପରେ ପିଢ଼ି କ୍ରୋଧିତ ହୋଇ ରହିବା ପରିବର୍ତ୍ତେ ପୁଣି ଥରେ ତାହା କରିବାକୁ ସେମାନେ ତାଙ୍କୁ ନିବେଦନ କରନ୍ତି। ସେମାନେ ଶୁଣୁଥିବା ଉତ୍ତର ହେଉଛି ଶାନ୍ତି, ଏବଂ ଏକ ଚିତ୍ର: ପ୍ରେମ ଓ ବିଶ୍ୱସ୍ତତା ପରସ୍ପରକୁ ଭେଟନ୍ତି, ଧାର୍ମିକତା ଓ ଶାନ୍ତି ପରସ୍ପରକୁ ଚୁମ୍ବନ କରନ୍ତି, ଭୂମି ତାହାର ଶସ୍ୟ ଉତ୍ପନ୍ନ କରେ।
85 1ହେ ପିତା, ତୁମ୍ଭେ ଆପଣା ଦେଶ ପ୍ରତି ଅନୁଗ୍ରହ ଦେଖାଇଲ; ତୁମ୍ଭେ ଯାକୁବର ବନ୍ଦୀତ୍ଵ ଫେରାଇ ଆଣିଲ। 2ତୁମ୍ଭେ ଆପଣା ଲୋକଙ୍କ ଅପରାଧ କ୍ଷମା କଲ; ତୁମ୍ଭେ ସେମାନଙ୍କର ସମସ୍ତ ପାପ ଆଚ୍ଛାଦନ କଲ। 3ତୁମ୍ଭେ ଆପଣାର ସମସ୍ତ କ୍ରୋଧ ପ୍ରତ୍ୟାହାର କଲ; ତୁମ୍ଭେ ଆପଣା ପ୍ରଜ୍ଵଳିତ କୋପରୁ ନିବୃତ୍ତ ହେଲ।
4ହେ ପିତା, ଆମ୍ଭମାନଙ୍କ ପରିତ୍ରାଣ, ଆମ୍ଭମାନଙ୍କୁ ପୁନର୍ବାର ଫେରାଇ ଆଣ; ଆମ୍ଭମାନଙ୍କ ପ୍ରତି ଆପଣା କ୍ରୋଧ ଦୂର କର। 5ତୁମ୍ଭେ କʼଣ ଆମ୍ଭମାନଙ୍କ ପ୍ରତି ଅନନ୍ତକାଳ କ୍ରୋଧ କରିବ? ତୁମ୍ଭେ କʼଣ ପୁରୁଷାନୁକ୍ରମେ ଆପଣା କୋପ ବୃଦ୍ଧି କରିବ? 6ତୁମ୍ଭେ କʼଣ ଆମ୍ଭମାନଙ୍କୁ ପୁନର୍ବାର ସଜୀବ କରିବ ନାହିଁ, ଯେପରି ତୁମ୍ଭ ଲୋକମାନେ ତୁମ୍ଭଠାରେ ଆନନ୍ଦ କରିପାରିବେ? 7ହେ ପିତା, ଆମ୍ଭମାନଙ୍କୁ ଆପଣା ଦୟା ଦେଖାଅ, ଆଉ ଆମ୍ଭମାନଙ୍କୁ ଆପଣା ପରିତ୍ରାଣ ପ୍ରଦାନ କର।
8ପିତା ଯାହା କହିବେ, ତାହା ମୁଁ ଶୁଣିବି, କାରଣ ସେ ଆପଣା ଲୋକଙ୍କୁ, ଆପଣା ବିଶ୍ଵସ୍ତ ଜନଙ୍କୁ ଶାନ୍ତିର କଥା କହିବେ; ମାତ୍ର ସେମାନେ ପୁନର୍ବାର ଆପଣା ମୂର୍ଖତାର ପଥକୁ ନ ଫେରନ୍ତୁ। 9ଆମ୍ଭମାନଙ୍କ ଦେଶରେ ଯେପରି ମହିମା ବାସ କରିପାରେ, ଏଥିପାଇଁ ନିତାନ୍ତ ତାହାଙ୍କ ପରିତ୍ରାଣ ତାହାଙ୍କୁ ଭୟ କରୁଥିବା ଲୋକଙ୍କ ନିକଟବର୍ତ୍ତୀ। 10ଦୟା ଓ ସତ୍ୟତା ପରସ୍ପର ମିଳିତ ହୋଇଅଛନ୍ତି; ଧାର୍ମିକତା ଓ ଶାନ୍ତି ପରସ୍ପରକୁ ଚୁମ୍ବନ କରିଅଛନ୍ତି। 11ପୃଥିବୀରୁ ସତ୍ୟତା ଅଙ୍କୁରିତ ହୁଏ, ଆଉ ଆକାଶରୁ ଧାର୍ମିକତା ନିରୀକ୍ଷଣ କରେ। 12ହଁ, ପିତା ଯାହା ଉତ୍ତମ, ତାହା ଦେବେ, ଆଉ ଆମ୍ଭମାନଙ୍କ ଦେଶ ଆପଣା ଶସ୍ୟ ଉତ୍ପନ୍ନ କରିବ। 13ଧାର୍ମିକତା ତାହାଙ୍କ ଅଗ୍ରସର ହୋଇ ଯିବ, ଆଉ ତାହାଙ୍କ ପଦଚିହ୍ନ ନିମନ୍ତେ ପଥ ପ୍ରସ୍ତୁତ କରିବ।