ଆପଣା ପିତାଙ୍କ ନିକଟରେ ଦାଉଦଙ୍କ କ୍ରନ୍ଦନ
ଦାଉଦଙ୍କ ଏକ ପ୍ରାର୍ଥନା।
ଦାଉଦ ଜଣେ ଦୀନ ଓ ଦରିଦ୍ର ଲୋକ ଭାବେ ପ୍ରାର୍ଥନା କରନ୍ତି, ନିଜ ପିତାଙ୍କ ବିଷୟରେ ସେ ଯାହା ଜାଣନ୍ତି ତାହା ଗୋଟି ଗୋଟି କରି ସଜାନ୍ତି — ଉତ୍ତମ, କ୍ଷମାଶୀଳ, ଅନ୍ୟ କାହା ପରି ନୁହନ୍ତି, ନିୟମ-ପ୍ରେମରେ ପରିପୂର୍ଣ୍ଣ। ପ୍ରତ୍ୟେକ ନିବେଦନ ତଳେ ଆଉ ଗୋଟିଏ ନିବେଦନ ରହିଛି: ଏକ ଅବିଭକ୍ତ ହୃଦୟ, ସହିତ ଏକ ଦୃଶ୍ୟମାନ ଚିହ୍ନ ଯେପରି ତାଙ୍କ ଆକ୍ରମଣକାରୀମାନେ ଦେଖିବେ କିଏ ତାଙ୍କୁ ସାହାଯ୍ୟ କଲେ।
86 1ହେ ମୋହର ପିତା, କର୍ଣ୍ଣ ଡେରି ମୋʼ କଥା ଶୁଣ; ମୋତେ ଉତ୍ତର ଦିଅ, କାରଣ ମୁଁ ଦରିଦ୍ର ଓ ଦୀନ।
2ମୋʼ ପ୍ରାଣ ରକ୍ଷା କର, କାରଣ ମୁଁ ତୁମ୍ଭ ପ୍ରତି ଭକ୍ତ; ତୁମ୍ଭଠାରେ ବିଶ୍ଵାସ କରୁଥିବା ତୁମ୍ଭ ଦାସକୁ ପରିତ୍ରାଣ କର—ତୁମ୍ଭେ ମୋହର ପିତା ଅଟ। 3ହେ ମୋହର ପ୍ରଭୁ ପିତା, ମୋତେ ଅନୁଗ୍ରହ କର, କାରଣ ମୁଁ ଦିନସାରା ତୁମ୍ଭ ନିକଟରେ ଡାକ ପକାଉଅଛି। 4ଆପଣା ଦାସର ପ୍ରାଣକୁ ଆନନ୍ଦିତ କର, କାରଣ ହେ ମୋହର ପ୍ରଭୁ ପିତା, ମୁଁ ତୁମ୍ଭ ନିକଟରେ ଆପଣା ପ୍ରାଣ ଉତ୍ତୋଳନ କରୁଅଛି।
5କାରଣ ହେ ମୋହର ପ୍ରଭୁ ପିତା, ତୁମ୍ଭେ ମଙ୍ଗଳମୟ ଓ କ୍ଷମାଶୀଳ, ପୁଣି ତୁମ୍ଭକୁ ଡାକୁଥିବା ସମସ୍ତଙ୍କ ପ୍ରତି ଦୟାରେ ପରିପୂର୍ଣ୍ଣ। 6ହେ ମୋହର ପିତା, ମୋʼ ପ୍ରାର୍ଥନାରେ କର୍ଣ୍ଣ ଦିଅ; ମୋʼ ବିନତିର ରବ ଶୁଣ। 7ବିପଦ ସମୟରେ ମୁଁ ତୁମ୍ଭ ନିକଟରେ ଡାକ ପକାଏ, ଆଉ ତୁମ୍ଭେ ମୋତେ ଉତ୍ତର ଦିଅ।
8ହେ ମୋହର ପ୍ରଭୁ ପିତା, ଦେବତାଗଣ ମଧ୍ୟରେ ତୁମ୍ଭ ତୁଲ୍ୟ କେହି ନାହିଁ, ପୁଣି ତୁମ୍ଭ କର୍ମ ତୁଲ୍ୟ କୌଣସି କର୍ମ ନାହିଁ। 9ହେ ମୋହର ପ୍ରଭୁ ପିତା, ତୁମ୍ଭର ନିର୍ମିତ ସମସ୍ତ ଜାତି ଆସି ତୁମ୍ଭ ସମ୍ମୁଖରେ ପ୍ରଣିପାତ କରିବେ, ଆଉ ସେମାନେ ତୁମ୍ଭ ନାମକୁ ମହିମାନ୍ଵିତ କରିବେ। 10କାରଣ ତୁମ୍ଭେ ମହାନ ଓ ଆଶ୍ଚର୍ଯ୍ୟ କର୍ମ କରୁଅଛ; କେବଳ ତୁମ୍ଭେ ହିଁ ମୋହର ପିତା।
11ହେ ମୋହର ପିତା, ମୋତେ ତୁମ୍ଭ ପଥ ଶିକ୍ଷା ଦିଅ, ଯେପରି ମୁଁ ତୁମ୍ଭ ସତ୍ୟରେ ଚାଲିବି; ତୁମ୍ଭ ନାମ ପ୍ରତି ଭୟ ରଖିବା ନିମନ୍ତେ ମୋତେ ଏକାଗ୍ର ହୃଦୟ ଦିଅ। 12ହେ ମୋହର ପ୍ରଭୁ ପିତା, ମୁଁ ସମସ୍ତ ଅନ୍ତଃକରଣ ସହିତ ତୁମ୍ଭର ପ୍ରଶଂସା କରିବି, ଆଉ ମୁଁ ଅନନ୍ତକାଳ ତୁମ୍ଭ ନାମକୁ ମହିମାନ୍ଵିତ କରିବି। 13କାରଣ ମୋʼ ପ୍ରତି ତୁମ୍ଭର ଦୟା ମହତ୍; ତୁମ୍ଭେ ପାତାଳର ଗଭୀରତାରୁ ମୋʼ ପ୍ରାଣ ଉଦ୍ଧାର କରିଅଛ। a a v13 ଶିୟୋଲ ହେଉଛି ମୃତମାନଙ୍କ ରାଜ୍ୟର ଏବ୍ରୀୟ ନାମ, ଯାହାକୁ କଳ୍ପନାଯୋଗ୍ୟ ଗଭୀରତମ ସ୍ଥାନ ରୂପେ ଚିତ୍ରିତ କରାଯାଇଛି।
14ହେ ମୋହର ପିତା, ଅହଙ୍କାରୀ ଲୋକମାନେ ମୋʼ ବିରୁଦ୍ଧରେ ଉଠିଛନ୍ତି; ନିଷ୍ଠୁର ଲୋକମାନଙ୍କ ଏକ ଦଳ ମୋʼ ପ୍ରାଣ ଖୋଜୁଛନ୍ତି, ଆଉ ସେମାନେ ତୁମ୍ଭ ପ୍ରତି କିଛି ବିଚାର କରନ୍ତି ନାହିଁ। 15କିନ୍ତୁ ହେ ମୋହର ପ୍ରଭୁ ପିତା, ତୁମ୍ଭେ ସ୍ନେହଶୀଳ ଓ କୃପାମୟ ପିତା, କ୍ରୋଧରେ ଧୀର ପୁଣି ଦୟା ଓ ବିଶ୍ଵସ୍ତତାରେ ପରିପୂର୍ଣ୍ଣ। 16ମୋʼ ଆଡ଼କୁ ଫେରି ମୋତେ ଅନୁଗ୍ରହ କର; ଆପଣା ଦାସକୁ ତୁମ୍ଭ ବଳ ଦିଅ, ଆଉ ଆପଣା ଦାସୀର ପୁତ୍ରକୁ ପରିତ୍ରାଣ କର। 17ତୁମ୍ଭ ଅନୁଗ୍ରହର ଏକ ଚିହ୍ନ ମୋତେ ଦେଖାଅ, ଯେପରି ମୋʼ ଘୃଣାକାରୀମାନେ ଦେଖି ଲଜ୍ଜିତ ହେବେ, କାରଣ ହେ ମୋହର ପିତା, ତୁମ୍ଭେ ମୋତେ ସାହାଯ୍ୟ କରିଅଛ ଓ ମୋତେ ସାନ୍ତ୍ୱନା ଦେଇଅଛ।