ଆମ୍ଭମାନଙ୍କ ପିତାଙ୍କ ଗୃହ ପୁନର୍ନିର୍ମାଣ
ହଗୟ ଓ ଜିଖରିୟଙ୍କ ଦ୍ୱାରା ଉତ୍ସାହିତ ହୋଇ, ସିରୁବ୍ବାବିଲ ଓ ଯେଶୂୟ ପୁଣି ନିର୍ମାଣ ଆରମ୍ଭ କରନ୍ତି। ଶାସନକର୍ତ୍ତା ତତ୍ତନୟ ଏହାର ଅନୁମତି କିଏ ଦେଲା ବୋଲି ଜାଣିବାକୁ ଦାବି କରନ୍ତି, କିନ୍ତୁ ସେମାନଙ୍କ ପିତାଙ୍କ ଦୃଷ୍ଟି ପ୍ରାଚୀନମାନଙ୍କ ଉପରେ ଥିବାରୁ କେହି ସେମାନଙ୍କୁ ଅଟକାନ୍ତି ନାହିଁ। ଦାରିୟାବସଙ୍କ ନିକଟକୁ ତତ୍ତନୟଙ୍କ ବିବରଣୀ କେବଳ ରାଜକୀୟ ଅଭିଲେଖାଗାର ଅନୁସନ୍ଧାନ କରିବାକୁ ଅନୁରୋଧ କରେ।
5 1ସେତେବେଳେ ହଗୟ ଭାବବାଦୀ ଓ ଇଦ୍ଦୋଙ୍କ ପୁତ୍ର ଜିଖରୀୟ ଭାବବାଦୀ ଯିହୂଦା ଓ ଯିରୂଶାଲମରେ ଥିବା ଯିହୂଦୀମାନଙ୍କ ନିକଟରେ, ସେମାନଙ୍କ ଉପରେ ଅଧିଷ୍ଠିତ ଇସ୍ରାଏଲର ପରମେଶ୍ଵର ଆମ୍ଭମାନଙ୍କ ପିତାଙ୍କ ନାମରେ ଭାବବାଣୀ ପ୍ରଚାର କଲେ। 2ସେତେବେଳେ ଶଲ୍ଟୀୟେଲଙ୍କ ପୁତ୍ର ଯିରୁବ୍ବାବିଲ ଓ ଯୋଷାଦକଙ୍କ ପୁତ୍ର ଯେଶୂୟ ଉଠି ଯିରୂଶାଲମରେ ଆମ୍ଭମାନଙ୍କ ପିତାଙ୍କ ଗୃହ ପୁନର୍ନିର୍ମାଣ କରିବାକୁ ଆରମ୍ଭ କଲେ, ପୁଣି ଆମ୍ଭମାନଙ୍କ ପିତାଙ୍କ ଭାବବାଦୀମାନେ ସେମାନଙ୍କ ସଙ୍ଗରେ ଥାଇ ସେମାନଙ୍କୁ ସାହାଯ୍ୟ କଲେ।
3ସେତେବେଳେ ନଦୀ ସେପାରିର ଦେଶାଧ୍ୟକ୍ଷ ତତ୍ତନୟ, ଶଥର-ବୋଜନୟ ଓ ସେମାନଙ୍କ ସଙ୍ଗୀମାନେ ଆସି ପଚାରିଲେ, “ଏହି ଗୃହ ନିର୍ମାଣ କରିବାକୁ ଓ ଏହି ଗାନ୍ଥୁଣି ସମାପ୍ତ କରିବାକୁ କିଏ ତୁମ୍ଭମାନଙ୍କୁ ଆଜ୍ଞା ଦେଲା?” 4ସେମାନେ ଆହୁରି ପଚାରିଲେ, “ଏହି ଗୃହ ନିର୍ମାଣ କରୁଥିବା ଲୋକମାନଙ୍କ ନାମ କଅଣ?” 5କିନ୍ତୁ ସେମାନଙ୍କ ପିତାଙ୍କ ଦୃଷ୍ଟି ଯିହୂଦୀ ପ୍ରାଚୀନବର୍ଗଙ୍କ ଉପରେ ଥିଲା, ଏଣୁ ଯେପର୍ଯ୍ୟନ୍ତ ଏହି କଥା ଦାରୀୟାବସଙ୍କ ନିକଟରେ ନ ପହଞ୍ଚିଲା ଓ ତାହା ବିଷୟରେ ଲିଖିତ ଉତ୍ତର ଫେରି ନ ଆସିଲା, ସେପର୍ଯ୍ୟନ୍ତ କେହି ସେମାନଙ୍କୁ ଅଟକାଇ ପାରିଲା ନାହିଁ।
ଦାରୀୟାବସ ରାଜାଙ୍କ ନିକଟକୁ ପତ୍ର
6ନଦୀ ସେପାରିର ଦେଶାଧ୍ୟକ୍ଷ ତତ୍ତନୟ ଓ ଶଥର-ବୋଜନୟ ପୁଣି ନଦୀ ସେପାରିରେ ଥିବା ତାହାର ସଙ୍ଗୀ ଅଧିକାରୀମାନେ ଦାରୀୟାବସ ରାଜାଙ୍କ ନିକଟକୁ ଯେଉଁ ପତ୍ର ପଠାଇଲେ, ତାହାର ନକଲ। 7ସେମାନେ ତାହାଙ୍କ ନିକଟକୁ ଗୋଟିଏ ବିବରଣ ପଠାଇଲେ, ଯହିଁରେ ଲେଖାଥିଲା: ଦାରୀୟାବସ ରାଜାଙ୍କ ପ୍ରତି, ସର୍ବତୋଭାବେ ଶାନ୍ତି ହେଉ।
8ହେ ରାଜନ୍, ଆପଣ ଜ୍ଞାତ ହେଉନ୍ତୁ: ଆମ୍ଭେମାନେ ଯିହୂଦା ପ୍ରଦେଶକୁ, ମହାନ ପରମେଶ୍ଵରଙ୍କ ଗୃହକୁ ଗଲୁ। ତାହା ବୃହତ୍ ପ୍ରସ୍ତରରେ ନିର୍ମିତ ହେଉଅଛି ଓ କାନ୍ଥରେ କାଠ ଲଗାଯାଉଅଛି। ଏହି କାର୍ଯ୍ୟ ଯତ୍ନ ସହିତ ଚାଲୁଅଛି ଓ ସେମାନଙ୍କ ହସ୍ତରେ ସଫଳ ହେଉଅଛି। 9ତହିଁରେ ଆମ୍ଭେମାନେ ସେହି ପ୍ରାଚୀନବର୍ଗଙ୍କୁ ପଚାରିଲୁ, “ଏହି ଗୃହ ନିର୍ମାଣ କରିବାକୁ ଓ ଏହି ଗାନ୍ଥୁଣି ସମାପ୍ତ କରିବାକୁ କିଏ ତୁମ୍ଭମାନଙ୍କୁ ଆଜ୍ଞା ଦେଲା?” 10ଆପଣଙ୍କୁ ଜ୍ଞାତ କରାଇବା ପାଇଁ ଓ ସେମାନଙ୍କ ପ୍ରଧାନବର୍ଗଙ୍କ ନାମ ଲେଖିବା ପାଇଁ ଆମ୍ଭେମାନେ ସେମାନଙ୍କ ନାମ ମଧ୍ୟ ପଚାରିଲୁ। 11ସେମାନେ ଆମ୍ଭମାନଙ୍କୁ ଉତ୍ତର ଦେଲେ, “ଆମ୍ଭେମାନେ ଆକାଶ ଓ ପୃଥିବୀର ପରମେଶ୍ଵର ଆମ୍ଭମାନଙ୍କ ପିତାଙ୍କ ଦାସ, ପୁଣି ଅନେକ ବର୍ଷ ପୂର୍ବେ ଇସ୍ରାଏଲର ଜଣେ ମହାନ ରାଜା ଯେଉଁ ଗୃହ ନିର୍ମାଣ କରି ସମାପ୍ତ କରିଥିଲେ, ତାହା ଆମ୍ଭେମାନେ ପୁନର୍ନିର୍ମାଣ କରୁଅଛୁ। 12ମାତ୍ର ଆମ୍ଭମାନଙ୍କ ପିତୃପୁରୁଷମାନେ ଆକାଶର ପରମେଶ୍ଵର ଆମ୍ଭମାନଙ୍କ ପିତାଙ୍କୁ କ୍ରୋଧିତ କରିବାରୁ ସେ ସେମାନଙ୍କୁ ବାବିଲର ରାଜା କଲ୍ଦୀୟ ନବୂଖଦ୍ନିତ୍ସରଙ୍କ ହସ୍ତରେ ସମର୍ପଣ କଲେ, ଆଉ ସେ ଏହି ଗୃହ ବିନାଶ କଲା ଓ ଲୋକମାନଙ୍କୁ ବାବିଲକୁ ବନ୍ଦୀ କରି ନେଇଗଲା। 13ମାତ୍ର ବାବିଲର ରାଜା କୋରସଙ୍କ ରାଜତ୍ଵର ପ୍ରଥମ ବର୍ଷରେ କୋରସ ରାଜା ଆମ୍ଭମାନଙ୍କ ପିତାଙ୍କ ଏହି ଗୃହ ପୁନର୍ନିର୍ମାଣ କରିବା ପାଇଁ ଆଜ୍ଞା ଦେଲେ। 14ନବୂଖଦ୍ନିତ୍ସର ଯିରୂଶାଲମସ୍ଥ ମନ୍ଦିରରୁ ଆମ୍ଭମାନଙ୍କ ପିତାଙ୍କ ଗୃହର ଯେଉଁ ସୁନା ଓ ରୂପାର ପାତ୍ରସବୁ ନେଇ ବାବିଲର ମନ୍ଦିରକୁ ଆଣିଥିଲା, କୋରସ ରାଜା ସେହିସବୁ ବାବିଲର ମନ୍ଦିରରୁ ବାହାର କରି ଆଣିଲେ ଓ ଶେଶ୍ବସର ନାମକ ଯେଉଁ ଲୋକକୁ ସେ ଦେଶାଧ୍ୟକ୍ଷ ପଦରେ ନିଯୁକ୍ତ କରିଥିଲେ, ତାହାକୁ ସେହିସବୁ ଦେଲେ, 15ପୁଣି ତାହାକୁ କହିଲେ, ‘ଏହି ପାତ୍ରସବୁ ନେଇ ଯାଅ ଓ ଯିରୂଶାଲମର ମନ୍ଦିରରେ ରଖ, ଆଉ ପରମେଶ୍ଵରଙ୍କ ଗୃହ ଆପଣା ସ୍ଥାନରେ ପୁନର୍ନିର୍ମିତ ହେଉ।’ 16ତେଣୁ ଏହି ଶେଶ୍ବସର ଆସି ଯିରୂଶାଲମରେ ଆମ୍ଭମାନଙ୍କ ପିତାଙ୍କ ଗୃହର ଭିତ୍ତିମୂଳ ସ୍ଥାପନ କଲା; ସେହି ସମୟଠାରୁ ଏ ପର୍ଯ୍ୟନ୍ତ ତାହା ନିର୍ମିତ ହେଉଅଛି, ମାତ୍ର ଏ ପର୍ଯ୍ୟନ୍ତ ସମାପ୍ତ ହୋଇ ନାହିଁ।”
17ଏଣୁ ଯଦି ରାଜା ସମ୍ମତ ହୁଅନ୍ତି, ତେବେ ଯିରୂଶାଲମସ୍ଥ ପରମେଶ୍ଵରଙ୍କ ଏହି ଗୃହ ପୁନର୍ନିର୍ମାଣ କରିବା ପାଇଁ କୋରସ ରାଜା ଆଜ୍ଞା ଦେଇଥିଲେ କି ନାହିଁ, ତାହା ଜାଣିବା ପାଇଁ ବାବିଲରେ ଥିବା ରାଜକୀୟ ଭଣ୍ଡାରଗୃହର ଲେଖାପତ୍ରରେ ଅନୁସନ୍ଧାନ କରାଯାଉ। ତତ୍ପରେ ରାଜା ଏହି ବିଷୟରେ ଆପଣା ଅଭିମତ ଆମ୍ଭମାନଙ୍କ ନିକଟକୁ ପ୍ରେରଣ କରନ୍ତୁ।