ପାଉଲ କରିନ୍ଥରେ ମଣ୍ଡଳୀ ସ୍ଥାପନ କରନ୍ତି
ପାଉଲ ଆକ୍ୱିଲା ଓ ପ୍ରିସ୍କିଲାଙ୍କ ସହିତ ତମ୍ବୁ ତିଆରି କାମ କରନ୍ତି ଏବଂ ପ୍ରତି ବିଶ୍ରାମବାରରେ ଯୁକ୍ତିତର୍କ କରନ୍ତି, ଯେପର୍ଯ୍ୟନ୍ତ ବିରୋଧ ତାଙ୍କୁ ପାଖ ଘରକୁ ଠେଲି ନ ଦିଏ। ଏକ ଦର୍ଶନରେ କହିବା ଜାରି ରଖିବାକୁ କୁହାଯିବାରୁ ସେ ଦେଢ଼ ବର୍ଷ ରହନ୍ତି। ଗାଲ୍ଲିୟୋ ଏହି ମାମଲାକୁ ଶବ୍ଦ ନେଇ କଳି ବୋଲି ଖାରଜ କରିଦିଅନ୍ତି, ଏବଂ ଜନତା ତା' ବଦଳରେ ସୋସ୍ଥେନିଙ୍କୁ ମାଡ଼ ମାରେ।
18 1ଏଥିଉତ୍ତାରେ ପାଉଲ ଆଥେନୀ ପରିତ୍ୟାଗ କରି କରିନ୍ଥକୁ ଗଲେ। 2ସେଠାରେ ସେ ଆକ୍ବିଲା ନାମକ ପନ୍ତ ଦେଶଜାତ ଜଣେ ଯିହୂଦୀଙ୍କୁ ଭେଟିଲେ, ଯେ କ୍ଲାଉଦିଅ ସମସ୍ତ ଯିହୂଦୀଙ୍କୁ ରୋମରୁ ବାହାର ହୋଇଯିବା ନିମନ୍ତେ ଆଜ୍ଞା ଦେବାରୁ ଆପଣା ଭାର୍ଯ୍ୟା ପ୍ରୀସ୍କିଲ୍ଲାଙ୍କ ସହିତ ନୂତନ ଭାବେ ଇତାଲିଆରୁ ଆସିଥିଲେ। ପାଉଲ ସେମାନଙ୍କ ନିକଟକୁ ଯାଇ, 3ସେମାନଙ୍କ ବ୍ୟବସାୟ ଏକ ଥିବାରୁ ସେମାନଙ୍କ ସହିତ ବାସ କରି କର୍ମ କଲେ; କାରଣ ବ୍ୟବସାୟରେ ସେମାନେ ତମ୍ବୁନିର୍ମାଣକାରୀ ଥିଲେ। 4ଆଉ ପ୍ରତି ବିଶ୍ରାମବାରରେ ସେ ସମାଜଗୃହରେ ଯୁକ୍ତି କରି ଯିହୂଦୀ ଓ ଗ୍ରୀକ୍ମାନଙ୍କୁ ବୁଝାଇବାକୁ ଚେଷ୍ଟା କରୁଥିଲେ। 5ଯେତେବେଳେ ଶୀଲା ଓ ତୀମଥି ମାକିଦନିଆରୁ ଆସିଲେ, ସେତେବେଳେ ପାଉଲ ବାକ୍ୟରେ ସମ୍ପୂର୍ଣ୍ଣ ଆବିଷ୍ଟ ହୋଇ, ଯୀଶୁ ଯେ ଖ୍ରୀଷ୍ଟ, ଏହା ଯିହୂଦୀମାନଙ୍କ ନିକଟରେ ସାକ୍ଷ୍ୟ ଦେଉଥିଲେ। 6ମାତ୍ର ସେମାନେ ବିରୋଧ କରି ନିନ୍ଦା କରିବାରୁ ସେ ଆପଣା ବସ୍ତ୍ର ଝାଡ଼ି କହିଲେ, “ତୁମ୍ଭମାନଙ୍କ ରକ୍ତ ତୁମ୍ଭମାନଙ୍କ ନିଜ ମସ୍ତକ ଉପରେ ବର୍ତ୍ତୁ! ମୁଁ ଏଥିରୁ ନିର୍ଦ୍ଦୋଷ। ଏହିକ୍ଷଣଠାରୁ ମୁଁ ଅଣଯିହୂଦୀମାନଙ୍କ ନିକଟକୁ ଯିବି।”
7ପୁଣି, ସେ ସେଠାରୁ ପ୍ରସ୍ଥାନ କରି, ଆମ୍ଭମାନଙ୍କ ପିତାଙ୍କର ଜଣେ ଉପାସକ ତିତସ ଯୂସ୍ତ ନାମକ ବ୍ୟକ୍ତିଙ୍କ ଗୃହକୁ ଗଲେ, ଯାହାର ଗୃହ ସମାଜଗୃହର ପାଖରେ ଥିଲା। 8ଆଉ, ସମାଜଗୃହର ଅଧ୍ୟକ୍ଷ କ୍ରୀଷ୍ପ ଆପଣା ସମସ୍ତ ପରିବାର ସହିତ ପ୍ରଭୁଙ୍କଠାରେ ବିଶ୍ଵାସ କଲେ; ପୁଣି, ପାଉଲଙ୍କ କଥା ଶୁଣି ଅନେକ କରିନ୍ଥୀୟ ବିଶ୍ଵାସ କରି ବାପ୍ତିଜିତ ହେଲେ।
9ଆଉ, ପ୍ରଭୁ ଗୋଟିଏ ରାତ୍ରିରେ ଦର୍ଶନ ଦ୍ଵାରା ପାଉଲଙ୍କୁ କହିଲେ, “ଭୟ କର ନାହିଁ, ବରଂ କଥା କହୁଥାଅ, ନୀରବ ହୁଅ ନାହିଁ, 10କାରଣ ଆମ୍ଭେ ତୁମ୍ଭ ସଙ୍ଗରେ ଅଛୁ, ଆଉ ତୁମ୍ଭର ହିଂସା କରିବା ନିମନ୍ତେ କେହି ତୁମ୍ଭକୁ ଆକ୍ରମଣ କରିବ ନାହିଁ, ଯେଣୁ ଏହି ନଗରରେ ଆମ୍ଭର ଅନେକ ଲୋକ ଅଛନ୍ତି।”
11ଅତଏବ ପାଉଲ ସେମାନଙ୍କ ମଧ୍ୟରେ ଆମ୍ଭମାନଙ୍କ ପିତାଙ୍କ ବାକ୍ୟ ଶିକ୍ଷା ଦେଇ ଏକ ବର୍ଷ ଛଅ ମାସ ପର୍ଯ୍ୟନ୍ତ ବାସ କଲେ।
12ମାତ୍ର ଗାଲ୍ଲିୟୋ ଆଖାୟାର ଶାସନକର୍ତ୍ତା ଥିବା ସମୟରେ ଯିହୂଦୀମାନେ ଏକମନା ହୋଇ ପାଉଲଙ୍କ ବିରୁଦ୍ଧରେ ଉଠି ତାହାଙ୍କୁ ବିଚାରାସନ ନିକଟକୁ ଆଣି କହିଲେ, 13“ଏହି ଲୋକ ବ୍ୟବସ୍ଥାର ବିରୁଦ୍ଧ ରୀତିରେ ଈଶ୍ଵରଙ୍କ ଉପାସନା କରିବା ନିମନ୍ତେ ଲୋକମାନଙ୍କୁ ମଣାଉଅଛି।”
14ଆଉ, ପାଉଲ କଥା କହିବାକୁ ଉଦ୍ୟତ ହେବା ବେଳେ ଗାଲ୍ଲିୟୋ ଯିହୂଦୀମାନଙ୍କୁ କହିଲେ, “ହେ ଯିହୂଦୀମାନେ, ଏହା ଯଦି କୌଣସି ଅନ୍ୟାୟ କିମ୍ବା ନୀଚ ଅପରାଧ ହୋଇଥାଆନ୍ତା, ତେବେ ତୁମ୍ଭମାନଙ୍କ କଥା ଧୈର୍ଯ୍ୟ ଧରି ଶୁଣିବାର ମୋʼର ଯଥାର୍ଥ କାରଣ ଥାଆନ୍ତା। 15କିନ୍ତୁ ଏହା ଯଦି ବାକ୍ୟ, ନାମ ଓ ତୁମ୍ଭମାନଙ୍କ ନିଜ ବ୍ୟବସ୍ଥା ସମ୍ବନ୍ଧୀୟ ବିବାଦ, ତେବେ ତୁମ୍ଭେମାନେ ନିଜେ ତାହା ମୀମାଂସା କର। ମୁଁ ଏସମସ୍ତ ବିଷୟର ବିଚାର କରିବି ନାହିଁ।” 16ପୁଣି, ସେ ସେମାନଙ୍କୁ ବିଚାରାସନ ନିକଟରୁ ତଡ଼ିଦେଲେ।
17ସେଥିରେ ସମସ୍ତେ ସମାଜଗୃହର ଅଧ୍ୟକ୍ଷ ସୋସ୍ଥିନାଙ୍କୁ ଧରି ବିଚାରାସନ ସମ୍ମୁଖରେ ପ୍ରହାର କଲେ, ମାତ୍ର ଗାଲ୍ଲିୟୋ ଏସମସ୍ତ ବିଷୟ କିଛି ଭ୍ରୂକ୍ଷେପ କଲେ ନାହିଁ।
ପାଉଲ ଆନ୍ତିୟଖିଆକୁ ବାହୁଡ଼ି ଆସନ୍ତି
18ପାଉଲ ଆହୁରି ଅନେକ ଦିନ କରିନ୍ଥରେ ରହିଲେ। ତତ୍ପରେ ସେ ଭାଇ ଓ ଭଉଣୀମାନଙ୍କଠାରୁ ବିଦାୟ ନେଇ ପ୍ରୀସ୍କିଲ୍ଲା ଓ ଆକ୍ବିଲାଙ୍କ ସହିତ ସୁରିଆ ଅଭିମୁଖେ ଜଳଯାତ୍ରା କଲେ। ସେ ମାନତ କରିଥିବାରୁ କେଙ୍କ୍ରେୟାରେ ଆପଣା ମସ୍ତକ ମୁଣ୍ଡନ କରାଇଥିଲେ। a a v18 ମସ୍ତକ ମୁଣ୍ଡନ କରିବା ଈଶ୍ଵରଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗୀକୃତ ଯିହୂଦୀୟ ମାନତର ଆନୁଷ୍ଠାନିକ ସମାପ୍ତିକୁ ସୂଚାଉଥିଲା। 19ପରେ ସେମାନେ ଏଫିସରେ ଉପସ୍ଥିତ ହେଲେ, ଆଉ ପାଉଲ ପ୍ରୀସ୍କିଲ୍ଲା ଓ ଆକ୍ବିଲାଙ୍କୁ ସେଠାରେ ଛାଡ଼ିଦେଲେ, କିନ୍ତୁ ସେ ନିଜେ ସମାଜଗୃହରେ ପ୍ରବେଶ କରି ଯିହୂଦୀମାନଙ୍କ ସହିତ ଯୁକ୍ତି କଲେ। 20ଆଉ, ସେମାନେ ତାହାଙ୍କୁ ଅଧିକ କାଳ ରହିବା ନିମନ୍ତେ ଅନୁରୋଧ କରନ୍ତେ ସେ ସମ୍ମତ ହେଲେ ନାହିଁ। 21ମାତ୍ର ସେ ବିଦାୟ ନେଇ କହିଲେ, “ଆମ୍ଭମାନଙ୍କ ପିତାଙ୍କ ଇଚ୍ଛା ହେଲେ ମୁଁ ପୁନର୍ବାର ତୁମ୍ଭମାନଙ୍କ ନିକଟକୁ ଆସିବି,” ଆଉ ସେ ଏଫିସରୁ ଜଳଯାତ୍ରା କଲେ।
22ଆଉ ସେ କାଇସରିଆରେ ଉତ୍ତରି, ଉପରକୁ ଯାଇ ମଣ୍ଡଳୀକୁ ନମସ୍କାର କରି ତତ୍ପରେ ଆନ୍ତିୟଖିଆକୁ ଓହ୍ଲାଇଗଲେ।
23ସେଠାରେ କିଛି କାଳ ରହିଲା ଉତ୍ତାରେ ସେ ପ୍ରସ୍ଥାନ କରି ଗାଲାତୀୟ ଓ ଫ୍ରୁଗିଆ ଅଞ୍ଚଳ ମଧ୍ୟ ଦେଇ ଯାଇ ସମସ୍ତ ଶିଷ୍ୟଙ୍କୁ ସୁଦୃଢ଼ କଲେ। 24ଏହି ସମୟରେ ଆଲେକ୍ଜାଣ୍ଡ୍ରିଆଜାତ ଆପଲ୍ଲ ନାମକ ଜଣେ ଯିହୂଦୀ ଏଫିସକୁ ଆସିଲେ; ସେ ଜଣେ ବିଦ୍ଵାନ୍ ବ୍ୟକ୍ତି ଓ ଶାସ୍ତ୍ରରେ ଅତ୍ୟନ୍ତ ନିପୁଣ ଥିଲେ। 25ସେ ପ୍ରଭୁଙ୍କ ପଥ ବିଷୟରେ ଶିକ୍ଷା ପାଇଥିଲେ, ଆଉ ଆତ୍ମାରେ ଉତ୍ସାହିତ ହୋଇ ଯୀଶୁଙ୍କ ବିଷୟରେ ଯଥାର୍ଥ ଭାବେ କହି ଶିକ୍ଷା ଦେଉଥିଲେ, ଯଦ୍ୟପି ସେ କେବଳ ଯୋହନଙ୍କ ବାପ୍ତିସ୍ମ ଜାଣିଥିଲେ। 26ସେ ସମାଜଗୃହରେ ସାହସର ସହିତ କଥା କହିବାକୁ ଲାଗିଲେ। ପ୍ରୀସ୍କିଲ୍ଲା ଓ ଆକ୍ବିଲା ତାହାଙ୍କ କଥା ଶୁଣି ତାହାଙ୍କୁ ଏକ ପାଖକୁ ଘେନିଯାଇ ଆମ୍ଭମାନଙ୍କ ପିତାଙ୍କ ପଥ ଅଧିକ ଯଥାର୍ଥ ଭାବେ ବୁଝାଇଦେଲେ।
27ଆଉ, ଯେତେବେଳେ ଆପଲ୍ଲ ଆଖାୟାକୁ ପାର ହୋଇଯିବାକୁ ଇଚ୍ଛା କଲେ, ସେତେବେଳେ ଭାଇ ଓ ଭଉଣୀମାନେ ତାହାଙ୍କୁ ଉତ୍ସାହ ଦେଇ ତାହାଙ୍କୁ ଗ୍ରହଣ କରିବା ନିମନ୍ତେ ଶିଷ୍ୟମାନଙ୍କୁ ଲେଖିଲେ; ଆଉ ସେଠାରେ ଉପସ୍ଥିତ ହୋଇ ଅନୁଗ୍ରହ ଦ୍ଵାରା ବିଶ୍ଵାସ କରିଥିବା ଲୋକମାନଙ୍କର ସେ ବହୁତ ଉପକାର କଲେ, 28କାରଣ ଯୀଶୁ ଯେ ଖ୍ରୀଷ୍ଟ, ଏହା ଶାସ୍ତ୍ରରୁ ପ୍ରମାଣ କରି ସେ ସର୍ବସାଧାରଣ ସମ୍ମୁଖରେ ବଳବତ୍ତର ଭାବେ ଯିହୂଦୀମାନଙ୍କୁ ଖଣ୍ଡନ କଲେ।