ମୁଦ୍ରଣରେ ଉପଲବ୍ଧ
ପୁସ୍ତକ

ଆମ୍ଭମାନଙ୍କ ପିତାଙ୍କ ମହିମା ଗୃହକୁ ପରିପୂର୍ଣ୍ଣ କରେ

ଅଗ୍ନି ଓହ୍ଲାଏ ଓ ଗୌରବ ଗୃହକୁ ପୂର୍ଣ୍ଣ କରେ, ଏବଂ ଲୋକମାନେ ଚଟାଣ ଉପରେ ମୁହଁ ମାଡ଼ି ଉପାସନା କରନ୍ତି। ତାʼପରେ ଆମ୍ଭମାନଙ୍କ ପିତା ରାତିରେ ସର୍ତ୍ତ ସହିତ ଉତ୍ତର ଦିଅନ୍ତି: ଯଦି ମୋର ସନ୍ତାନମାନେ ନିଜକୁ ନମ୍ର କରନ୍ତି, ପ୍ରାର୍ଥନା କରନ୍ତି, ମୋର ମୁଖ ଅନ୍ୱେଷଣ କରନ୍ତି ଓ ମନ୍ଦରୁ ଫେରନ୍ତି, ତେବେ ମୁଁ ଶୁଣିବି, କ୍ଷମା କରିବି, ଓ ସେମାନଙ୍କ ଦେଶକୁ ସୁସ୍ଥ କରିବି।

ଅଧ୍ୟାୟ 7।

ଶଲୋମନ ପ୍ରାର୍ଥନା ସମାପ୍ତ କରନ୍ତେ, ସ୍ଵର୍ଗରୁ ଅଗ୍ନି ପଡ଼ି ହୋମବଳି ଓ ବଳିସବୁ ଗ୍ରାସ କଲା, ପୁଣି ଆମ୍ଭମାନଙ୍କ ପିତାଙ୍କ ମହିମା ଗୃହକୁ ପରିପୂର୍ଣ୍ଣ କଲା। ଯାଜକମାନେ ଆମ୍ଭମାନଙ୍କ ପିତାଙ୍କ ଗୃହ ମଧ୍ୟରେ ପ୍ରବେଶ କରି ପାରିଲେ ନାହିଁ, କାରଣ ଆମ୍ଭମାନଙ୍କ ପିତାଙ୍କ ମହିମା ତାହା ପରିପୂର୍ଣ୍ଣ କରିଥିଲା। ଇସ୍ରାଏଲର ସମସ୍ତ ଲୋକ ଅଗ୍ନି ପଡ଼ିବା ଓ ଗୃହ ଉପରେ ଆମ୍ଭମାନଙ୍କ ପିତାଙ୍କ ମହିମା ଦେଖି, ପ୍ରସ୍ତରମୟ ଚଟାଣ ଉପରେ ମୁହଁ ମାଡ଼ି ଆଣ୍ଠୁ ପାତି ପ୍ରଣାମ କଲେ ଓ ଆମ୍ଭମାନଙ୍କ ପିତାଙ୍କୁ ଧନ୍ୟବାଦ ଦେଇ କହିଲେ, “ସେ ମଙ୍ଗଳମୟ; ତାହାଙ୍କ ଦୟା ଅନନ୍ତକାଳସ୍ଥାୟୀ।”

ତହିଁ ଉତ୍ତାରେ ରାଜା ଓ ସମସ୍ତ ଲୋକ ଆମ୍ଭମାନଙ୍କ ପିତାଙ୍କ ସମ୍ମୁଖରେ ବଳିଦାନ କଲେ। ଶଲୋମନ ରାଜା ବାଇଶ ହଜାର ଗୋରୁ ଓ ଏକ ଲକ୍ଷ କୋଡ଼ିଏ ହଜାର ମେଷ ବଳିଦାନ କଲେ; ଏହିରୂପେ ରାଜା ଓ ସମସ୍ତ ଲୋକ ଆମ୍ଭମାନଙ୍କ ପିତାଙ୍କ ଗୃହ ପ୍ରତିଷ୍ଠା କଲେ। ଯାଜକମାନେ ଆପଣା ଆପଣା ପଦରେ ଠିଆ ହେଲେ; ଆଉ ଲେବୀୟମାନେ ଆମ୍ଭମାନଙ୍କ ପିତାଙ୍କ ଉଦ୍ଦେଶ୍ୟରେ ବାଦ୍ୟଯନ୍ତ୍ର ଧରି ଠିଆ ହେଲେ, ଯାହା ଦାଉଦ ରାଜା ଆମ୍ଭମାନଙ୍କ ପିତାଙ୍କୁ ଧନ୍ୟବାଦ ଦେବା ନିମନ୍ତେ ନିର୍ମାଣ କରିଥିଲେ—“କାରଣ ତାହାଙ୍କ ଦୟା ଅନନ୍ତକାଳସ୍ଥାୟୀ”—ଯେତେବେଳେ ଦାଉଦ ସେହି ଯନ୍ତ୍ର ଦ୍ଵାରା ପ୍ରଶଂସା କରୁଥିଲେ। ସେମାନଙ୍କ ସମ୍ମୁଖରେ ଯାଜକମାନେ ତୂରୀ ବଜାଇଲେ, ପୁଣି ସମସ୍ତ ଇସ୍ରାଏଲ ଠିଆ ହୋଇ ରହିଲେ।

ଶଲୋମନ ଆମ୍ଭମାନଙ୍କ ପିତାଙ୍କ ଗୃହ ସମ୍ମୁଖସ୍ଥ ପ୍ରାଙ୍ଗଣର ମଧ୍ୟଭାଗ ପ୍ରତିଷ୍ଠା କଲେ, କାରଣ ସେଠାରେ ସେ ହୋମବଳି ଓ ମଙ୍ଗଳାର୍ଥକ ବଳିର ମେଦ ଉତ୍ସର୍ଗ କଲେ; ଯେହେତୁ ତାହାଙ୍କ ନିର୍ମିତ ପିତ୍ତଳମୟ ବେଦି ହୋମବଳି, ଭକ୍ଷ୍ୟ ନୈବେଦ୍ୟ ଓ ମେଦ ଧରି ପାରିଲା ନାହିଁ।

ସେହି ସମୟରେ ଶଲୋମନ ଓ ତାହାଙ୍କ ସଙ୍ଗେ ସମସ୍ତ ଇସ୍ରାଏଲ—ଲବୋ-ହମାତଠାରୁ ମିସରର ନଦୀ ପର୍ଯ୍ୟନ୍ତ ଏକ ମହାସମାଜ—ସାତ ଦିନ ପର୍ଯ୍ୟନ୍ତ ପର୍ବ ପାଳନ କଲେ। ସେମାନେ ସାତ ଦିନ ବେଦିର ପ୍ରତିଷ୍ଠା ଓ ସାତ ଦିନ ପର୍ବ ପାଳନ କରି, ଅଷ୍ଟମ ଦିନରେ ସମାପ୍ତି ସଭା କଲେ। ସପ୍ତମ ମାସର ତେଇଶ ଦିନରେ ସେ ଲୋକମାନଙ୍କୁ ଆପଣା ଆପଣା ତମ୍ବୁକୁ ପଠାଇ ଦେଲେ; ଆମ୍ଭମାନଙ୍କ ପିତା ଦାଉଦଙ୍କ, ଶଲୋମନଙ୍କ ଓ ଆପଣା ଲୋକ ଇସ୍ରାଏଲ ପ୍ରତି ଯେଉଁ ମଙ୍ଗଳ ପ୍ରକାଶ କଲେ, ସେଥିପାଇଁ ସେମାନେ ଆନନ୍ଦିତ ଓ ଅନ୍ତଃକରଣରେ ହୃଷ୍ଟ ହୋଇ ଗଲେ।

ଆମ୍ଭମାନଙ୍କ ପିତା ଶଲୋମନଙ୍କୁ କହନ୍ତି

ଏହିରୂପେ ଶଲୋମନ ଆମ୍ଭମାନଙ୍କ ପିତାଙ୍କ ଗୃହ ଓ ରାଜଗୃହ ସମାପ୍ତ କଲେ; ପୁଣି ଆମ୍ଭମାନଙ୍କ ପିତାଙ୍କ ଗୃହରେ ଓ ଆପଣା ଗୃହରେ ଯାହା ଯାହା କରିବାକୁ ଶଲୋମନ ମନସ୍ଥ କରିଥିଲେ, ସେସମସ୍ତ ସେ ସଫଳ ରୂପେ ସିଦ୍ଧ କଲେ।

ଏଥିଉତ୍ତାରେ ଆମ୍ଭମାନଙ୍କ ପିତା ରାତ୍ରିରେ ଶଲୋମନଙ୍କୁ ଦର୍ଶନ ଦେଇ ତାହାଙ୍କୁ କହିଲେ, “ଆମ୍ଭେ ତୁମ୍ଭର ପ୍ରାର୍ଥନା ଶୁଣିଅଛୁ ଓ ଏହି ସ୍ଥାନକୁ ବଳିଦାନର ଗୃହ ରୂପେ ଆପଣା ନିମନ୍ତେ ମନୋନୀତ କରିଅଛୁ।

“ଯଦି ଆମ୍ଭେ ଆକାଶ ବନ୍ଦ କରିବା ଯେପରି ବୃଷ୍ଟି ନ ହୁଏ, ଅବା ଦେଶକୁ ଗ୍ରାସ କରିବା ନିମନ୍ତେ ପଙ୍ଗପାଳଙ୍କୁ ଆଜ୍ଞା ଦେବା, ଅବା ଆପଣା ସନ୍ତାନମାନଙ୍କ ମଧ୍ୟରେ ମହାମାରୀ ପ୍ରେରଣ କରିବା, ତେବେ ଆମ୍ଭ ନାମରେ ଖ୍ୟାତ ଆମ୍ଭର ସନ୍ତାନମାନେ ଯଦି ଆପଣାମାନଙ୍କୁ ନମ୍ର କରି ପ୍ରାର୍ଥନା କରନ୍ତି, ଆମ୍ଭର ମୁଖ ଅନ୍ଵେଷଣ କରନ୍ତି ଓ ଆପଣାମାନଙ୍କ କୁପଥରୁ ଫେରନ୍ତି, ତେବେ ଆମ୍ଭେ ସ୍ଵର୍ଗରୁ ଶୁଣି ସେମାନଙ୍କ ପାପ କ୍ଷମା କରିବା ଓ ସେମାନଙ୍କ ଦେଶ ସୁସ୍ଥ କରିବା। ଏବେ ଏହି ସ୍ଥାନରେ କରାଯାଉଥିବା ପ୍ରାର୍ଥନା ପ୍ରତି ଆମ୍ଭର ଚକ୍ଷୁ ମେଲା ଓ ଆମ୍ଭର କର୍ଣ୍ଣ ଅଭିମୁଖ ରହିବ। ଏବେ ଆମ୍ଭେ ଏହି ଗୃହ ମନୋନୀତ କରି ପବିତ୍ର କରିଅଛୁ, ଯେପରି ଆମ୍ଭର ନାମ ସେଠାରେ ଅନନ୍ତକାଳ ରହିବ; ପୁଣି ଆମ୍ଭର ଚକ୍ଷୁ ଓ ଅନ୍ତଃକରଣ ସର୍ବଦା ସେଠାରେ ରହିବ।

ଆଉ ତୁମ୍ଭ ବିଷୟରେ—ତୁମ୍ଭ ପିତା ଦାଉଦ ଯେପରି ଚାଲିଲେ, ଯଦି ତୁମ୍ଭେ ସେପରି ଆମ୍ଭ ସମ୍ମୁଖରେ ଚାଲ, ଆମ୍ଭର ସମସ୍ତ ଆଜ୍ଞା ଅନୁସାରେ କର୍ମ କର ଓ ଆମ୍ଭର ବିଧି ଓ ଶାସନ ପାଳନ କର, ତେବେ ଆମ୍ଭେ ତୁମ୍ଭ ପିତା ଦାଉଦ ସହିତ ଯେପରି ନିୟମ କରିଥିଲୁ, ସେପରି ତୁମ୍ଭ ରାଜ୍ୟର ସିଂହାସନ ସୁସ୍ଥିର କରିବା, “ଇସ୍ରାଏଲ ଉପରେ କର୍ତ୍ତୃତ୍ଵ କରିବା ନିମନ୍ତେ ତୁମ୍ଭ ବଂଶରେ ଜଣେ ପୁରୁଷ ସର୍ବଦା ରହିବ।”

ମାତ୍ର ଯଦି ତୁମ୍ଭେମାନେ ବିମୁଖ ହୋଇ, ଆମ୍ଭର ଯେଉଁ ବିଧି ଓ ଆଜ୍ଞା ଆମ୍ଭେ ତୁମ୍ଭମାନଙ୍କ ସମ୍ମୁଖରେ ରଖିଅଛୁ, ତାହା ପରିତ୍ୟାଗ କର ଓ ଯାଇ ଅନ୍ୟ ଦେବତାମାନଙ୍କ ସେବା କର ଓ ସେମାନଙ୍କୁ ପ୍ରଣାମ କର, ତେବେ ସେମାନଙ୍କୁ ଆମ୍ଭେ ଯେଉଁ ଦେଶ ଦେଇଅଛୁ, ତହିଁରୁ ଆମ୍ଭେ ଇସ୍ରାଏଲକୁ ଉତ୍ପାଟନ କରିବା, ପୁଣି ଆପଣା ନାମ ନିମନ୍ତେ ଆମ୍ଭେ ଯେଉଁ ମନ୍ଦିର ପବିତ୍ର କରିଅଛୁ, ତାହା ଆମ୍ଭେ ଆପଣା ଦୃଷ୍ଟିରୁ ଦୂର କରିବା, ଆଉ ତାହାକୁ ସମସ୍ତ ଗୋଷ୍ଠୀ ମଧ୍ୟରେ ଦୃଷ୍ଟାନ୍ତ ଓ ପରିହାସର ବିଷୟ କରିବା। ପୂର୍ବେ ଏଡ଼େ ଉନ୍ନତ ଏହି ଗୃହ ବିଷୟରେ, ତହିଁ ନିକଟ ଦେଇ ଗମନକାରୀ ପ୍ରତ୍ୟେକ ଲୋକ ଚମତ୍କୃତ ହୋଇ କହିବେ, “ସଦାପ୍ରଭୁ ଏହି ଦେଶ ଓ ଏହି ଗୃହ ପ୍ରତି କାହିଁକି ଏରୂପ କଲେ?”

ତହିଁରେ ଲୋକମାନେ ଉତ୍ତର ଦେବେ, “ଯେଉଁ ସଦାପ୍ରଭୁ ସେମାନଙ୍କ ପୂର୍ବପୁରୁଷଙ୍କ ପରମେଶ୍ଵର ସେମାନଙ୍କୁ ମିସର ଦେଶରୁ ବାହାର କରି ଆଣିଲେ, ତାହାଙ୍କୁ ସେମାନେ ପରିତ୍ୟାଗ କଲେ ଓ ଅନ୍ୟ ଦେବତାମାନଙ୍କ ପ୍ରତି ଆସକ୍ତ ହୋଇ ସେମାନଙ୍କୁ ପ୍ରଣାମ କରି ସେବା କଲେ, ଏଥିପାଇଁ ସେ ସେମାନଙ୍କ ଉପରେ ଏସମସ୍ତ ବିପଦ ଆଣିଲେ।”