ମୁଦ୍ରଣରେ ଉପଲବ୍ଧ
ପୁସ୍ତକ

ଈଶ୍ଵରଭକ୍ତିରେ ଆପଣାକୁ ଶିକ୍ଷିତ କର

ପାଉଲ ସେହି ଶିକ୍ଷକମାନଙ୍କ ବିଷୟରେ ସତର୍କ କରନ୍ତି ଯେଉଁମାନେ ବିବାହ ଓ କେତେକ ଖାଦ୍ୟ ନିଷେଧ କରନ୍ତି, ଅଥଚ ଆମ୍ଭମାନଙ୍କ ପିତା ଯାହା କିଛି ସୃଷ୍ଟି କରିଛନ୍ତି ତାହା ଉତ୍ତମ ଓ ଧନ୍ୟବାଦ ସହିତ ଗ୍ରହଣୀୟ। ତୀମଥି ଈଶ୍ୱରଭକ୍ତି ପାଇଁ ନିଜକୁ ଅଭ୍ୟାସ କରାଇବେ, କେହି ତାଙ୍କ ଯୌବନକୁ ତୁଚ୍ଛ ନ କରୁ, ସର୍ବସାଧାରଣରେ ଶାସ୍ତ୍ର ପାଠ କରିବେ, ଏବଂ ନିଜ ଜୀବନ ଓ ଶିକ୍ଷା ପ୍ରତି ଧ୍ୟାନ ରଖିବେ।

ଅଧ୍ୟାୟ 4।

ପବିତ୍ର ଆତ୍ମା ସ୍ପଷ୍ଟ ରୂପେ କହୁଅଛନ୍ତି, ଶେଷ କାଳରେ କେତେକ ଲୋକ ପ୍ରବଞ୍ଚକ ଆତ୍ମାମାନଙ୍କ ପ୍ରତି ଓ ଭୂତମାନଙ୍କ ଶିକ୍ଷା ପ୍ରତି ମନୋଯୋଗ କରି ବିଶ୍ଵାସ ପରିତ୍ୟାଗ କରିବେ, ଯେଉଁ ମିଥ୍ୟାବାଦୀମାନଙ୍କ ନିଜ ବିବେକ ତପ୍ତ ଲୁହା ଦ୍ଵାରା ଦଗ୍ଧ ହୋଇଅଛି, ସେମାନଙ୍କ କପଟତା ଦ୍ଵାରା ଏହା ଘଟିବ। ସେମାନେ ବିବାହ କରିବାକୁ ବାରଣ କରନ୍ତି, ପୁଣି ଯେଉଁ ଖାଦ୍ୟ ସତ୍ୟ ଜାଣିଥିବା ବିଶ୍ଵାସୀମାନେ ଧନ୍ୟବାଦ ସହିତ ଗ୍ରହଣ କରିବା ନିମନ୍ତେ ଆମ୍ଭମାନଙ୍କ ପିତା ସୃଷ୍ଟି କରିଅଛନ୍ତି, ତାହା ଖାଇବାକୁ ବାରଣ କରନ୍ତି। କାରଣ ଆମ୍ଭମାନଙ୍କ ପିତାଙ୍କ ସୃଷ୍ଟ ପ୍ରତ୍ୟେକ ବସ୍ତୁ ଉତ୍ତମ, ପୁଣି ଧନ୍ୟବାଦ ସହିତ ଗ୍ରହଣ କଲେ କୌଣସି ବସ୍ତୁ ଅଗ୍ରାହ୍ୟ ନୁହେଁ, ଯେଣୁ ତାହା ଆମ୍ଭମାନଙ୍କ ପିତାଙ୍କ ବାକ୍ୟ ଓ ପ୍ରାର୍ଥନା ଦ୍ଵାରା ପବିତ୍ରୀକୃତ ହୁଏ।

ଏହିସବୁ କଥା ଭାଇ ଓ ଭଉଣୀମାନଙ୍କୁ ସ୍ମରଣ କରାଇଦେଲେ, ଯେଉଁ ବିଶ୍ଵାସର ବାକ୍ୟ ଓ ଉତ୍ତମ ଶିକ୍ଷାର ଅନୁଗାମୀ ହୋଇଅଛ, ତଦ୍ଦ୍ଵାରା ପରିପୁଷ୍ଟ ହୋଇ ତୁମ୍ଭେ ଖ୍ରୀଷ୍ଟ ଯୀଶୁଙ୍କ ଉତ୍ତମ ସେବକ ହେବ। ଅଧାର୍ମିକ ଓ ବୃଦ୍ଧାମାନଙ୍କ ଅସାର ଗଳ୍ପସବୁ ସହିତ ତୁମ୍ଭର କୌଣସି ସମ୍ପର୍କ ନ ଥାଉ। ବରଂ ଈଶ୍ଵରଭକ୍ତିରେ ଆପଣାକୁ ଶିକ୍ଷିତ କର। ଶାରୀରିକ ଅଭ୍ୟାସ ଅଳ୍ପ ଉପକାର ଜନ୍ମାଏ, କିନ୍ତୁ ଈଶ୍ଵରଭକ୍ତି ସର୍ବବିଷୟରେ ଉପକାର ଜନ୍ମାଏ, କାରଣ ତାହା ଇହକାଳ ଓ ପରକାଳ ଜୀବନର ପ୍ରତିଜ୍ଞା ବହନ କରେ। ଏହି କଥା ବିଶ୍ଵାସଯୋଗ୍ୟ ଓ ସର୍ବତୋଭାବେ ଗ୍ରହଣୀୟ। ଏଥିନିମନ୍ତେ ଆମ୍ଭେମାନେ ପରିଶ୍ରମ ଓ ପ୍ରାଣପଣ କରୁଅଛୁ, ଯେଣୁ ଯେ ସମସ୍ତ ମନୁଷ୍ୟଙ୍କ, ବିଶେଷତଃ ବିଶ୍ଵାସୀମାନଙ୍କ ତ୍ରାଣକର୍ତ୍ତା, ସେହି ଜୀବନ୍ତ ପିତାଙ୍କଠାରେ ଆମ୍ଭେମାନେ ଭରସା ରଖିଅଛୁ। ଏହିସବୁ କଥା ଆଜ୍ଞା ଦିଅ ଓ ଶିକ୍ଷା ଦିଅ।

ତୁମ୍ଭ ଯୌବନ ସକାଶେ କେହି ତୁମ୍ଭକୁ ତୁଚ୍ଛ ନ କରୁ, ବରଂ ବାକ୍ୟରେ, ଆଚରଣରେ, ପ୍ରେମରେ, ବିଶ୍ଵାସରେ ଓ ଶୁଚିତାରେ ବିଶ୍ଵାସୀମାନଙ୍କ ନିକଟରେ ଆଦର୍ଶ ହୁଅ। ମୁଁ ନ ଆସିବା ପର୍ଯ୍ୟନ୍ତ ଧର୍ମଶାସ୍ତ୍ର ପାଠ କରିବାରେ, ଉପଦେଶ ଦେବାରେ ଓ ଶିକ୍ଷା ଦେବାରେ ମନୋଯୋଗୀ ହୁଅ। ପ୍ରାଚୀନମାନଙ୍କ ହସ୍ତାର୍ପଣ ସମୟରେ ଭାବବାଣୀ ଦ୍ଵାରା ତୁମ୍ଭକୁ ଯେଉଁ ଅନୁଗ୍ରହଦାନ ଦିଆଯାଇଅଛି, ତୁମ୍ଭ ଅନ୍ତରସ୍ଥିତ ସେହି ଦାନକୁ ଅବହେଳା କର ନାହିଁ। ଏହିସବୁ କଥା ଅଭ୍ୟାସ କର, ପୁଣି ଏଥିରେ ସମ୍ପୂର୍ଣ୍ଣ ରୂପେ ନିବିଷ୍ଟ ହୁଅ, ଯେପରି ତୁମ୍ଭ ଉନ୍ନତି ସମସ୍ତଙ୍କୁ ପ୍ରକାଶିତ ହୁଏ। ଆପଣା ବିଷୟରେ ଓ ଆପଣା ଶିକ୍ଷା ବିଷୟରେ ସାବଧାନ ହୁଅ, ଏଥିରେ ଲାଗି ରୁହ, କାରଣ ଏହା କଲେ ତୁମ୍ଭେ ଆପଣାକୁ ଓ ଆପଣା ଶ୍ରୋତାମାନଙ୍କୁ, ଉଭୟଙ୍କୁ ପରିତ୍ରାଣ କରିବ।