ମୁଦ୍ରଣରେ ଉପଲବ୍ଧ
ପୁସ୍ତକ

ପିତାଙ୍କ ନାମ ନିମନ୍ତେ ଏକ ଗୃହ

ଦାଉଦଙ୍କୁ ପ୍ରେମ କରୁଥିବା ସୋରର ରାଜା ହୀରମ୍ ଆମ ପିତାଙ୍କ ନାମର ଗୃହ ପାଇଁ କାଠ ଓ କାରିଗର ପଠାନ୍ତି; ବଦଳରେ ଶଲୋମନ ଗହମ ଓ ତେଲ ପଠାନ୍ତି, ଏବଂ ଦୁଇ ରାଜା ଏକ ସନ୍ଧି କରନ୍ତି। ପଥର କାଟିବା ଓ ସବୁ ବୋହିବା ପାଇଁ ଶଲୋମନ ଦଶ ଦଶ ହଜାର ଇସ୍ରାଏଲୀୟଙ୍କୁ ପାଳି କ୍ରମରେ ବାଧ୍ୟତାମୂଳକ ଶ୍ରମରେ ଲଗାନ୍ତି।

ଅଧ୍ୟାୟ 5।

ଶଲୋମନ ଆପଣା ପିତାଙ୍କ ପଦରେ ରାଜା ହେବା ନିମନ୍ତେ ଅଭିଷିକ୍ତ ହୋଇଅଛନ୍ତି ବୋଲି ସୋରର ରାଜା ହୀରମ୍ ଶୁଣି ତାହାଙ୍କ ନିକଟକୁ ଆପଣା ଦାସମାନଙ୍କୁ ପ୍ରେରଣ କଲେ, କାରଣ ହୀରମ୍ ସର୍ବଦା ଦାଉଦଙ୍କୁ ପ୍ରେମ କରୁଥିଲେ। ପୁଣି ଶଲୋମନ ହୀରମ୍‍ଙ୍କ ନିକଟକୁ ଏହି ସମ୍ବାଦ ପଠାଇଲେ, ଆପଣ ଜାଣନ୍ତି, ମୋʼ ପିତା ଦାଉଦ ଆମ୍ଭମାନଙ୍କ ପିତାଙ୍କ ନାମ ନିମନ୍ତେ ଏକ ଗୃହ ନିର୍ମାଣ କରି ପାରିଲେ ନାହିଁ, କାରଣ ଆମ୍ଭମାନଙ୍କ ପିତା ତାହାଙ୍କ ଶତ୍ରୁମାନଙ୍କୁ ତାହାଙ୍କ ପଦତଳରେ ନ ରଖିବା ପର୍ଯ୍ୟନ୍ତ ଚତୁର୍ଦ୍ଦିଗରେ ଯୁଦ୍ଧ ତାହାଙ୍କୁ ଘେରି ରହିଥିଲା। ମାତ୍ର ଏବେ ମୋହର ପିତା ମୋତେ ଚତୁର୍ଦ୍ଦିଗରେ ବିଶ୍ରାମ ଦେଇଅଛନ୍ତି; କୌଣସି ବିପକ୍ଷ ନାହିଁ, କୌଣସି ବିପଦ ନାହିଁ।

ଆମ୍ଭମାନଙ୍କ ପିତା ମୋʼ ପିତା ଦାଉଦଙ୍କ ନିକଟରେ ଯେରୂପ ପ୍ରତିଜ୍ଞା କରିଥିଲେ, ସେହିପରି ମୁଁ ମୋହର ପିତାଙ୍କ ନାମ ନିମନ୍ତେ ଏକ ଗୃହ ନିର୍ମାଣ କରିବାକୁ ମନସ୍ଥ କରିଅଛି, ଯଥା, “ଆମ୍ଭେ ତୁମ୍ଭ ପଦରେ ତୁମ୍ଭ ସିଂହାସନରେ ଯେଉଁ ପୁତ୍ରକୁ ବସାଇବା, ସେ ଆମ୍ଭ ନାମ ନିମନ୍ତେ ସେହି ଗୃହ ନିର୍ମାଣ କରିବ।”

ଅତଏବ ମୋʼ ନିମନ୍ତେ ଲିବାନୋନରୁ ଏରସ କାଷ୍ଠ କଟାନ୍ତୁ। ମୋହର ଦାସମାନେ ଆପଣଙ୍କ ଦାସମାନଙ୍କ ସହିତ କାର୍ଯ୍ୟ କରିବେ; ପୁଣି ଆପଣ ଯେତେ ବେତନ ସ୍ଥିର କରିବେ, ମୁଁ ତାହା ଦେବି, କାରଣ ଆପଣ ଜାଣନ୍ତି, ସୀଦୋନୀୟମାନଙ୍କ ପରି କାଷ୍ଠ କାଟିବାକୁ ଆମ୍ଭମାନଙ୍କ ମଧ୍ୟରେ କେହି ଜାଣେ ନାହିଁ।

ହୀରମ୍ ଶଲୋମନଙ୍କ ବାକ୍ୟ ଶୁଣି ଅତ୍ୟନ୍ତ ଆନନ୍ଦିତ ହୋଇ କହିଲେ, “ଯେ ଆଜି ଦାଉଦଙ୍କୁ ଏହି ମହାଲୋକବୃନ୍ଦ ଉପରେ ଏକ ଜ୍ଞାନୀ ପୁତ୍ର ଦେଇଅଛନ୍ତି, ସେହି ସଦାପ୍ରଭୁ ଧନ୍ୟ ହେଉନ୍ତୁ।” ଆଉ ହୀରମ୍ ଶଲୋମନଙ୍କ ନିକଟକୁ ସମ୍ବାଦ ପଠାଇ କହିଲେ, “ଆପଣ ଯେଉଁ ସମ୍ବାଦ ପଠାଇଲେ, ତାହା ମୁଁ ଶୁଣିଅଛି; ଏରସ ଓ ଦେବଦାରୁ କାଷ୍ଠ ବିଷୟରେ ଆପଣଙ୍କ ସମସ୍ତ ବାଞ୍ଛା ମୁଁ ପୂର୍ଣ୍ଣ କରିବି। ମୋହର ଦାସମାନେ ଲିବାନୋନରୁ ସମୁଦ୍ର ପର୍ଯ୍ୟନ୍ତ କାଷ୍ଠ ଆଣିବେ, ପୁଣି ମୁଁ ଆପଣ ନିରୂପଣ କରିବା ସ୍ଥାନ ପର୍ଯ୍ୟନ୍ତ ସମୁଦ୍ର ପଥରେ ତାହା ଭେଳା କରି ଭସାଇ ପଠାଇବି ଓ ସେଠାରେ ତାହା ଫିଟାଇ ଦେବି, ଆଉ ଆପଣ ତାହା ନେଇଯିବେ। ପୁଣି ଆପଣ ମୋʼ ଗୃହ ନିମନ୍ତେ ଖାଦ୍ୟ ଯୋଗାଇ ମୋହର ବାଞ୍ଛା ପୂର୍ଣ୍ଣ କରିବେ।”

ଏରୂପେ ହୀରମ୍ ଶଲୋମନଙ୍କୁ ତାହାଙ୍କ ବାଞ୍ଛାନୁସାରେ ସମସ୍ତ ଏରସ ଓ ଦେବଦାରୁ କାଷ୍ଠ ଦେଲେ, ପୁଣି ଶଲୋମନ ହୀରମ୍‍ଙ୍କ ଗୃହ ନିମନ୍ତେ ତାହାଙ୍କୁ ପ୍ରାୟ ବିଂଶ ସହସ୍ର ମହଣ ଗହମ ଓ ପ୍ରାୟ କୋଡ଼ିଏ ମହଣ ପରିଷ୍କୃତ ତୈଳ ବର୍ଷ ବର୍ଷ ଦେଲେ। ଆମ୍ଭମାନଙ୍କ ପିତା ଆପଣା ପ୍ରତିଜ୍ଞାନୁସାରେ ଶଲୋମନଙ୍କୁ ଜ୍ଞାନ ଦେଲେ। ହୀରମ୍ ଓ ଶଲୋମନଙ୍କ ମଧ୍ୟରେ ଶାନ୍ତି ରହିଲା, ପୁଣି ସେ ଦୁହେଁ ଏକ ନିୟମ କଲେ।

ଆଉ ଶଲୋମନ ରାଜା ସମୁଦାୟ ଇସ୍ରାଏଲ ମଧ୍ୟରୁ ବେଠିକର୍ମାଧୀନ ଲୋକ ସଂଗ୍ରହ କଲେ; ଆଉ ସେହି ବେଠିକର୍ମାଧୀନ ଲୋକ ତିରିଶ ସହସ୍ର ଥିଲେ। ପୁଣି ସେ ପାଳି ଅନୁସାରେ ପ୍ରତି ମାସରେ ଦଶ ସହସ୍ର ଲୋକଙ୍କୁ ଲିବାନୋନକୁ ପଠାଇଲେ—ଏକ ମାସ ସେଠାରେ, ଦୁଇ ମାସ ଗୃହରେ। ଅଦୋନୀରାମ୍ ସେହି ବେଠିକର୍ମାଧୀନ ଲୋକଙ୍କ ଉପରେ ନିଯୁକ୍ତ ଥିଲେ। ଆଉ ଶଲୋମନଙ୍କ ସତୁରି ସହସ୍ର ଭାରବାହକ ଓ ପର୍ବତମୟ ଦେଶରେ ପ୍ରସ୍ତର କଟାଳି ଅଶୀ ସହସ୍ର ଲୋକ ଥିଲେ, ଏତଦ୍‍ବ୍ୟତୀତ କାର୍ଯ୍ୟର ତତ୍ତ୍ଵାବଧାନ କରି କର୍ମକାରୀ ଲୋକଙ୍କୁ ଚଳାଇବା ନିମନ୍ତେ ଶଲୋମନଙ୍କ ତିନି ସହସ୍ର ତିନି ଶହ ପ୍ରଧାନ ଅଧ୍ୟକ୍ଷ ଥିଲେ। ପୁଣି ସେମାନେ ରାଜାଙ୍କ ଆଜ୍ଞାନୁସାରେ କଟା ପ୍ରସ୍ତରରେ ଗୃହର ଭିତ୍ତିମୂଳ ସ୍ଥାପନ କରିବା ନିମନ୍ତେ ବଡ଼ ବଡ଼ ବହୁମୂଲ୍ୟ ପ୍ରସ୍ତର କାଟିଲେ। ଆଉ ଶଲୋମନଙ୍କ ଓ ହୀରମ୍‍ଙ୍କ ଗାନ୍ଥକମାନେ ଓ ଗିବ୍ଲୀୟମାନେ ସେହି ଗୃହ ନିର୍ମାଣ କରିବା ନିମନ୍ତେ କାଷ୍ଠ ଓ ପ୍ରସ୍ତର ଗଢ଼ି ପ୍ରସ୍ତୁତ କଲେ।