ମୁଦ୍ରଣରେ ଉପଲବ୍ଧ
ପୁସ୍ତକ

ରବ୍ବା ପତନ ହୁଏ ଓ ଦାଉଦ ମୁକୁଟ ପରିଧାନ କରନ୍ତି

ଦାଉଦ ଘରେ ରହୁଥିବା ବେଳେ ଯୋୟାବ ରବ୍ବାରେ ଯୁଦ୍ଧ କରନ୍ତି, ଯଦିଓ ଏଠାରେ ରାଜା ମୁକୁଟ ନେବାକୁ ପହଞ୍ଚନ୍ତି। ତାʼପରେ ପଲେଷ୍ଟୀୟ ଦାନବମାନଙ୍କ ସହ ତିନୋଟି ସଂଘର୍ଷ, ସେଥିମଧ୍ୟରେ ଛଅ ଆଙ୍ଗୁଠି ଥିବା ଜଣେ ଲୋକ ଯିଏ ଇସ୍ରାଏଲକୁ ଟିଟକାରି କଲା ଏବଂ ଦାଉଦଙ୍କ ଭାଣଜାଙ୍କ ହାତରେ ମାରାଗଲା।

ଅଧ୍ୟାୟ 20।

ବର୍ଷ ଅନ୍ତେ, ଯେତେବେଳେ ରାଜାମାନେ ଯୁଦ୍ଧକୁ ଯାତ୍ରା କରନ୍ତି, ସେତେବେଳେ ଯୋୟାବ ସୈନ୍ୟ ବାହାର କରି ନେଇ ଅମ୍ମୋନୀୟମାନଙ୍କ ଦେଶ ଉଜାଡ଼ କଲା, ପୁଣି ଆସି ରବ୍ବା ଅବରୋଧ କଲା, ମାତ୍ର ଦାଉଦ ଯିରୂଶାଲମରେ ରହିଲେ। ଯୋୟାବ ରବ୍ବାକୁ ଆଘାତ କରି ଭୂମିସାତ୍‍ କଲା। ଦାଉଦ ସେମାନଙ୍କ ରାଜାର ମସ୍ତକରୁ ମୁକୁଟ କାଢ଼ିନେଲେ। ତାହାର ଓଜନ ପ୍ରାୟ ଏକ ତାଳନ୍ତ ସୁବର୍ଣ୍ଣ ଥିଲା ଓ ତହିଁରେ ବହୁମୂଲ୍ୟ ପ୍ରସ୍ତର ଖଚିତ ଥିଲା, ଆଉ ତାହା ଦାଉଦଙ୍କ ମସ୍ତକରେ ସ୍ଥାପିତ ହେଲା। ଆହୁରି ସେ ନଗରରୁ ଅପାର ଲୁଟଦ୍ରବ୍ୟ ବାହାର କରି ଆଣିଲେ। ପୁଣି ସେ ତହିଁ ଲୋକମାନଙ୍କୁ ବାହାର କରି ଆଣି କରତ, ଲୁହା କୋଡ଼ ଓ କୁରାଢ଼ି ଦ୍ଵାରା କାର୍ଯ୍ୟରେ ନିଯୁକ୍ତ କଲେ। ଦାଉଦ ଅମ୍ମୋନୀୟମାନଙ୍କ ସମସ୍ତ ନଗର ପ୍ରତି ଏହିପରି କଲେ। ତହିଁ ଉତ୍ତାରେ ଦାଉଦ ଓ ସମସ୍ତ ସୈନ୍ୟ ଯିରୂଶାଲମକୁ ଫେରିଆସିଲେ।

ଇସ୍ରାଏଲ ହସ୍ତରେ ଦୈତ୍ୟଗଣ ପତିତ ହୁଅନ୍ତି

ଏହା ଉତ୍ତାରେ ଗେଷରରେ ପଲେଷ୍ଟୀୟମାନଙ୍କ ସହିତ ଯୁଦ୍ଧ ଆରମ୍ଭ ହେଲା। ସେସମୟରେ ହୂଶାତୀୟ ସିବ୍ବଖୟ ରଫାର ବଂଶଜାତ ସିପ୍ପୟକୁ ବଧ କଲା, ଆଉ ପଲେଷ୍ଟୀୟମାନେ ବଶୀଭୂତ ହେଲେ।

ପୁନର୍ବାର ପଲେଷ୍ଟୀୟମାନଙ୍କ ସହିତ ଯୁଦ୍ଧ ଆରମ୍ଭ ହେଲା। ଯାୟୀରର ପୁତ୍ର ଇଲହାନନ୍‍ ଗାଥୀୟ ଗଲୀୟାତର ଭ୍ରାତା ଲହମୀକୁ ବଧ କଲା, ତାହାର ବର୍ଚ୍ଛାର ଦଣ୍ଡ ତନ୍ତୀର ନରାଜ ପରି ଥିଲା। ଆଉ ଥରେ ଗାଥରେ ଯୁଦ୍ଧ ଆରମ୍ଭ ହେଲା, ସେଠାରେ ଜଣେ ବିଶାଳକାୟ ପୁରୁଷ ଥିଲା, ତାହାର ପ୍ରତ୍ୟେକ ହସ୍ତରେ ଛଅ ଛଅ ଅଙ୍ଗୁଳି ଓ ପ୍ରତ୍ୟେକ ପାଦରେ ଛଅ ଛଅ ଅଙ୍ଗୁଳି, ସର୍ବସୁଦ୍ଧା ଚବିଶ ଥିଲା—ସେ ମଧ୍ୟ ରଫାର ବଂଶଜାତ ଥିଲା। ଯେତେବେଳେ ସେ ଇସ୍ରାଏଲକୁ ତୁଚ୍ଛ କଲା, ସେତେବେଳେ ଦାଉଦଙ୍କ ଭ୍ରାତା ଶିମୀୟର ପୁତ୍ର ଯୋନାଥନ ତାହାକୁ ବଧ କଲା। ଏମାନେ ଗାଥରେ ରଫାର ବଂଶଜାତ ଥିଲେ, ଆଉ ଦାଉଦଙ୍କ ହସ୍ତ ଓ ତାହାଙ୍କ ଦାସମାନଙ୍କ ହସ୍ତରେ ପତିତ ହେଲେ।