ମୁଦ୍ରଣରେ ଉପଲବ୍ଧ
ପୁସ୍ତକ

ଦାଉଦଙ୍କ ଦୟାର ବଦଳରେ ଲଜ୍ଜା

ଦାଉଦ ଜଣେ ନୂଆ ଅମ୍ମୋନୀୟ ରାଜାଙ୍କୁ ସମବେଦନା ପଠାନ୍ତି, ଯାହାଙ୍କ ପରାମର୍ଶଦାତାମାନେ ଦୂତମାନଙ୍କୁ ଗୁପ୍ତଚର ବୋଲି କହନ୍ତି; ସେମାନଙ୍କୁ ଅପମାନିତ କରି ଅଧା ଦାଢ଼ି କଟାଯାଏ। ଦୟାରୂପେ ଯାହା ଆରମ୍ଭ ହେଲା ତାହା ଭଡ଼ାଟିଆ ରଥ ସହ ଦୁଇ ଦିଗର ଯୁଦ୍ଧ ହୁଏ, ଏବଂ ଅରାମ ଆଉ ଅମ୍ମୋନକୁ ସାହାଯ୍ୟ କରିବାକୁ ମନା କରିବାରେ ଶେଷ ହୁଏ।

ଅଧ୍ୟାୟ 19।

ତତ୍ପରେ ଅମ୍ମୋନ-ସନ୍ତାନମାନଙ୍କ ରାଜା ନାହଶ ମଲା, ଆଉ ତାହାର ପୁତ୍ର ତାହାର ପଦରେ ରାଜା ହେଲା। ଦାଉଦ କହିଲେ, “ନାହଶର ପୁତ୍ର ହାନୂନ ପ୍ରତି ମୁଁ ଦୟା ଦେଖାଇବି, କାରଣ ତାହାର ପିତା ମୋʼ ପ୍ରତି ଦୟା ଦେଖାଇଥିଲା।” ତେଣୁ ଦାଉଦ ତାହାର ପିତା ବିଷୟରେ ତାହାକୁ ସାନ୍ତ୍ୱନା ଦେବା ନିମନ୍ତେ ଦୂତମାନଙ୍କୁ ପଠାଇଲେ। ମାତ୍ର ଦାଉଦଙ୍କ ଦାସମାନେ ତାହାକୁ ସାନ୍ତ୍ୱନା ଦେବା ନିମନ୍ତେ ଅମ୍ମୋନ-ସନ୍ତାନମାନଙ୍କ ଦେଶରେ ହାନୂନ ନିକଟରେ ଉପସ୍ଥିତ ହୁଅନ୍ତେ, ଅମ୍ମୋନ-ସନ୍ତାନମାନଙ୍କ ଅଧିପତିମାନେ ହାନୂନକୁ କହିଲେ, “ଦାଉଦ ତୁମ୍ଭ ନିକଟକୁ ସାନ୍ତ୍ୱନାକାରୀମାନଙ୍କୁ ପଠାଇ କି ପ୍ରକୃତରେ ତୁମ୍ଭ ପିତାଙ୍କୁ ସମ୍ମାନ କରୁଅଛନ୍ତି? ଦେଶ ଅନୁସନ୍ଧାନ, ଉତ୍ପାଟନ ଓ ଚରବୃତ୍ତି କରିବା ନିମନ୍ତେ କʼଣ ତାହାର ଦାସମାନେ ତୁମ୍ଭ ନିକଟକୁ ଆସି ନାହାନ୍ତି?” ତହିଁରେ ହାନୂନ ଦାଉଦଙ୍କ ଦାସମାନଙ୍କୁ ଧରି ସେମାନଙ୍କୁ କ୍ଷୌର କରାଇ ସେମାନଙ୍କ ବସ୍ତ୍ର ନିତମ୍ବ ପର୍ଯ୍ୟନ୍ତ ମଧ୍ୟଭାଗରେ କାଟି ସେମାନଙ୍କୁ ବିଦାୟ କଲା। ତହୁଁ କେହି କେହି ଯାଇ ସେହି ଲୋକମାନଙ୍କ ବିଷୟ ଦାଉଦଙ୍କୁ ଜଣାନ୍ତେ, ସେ ସେମାନଙ୍କ ସଙ୍ଗେ ସାକ୍ଷାତ କରିବା ନିମନ୍ତେ ଦୂତମାନଙ୍କୁ ପଠାଇଲେ, କାରଣ ସେହି ଲୋକମାନେ ଅତ୍ୟନ୍ତ ଲଜ୍ଜିତ ହୋଇଥିଲେ। ରାଜା କହିଲେ, “ତୁମ୍ଭମାନଙ୍କ ଦାଢ଼ି ନ ବଢ଼ିବା ପର୍ଯ୍ୟନ୍ତ ଯିରୀହୋରେ ରୁହ, ତହିଁ ଉତ୍ତାରେ ଫେରିଆସ।”

ଅମ୍ମୋନ-ସନ୍ତାନମାନେ ଦାଉଦଙ୍କ ନିକଟରେ ଆପଣାମାନଙ୍କୁ ଦୁର୍ଗନ୍ଧ ସ୍ୱରୂପ ହେବାର ଦେଖନ୍ତେ, ହାନୂନ ଓ ଅମ୍ମୋନ-ସନ୍ତାନମାନେ ଅରାମ-ନହରୟିମ, ଅରାମ-ମାଖା ଓ ସୋବାରୁ ରଥ ଓ ଅଶ୍ୱାରୋହୀ ଭଡ଼ା କରିବା ନିମନ୍ତେ ପ୍ରାୟ ଅଠତିରିଶ ଟନ୍ ରୂପା ପଠାଇଲେ। ସେମାନେ ବତିଶ ହଜାର ରଥ, ପୁଣି ମାଖାର ରାଜା ଓ ତାହାର ସୈନ୍ୟମାନଙ୍କୁ ଭଡ଼ା କଲେ, ସେମାନେ ଆସି ମେଦବା ସମ୍ମୁଖରେ ଛାଉଣି ସ୍ଥାପନ କଲେ। ଆଉ ଅମ୍ମୋନ-ସନ୍ତାନମାନେ ଆପଣାମାନଙ୍କ ନଗରସମୂହରୁ ଏକତ୍ର ହୋଇ ଯୁଦ୍ଧ କରିବାକୁ ବାହାରି ଆସିଲେ। ଦାଉଦ ଏହା ଶୁଣି ଯୋୟାବ ଓ ବୀରମାନଙ୍କ ସମଗ୍ର ସୈନ୍ୟଦଳକୁ ପଠାଇଲେ। ତହିଁରେ ଅମ୍ମୋନ-ସନ୍ତାନମାନେ ବାହାରି ଆସି ନଗର-ଦ୍ୱାର ନିକଟରେ ଯୁଦ୍ଧାର୍ଥେ ସଜ୍ଜିତ ହେଲେ, ପୁଣି ଆଗତ ରାଜାମାନେ ପୃଥକ୍ ଭାବରେ ପଦାରେ ଠିଆ ହେଲେ।

ଯୋୟାବ ଆପଣା ବିରୁଦ୍ଧରେ ଆଗରେ ଓ ପଛରେ ଯୁଦ୍ଧ ସଜ୍ଜିତ ହୋଇଥିବା ଦେଖି ଇସ୍ରାଏଲର ମନୋନୀତ ଉତ୍ତମ ବୀରମାନଙ୍କୁ ବାଛି ଅରାମୀୟମାନଙ୍କ ବିରୁଦ୍ଧରେ ସଜ୍ଜିତ କଲେ। ପୁଣି ସେ ଅବଶିଷ୍ଟ ଲୋକମାନଙ୍କୁ ଆପଣା ଭ୍ରାତା ଅବୀଶୟର ହସ୍ତରେ ସମର୍ପଣ କଲେ, ଆଉ ସେମାନେ ଅମ୍ମୋନ-ସନ୍ତାନମାନଙ୍କ ବିରୁଦ୍ଧରେ ସଜ୍ଜିତ ହେଲେ। ଯୋୟାବ କହିଲେ, “ଯଦି ଅରାମୀୟମାନେ ମୋʼ ଅପେକ୍ଷା ପ୍ରବଳ ହୁଅନ୍ତି, ତେବେ ତୁମ୍ଭେ ମୋତେ ଉଦ୍ଧାର କରିବ; ମାତ୍ର ଯଦି ଅମ୍ମୋନ-ସନ୍ତାନମାନେ ତୁମ୍ଭ ଅପେକ୍ଷା ପ୍ରବଳ ହୁଅନ୍ତି, ତେବେ ମୁଁ ତୁମ୍ଭକୁ ଉଦ୍ଧାର କରିବି। ସାହସିକ ହୁଅ; ଆସ, ଆମ୍ଭେମାନେ ଆପଣା ଲୋକମାନଙ୍କ ନିମନ୍ତେ ଓ ଆମ୍ଭମାନଙ୍କ ପିତାଙ୍କ ନଗରସମୂହ ନିମନ୍ତେ ବୀରତ୍ୱର ସହିତ ଯୁଦ୍ଧ କରୁ, ପୁଣି ଆମ୍ଭମାନଙ୍କ ପିତା ଆପଣା ଦୃଷ୍ଟିରେ ଯାହା ଉତ୍ତମ, ତାହା କରନ୍ତୁ।”

ତେବେ ଯୋୟାବ ଓ ତାଙ୍କ ସଙ୍ଗୀ ଲୋକମାନେ ଅରାମୀୟମାନଙ୍କ ବିରୁଦ୍ଧରେ ଯୁଦ୍ଧ କରିବାକୁ ଅଗ୍ରସର ହେଲେ, ଆଉ ସେମାନେ ତାଙ୍କ ସମ୍ମୁଖରୁ ପଳାଇଲେ। ଅରାମୀୟମାନେ ପଳାଇବାର ଦେଖି ଅମ୍ମୋନ-ସନ୍ତାନମାନେ ମଧ୍ୟ ତାଙ୍କ ଭ୍ରାତା ଅବୀଶୟର ସମ୍ମୁଖରୁ ପଳାଇ ନଗର ମଧ୍ୟକୁ ଗଲେ। ତହିଁ ଉତ୍ତାରେ ଯୋୟାବ ଯିରୂଶାଲମକୁ ଆସିଲେ।

ଅରାମୀୟମାନେ ଆପଣାମାନଙ୍କୁ ଇସ୍ରାଏଲ ସମ୍ମୁଖରେ ପରାସ୍ତ ହେବାର ଦେଖି ଦୂତମାନଙ୍କୁ ପଠାଇ ନଦୀ ସେପାରିସ୍ଥ ଅରାମୀୟମାନଙ୍କୁ ଅଣାଇଲେ; ହଦଦେଜରର ସେନାପତି ଶୋଫକ୍ ସେମାନଙ୍କ ଅଗ୍ରଗାମୀ ହେଲା। ଏହା ଦାଉଦଙ୍କୁ ଜଣାଗଲା; ତହିଁରେ ସେ ସମଗ୍ର ଇସ୍ରାଏଲକୁ ଏକତ୍ର କରି ଯର୍ଦ୍ଦନ ପାର ହୋଇ ସେମାନଙ୍କ ବିରୁଦ୍ଧରେ ଆସି ଯୁଦ୍ଧାର୍ଥେ ସଜ୍ଜିତ ହେଲେ। ଦାଉଦ ଅରାମୀୟମାନଙ୍କ ବିରୁଦ୍ଧରେ ଯୁଦ୍ଧାର୍ଥେ ସଜ୍ଜିତ ହୁଅନ୍ତେ, ସେମାନେ ତାଙ୍କ ସଙ୍ଗେ ଯୁଦ୍ଧ କଲେ। ଅରାମୀୟମାନେ ଇସ୍ରାଏଲ ସମ୍ମୁଖରୁ ପଳାଇଲେ; ପୁଣି ଦାଉଦ ସେମାନଙ୍କ ସାତ ହଜାର ରଥାରୋହୀ ଓ ଚାଳିଶ ହଜାର ପଦାତିକ ସୈନ୍ୟଙ୍କୁ ବଧ କଲେ, ଆଉ ସେମାନଙ୍କ ସେନାପତି ଶୋଫକ୍‍କୁ ମଧ୍ୟ ବଧ କଲେ। ହଦଦେଜରର ଦାସମାନେ ଆପଣାମାନଙ୍କୁ ଇସ୍ରାଏଲ ସମ୍ମୁଖରେ ପରାସ୍ତ ହେବାର ଦେଖି ଦାଉଦଙ୍କ ସହିତ ସନ୍ଧି କରି ତାଙ୍କର ବଶୀଭୂତ ହେଲେ। ତହିଁ ଉତ୍ତାରେ ଅରାମୀୟମାନେ ଅମ୍ମୋନ-ସନ୍ତାନମାନଙ୍କର ସାହାଯ୍ୟ କରିବାକୁ ଆଉ ସମ୍ମତ ହେଲେ ନାହିଁ।