ବିଶ୍ରାମଦିନ ନିମନ୍ତେ ଗୋଟିଏ ସଙ୍ଗୀତ
ଗୋଟିଏ ଗୀତ। ବିଶ୍ରାମଦିନ ନିମନ୍ତେ ଗୋଟିଏ ସଙ୍ଗୀତ।
ବିଶ୍ରାମବାରର ଏକ ଗୀତ, ଭିନ୍ନ ଭିନ୍ନ ସମୟ-ମାପ ବିଷୟରେ। ଦୁଷ୍ଟମାନେ ଘାସ ପରି ଶୀଘ୍ର ଅଙ୍କୁରିତ ହୋଇ ଲୋପ ପାଆନ୍ତି; ଧାର୍ମିକମାନେ ଖର୍ଜ୍ଜୁର ଓ ଏରସ ବୃକ୍ଷ ପରି ଧୀରେ ଧୀରେ ବଢ଼ନ୍ତି, ବୃଦ୍ଧାବସ୍ଥାରେ ମଧ୍ୟ ଫଳ ଦିଅନ୍ତି ଓ ସତେଜ ରହନ୍ତି, କାରଣ ସେମାନେ ଯେଉଁଠି ରୋପିତ — ଆମ ପିତାଙ୍କ ପ୍ରାଙ୍ଗଣରେ।
92 1ଆମ୍ଭମାନଙ୍କ ପିତାଙ୍କୁ ଧନ୍ୟବାଦ ଦେବା, ହେ ସର୍ବୋପରିସ୍ଥ, ତୁମ୍ଭ ନାମର ପ୍ରଶଂସା ଗାନ କରିବା ଉତ୍ତମ, 2ପ୍ରଭାତରେ ତୁମ୍ଭର ନିୟମର ଦୟା, ପୁଣି ରାତ୍ରିସମୂହରେ ତୁମ୍ଭର ବିଶ୍ଵସ୍ତତା ପ୍ରକାଶ କରିବା ଉତ୍ତମ, 3ଦଶତନ୍ତ୍ରୀ ନେବଲ ଓ ବୀଣାରେ, ବୀଣାର ସୁମଧୁର ସ୍ଵରରେ। 4କାରଣ ହେ ଆମ୍ଭମାନଙ୍କ ପିତା, ତୁମ୍ଭେ ଆପଣା କର୍ମ ଦ୍ଵାରା ମୋତେ ଆନନ୍ଦିତ କରିଅଛ; ତୁମ୍ଭ ହସ୍ତକୃତ କର୍ମ ନିମନ୍ତେ ମୁଁ ଆନନ୍ଦରେ ଗାନ କରେ। 5ହେ ଆମ୍ଭମାନଙ୍କ ପିତା, ତୁମ୍ଭର କର୍ମ କିପରି ମହତ୍! ତୁମ୍ଭର ଚିନ୍ତାସମୂହ ଅତ୍ୟନ୍ତ ଗଭୀର! 6ପଶୁବତ୍ ମନୁଷ୍ୟ ଜାଣେ ନାହିଁ, ଆଉ ମୂର୍ଖ ଏହା ବୁଝେ ନାହିଁ:
7ଯଦ୍ୟପି ଦୁଷ୍ଟମାନେ ତୃଣ ତୁଲ୍ୟ ଅଙ୍କୁରିତ ହୁଅନ୍ତି ଓ ସମସ୍ତ ଅଧର୍ମାଚାରୀ ବୃଦ୍ଧି ପାଆନ୍ତି, ତଥାପି ସେମାନେ ଅନନ୍ତକାଳ ବିନାଶ ନିମନ୍ତେ ନିରୂପିତ। 8ମାତ୍ର ହେ ଆମ୍ଭମାନଙ୍କ ପିତା, ତୁମ୍ଭେ ଅନନ୍ତକାଳ ଊର୍ଦ୍ଧ୍ଵରେ ଅଧିଷ୍ଠିତ। 9କାରଣ ହେ ଆମ୍ଭମାନଙ୍କ ପିତା, ଦେଖ, ତୁମ୍ଭର ଶତ୍ରୁମାନେ—ଦେଖ, ତୁମ୍ଭର ଶତ୍ରୁମାନେ ବିନଷ୍ଟ ହେବେ; ସମସ୍ତ ଅଧର୍ମାଚାରୀ ଛିନ୍ନଭିନ୍ନ ହେବେ। 10ମାତ୍ର ତୁମ୍ଭେ ବନଷଣ୍ଢ ତୁଲ୍ୟ ମୋହର ଶୃଙ୍ଗ ଉଚ୍ଚ କରିଅଛ; ମୁଁ ନୂତନ ତୈଳରେ ଅଭିଷିକ୍ତ ହୋଇଅଛି। 11ମୋହର ଚକ୍ଷୁ ମୋʼ ଛକିବସିଥିବା ଶତ୍ରୁମାନଙ୍କୁ ଦେଖିଅଛି; ମୋʼ ବିରୁଦ୍ଧରେ ଉଠିଥିବା ଦୁଷ୍ଟମାନଙ୍କ ବିନାଶର ବାର୍ତ୍ତା ମୋହର କର୍ଣ୍ଣ ଶୁଣିଅଛି। 12ଧାର୍ମିକମାନେ ଖଜୁର ବୃକ୍ଷ ତୁଲ୍ୟ ବୃଦ୍ଧି ପାଆନ୍ତି; ସେମାନେ ଲିବାନୋନସ୍ଥ ଏରସ ବୃକ୍ଷ ତୁଲ୍ୟ ବଢ଼ନ୍ତି। 13ଆମ୍ଭମାନଙ୍କ ପିତାଙ୍କ ଗୃହରେ ରୋପିତ ହୋଇ, ସେମାନେ ଆମ୍ଭମାନଙ୍କ ପିତାଙ୍କ ପ୍ରାଙ୍ଗଣରେ ବୃଦ୍ଧି ପାଆନ୍ତି। 14ବୃଦ୍ଧ ବୟସରେ ମଧ୍ୟ ସେମାନେ ଫଳ ଫଳନ୍ତି; ସେମାନେ ସତେଜ ଓ ସବୁଜ ରହନ୍ତି, 15ଏହା ପ୍ରକାଶ କରିବା ନିମନ୍ତେ ଯେ, ଆମ୍ଭମାନଙ୍କ ପିତା ସରଳ; ସେ ମୋହର ଶୈଳ, ପୁଣି ତାହାଙ୍କଠାରେ କୌଣସି ଅଧର୍ମ ନାହିଁ।