ମୁଦ୍ରଣରେ ଉପଲବ୍ଧ
ପୁସ୍ତକ

ଯଥାର୍ଥ ତୌଲ ତାହାଙ୍କ ସନ୍ତୋଷ

ତରାଜୁ, ଉଦାରତା ଓ ସୁନାମ ପ୍ରଧାନ। ଅଧ୍ୟାୟଟି ବାରମ୍ବାର ଜୋର ଦିଏ ଯେ ଯାହା କ୍ଷତି ପରି ଦେଖାଯାଏ ତାହା କ୍ଷତି ନୁହେଁ — ମୁକ୍ତ ହସ୍ତରେ ଦେଇ ଅଧିକ ଧନୀ ହେବା, ଶସ୍ୟ ସଞ୍ଚି ରଖି ଅଭିଶାପ ପାଇବା। ବିବେଚନା ବିନା ସୌନ୍ଦର୍ଯ୍ୟ ସବୁଠାରୁ ତୀକ୍ଷ୍ଣ ବାକ୍ୟ ପାଏ: ଘୁଷୁରିର ନାକରେ ସୁନା ମୁଦି।

ଅଧ୍ୟାୟ 11।

ପ୍ରତାରଣାର ନିକ୍ତି ଆମ୍ଭମାନଙ୍କ ପିତାଙ୍କ ନିକଟରେ ଘୃଣାର ବିଷୟ, ମାତ୍ର ଯଥାର୍ଥ ତୌଲ ତାହାଙ୍କ ସନ୍ତୋଷଜନକ ଅଟେ। ଯେତେବେଳେ ଅହଙ୍କାର ଆସେ, ସେତେବେଳେ ଅପମାନ ମଧ୍ୟ ଆସେ, ମାତ୍ର ନମ୍ର ଲୋକମାନଙ୍କ ସଙ୍ଗରେ ଜ୍ଞାନ ଥାଏ। ସରଳ ଲୋକମାନଙ୍କ ସାଧୁତା ସେମାନଙ୍କୁ କଢ଼ାଇ ନିଏ, ମାତ୍ର ବିଶ୍ଵାସଘାତକମାନଙ୍କ କୁଟିଳତା ସେମାନଙ୍କୁ ବିନଷ୍ଟ କରେ। କ୍ରୋଧର ଦିନରେ ଧନ କୌଣସି ଉପକାର କରେ ନାହିଁ, ମାତ୍ର ଧାର୍ମିକତା ମୃତ୍ୟୁରୁ ଉଦ୍ଧାର କରେ। ସିଦ୍ଧ ଲୋକର ଧାର୍ମିକତା ତାହାର ପଥ ସଳଖ କରେ, ମାତ୍ର ଦୁଷ୍ଟ ଆପଣା ଦୁଷ୍ଟତା ଦ୍ଵାରା ପତିତ ହୁଏ। ସରଳ ଲୋକମାନଙ୍କ ଧାର୍ମିକତା ସେମାନଙ୍କୁ ଉଦ୍ଧାର କରେ, ମାତ୍ର ବିଶ୍ଵାସଘାତକମାନେ ଆପଣା ଲୋଭରେ ଫାନ୍ଦରେ ପଡ଼ନ୍ତି। ଦୁଷ୍ଟ ଲୋକ ମଲେ, ତାହାର ଭରସା ନଷ୍ଟ ହୁଏ, ଆଉ ଆପଣା ବଳ ଉପରେ ତାହାର ଦୃଢ଼ ବିଶ୍ଵାସ ବ୍ୟର୍ଥ ହୁଏ। ଧାର୍ମିକ ଲୋକ ସଙ୍କଟରୁ ଉଦ୍ଧାର ପାଏ, ଆଉ ଦୁଷ୍ଟ ତାହାର ପରିବର୍ତ୍ତେ ସେଥିରେ ପଡ଼େ। ଅଧର୍ମୀ ଆପଣା ମୁଖ ଦ୍ଵାରା ଆପଣା ପ୍ରତିବାସୀକୁ ବିନଷ୍ଟ କରେ, ମାତ୍ର ଜ୍ଞାନ ଦ୍ଵାରା ଧାର୍ମିକମାନେ ଉଦ୍ଧାର ପାଆନ୍ତି। ଧାର୍ମିକମାନଙ୍କ ମଙ୍ଗଳ ହେଲେ ନଗର ଉଲ୍ଲାସ କରେ, ଆଉ ଦୁଷ୍ଟମାନେ ବିନଷ୍ଟ ହେଲେ ଆନନ୍ଦଧ୍ଵନି ହୁଏ। ସରଳ ଲୋକମାନଙ୍କ ଆଶୀର୍ବାଦ ଦ୍ଵାରା ନଗର ଉନ୍ନତ ହୁଏ, ମାତ୍ର ଦୁଷ୍ଟମାନଙ୍କ ମୁଖ ଦ୍ଵାରା ତାହା ଉତ୍ପାଟିତ ହୁଏ। ଯେ ଆପଣା ପ୍ରତିବାସୀକୁ ତୁଚ୍ଛ କରେ, ସେ ବୁଦ୍ଧିହୀନ, ମାତ୍ର ବୁଦ୍ଧିମାନ ଲୋକ ନୀରବ ରହେ। ଖଳନାଡ଼ି ବୁଲି ବୁଲି ଗୁପ୍ତ କଥା ପ୍ରକାଶ କରେ, ମାତ୍ର ବିଶ୍ଵସ୍ତ ଆତ୍ମାର ଲୋକ କଥା ଗୁପ୍ତ ରଖେ। ଉତ୍ତମ ପରାମର୍ଶ ନ ଥିଲେ ଲୋକମାନେ ପତିତ ହୁଅନ୍ତି, ମାତ୍ର ବହୁ ମନ୍ତ୍ରୀଙ୍କ ମଧ୍ୟରେ ରକ୍ଷା ଥାଏ। ଯେ ଅଜଣା ଲୋକ ନିମନ୍ତେ ଲଗା ହୁଏ, ସେ ନିଶ୍ଚୟ ଦୁଃଖ ଭୋଗ କରିବ, ମାତ୍ର ଯେ ପ୍ରତିଜ୍ଞାରେ ହାତ ଦେବାକୁ ଘୃଣା କରେ, ସେ ନିରାପଦ ଥାଏ। ଅନୁଗ୍ରହଶୀଳା ସ୍ତ୍ରୀ ସମ୍ମାନ ପ୍ରାପ୍ତ ହୁଏ, ଆଉ ନିର୍ଦ୍ଦୟ ଲୋକମାନେ ଧନ ପ୍ରାପ୍ତ ହୁଅନ୍ତି। ଦୟାଳୁ ଲୋକ ଆପଣାର ମଙ୍ଗଳ କରେ, ମାତ୍ର ନିଷ୍ଠୁର ଲୋକ ଆପଣା ପ୍ରତି ଦୁଃଖ ଆଣେ। ଦୁଷ୍ଟ ଛଳନାର ବେତନ ଉପାର୍ଜନ କରେ, ମାତ୍ର ଯେ ଧାର୍ମିକତା ବୁଣେ, ସେ ସତ୍ୟ ପୁରସ୍କାର ଉପାର୍ଜନ କରେ। ଯେ ଧାର୍ମିକତାରେ ଅଟଳ ରହେ, ସେ ଜୀବନ ପାଏ, ମାତ୍ର ଯେ ଦୁଷ୍କର୍ମ ପଛେ ଦୌଡ଼େ, ସେ ଆପଣା ମୃତ୍ୟୁ ଆଡ଼କୁ ଧାଏ। କୁଟିଳ ହୃଦୟର ଲୋକମାନେ ଆମ୍ଭମାନଙ୍କ ପିତାଙ୍କ ନିକଟରେ ଘୃଣାର ବିଷୟ, ମାତ୍ର ଯେଉଁମାନଙ୍କ ଆଚରଣ ସିଦ୍ଧ, ସେମାନେ ତାହାଙ୍କ ସନ୍ତୋଷଜନକ ଅଟନ୍ତି। ତୁମ୍ଭେ ନିଶ୍ଚୟ ଜାଣିପାର ଯେ, ଦୁଷ୍ଟ ଲୋକ ଅଦଣ୍ଡିତ ରହିବ ନାହିଁ, ମାତ୍ର ଧାର୍ମିକମାନଙ୍କ ସନ୍ତାନ ମୁକ୍ତ ହେବେ। ଘୁଷୁରିର ନାକରେ ଥିବା ସୁବର୍ଣ୍ଣ ନଥ ତୁଲ୍ୟ ବିବେଚନାହୀନ ସୁନ୍ଦରୀ ସ୍ତ୍ରୀ ଅଟେ। ଧାର୍ମିକମାନଙ୍କ ବାସନା କେବଳ ମଙ୍ଗଳରେ ଶେଷ ହୁଏ, ମାତ୍ର ଦୁଷ୍ଟମାନଙ୍କ ଭରସା କ୍ରୋଧରେ ଶେଷ ହୁଏ। ଜଣେ ମୁକ୍ତ ହସ୍ତରେ ଦାନ କରେ, ତଥାପି ଆହୁରି ଧନବାନ ହୁଏ; ଆଉ ଜଣେ ଉଚିତ ଅଂଶ ଅଟକାଇ ରଖେ, ତଥାପି ଅଭାବଗ୍ରସ୍ତ ହୁଏ। ଦାନଶୀଳ ପ୍ରାଣୀ ହୃଷ୍ଟପୁଷ୍ଟ ହୁଏ, ଆଉ ଯେ ଅନ୍ୟମାନଙ୍କୁ ସତେଜ କରେ, ସେ ନିଜେ ମଧ୍ୟ ସତେଜ ହୁଏ। ଯେ ଶସ୍ୟ ଅଟକାଇ ରଖେ, ଲୋକମାନେ ତାହାକୁ ଅଭିଶାପ ଦିଅନ୍ତି, ମାତ୍ର ଯେ ତାହା ବିକ୍ରୟ କରେ, ସେ ଆଶୀର୍ବାଦ ପ୍ରାପ୍ତ ହୁଏ। ଯେ ଯତ୍ନପୂର୍ବକ ମଙ୍ଗଳ ଅନ୍ଵେଷଣ କରେ, ସେ ଅନୁଗ୍ରହ ଅନ୍ଵେଷଣ କରେ, ମାତ୍ର ଯେ ଅମଙ୍ଗଳ ଖୋଜେ, ତାହା ପ୍ରତି ଅମଙ୍ଗଳ ଘଟିବ। ଯେ ଆପଣା ଧନ ଉପରେ ନିର୍ଭର କରେ, ସେ ପତିତ ହେବ, ମାତ୍ର ଧାର୍ମିକମାନେ ସତେଜ ପତ୍ର ତୁଲ୍ୟ ବୃଦ୍ଧି ପାଇବେ। ଯେ ଆପଣା ଗୃହକୁ ଦୁଃଖ ଆଣେ, ସେ ବାୟୁ ଅଧିକାର କରିବ, ଆଉ ମୂର୍ଖ ଜ୍ଞାନୀ ହୃଦୟର ଲୋକର ଦାସ ହେବ। ଧାର୍ମିକର ଫଳ ଜୀବନବୃକ୍ଷ ସ୍ଵରୂପ, ଆଉ ଯେ ପ୍ରାଣ ଲାଭ କରେ, ସେ ଜ୍ଞାନୀ ଅଟେ। ଯଦି ଧାର୍ମିକ ପୃଥିବୀରେ ପ୍ରତିଫଳ ପାଏ, ତେବେ ଦୁଷ୍ଟ ଓ ପାପୀ କେତେ ଅଧିକ ନ ପାଇବ!