ଯେଉଁମାନେ ମିସର ଉପରେ ନିର୍ଭର କରନ୍ତି, ସେମାନଙ୍କ ପ୍ରତି ଦୁର୍ଦଶା
ମିଶରର ଅଶ୍ୱଗୁଡ଼ିକ ମାଂସ, ଆତ୍ମା ନୁହନ୍ତି; ସେମାନଙ୍କ ଉପରେ ଭରସା କଲେ ସାହାଯ୍ୟକାରୀ ଓ ସାହାଯ୍ୟପ୍ରାପ୍ତ ଉଭୟ ଏକାସାଙ୍ଗରେ ଢଳିପଡ଼ନ୍ତି। ପିତା ଏପରି ଏକ ସିଂହ, ଯାହାକୁ ପାଟି କରୁଥିବା ମେଷପାଳକମାନେ ଡରାଇ ଘଉଡ଼ାଇ ପାରନ୍ତି ନାହିଁ, ଏବଂ ଯିରୂଶାଲମ ଉପରେ ଉଡ଼ି ବୁଲୁଥିବା ପକ୍ଷୀ ମଧ୍ୟ। ଅଶୂର ଏପରି ଖଡ୍ଗରେ ପତିତ ହୁଏ ଯାହା କୌଣସି ମନୁଷ୍ୟର ହାତରେ ନାହିଁ, ଏବଂ ଲୋକମାନେ ସେମାନଙ୍କ ପ୍ରତିମାଗୁଡ଼ିକୁ ଫିଙ୍ଗିଦିଅନ୍ତି।
31 1ଯେଉଁମାନେ ସାହାଯ୍ୟ ନିମନ୍ତେ ମିସରକୁ ଓହ୍ଲାଇ ଯାʼନ୍ତି, ଅଶ୍ଵ ଉପରେ ନିର୍ଭର କରନ୍ତି, ରଥସମୂହ ଅନେକ ବୋଲି ସେଥିରେ ଓ ଅଶ୍ଵାରୋହୀମାନେ ଅତି ବଳବାନ ବୋଲି ସେମାନଙ୍କଠାରେ ବିଶ୍ଵାସ କରନ୍ତି, ସେମାନଙ୍କ ପ୍ରତି ଦୁର୍ଦଶା; ମାତ୍ର ସେମାନେ ଇସ୍ରାଏଲର ଧର୍ମସ୍ଵରୂପ ଆମ୍ଭମାନଙ୍କ ପିତାଙ୍କ ପ୍ରତି ଦୃଷ୍ଟି କରନ୍ତି ନାହିଁ, କିଅବା ତାହାଙ୍କର ଅନ୍ଵେଷଣ କରନ୍ତି ନାହିଁ। 2ତଥାପି ସେ ମଧ୍ୟ ଜ୍ଞାନବାନ ଓ ବିପଦ ଘଟାନ୍ତି; ସେ ଆପଣା ବାକ୍ୟ ଫେରାଇ ନିଅନ୍ତି ନାହିଁ। ସେ ଦୁଷ୍କର୍ମକାରୀମାନଙ୍କ ଗୃହ ବିରୁଦ୍ଧରେ ଓ ଅଧର୍ମାଚାରୀମାନଙ୍କ ସାହାଯ୍ୟ ବିରୁଦ୍ଧରେ ଉଠିବେ। 3ମିସରୀୟମାନେ ମନୁଷ୍ୟ, ଈଶ୍ଵର ନୁହଁନ୍ତି; ସେମାନଙ୍କ ଅଶ୍ଵ ମାଂସ ମାତ୍ର, ଆତ୍ମା ନୁହେଁ। ଆମ୍ଭମାନଙ୍କ ପିତା ଆପଣା ହସ୍ତ ବିସ୍ତାର କଲେ, ସାହାଯ୍ୟକାରୀ ଝୁଣ୍ଟି ପଡ଼ିବ ଓ ସାହାଯ୍ୟପ୍ରାପ୍ତ ଜଣ ପତିତ ହେବ, ପୁଣି ସେସମସ୍ତେ ଏକତ୍ର ବିନଷ୍ଟ ହେବେ।
4କାରଣ ଆମ୍ଭମାନଙ୍କ ପିତା ମୋତେ ଏହା କହିଲେ: ସିଂହ କିଅବା ଯୁବା ସିଂହ ଆପଣା ଶିକାର ଉପରେ ଯେପରି ଗର୍ଜ୍ଜନ କରେ, ଆଉ ତାʼ ବିରୁଦ୍ଧରେ ମେଷପାଳକମାନଙ୍କ ଦଳ ଆହୂତ ହେଲେ ହେଁ ସେ ସେମାନଙ୍କ ଚିତ୍କାରରେ ଭୀତ ହୁଏ ନାହିଁ କିଅବା ସେମାନଙ୍କ କୋଳାହଳରେ ନିରୁତ୍ସାହ ହୁଏ ନାହିଁ, ସେହିପରି ସ୍ଵର୍ଗୀୟ ବାହିନୀଗଣର ପିତା ସିୟୋନ ପର୍ବତ ଉପରେ ଓ ତହିଁର ଉଚ୍ଚସ୍ଥାନ ଉପରେ ଯୁଦ୍ଧ କରିବା ନିମନ୍ତେ ଓହ୍ଲାଇ ଆସିବେ। 5ଉପରେ ଉଡ଼ୁଥିବା ପକ୍ଷୀସମୂହ ତୁଲ୍ୟ ସ୍ଵର୍ଗୀୟ ବାହିନୀଗଣର ପିତା ଯିରୂଶାଲମକୁ ରକ୍ଷା କରିବେ; ସେ ରକ୍ଷା କରି ଉଦ୍ଧାର କରିବେ, ସେ ତାʼ ଉପର ଦେଇ ଗମନ କରି ତାକୁ ରକ୍ଷା କରିବେ।
6ହେ ଇସ୍ରାଏଲ-ସନ୍ତାନଗଣ, ତୁମ୍ଭେମାନେ ଯାହାଙ୍କଠାରୁ ଏତେ ଗଭୀର ଭାବରେ ବିମୁଖ ହୋଇଅଛ, ତାହାଙ୍କ ନିକଟକୁ ଫେର। 7କାରଣ ସେହିଦିନ ପ୍ରତ୍ୟେକ ଜଣ ଆପଣା ରୂପା ପ୍ରତିମା ଓ ଆପଣା ସୁନା ପ୍ରତିମା, ଯାହା ତୁମ୍ଭମାନଙ୍କ ନିଜ ହସ୍ତ ତୁମ୍ଭମାନଙ୍କ ନିମନ୍ତେ ପାପପୂର୍ଣ୍ଣ ଭାବରେ ନିର୍ମାଣ କରିଅଛି, ତାହା ପରିତ୍ୟାଗ କରିବ।
8ସେତେବେଳେ ଅଶୂର ମନୁଷ୍ୟର ନୁହେଁ, ଏପରି ଖଡ୍ଗ ଦ୍ଵାରା ପତିତ ହେବ, ପୁଣି ମାନବର ନୁହେଁ, ଏପରି ଖଡ୍ଗ ତାକୁ ଗ୍ରାସ କରିବ। ସେ ଖଡ୍ଗ ସମ୍ମୁଖରୁ ପଳାୟନ କରିବ, ଆଉ ତାହାର ଯୁବକମାନେ ବେଠିକର୍ମରେ ନିଯୁକ୍ତ ହେବେ। 9ତ୍ରାସ ହେତୁ ତାହାର ଦୃଢ଼ ଦୁର୍ଗ ଗୁଣ୍ଡେଇ ପଡ଼ିବ, ଆଉ ତାହାର ଅଧିପତିମାନେ ଯୁଦ୍ଧ-ଧ୍ଵଜା ଦେଖି ଆତଙ୍କରେ ପଳାୟନ କରିବେ, ଏହା ଆମ୍ଭମାନଙ୍କ ପିତା କହନ୍ତି, ଯାହାଙ୍କ ଅଗ୍ନି ସିୟୋନରେ ଅଛି ଓ ଯାହାଙ୍କ ଅଗ୍ନିକୁଣ୍ଡ ଯିରୂଶାଲମରେ ଅଛି।