ନୋହ ଜାହାଜରେ ପ୍ରବେଶ କରନ୍ତି
ଅପେକ୍ଷା ଶେଷ ହୁଏ। ନୋହଙ୍କ ପରିବାର ଓ ପଶୁମାନେ ଭିତରକୁ ଯାଆନ୍ତି, ଆମ ପିତା ଦ୍ୱାର ବନ୍ଦ କରନ୍ତି, ଏବଂ ଚାଳିଶ ଦିନ ପର୍ଯ୍ୟନ୍ତ ତଳୁ ଓ ଉପରୁ ଜଳ ଆସେ। ଅଧ୍ୟାୟଟି ମୃତମାନଙ୍କୁ ସ୍ପଷ୍ଟ ଭାବରେ ଗଣନା କରେ — ଶୁଷ୍କ ଭୂମିରେ ଶ୍ୱାସ ନେଉଥିବା ସମସ୍ତ ପ୍ରାଣୀ — ଏବଂ ଗୋଟିଏ ଜାହାଜକୁ ଭସାଇ ରଖେ।
7 1ତତ୍ପରେ ଆମ୍ଭମାନଙ୍କ ପିତା ନୋହଙ୍କୁ କହିଲେ, “ତୁମ୍ଭେ ଆପଣା ସମସ୍ତ ପରିବାର ସହିତ ଜାହାଜରେ ପ୍ରବେଶ କର, କାରଣ ଏହି ବଂଶ ମଧ୍ୟରେ ଆମ୍ଭେ ତୁମ୍ଭକୁ ଆମ୍ଭ ସମ୍ମୁଖରେ ଧାର୍ମିକ ଦେଖିଅଛୁ। 2ପ୍ରତ୍ୟେକ ଶୁଚି ପଶୁର ସାତ ସାତ ଯୋଡ଼ା ପୁଂ ଓ ସ୍ତ୍ରୀ, ଆଉ ଅଶୁଚି ପଶୁର ଏକ ଯୋଡ଼ା ପୁଂ ଓ ସ୍ତ୍ରୀ ଆପଣା ନିମନ୍ତେ ନିଅ, 3ପୁଣି ସମୁଦାୟ ପୃଥିବୀରେ ବଂଶ ସଜୀବ ରଖିବା ନିମନ୍ତେ ଆକାଶ ପକ୍ଷୀମାନଙ୍କର ମଧ୍ୟ ସାତ ସାତ ଯୋଡ଼ା ପୁଂ ଓ ସ୍ତ୍ରୀ ନିଅ। 4କାରଣ ସାତ ଦିନ ଉତ୍ତାରେ ଆମ୍ଭେ ପୃଥିବୀ ଉପରେ ଚାଳିଶ ଦିନ ଓ ଚାଳିଶ ରାତ୍ରି ବୃଷ୍ଟି କରାଇବୁ, ପୁଣି ଆମ୍ଭର ନିର୍ମିତ ପ୍ରତ୍ୟେକ ସଜୀବ ପ୍ରାଣୀକୁ ଭୂମିର ଉପରିଭାଗରୁ ଲୋପ କରିବୁ।”
5ଆମ୍ଭମାନଙ୍କ ପିତା ନୋହଙ୍କୁ ଯାହା ଯାହା ଆଜ୍ଞା ଦେଇଥିଲେ, ସେସମସ୍ତ ସେ କଲେ।
6ପୃଥିବୀ ଉପରେ ଜଳପ୍ଲାବନ ହେବା ସମୟରେ ନୋହ ଛଅ ଶହ ବର୍ଷ ବୟସ୍କ ଥିଲେ। 7ଜଳପ୍ଲାବନରୁ ରକ୍ଷା ପାଇବା ନିମନ୍ତେ ସେ, ତାହାଙ୍କ ପୁତ୍ରମାନେ, ତାହାଙ୍କ ଭାର୍ଯ୍ୟା ଓ ପୁତ୍ରମାନଙ୍କ ଭାର୍ଯ୍ୟାମାନେ ଜାହାଜରେ ପ୍ରବେଶ କଲେ। 8ଶୁଚି ପଶୁ ଓ ଅଶୁଚି ପଶୁ, ପକ୍ଷୀ ଓ ଭୂମିରେ ଗମନକାରୀ ସମସ୍ତ ପ୍ରାଣୀ, 9ଆମ୍ଭମାନଙ୍କ ପିତା ନୋହଙ୍କୁ ଆଜ୍ଞା ଦେବା ପ୍ରକାରେ ଦୁଇ ଦୁଇ କରି ପୁଂ ଓ ସ୍ତ୍ରୀ ଜାହାଜ ମଧ୍ୟରେ ନୋହଙ୍କ ନିକଟକୁ ଆସିଲେ। 10ସେହି ସାତ ଦିନ ଉତ୍ତାରେ ପୃଥିବୀ ଉପରେ ଜଳପ୍ଲାବନ ହେଲା। 11ନୋହଙ୍କ ଛଅ ଶହ ବର୍ଷ ବୟସର ଦ୍ଵିତୀୟ ମାସର ସତର ଦିନରେ, ସେହି ଦିନ, ମହାସମୁଦ୍ରର ସମସ୍ତ ଉତ୍ସ ଭଗ୍ନ ହେଲା, ପୁଣି ଆକାଶର ଜଳଦ୍ଵାର ମୁକ୍ତ ହେଲା। 12ପୃଥିବୀ ଉପରେ ଚାଳିଶ ଦିନ ଓ ଚାଳିଶ ରାତ୍ରି ବୃଷ୍ଟି ପଡ଼ିଲା।
13ସେହି ଦିନ ନୋହ, ତାହାଙ୍କ ପୁତ୍ର ଶେମ, ହାମ ଓ ଯେଫତ, ତାହାଙ୍କ ଭାର୍ଯ୍ୟା ଓ ପୁତ୍ରମାନଙ୍କ ତିନି ଭାର୍ଯ୍ୟା ଜାହାଜରେ ପ୍ରବେଶ କଲେ। 14ସେମାନେ ଓ ଆପଣା ଆପଣା ଜାତି ଅନୁସାରେ ପ୍ରତ୍ୟେକ ବନ୍ୟ ପଶୁ, ଆପଣା ଆପଣା ଜାତି ଅନୁସାରେ ପ୍ରତ୍ୟେକ ଗ୍ରାମ୍ୟ ପଶୁ, ଆପଣା ଆପଣା ଜାତି ଅନୁସାରେ ଭୂମିରେ ଗମନକାରୀ ପ୍ରତ୍ୟେକ ପ୍ରାଣୀ, ଆପଣା ଆପଣା ଜାତି ଅନୁସାରେ ପ୍ରତ୍ୟେକ ପକ୍ଷୀ, ପ୍ରତ୍ୟେକ ସପକ୍ଷ ଜୀବ ଆସିଲେ। 15ଜୀବନର ନିଶ୍ଵାସବିଶିଷ୍ଟ ସମସ୍ତ ପ୍ରାଣୀ ଦୁଇ ଦୁଇ କରି ଜାହାଜ ମଧ୍ୟରେ ନୋହଙ୍କ ନିକଟକୁ ଆସିଲେ। 16ଆମ୍ଭମାନଙ୍କ ପିତା ନୋହଙ୍କୁ ଆଜ୍ଞା ଦେବା ପ୍ରକାରେ ସମସ୍ତ ପ୍ରାଣୀର ପୁଂ ଓ ସ୍ତ୍ରୀ ପ୍ରବେଶ କଲେ; ତତ୍ପରେ ଆମ୍ଭମାନଙ୍କ ପିତା ତାହାଙ୍କୁ ଭିତରେ ରଖି ଦ୍ଵାର ବନ୍ଦ କଲେ। 17ପୃଥିବୀ ଉପରେ ଚାଳିଶ ଦିନ ପର୍ଯ୍ୟନ୍ତ ଜଳପ୍ଲାବନ ରହିଲା; ଜଳ ବୃଦ୍ଧି ପାଇ ଜାହାଜକୁ ଉଠାଇଲା, ତହିଁରେ ତାହା ଭୂମି ଉପରେ ଭାସିଲା। 18ଜଳ ପ୍ରବଳ ହୋଇ ପୃଥିବୀ ଉପରେ ଅତିଶୟ ବୃଦ୍ଧି ପାଇଲା, ପୁଣି ଜାହାଜ ଜଳ ଉପରେ ଭାସିଲା। 19ଜଳ ପୃଥିବୀ ଉପରେ ଅଧିକରୁ ଅଧିକ ବୃଦ୍ଧି ପାଇଲା, ତହିଁରେ ସମୁଦାୟ ଆକାଶ ତଳେ ଥିବା ସମସ୍ତ ଉଚ୍ଚ ପର୍ବତ ମଗ୍ନ ହେଲା। 20ଜଳ ପର୍ବତ ଉପରେ ପ୍ରାୟ ବାଇଶ ଫୁଟ ଉଚ୍ଚ ବୃଦ୍ଧି ପାଇଲା, ତହିଁରେ ସେହିସବୁ ମଗ୍ନ ହେଲା। 21ପୃଥିବୀରେ ଗମନକାରୀ ସମସ୍ତ ପ୍ରାଣୀ, ଅର୍ଥାତ୍ ପକ୍ଷୀ, ଗ୍ରାମ୍ୟ ପଶୁ, ବନ୍ୟ ପଶୁ, ଭୂମିରେ ଘୁରୁଥିବା ସମସ୍ତ ଜୀବ ଓ ସମସ୍ତ ମନୁଷ୍ୟ ମଲେ। 22ଶୁଷ୍କ ଭୂମିରେ ଥିବା ଯେସମସ୍ତଙ୍କ ନାସାରନ୍ଧ୍ରରେ ଜୀବନର ନିଶ୍ଵାସ ଥିଲା, ସେସମସ୍ତ ମଲେ। 23ଆମ୍ଭମାନଙ୍କ ପିତା ଭୂମିର ଉପରିଭାଗରେ ଥିବା ପ୍ରତ୍ୟେକ ସଜୀବ ପ୍ରାଣୀକୁ, ଅର୍ଥାତ୍ ମନୁଷ୍ୟ, ପଶୁ, ଗମନକାରୀ ଜୀବ ଓ ଆକାଶର ପକ୍ଷୀ, ସମସ୍ତଙ୍କୁ ଲୋପ କରି ପୃଥିବୀରୁ ଉଚ୍ଛିନ୍ନ କଲେ। କେବଳ ନୋହ ଓ ତାହାଙ୍କ ସଙ୍ଗେ ଜାହାଜରେ ଥିବା ଲୋକମାନେ ଅବଶିଷ୍ଟ ରହିଲେ। 24ଆଉ ଜଳ ପୃଥିବୀ ଉପରେ ଏକ ଶହ ପଚାଶ ଦିନ ପର୍ଯ୍ୟନ୍ତ ପ୍ରବଳ ହୋଇ ରହିଲା।