ଆମ୍ଭମାନଙ୍କ ପିତା ପର୍ବତମାନଙ୍କ ପ୍ରତି ଭରସା କହନ୍ତି
ଯିହିଜିକଲ ଦେଶ ସହିତ ହିଁ କଥା କହନ୍ତି: ଜାତିମାନଙ୍କ ଦ୍ୱାରା ଉପହସିତ ପର୍ବତଗୁଡ଼ିକରେ ପୁଣି ଚାଷ ହେବ ଓ ସେଗୁଡ଼ିକ ଲୋକରେ ଭରିଯିବ। ଆମର ପିତା ସ୍ପଷ୍ଟ କହନ୍ତି ଯେ ସେ ନିଜ ନାମ ସକାଶେ କାର୍ଯ୍ୟ କରନ୍ତି, ସେମାନଙ୍କ ଯୋଗ୍ୟତା ପାଇଁ ନୁହେଁ। ସେ ଦିଅନ୍ତି ନିର୍ମଳ ଜଳ, ପଥର ହୃଦୟ ବଦଳରେ ମାଂସର ହୃଦୟ, ଏବଂ ସେମାନଙ୍କ ଭିତରେ ତାଙ୍କ ଆତ୍ମା।
36 1ଆଉ ହେ ମନୁଷ୍ୟପୁତ୍ର, ତୁମ୍ଭେ ଇସ୍ରାଏଲର ପର୍ବତମାନଙ୍କ ପ୍ରତି ଭାବବାଣୀ ପ୍ରଚାର କରି କୁହ, ହେ ଇସ୍ରାଏଲର ପର୍ବତଗଣ, ଆମ୍ଭମାନଙ୍କ ପିତାଙ୍କ ବାକ୍ୟ ଶୁଣ। 2ପ୍ରଭୁ ପିତା ଏହି କଥା କହନ୍ତି, ଶତ୍ରୁ ତୁମ୍ଭମାନଙ୍କ ବିଷୟରେ କହିଅଛି, “ଆଃ! ପ୍ରାଚୀନ ଉଚ୍ଚସ୍ଥଳୀସବୁ ଏବେ ଆମ୍ଭମାନଙ୍କର ହୋଇଅଛି,” 3ଏଣୁ ତୁମ୍ଭେ ଭାବବାଣୀ ପ୍ରଚାର କରି କୁହ, ପ୍ରଭୁ ପିତା ଏହି କଥା କହନ୍ତି, ସେମାନେ ତୁମ୍ଭମାନଙ୍କୁ ଧ୍ଵଂସ କରିବାରୁ ଓ ଚତୁର୍ଦିଗରୁ ତୁମ୍ଭମାନଙ୍କୁ ଦଳିତ କରିବାରୁ ତୁମ୍ଭେମାନେ ଅବଶିଷ୍ଟ ଗୋଷ୍ଠୀସମୂହର ଅଧିକାର ଓ ଲୋକମାନଙ୍କ କୁତ୍ସା ଓ ଅପବାଦର ବିଷୟ ହେଲ,
4ଏଣୁ ହେ ଇସ୍ରାଏଲର ପର୍ବତଗଣ, ପ୍ରଭୁ ପିତାଙ୍କ ବାକ୍ୟ ଶୁଣ। ଚତୁର୍ଦିଗସ୍ଥ ଅବଶିଷ୍ଟ ଗୋଷ୍ଠୀସମୂହ ନିମନ୍ତେ ଲୁଟ ଓ ପରିହାସର ବିଷୟ ହୋଇଥିବା ପର୍ବତ ଓ ଉପପର୍ବତ, ଜଳପ୍ରବାହ ଓ ଉପତ୍ୟକା, ଧ୍ଵଂସିତ ଉଜାଡ଼ ସ୍ଥାନ ଓ ପରିତ୍ୟକ୍ତ ନଗରସମୂହ ପ୍ରତି ପ୍ରଭୁ ପିତା ଏହି କଥା କହନ୍ତି:
5ଏଣୁ ପ୍ରଭୁ ପିତା ଏହି କଥା କହନ୍ତି, ଯେଉଁମାନେ ସର୍ବାନ୍ତଃକରଣର ଆନନ୍ଦ ଓ ସମ୍ପୂର୍ଣ୍ଣ ତୁଚ୍ଛଭାବରେ ଆମ୍ଭ ଦେଶର ଚରାଭୂମି ଲୁଟ କରିବା ନିମନ୍ତେ ତାହାକୁ ଆପଣାମାନଙ୍କର ବୋଲି ଦାବି କଲେ, ସେହି ଅବଶିଷ୍ଟ ଗୋଷ୍ଠୀସମୂହ ଓ ସମୁଦାୟ ଇଦୋମ ବିରୁଦ୍ଧରେ ଆମ୍ଭେ ଆପଣା ପ୍ରଜ୍ଵଳିତ ଅନ୍ତର୍ଜ୍ଵାଳାରେ କଥା କହିଅଛୁ। 6ଏଣୁ ତୁମ୍ଭେ ଇସ୍ରାଏଲ ଦେଶ ବିଷୟରେ ଭାବବାଣୀ ପ୍ରଚାର କର; ପର୍ବତ ଓ ଉପପର୍ବତ, ଜଳପ୍ରବାହ ଓ ଉପତ୍ୟକାମାନଙ୍କୁ କୁହ, ପ୍ରଭୁ ପିତା ଏହି କଥା କହନ୍ତି, ତୁମ୍ଭେମାନେ ଗୋଷ୍ଠୀସମୂହର ଅପମାନ ବହନ କରିବାରୁ ଆମ୍ଭେ ଆପଣା ଅନ୍ତର୍ଜ୍ଵାଳା ଓ କୋପରେ କଥା କହିଅଛୁ। 7ଏଣୁ ପ୍ରଭୁ ପିତା ଏହି କଥା କହନ୍ତି, ଆମ୍ଭେ ଶପଥ କରି ଆପଣା ହସ୍ତ ଉଠାଇଅଛୁ, ତୁମ୍ଭମାନଙ୍କ ଚତୁର୍ଦିଗସ୍ଥ ଗୋଷ୍ଠୀସମୂହ ଆପଣା ଆପଣା ଅପମାନ ବହନ କରିବେ।
8ମାତ୍ର ହେ ଇସ୍ରାଏଲର ପର୍ବତଗଣ, ତୁମ୍ଭେମାନେ ଆମ୍ଭ ଲୋକ ଇସ୍ରାଏଲ ନିମନ୍ତେ ଶାଖା ବିସ୍ତାର କରିବ ଓ ଫଳ ଫଳିବ, କାରଣ ସେମାନେ ଶୀଘ୍ର ସ୍ଵଦେଶକୁ ଆସିବାକୁ ଉଦ୍ୟତ ଅଛନ୍ତି। 9କାରଣ ଦେଖ, ଆମ୍ଭେ ତୁମ୍ଭମାନଙ୍କ ପକ୍ଷ ଅଟୁ; ଆମ୍ଭେ ତୁମ୍ଭମାନଙ୍କ ଆଡ଼କୁ ଫେରିବୁ, ଆଉ ତୁମ୍ଭେମାନେ କର୍ଷିତ ଓ ବୀଜ ବୁଣାଯିବ। 10ଆମ୍ଭେ ତୁମ୍ଭମାନଙ୍କ ଉପରେ ମନୁଷ୍ୟମାନଙ୍କୁ, ଅର୍ଥାତ୍ ସମୁଦାୟ ଇସ୍ରାଏଲ ବଂଶକୁ, ହଁ ସମସ୍ତଙ୍କୁ ବହୁସଂଖ୍ୟକ କରିବୁ। ପୁଣି ନଗରସମୂହ ବସତିବିଶିଷ୍ଟ ହେବ ଓ ଉଜାଡ଼ ସ୍ଥାନସବୁ ପୁନର୍ନିର୍ମିତ ହେବ। 11ଆମ୍ଭେ ତୁମ୍ଭମାନଙ୍କ ଉପରେ ମନୁଷ୍ୟ ଓ ପଶୁମାନଙ୍କୁ ବହୁସଂଖ୍ୟକ କରିବୁ; ସେମାନେ ବୃଦ୍ଧି ପାଇ ପ୍ରଜାବନ୍ତ ହେବେ। ଆଉ ଆମ୍ଭେ ପୂର୍ବକାଳ ପରି ତୁମ୍ଭମାନଙ୍କୁ ବସତି କରାଇବୁ ଓ ଆଦ୍ୟ ଅପେକ୍ଷା ତୁମ୍ଭମାନଙ୍କର ଅଧିକ ମଙ୍ଗଳ କରିବୁ। ସେତେବେଳେ ଆମ୍ଭେ ଯେ ତୁମ୍ଭମାନଙ୍କ ପିତା ଅଟୁ, ଏହା ତୁମ୍ଭେମାନେ ଜାଣିବ। 12ଆମ୍ଭେ ତୁମ୍ଭମାନଙ୍କ ଉପରେ ମନୁଷ୍ୟମାନଙ୍କୁ, ଅର୍ଥାତ୍ ଆମ୍ଭ ସନ୍ତାନ ଇସ୍ରାଏଲକୁ ଗମନ କରାଇବୁ; ସେମାନେ ତୁମ୍ଭମାନଙ୍କୁ ଅଧିକାର କରିବେ ଓ ତୁମ୍ଭେମାନେ ସେମାନଙ୍କର ଅଧିକାର ହେବ, ପୁଣି ତୁମ୍ଭେମାନେ ସେମାନଙ୍କୁ ଆଉ କେବେ ସନ୍ତାନହୀନ କରିବ ନାହିଁ।
13ପ୍ରଭୁ ପିତା ଏହି କଥା କହନ୍ତି, ସେମାନେ ତୁମ୍ଭମାନଙ୍କୁ କହନ୍ତି, “ତୁମ୍ଭେ ମନୁଷ୍ୟମାନଙ୍କୁ ଗ୍ରାସ କରୁଅଛ ଓ ଆପଣା ଗୋଷ୍ଠୀକୁ ସନ୍ତାନହୀନ କରିଅଛ,” 14ଏଣୁ ତୁମ୍ଭେ ଆଉ ମନୁଷ୍ୟମାନଙ୍କୁ ଗ୍ରାସ କରିବ ନାହିଁ କିମ୍ବା ଆପଣା ଗୋଷ୍ଠୀକୁ ଆଉ ସନ୍ତାନହୀନ କରିବ ନାହିଁ, ଏହା ପ୍ରଭୁ ପିତା କହନ୍ତି। 15ଆମ୍ଭେ ତୁମ୍ଭମାନଙ୍କୁ ଗୋଷ୍ଠୀସମୂହର ଅପମାନ ଆଉ ଶୁଣାଇବୁ ନାହିଁ; ତୁମ୍ଭେମାନେ ଆଉ ଲୋକମାନଙ୍କର ନିନ୍ଦା ବହନ କରିବ ନାହିଁ କିମ୍ବା ଆପଣା ଗୋଷ୍ଠୀକୁ ଝୁଣ୍ଟାଇବ ନାହିଁ, ଏହା ପ୍ରଭୁ ପିତା କହନ୍ତି।
16ଆମ୍ଭମାନଙ୍କ ପିତାଙ୍କ ବାକ୍ୟ ମୋʼ ନିକଟରେ ଉପସ୍ଥିତ ହେଲା, ଯଥା:
17“ହେ ମନୁଷ୍ୟପୁତ୍ର, ଇସ୍ରାଏଲ ବଂଶ ଆପଣା ଦେଶରେ ବାସ କରିବା ସମୟରେ ସେମାନେ ଆପଣାମାନଙ୍କ ଆଚାର ଓ କ୍ରିୟା ଦ୍ଵାରା ତାହା ଅଶୁଚି କଲେ। ଆମ୍ଭ ସମ୍ମୁଖରେ ସେମାନଙ୍କ ଆଚରଣ ସ୍ତ୍ରୀଲୋକର ରଜଃସମୟର ଅଶୁଚିତା ତୁଲ୍ୟ ଥିଲା। 18ଏଣୁ ସେମାନେ ଦେଶ ଉପରେ ଯେଉଁ ରକ୍ତପାତ କଲେ, ତହିଁ ସକାଶୁ ଓ ଆପଣାମାନଙ୍କ ପ୍ରତିମାଗଣ ଦ୍ଵାରା ତାହା ଅଶୁଚି କରିବା ସକାଶୁ ଆମ୍ଭେ ସେମାନଙ୍କ ଉପରେ ଆପଣା କ୍ରୋଧ ଢାଳିଲୁ। 19ଆମ୍ଭେ ସେମାନଙ୍କୁ ଗୋଷ୍ଠୀସମୂହ ମଧ୍ୟରେ ଛିନ୍ନଭିନ୍ନ କଲୁ ଓ ସେମାନେ ନାନା ଦେଶରେ ବିକ୍ଷିପ୍ତ ହେଲେ; ଆମ୍ଭେ ସେମାନଙ୍କ ଆଚାର ଓ କ୍ରିୟା ଅନୁସାରେ ସେମାନଙ୍କର ବିଚାର କଲୁ।’ 20ମାତ୍ର ସେମାନେ ଯେଉଁ ଗୋଷ୍ଠୀସମୂହ ନିକଟକୁ ଗଲେ, ସେମାନଙ୍କ ମଧ୍ୟରେ ସେମାନେ ଆମ୍ଭର ପବିତ୍ର ନାମ ଅପବିତ୍ର କଲେ, କାରଣ ଲୋକେ ସେମାନଙ୍କ ବିଷୟରେ କହିଲେ, ‘ଏମାନେ ସଦାପ୍ରଭୁଙ୍କ ଲୋକ, ତଥାପି ସେମାନେ ତାହାଙ୍କ ଦେଶ ତ୍ୟାଗ କରିଅଛନ୍ତି।’ 21ମାତ୍ର ଇସ୍ରାଏଲ ବଂଶ ଯେଉଁ ଗୋଷ୍ଠୀସମୂହ ନିକଟକୁ ଯାଇଥିଲେ, ସେମାନଙ୍କ ମଧ୍ୟରେ ସେମାନେ ଆମ୍ଭର ଯେଉଁ ପବିତ୍ର ନାମ ଅପବିତ୍ର କରିଥିଲେ, ସେହି ଆପଣା ପବିତ୍ର ନାମ ବିଷୟରେ ଆମ୍ଭେ ଯତ୍ନବାନ ହେଲୁ।
22ଏଣୁ ଇସ୍ରାଏଲ ବଂଶକୁ କୁହ, ପ୍ରଭୁ ପିତା ଏହି କଥା କହନ୍ତି, “ହେ ଇସ୍ରାଏଲ ବଂଶ, ଆମ୍ଭେ ତୁମ୍ଭମାନଙ୍କ ସକାଶେ ଏହା କରିବାକୁ ଯାଉ ନାହୁଁ, ମାତ୍ର ତୁମ୍ଭେମାନେ ଯେଉଁ ଗୋଷ୍ଠୀସମୂହ ନିକଟକୁ ଯାଇଥିଲ, ସେମାନଙ୍କ ମଧ୍ୟରେ ତୁମ୍ଭେମାନେ ଆମ୍ଭର ଯେଉଁ ପବିତ୍ର ନାମ ଅପବିତ୍ର କଲ, ସେହି ଆପଣା ପବିତ୍ର ନାମ ସକାଶେ ଏହା କରୁଅଛୁ। 23ଗୋଷ୍ଠୀସମୂହ ମଧ୍ୟରେ ଅପବିତ୍ରୀକୃତ, ଅର୍ଥାତ୍ ତୁମ୍ଭେମାନେ ସେମାନଙ୍କ ମଧ୍ୟରେ ଯାହା ଅପବିତ୍ର କରିଅଛ, ଆମ୍ଭର ସେହି ମହାନାମ ଆମ୍ଭେ ପବିତ୍ର କରିବୁ। ଯେତେବେଳେ ଆମ୍ଭେ ସେମାନଙ୍କ ଦୃଷ୍ଟିଗୋଚରରେ ତୁମ୍ଭମାନଙ୍କ ମଧ୍ୟରେ ଆପଣାକୁ ପବିତ୍ର ବୋଲି ପ୍ରକାଶ କରିବୁ, ସେତେବେଳେ ଆମ୍ଭେ ଯେ ପିତା ଅଟୁ, ଏହା ଗୋଷ୍ଠୀସମୂହ ଜାଣିବେ, ଏହା ପ୍ରଭୁ ପିତା କହନ୍ତି।
24“ଆମ୍ଭେ ଗୋଷ୍ଠୀସମୂହ ମଧ୍ୟରୁ ତୁମ୍ଭମାନଙ୍କୁ ଗ୍ରହଣ କରିବୁ, ସମୁଦାୟ ଦେଶରୁ ତୁମ୍ଭମାନଙ୍କୁ ସଂଗ୍ରହ କରିବୁ ଓ ତୁମ୍ଭମାନଙ୍କ ନିଜ ଦେଶକୁ ତୁମ୍ଭମାନଙ୍କୁ ଆଣିବୁ। 25ଆମ୍ଭେ ତୁମ୍ଭମାନଙ୍କ ଉପରେ ନିର୍ମଳ ଜଳ ସେଚନ କରିବୁ, ତହିଁରେ ତୁମ୍ଭେମାନେ ଶୁଚି ହେବ; ଆମ୍ଭେ ତୁମ୍ଭମାନଙ୍କର ସମସ୍ତ ଅଶୁଚିତାରୁ ଓ ସମସ୍ତ ପ୍ରତିମାଠାରୁ ତୁମ୍ଭମାନଙ୍କୁ ଶୁଚି କରିବୁ। 26ଆମ୍ଭେ ତୁମ୍ଭମାନଙ୍କୁ ନୂତନ ହୃଦୟ ଦେବୁ ଓ ତୁମ୍ଭମାନଙ୍କ ଅନ୍ତରରେ ନୂତନ ଆତ୍ମା ସ୍ଥାପନ କରିବୁ। ଆମ୍ଭେ ତୁମ୍ଭମାନଙ୍କ ମାଂସରୁ ପ୍ରସ୍ତରମୟ ହୃଦୟ କାଢ଼ି ନେଇ ତୁମ୍ଭମାନଙ୍କୁ ମାଂସମୟ ହୃଦୟ ଦେବୁ। 27ଆମ୍ଭେ ତୁମ୍ଭମାନଙ୍କ ଅନ୍ତରରେ ଆପଣା ଆତ୍ମାଙ୍କୁ ସ୍ଥାପନ କରିବୁ ଓ ଆମ୍ଭ ବିଧିମାର୍ଗରେ ତୁମ୍ଭମାନଙ୍କୁ ଚଳାଇବୁ, ଆଉ ତୁମ୍ଭେମାନେ ଆମ୍ଭର ଶାସନସବୁ ପାଳନ କରି ସେସବୁ ସଫଳ କରିବ। 28ଆମ୍ଭେ ତୁମ୍ଭମାନଙ୍କ ପିତୃପୁରୁଷଙ୍କୁ ଯେଉଁ ଦେଶ ଦେଲୁ, ସେଠାରେ ତୁମ୍ଭେମାନେ ବାସ କରିବ; ତୁମ୍ଭେମାନେ ଆମ୍ଭର ସନ୍ତାନ ହେବ ଓ ଆମ୍ଭେ ତୁମ୍ଭମାନଙ୍କ ପିତା ହେବୁ। 29ଆମ୍ଭେ ତୁମ୍ଭମାନଙ୍କୁ ତୁମ୍ଭମାନଙ୍କର ସମସ୍ତ ଅଶୁଚିତାରୁ ପରିତ୍ରାଣ କରିବୁ। ଆମ୍ଭେ ଶସ୍ୟକୁ ଆହ୍ଵାନ କରି ତାହା ବୃଦ୍ଧି କରିବୁ ଓ ତୁମ୍ଭମାନଙ୍କ ଉପରେ ଦୁର୍ଭିକ୍ଷ ଆଣିବୁ ନାହିଁ। 30ଆମ୍ଭେ ବୃକ୍ଷର ଫଳ ଓ କ୍ଷେତ୍ରର ଶସ୍ୟ ବୃଦ୍ଧି କରିବୁ, ଯେପରି ତୁମ୍ଭେମାନେ ଗୋଷ୍ଠୀସମୂହ ମଧ୍ୟରେ ଦୁର୍ଭିକ୍ଷଜନିତ ନିନ୍ଦା ଆଉ କେବେ ଭୋଗ କରିବ ନାହିଁ।
31“ସେତେବେଳେ ତୁମ୍ଭେମାନେ ଆପଣାମାନଙ୍କ କୁପଥ ଓ ଅମଙ୍ଗଳ କ୍ରିୟାସବୁ ସ୍ମରଣ କରିବ, ଆଉ ଆପଣାମାନଙ୍କ ଅଧର୍ମ ଓ ଘୃଣାଯୋଗ୍ୟ କର୍ମ ସକାଶୁ ତୁମ୍ଭେମାନେ ଆପଣାମାନଙ୍କୁ ଘୃଣା କରିବ।’ 32ଆମ୍ଭେ ତୁମ୍ଭମାନଙ୍କ ସକାଶେ ଏହା କରୁ ନାହୁଁ, ଏହା ପ୍ରଭୁ ପିତା କହନ୍ତି, ଏହା ତୁମ୍ଭେମାନେ ଜ୍ଞାତ ହୁଅ। ହେ ଇସ୍ରାଏଲ ବଂଶ, ତୁମ୍ଭେମାନେ ଆପଣାମାନଙ୍କ ଆଚରଣ ସକାଶୁ ଲଜ୍ଜିତ ଓ ବିବ୍ରତ ହୁଅ।
33ପ୍ରଭୁ ପିତା ଏହି କଥା କହନ୍ତି, “ଯେଉଁ ଦିନ ଆମ୍ଭେ ତୁମ୍ଭମାନଙ୍କୁ ତୁମ୍ଭମାନଙ୍କର ସମସ୍ତ ଅଧର୍ମରୁ ଶୁଚି କରିବୁ, ସେହି ଦିନ ଆମ୍ଭେ ନଗରସମୂହକୁ ପୁନର୍ବାର ବସତିବିଶିଷ୍ଟ କରିବୁ ଓ ଉଜାଡ଼ ସ୍ଥାନସବୁ ପୁନର୍ନିର୍ମିତ ହେବ। 34ଯେଉଁ ଧ୍ଵଂସିତ ଦେଶ ପଥିକ ସମସ୍ତଙ୍କ ଦୃଷ୍ଟିରେ ଉଜାଡ଼ ହୋଇ ପଡ଼ିଥିଲା, ତାହା କର୍ଷିତ ହେବ। 35ଲୋକେ କହିବେ, ‘ଏହି ଧ୍ଵଂସିତ ଦେଶ ଏଦନ ଉଦ୍ୟାନ ତୁଲ୍ୟ ହୋଇଅଛି; ପୁଣି ଉଜାଡ଼, ଧ୍ଵଂସିତ ଓ ଭଗ୍ନ ନଗରସମୂହ ଏବେ ପ୍ରାଚୀରବେଷ୍ଟିତ ଓ ବସତିବିଶିଷ୍ଟ ହୋଇଅଛି।’ 36ସେତେବେଳେ ଆମ୍ଭେ, ଯେ ପିତା, ଭଗ୍ନସ୍ଥାନସବୁ ପୁନର୍ନିର୍ମାଣ କରିଅଛୁ ଓ ଧ୍ଵଂସିତ ଭୂମିରେ ପୁନର୍ବାର ରୋପଣ କରିଅଛୁ, ଏହା ତୁମ୍ଭମାନଙ୍କ ଚତୁର୍ଦିଗସ୍ଥ ଅବଶିଷ୍ଟ ଗୋଷ୍ଠୀସମୂହ ଜାଣିବେ। ଆମ୍ଭେ, ତୁମ୍ଭମାନଙ୍କ ପିତା, ଏହା କହିଅଛୁ ଓ ଏହା ସଫଳ କରିବୁ।’
37ପ୍ରଭୁ ପିତା ଏହି କଥା କହନ୍ତି, “ଆମ୍ଭେ ଇସ୍ରାଏଲ ବଂଶ ନିମନ୍ତେ ଏହା ମଧ୍ୟ କରିବୁ ବୋଲି ସେମାନଙ୍କୁ ଆମ୍ଭ ନିକଟରେ ପ୍ରାର୍ଥନା କରିବାକୁ ଦେବୁ: ଆମ୍ଭେ ସେମାନଙ୍କ ଲୋକସମୂହକୁ ମେଷପଲ ତୁଲ୍ୟ ବହୁସଂଖ୍ୟକ କରିବୁ। 38ବଳିଦାନର ମେଷପଲ ତୁଲ୍ୟ, ଯିରୂଶାଲମର ନିରୂପିତ ପର୍ବସମୂହ ସମୟର ମେଷପଲ ତୁଲ୍ୟ, ସେହିପରି ଧ୍ଵଂସିତ ନଗରସମୂହ ମନୁଷ୍ୟପଲରେ ପରିପୂର୍ଣ୍ଣ ହେବ। ସେତେବେଳେ ଆମ୍ଭେ ଯେ ତୁମ୍ଭମାନଙ୍କ ପିତା ଅଟୁ, ଏହା ସେମାନେ ଜାଣିବେ।”