ମୁଦ୍ରଣରେ ଉପଲବ୍ଧ
ପୁସ୍ତକ

ବାକ୍ୟ ଯେପରି ମୁକ୍ତଭାବେ ବ୍ୟାପ୍ତ ହୁଏ, ଏଥିପାଇଁ ପ୍ରାର୍ଥନା କର

ପାଉଲ ପ୍ରାର୍ଥନା ମାଗନ୍ତି ଯେପରି ବାକ୍ୟ ଆଗକୁ ଦୌଡ଼େ, ତାʼପରେ ଏକ ସମସ୍ୟା ଆଡ଼କୁ ଫେରନ୍ତି: ମଣ୍ଡଳୀର କେତେକ କାମ ଛାଡ଼ି ଅନ୍ୟମାନଙ୍କ ଉପରେ ଜୀବନ ଚଳାଇ ପରଚର୍ଚ୍ଚାକାରୀ ହୋଇଛନ୍ତି। ସେ ନିଜର ଦିନରାତି ପରିଶ୍ରମକୁ ଦେଖାନ୍ତି। ସେପରି ଲୋକକୁ ଚିହ୍ନି ରଖ, ତା ସହ ମିଶ ନାହିଁ, କିନ୍ତୁ ଶତ୍ରୁ ପରି ନୁହେଁ, ଭାଇ ପରି ତାକୁ ଚେତାଇ ଦିଅ।

ଅଧ୍ୟାୟ 3।

ଅବଶେଷରେ, ହେ ଭାଇ ଓ ଭଉଣୀମାନେ, ତୁମ୍ଭମାନଙ୍କ ମଧ୍ୟରେ ଯେପରି ଆମ୍ଭମାନଙ୍କ ପ୍ରଭୁ ଯୀଶୁଙ୍କ ବାକ୍ୟ ଗୌରବ ପାଇଲା, ସେହିପରି ତାହା ଯେପରି ଦ୍ରୁତଗତିରେ ବ୍ୟାପ୍ତ ହୁଏ ଓ ଗୌରବାନ୍ଵିତ ହୁଏ, ଏଥିପାଇଁ ଆମ୍ଭମାନଙ୍କ ନିମନ୍ତେ ପ୍ରାର୍ଥନା କର, ପୁଣି, ଆମ୍ଭେମାନେ ଯେପରି କୁଟିଳ ଓ ଦୁଷ୍ଟ ଲୋକମାନଙ୍କଠାରୁ ଉଦ୍ଧାର ପାଉ; କାରଣ ସମସ୍ତେ ବିଶ୍ଵାସୀ ନୁହଁନ୍ତି। କିନ୍ତୁ ପ୍ରଭୁ ବିଶ୍ଵସ୍ତ, ସେ ତୁମ୍ଭମାନଙ୍କୁ ସ୍ଥିର କରିବେ ଓ ସେହି ଦୁଷ୍ଟଠାରୁ ରକ୍ଷା କରିବେ। ଆଉ ଆମ୍ଭେମାନେ ଯାହା ଆଜ୍ଞା ଦେଉ, ତାହା ତୁମ୍ଭେମାନେ କରୁଅଛ ଓ କରୁଥିବ ବୋଲି ତୁମ୍ଭମାନଙ୍କ ବିଷୟରେ ପ୍ରଭୁଙ୍କଠାରେ ଆମ୍ଭମାନଙ୍କର ଦୃଢ଼ ବିଶ୍ଵାସ ଅଛି। ପ୍ରଭୁ ତୁମ୍ଭମାନଙ୍କ ହୃଦୟକୁ ଆମ୍ଭମାନଙ୍କ ପିତାଙ୍କ ପ୍ରେମ ଓ ଖ୍ରୀଷ୍ଟଙ୍କ ଧୈର୍ଯ୍ୟ ଆଡ଼କୁ କଢ଼ାଇ ନିଅନ୍ତୁ।

ଅଳସତା ବିରୁଦ୍ଧରେ ଏକ ଚେତାବନୀ

ହେ ଭାଇ ଓ ଭଉଣୀମାନେ, ଆମ୍ଭମାନଙ୍କ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ନାମରେ ଆମ୍ଭେମାନେ ତୁମ୍ଭମାନଙ୍କୁ ଆଜ୍ଞା ଦେଉଅଛୁ, ଆମ୍ଭମାନଙ୍କଠାରୁ ପ୍ରାପ୍ତ ଶିକ୍ଷା ବିରୁଦ୍ଧରେ ଅଳସ ଜୀବନ କାଟୁଥିବା ପ୍ରତ୍ୟେକ ଭାଇଠାରୁ ଦୂରେ ରୁହ। ତୁମ୍ଭେମାନେ କିପରି ଆମ୍ଭମାନଙ୍କ ଅନୁକରଣ କରିବା ଉଚିତ, ତାହା ତୁମ୍ଭେମାନେ ନିଜେ ଜାଣ, କାରଣ ଆମ୍ଭେମାନେ ତୁମ୍ଭମାନଙ୍କ ମଧ୍ୟରେ ଅଳସ ଥିଲୁ ନାହିଁ; ଆମ୍ଭେମାନେ ବିନା ମୂଲ୍ୟରେ କାହାରି ଅନ୍ନ ଭୋଜନ କଲୁ ନାହିଁ, ବରଂ ତୁମ୍ଭମାନଙ୍କ ମଧ୍ୟରେ କାହାକୁ ଯେପରି ଭାରସ୍ଵରୂପ ନ ହେଉ, ଏଥିପାଇଁ ପରିଶ୍ରମ ଓ କ୍ଲେଶ ସହକାରେ ଦିବାରାତ୍ର କାର୍ଯ୍ୟ କଲୁ। ଆମ୍ଭମାନଙ୍କର ଯେ ଅଧିକାର ନାହିଁ, ତାହା ନୁହେଁ, ମାତ୍ର ତୁମ୍ଭେମାନେ ଯେପରି ଆମ୍ଭମାନଙ୍କର ଅନୁକରଣ କର, ଏଥିପାଇଁ ଆପଣାମାନଙ୍କୁ ତୁମ୍ଭମାନଙ୍କ ନିମନ୍ତେ ଆଦର୍ଶସ୍ଵରୂପ କରିବା ପାଇଁ ଏପରି କଲୁ। କାରଣ ଆମ୍ଭେମାନେ ତୁମ୍ଭମାନଙ୍କ ସଙ୍ଗରେ ଥିବା ସମୟରେ ମଧ୍ୟ ତୁମ୍ଭମାନଙ୍କୁ ଏହି ଆଜ୍ଞା ଦେଇଥିଲୁ, ଯଦି କେହି କାର୍ଯ୍ୟ କରିବାକୁ ଅସ୍ଵୀକାର କରେ, ତେବେ ସେ ଭୋଜନ ନ କରୁ। ଯେଣୁ ଆମ୍ଭେମାନେ ଶୁଣୁଅଛୁ ଯେ, ତୁମ୍ଭମାନଙ୍କ ମଧ୍ୟରେ କେହି କେହି ଅଳସ ଜୀବନ କାଟୁଅଛନ୍ତି, କିଛି କାର୍ଯ୍ୟରେ ବ୍ୟସ୍ତ ନ ହୋଇ ପରର କାର୍ଯ୍ୟରେ ମନ ଦେଉଅଛନ୍ତି। ଆମ୍ଭେମାନେ ଏହିପରି ଲୋକମାନଙ୍କୁ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ନାମରେ ଆଜ୍ଞା ଓ ଅନୁରୋଧ କରୁଅଛୁ, ସେମାନେ ଶାନ୍ତଭାବରେ କାର୍ଯ୍ୟ କରି ଆପଣା ଆପଣା ଅନ୍ନ ଭୋଜନ କରନ୍ତୁ। କିନ୍ତୁ, ହେ ଭାଇ ଓ ଭଉଣୀମାନେ, ତୁମ୍ଭେମାନେ ସତ୍କର୍ମ କରିବାରେ କ୍ଲାନ୍ତ ହୁଅ ନାହିଁ। ଆଉ ଯଦି କେହି ଏହି ପତ୍ରରେ ଥିବା ଆମ୍ଭମାନଙ୍କ ବାକ୍ୟ ନ ମାନେ, ତେବେ ସେହି ଲୋକକୁ ଚିହ୍ନଟ କରି ରଖ ଓ ତାହା ସଙ୍ଗରେ ସଂସର୍ଗ କର ନାହିଁ, ଯେପରି ସେ ଲଜ୍ଜିତ ହୁଏ; ତଥାପି ତାହାକୁ ଶତ୍ରୁ ବୋଲି ଜ୍ଞାନ ନ କରି ଭାଇ ବୋଲି ଜ୍ଞାନ କରି ଚେତନା ଦିଅ।

ଶାନ୍ତି, ନମସ୍କାର ଓ ଅନୁଗ୍ରହ

ଶାନ୍ତିଦାତା ପ୍ରଭୁ ସ୍ଵୟଂ ସର୍ବଦା ସର୍ବପ୍ରକାରେ ତୁମ୍ଭମାନଙ୍କୁ ଶାନ୍ତି ପ୍ରଦାନ କରନ୍ତୁ। ପ୍ରଭୁ ତୁମ୍ଭ ସମସ୍ତଙ୍କ ସଙ୍ଗରେ ଥାଆନ୍ତୁ।

ମୁଁ ପାଉଲ ନିଜ ହସ୍ତରେ ଏହି ନମସ୍କାର ଲେଖୁଅଛି; ଏହା ହିଁ ମୋʼ ପ୍ରତ୍ୟେକ ପତ୍ର ଯେ ଅକୃତ୍ରିମ, ତାହାର ଚିହ୍ନ; ମୁଁ ଏହିପରି ଲେଖିଥାଏ। ଆମ୍ଭମାନଙ୍କ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଅନୁଗ୍ରହ ତୁମ୍ଭ ସମସ୍ତଙ୍କ ସଙ୍ଗରେ ଥାଉ।