ବିନାଶର ପୁତ୍ର ଆସୁଅଛନ୍ତି
ଥେସଲନୀକୀୟମାନେ ଶୁଣିଛନ୍ତି, ହୁଏତ ଏକ ଜାଲ ପତ୍ରରୁ, ଯେ ପ୍ରଭୁଙ୍କ ଦିନ ଆସି ସାରିଲାଣି। ପାଉଲ କହନ୍ତି ନା: ପ୍ରଥମେ ବିଦ୍ରୋହ ଆସିବ, ଆଉ ସେହି ଅଧର୍ମୀ ଯେ ଆମ ପିତାଙ୍କ ମନ୍ଦିରରେ ବସି ନିଜକୁ ପରମେଶ୍ୱର ବୋଲି କହେ। ଏହି ମଧ୍ୟରେ, ସ୍ଥିର ରୁହ ଓ ଯାହା ଶିକ୍ଷା ପାଇଛ ତାହା ଧରି ରଖ।
2 1ହେ ଭାଇମାନେ, ଆମ୍ଭମାନଙ୍କ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଆଗମନ ଓ ତାହାଙ୍କ ନିକଟରେ ଆମ୍ଭମାନଙ୍କ ଏକତ୍ର ହେବା ବିଷୟରେ ଆମ୍ଭେମାନେ ତୁମ୍ଭମାନଙ୍କୁ ଅନୁରୋଧ କରୁଅଛୁ, 2ପ୍ରଭୁଙ୍କ ଦିନ ଆସି ସାରିଲାଣି ବୋଲି କୌଣସି ଆତ୍ମା, ବାର୍ତ୍ତା କିମ୍ବା ଆମ୍ଭମାନଙ୍କଠାରୁ ଆସିଅଛି ବୋଲି ଦାବି କରୁଥିବା ପତ୍ର ଦ୍ଵାରା ତୁମ୍ଭେମାନେ ଯେପରି ଶୀଘ୍ର ଆପଣା ମନରେ ବିଚଳିତ ନ ହୁଅ କିମ୍ବା ଉଦ୍ବିଗ୍ନ ନ ହୁଅ। 3କେହି କୌଣସି ପ୍ରକାରେ ତୁମ୍ଭମାନଙ୍କୁ ନ ଭୁଲାଉ; କାରଣ ପ୍ରଥମେ ଧର୍ମଭ୍ରଷ୍ଟତା ଉପସ୍ଥିତ ନ ହେଲେ ଓ ବିନାଶର ନିମନ୍ତେ ନିରୂପିତ ସେହି ଅଧର୍ମର ପୁରୁଷ ପ୍ରକାଶିତ ନ ହେଲେ ସେହି ଦିନ ଆସିବ ନାହିଁ, 4ସେ ଈଶ୍ଵର ବୋଲି କଥିତ ପ୍ରତ୍ୟେକ ବସ୍ତୁ କିମ୍ବା ପୂଜନୀୟ ବସ୍ତୁର ବିରୁଦ୍ଧରେ ଠିଆ ହୋଇ ଆପଣାକୁ ସେହି ସମସ୍ତଠାରୁ ଉଚ୍ଚ କରେ, ଆଉ ଆପଣାକୁ ଈଶ୍ଵର ବୋଲି ଘୋଷଣା କରି ଆମ୍ଭମାନଙ୍କ ପିତାଙ୍କ ମନ୍ଦିରରେ ବସେ। a a v4 ଏଠାରେ ‘ଈଶ୍ଵର’ ଶବ୍ଦ ସରଳ ଭାବରେ ରଖାଯାଇଅଛି, କାରଣ ଏହା ସେହି ଅଧର୍ମୀର ମିଥ୍ୟା, ଆତ୍ମ-ଗର୍ବୀ ଦାବି — ଯେଉଁ ପିତାଙ୍କ ବିରୁଦ୍ଧରେ ସେ ଆପଣାକୁ ଠିଆ କରେ, ତାହାଙ୍କର ଏକ ନକଲି। 5ମୁଁ ତୁମ୍ଭମାନଙ୍କ ସଙ୍ଗରେ ଥିବା ସମୟରେ ତୁମ୍ଭମାନଙ୍କୁ ଏହିସବୁ କଥା କହିଥିଲି, ଏହା କି ତୁମ୍ଭମାନଙ୍କ ମନେ ନାହିଁ? 6ଆଉ ସେ ଯେପରି ଆପଣା ନିରୂପିତ ସମୟରେ ପ୍ରକାଶିତ ହେବ, ଏଥିପାଇଁ ଏବେ ତାହାକୁ କʼଣ ବାଧା ଦେଉଅଛି, ତାହା ତୁମ୍ଭେମାନେ ଜାଣ। 7କାରଣ ଅଧର୍ମର ନିଗୂଢ଼ତତ୍ତ୍ଵ ଏବେ ହିଁ କାର୍ଯ୍ୟ କରୁଅଛି; କେବଳ ବର୍ତ୍ତମାନ ବାଧା ଦେଉଥିବା ବ୍ୟକ୍ତି ଅନ୍ତରିତ ନ ହେବା ପର୍ଯ୍ୟନ୍ତ ବାଧା ଦେଇ ରହିବ। 8ସେତେବେଳେ ସେହି ଅଧର୍ମୀ ପ୍ରକାଶିତ ହେବ, ଯାହାକୁ ପ୍ରଭୁ ଯୀଶୁ ଆପଣା ମୁଖର ନିଃଶ୍ଵାସ ଦ୍ଵାରା ଉଚ୍ଛିନ୍ନ କରିବେ ଓ ଆପଣା ଆଗମନର ତେଜରେ ବିନାଶ କରିବେ। 9ସେହି ଅଧର୍ମୀ ଶୟତାନର କାର୍ଯ୍ୟ ଅନୁସାରେ ସର୍ବପ୍ରକାର ଶକ୍ତି, ମିଥ୍ୟା ଚିହ୍ନ ଓ ଅଦ୍ଭୁତ କର୍ମ ସହିତ, 10ପୁଣି ବିନଶ୍ୟମାନ ଲୋକମାନଙ୍କ ନିମନ୍ତେ ସର୍ବପ୍ରକାର ଅଧର୍ମର ପ୍ରବଞ୍ଚନା ସହିତ ଆସେ, କାରଣ ପରିତ୍ରାଣ ପାଇବା ନିମନ୍ତେ ସେମାନେ ସତ୍ୟକୁ ପ୍ରେମ କରିବାକୁ ଅସମ୍ମତ ହେଲେ। 11ଏହି ହେତୁରୁ ଆମ୍ଭମାନଙ୍କ ପିତା ସେମାନଙ୍କ ନିକଟକୁ ଏକ ପ୍ରବଳ ଭ୍ରାନ୍ତି ପ୍ରେରଣ କରନ୍ତି, ଯେପରି ସେମାନେ ମିଥ୍ୟା ବିଷୟରେ ବିଶ୍ଵାସ କରନ୍ତି, 12ଯେପରି ଯେଉଁମାନେ ସତ୍ୟରେ ବିଶ୍ଵାସ ନ କରି ଅଧର୍ମରେ ଆନନ୍ଦ କଲେ, ସେମାନେ ସମସ୍ତେ ଦଣ୍ଡାଜ୍ଞା ପ୍ରାପ୍ତ ହୁଅନ୍ତି।
ପିତାଙ୍କ ଆହ୍ଵାନରେ ସୁସ୍ଥିର ହୋଇ ରୁହ
13ମାତ୍ର ହେ ପ୍ରଭୁଙ୍କ ପ୍ରିୟ ଭାଇମାନେ, ତୁମ୍ଭମାନଙ୍କ ନିମନ୍ତେ ଆମ୍ଭମାନଙ୍କ ପିତାଙ୍କୁ ସର୍ବଦା ଧନ୍ୟବାଦ ଦେବା ଆମ୍ଭମାନଙ୍କର ଉଚିତ, କାରଣ ଆମ୍ଭମାନଙ୍କ ପିତା ପବିତ୍ର ଆତ୍ମାଙ୍କ ପବିତ୍ରୀକରଣ କାର୍ଯ୍ୟ ଓ ସତ୍ୟରେ ବିଶ୍ଵାସ ଦ୍ଵାରା ପରିତ୍ରାଣ ନିମନ୍ତେ ତୁମ୍ଭମାନଙ୍କୁ ପ୍ରଥମଫଳ ସ୍ଵରୂପେ ମନୋନୀତ କଲେ। 14ସେ ଆମ୍ଭମାନଙ୍କ ସୁସମାଚାର ଦ୍ଵାରା ଏଥିନିମନ୍ତେ ତୁମ୍ଭମାନଙ୍କୁ ଆହ୍ଵାନ କଲେ, ଯେପରି ତୁମ୍ଭେମାନେ ଆମ୍ଭମାନଙ୍କ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ମହିମା ପ୍ରାପ୍ତ ହୁଅ। 15ଅତଏବ ହେ ଭାଇମାନେ, ତୁମ୍ଭେମାନେ ସୁସ୍ଥିର ହୋଇ ରୁହ, ପୁଣି ବାକ୍ୟ କିମ୍ବା ପତ୍ର ଦ୍ଵାରା ଆମ୍ଭେମାନେ ତୁମ୍ଭମାନଙ୍କୁ ଯେଉଁ ଶିକ୍ଷା ଦେଇଅଛୁ, ସେହିସବୁ ପରମ୍ପରା ଦୃଢ଼ ଭାବରେ ଧରି ରଖ।
16ଆମ୍ଭମାନଙ୍କ ପ୍ରଭୁ ଯୀଶୁ ଖ୍ରୀଷ୍ଟ ସ୍ଵୟଂ ଓ ଆମ୍ଭମାନଙ୍କ ପିତା, ଯେ ଆମ୍ଭମାନଙ୍କୁ ପ୍ରେମ କଲେ ଓ ଅନୁଗ୍ରହରେ ଅନନ୍ତ ସାନ୍ତ୍ଵନା ପୁଣି ଉତ୍ତମ ଭରସା ଦେଲେ, 17ସେ ତୁମ୍ଭମାନଙ୍କ ହୃଦୟକୁ ସାନ୍ତ୍ଵନା ଦେଉନ୍ତୁ ଓ ସର୍ବପ୍ରକାର ଉତ୍ତମ କର୍ମ ପୁଣି ବାକ୍ୟରେ ତାହା ସୁଦୃଢ଼ କରନ୍ତୁ।