ଯୋଶୀୟ ମହାନ ନିସ୍ତାର ପର୍ବ ପାଳନ କଲେ
ଯୋଶିୟ ଶାମୁୟେଲଙ୍କ ସମୟ ପରଠାରୁ ଅତୁଳନୀୟ ଏକ ନିସ୍ତାରପର୍ବ ପାଳନ କରନ୍ତି, ନିଜେ ହଜାର ହଜାର ପଶୁ ଯୋଗାନ୍ତି ଏବଂ ପ୍ରତ୍ୟେକ ଯାଜକ, ଲେବୀୟ, ଗାୟକ ଓ ଦ୍ୱାରପାଳଙ୍କୁ ନିଜ ନିଜ ସ୍ଥାନରେ ନିଯୁକ୍ତ କରନ୍ତି। ତାʼପରେ ଆମ ପିତାଙ୍କଠାରୁ ଆସିଥିବା ବୋଲି କୁହାଯାଇଥିବା ଏକ ଚେତାବନୀକୁ ଅଣଦେଖା କରି ସେ ନଖୋଙ୍କ ସହିତ ଯୁଦ୍ଧ କରିବାକୁ ଜିଦ୍ କରନ୍ତି, ଏବଂ ମଗିଦ୍ଦୋରେ ମରନ୍ତି।
35 1ଯୋଶୀୟ ଯିରୂଶାଲମରେ ଆମ୍ଭମାନଙ୍କ ପିତାଙ୍କ ଉଦ୍ଦେଶ୍ୟରେ ନିସ୍ତାର ପର୍ବ ପାଳନ କଲେ; ପ୍ରଥମ ମାସର ଚତୁର୍ଦ୍ଦଶ ଦିନରେ ସେମାନେ ନିସ୍ତାର ପର୍ବୀୟ ମେଷଶାବକ ବଧ କଲେ। 2ସେ ଯାଜକମାନଙ୍କୁ ସେମାନଙ୍କ କର୍ତ୍ତବ୍ୟ ନିରୂପଣ କରିଦେଲେ ଓ ଆମ୍ଭମାନଙ୍କ ପିତାଙ୍କ ଗୃହର ସେବା କାର୍ଯ୍ୟରେ ସେମାନଙ୍କୁ ଉତ୍ସାହିତ କଲେ। 3ପୁଣି ସମଗ୍ର ଇସ୍ରାଏଲକୁ ଶିକ୍ଷା ଦେଉଥିବା ଓ ଆମ୍ଭମାନଙ୍କ ପିତାଙ୍କ ଉଦ୍ଦେଶ୍ୟରେ ପବିତ୍ର ହୋଇଥିବା ଲେବୀୟମାନଙ୍କୁ ସେ କହିଲେ, “ଇସ୍ରାଏଲର ରାଜା ଦାଉଦଙ୍କ ପୁତ୍ର ଶଲୋମନ ଯେଉଁ ଗୃହ ନିର୍ମାଣ କଲେ, ସେଥିରେ ପବିତ୍ର ସିନ୍ଦୁକ ରଖ। ଆଉ ତୁମ୍ଭମାନଙ୍କୁ ତାହା କାନ୍ଧରେ ବହିବାକୁ ପଡ଼ିବ ନାହିଁ। ଏବେ ତୁମ୍ଭମାନଙ୍କ ପିତାଙ୍କର ଓ ତାହାଙ୍କ ଲୋକ ଇସ୍ରାଏଲର ସେବା କର। 4ଇସ୍ରାଏଲର ରାଜା ଦାଉଦଙ୍କ ଲିଖିତ ଉପଦେଶ ଅନୁସାରେ ଓ ତାହାଙ୍କ ପୁତ୍ର ଶଲୋମନଙ୍କ ଉପଦେଶ ଅନୁସାରେ ତୁମ୍ଭେମାନେ ଆପଣା ଆପଣା ପିତୃବଂଶ ଅନୁଯାୟୀ, ଆପଣା ଆପଣା ପାଳି ଅନୁଯାୟୀ ଆପଣାମାନଙ୍କୁ ପ୍ରସ୍ତୁତ କର। 5ଆପଣା ଭ୍ରାତୃଗଣ, ସାଧାରଣ ଲୋକମାନଙ୍କ ପିତୃବଂଶୀୟ ଦଳ ଅନୁସାରେ, ପ୍ରତ୍ୟେକ ଦଳ ପାଇଁ ଏକ ଲେବୀୟ ପାଳି ଲେଖାଏଁ ପବିତ୍ର ସ୍ଥାନରେ ଠିଆ ହୁଅ। 6ନିସ୍ତାର ପର୍ବୀୟ ମେଷଶାବକ ବଧ କର, ଆପଣାମାନଙ୍କୁ ପବିତ୍ର କର ଓ ମୋଶାଙ୍କ ଦ୍ଵାରା ଉକ୍ତ ଆମ୍ଭମାନଙ୍କ ପିତାଙ୍କ ବାକ୍ୟ ଅନୁସାରେ ତୁମ୍ଭମାନଙ୍କ ଭ୍ରାତୃଗଣ ନିମନ୍ତେ ପ୍ରସ୍ତୁତ କର।”
7ଯୋଶୀୟ ସେଠାରେ ଉପସ୍ଥିତ ସମସ୍ତଙ୍କ ପାଇଁ ନିସ୍ତାର ପର୍ବୀୟ ବଳି ନିମନ୍ତେ ସାଧାରଣ ଲୋକମାନଙ୍କୁ ଆପଣା ସମ୍ପତ୍ତିରୁ ତିରିଶ ହଜାର ମେଷଶାବକ ଓ ଛେଳିଛୁଆ ଓ ତିନି ହଜାର ବୃଷ ଦେଲେ। 8ପୁଣି ତାହାଙ୍କ ଅଧିପତିମାନେ ମଧ୍ୟ ଲୋକମାନଙ୍କୁ, ଯାଜକମାନଙ୍କୁ ଓ ଲେବୀୟମାନଙ୍କୁ ସ୍ଵେଚ୍ଛାରେ ଦାନ କଲେ। ଆମ୍ଭମାନଙ୍କ ପିତାଙ୍କ ଗୃହର ପ୍ରଧାନ କର୍ମଚାରୀ ହିଲ୍କୀୟ, ଜିଖରୀୟ ଓ ଯିହୀୟେଲ ଯାଜକମାନଙ୍କୁ ନିସ୍ତାର ପର୍ବୀୟ ବଳି ନିମନ୍ତେ ଦୁଇ ହଜାର ଛଅ ଶହ ମେଷଶାବକ ଓ ତିନି ଶହ ବୃଷ ଦେଲେ। 9ଆଉ କନନୀୟ ଓ ତାହାର ଭ୍ରାତା ଶମୟୀୟ ଓ ନଥନେଲ, ପୁଣି ହଶବୀୟ, ଯିୟୀୟେଲ ଓ ଯୋଷାବଦ୍, ଏହି ଲେବୀୟମାନଙ୍କ ଅଧ୍ୟକ୍ଷଗଣ ଲେବୀୟମାନଙ୍କୁ ନିସ୍ତାର ପର୍ବୀୟ ବଳି ନିମନ୍ତେ ପାଞ୍ଚ ହଜାର ମେଷଶାବକ ଓ ପାଞ୍ଚ ଶହ ବୃଷ ଦେଲେ।
10ଏହିରୂପେ ସେବା କାର୍ଯ୍ୟ ପ୍ରସ୍ତୁତ ହେଲା; ଆଉ ରାଜାଙ୍କ ଆଜ୍ଞାନୁସାରେ ଯାଜକମାନେ ଆପଣା ଆପଣା ସ୍ଥାନରେ ଓ ଲେବୀୟମାନେ ଆପଣା ଆପଣା ପାଳି ଅନୁସାରେ ଠିଆ ହେଲେ। 11ପୁଣି ସେମାନେ ନିସ୍ତାର ପର୍ବୀୟ ମେଷଶାବକ ବଧ କଲେ; ଆଉ ଯାଜକମାନେ ସେମାନଙ୍କ ହସ୍ତରୁ ରକ୍ତ ନେଇ ଛିଞ୍ଚିଲେ ଓ ଲେବୀୟମାନେ ଚର୍ମ କାଢ଼ିଲେ। 12ପୁଣି ମୋଶାଙ୍କ ପୁସ୍ତକରେ ଲିଖିତ ପ୍ରକାରେ ଆମ୍ଭମାନଙ୍କ ପିତାଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରିବା ନିମନ୍ତେ ସେମାନେ ସାଧାରଣ ଲୋକମାନଙ୍କ ପିତୃବଂଶୀୟ ଦଳ ଅନୁସାରେ ବିତରଣ କରି ହୋମବଳି ପୃଥକ କରି ରଖିଲେ; ବୃଷମାନଙ୍କ ବିଷୟରେ ମଧ୍ୟ ସେହିପରି କଲେ। 13ପୁଣି ବିଧି ଅନୁସାରେ ସେମାନେ ନିସ୍ତାର ପର୍ବୀୟ ମେଷଶାବକକୁ ଅଗ୍ନିରେ ଦଗ୍ଧ କଲେ, ଆଉ ପବିତ୍ର ବଳିସବୁ ହଣ୍ଡା, କେଟଲି ଓ କରାଇରେ ସିଝାଇ ଶୀଘ୍ର ସମସ୍ତ ସାଧାରଣ ଲୋକଙ୍କ ନିକଟକୁ ନେଇଗଲେ। 14ତହିଁ ଉତ୍ତାରେ ସେମାନେ ଆପଣାମାନଙ୍କ ପାଇଁ ଓ ଯାଜକମାନଙ୍କ ପାଇଁ ପ୍ରସ୍ତୁତ କଲେ; କାରଣ ହାରୋଣଙ୍କ ସନ୍ତାନ ଯାଜକମାନେ ରାତ୍ରି ପର୍ଯ୍ୟନ୍ତ ହୋମବଳି ଓ ମେଦ ଉତ୍ସର୍ଗ କରିବାରେ ବ୍ୟସ୍ତ ଥିଲେ; ଏହେତୁ ଲେବୀୟମାନେ ଆପଣାମାନଙ୍କ ପାଇଁ ଓ ହାରୋଣଙ୍କ ସନ୍ତାନ ଯାଜକମାନଙ୍କ ପାଇଁ ପ୍ରସ୍ତୁତ କଲେ। 15ଆଉ ଦାଉଦ, ଆସଫ, ହେମନ୍ ଓ ରାଜାଙ୍କ ଦର୍ଶକ ଯିଦୂଥୂନଙ୍କ ଆଜ୍ଞାନୁସାରେ ଆସଫଙ୍କ ସନ୍ତାନ ଗାୟକମାନେ ଆପଣା ଆପଣା ସ୍ଥାନରେ ଠିଆ ହେଲେ; ପୁଣି ଦ୍ଵାରପାଳମାନେ ପ୍ରତ୍ୟେକ ଦ୍ଵାରରେ ରହିଲେ; ସେମାନଙ୍କ ଆପଣା ଆପଣା ସେବା କାର୍ଯ୍ୟ ଛାଡ଼ିବାର ଆବଶ୍ୟକ ନ ଥିଲା, କାରଣ ସେମାନଙ୍କ ଭ୍ରାତୃ ଲେବୀୟମାନେ ସେମାନଙ୍କ ପାଇଁ ପ୍ରସ୍ତୁତ କଲେ।
16ଏହିରୂପେ ସେହି ଦିନ ରାଜା ଯୋଶୀୟଙ୍କ ଆଜ୍ଞାନୁସାରେ ନିସ୍ତାର ପର୍ବ ପାଳନ କରିବା ଓ ଆମ୍ଭମାନଙ୍କ ପିତାଙ୍କ ଯଜ୍ଞବେଦି ଉପରେ ହୋମବଳି ଉତ୍ସର୍ଗ କରିବା ନିମନ୍ତେ ଆମ୍ଭମାନଙ୍କ ପିତାଙ୍କ ସମସ୍ତ ସେବା କାର୍ଯ୍ୟ ବ୍ୟବସ୍ଥିତ ହେଲା। 17ଆଉ ଉପସ୍ଥିତ ଇସ୍ରାଏଲ ସନ୍ତାନମାନେ ସେହି ସମୟରେ ନିସ୍ତାର ପର୍ବ ଓ ସାତ ଦିନ ତାଡ଼ିଶୂନ୍ୟ ରୁଟିର ପର୍ବ ପାଳନ କଲେ। 18ଭାବବାଦୀ ଶାମୁୟେଲଙ୍କ ସମୟଠାରୁ ଇସ୍ରାଏଲ ମଧ୍ୟରେ ଏହିପରି ନିସ୍ତାର ପର୍ବ ପାଳିତ ହୋଇ ନ ଥିଲା; ଯାଜକମାନଙ୍କ, ଲେବୀୟମାନଙ୍କ, ଉପସ୍ଥିତ ସମଗ୍ର ଯିହୂଦା ଓ ଇସ୍ରାଏଲର ଓ ଯିରୂଶାଲମ ନିବାସୀମାନଙ୍କ ସହିତ ଯୋଶୀୟ ଯେପରି ନିସ୍ତାର ପର୍ବ ପାଳନ କଲେ, ଇସ୍ରାଏଲର କୌଣସି ରାଜା ସେପରି ପାଳନ କରି ନ ଥିଲେ। 19ଯୋଶୀୟଙ୍କ ରାଜତ୍ଵର ଅଷ୍ଟାଦଶ ବର୍ଷରେ ଏହି ନିସ୍ତାର ପର୍ବ ପାଳିତ ହେଲା।
ଯୋଶୀୟ ମଗିଦ୍ଦୋ ଯୁଦ୍ଧରେ ପତିତ ହେଲେ
20ଯୋଶୀୟ ମନ୍ଦିର ପ୍ରସ୍ତୁତ କରିବା ଉତ୍ତାରେ, ଏହିସବୁ ପରେ, ମିସରର ରାଜା ନଖୋ ଫରାତ୍ ନଦୀ ନିକଟସ୍ଥ କର୍କମୀଶରେ ଯୁଦ୍ଧ କରିବା ନିମନ୍ତେ ଆସିଲା, ଆଉ ଯୋଶୀୟ ତାହା ବିରୁଦ୍ଧରେ ବାହାରିଗଲେ। 21ମାତ୍ର ନଖୋ ତାହାଙ୍କ ନିକଟକୁ ଦୂତ ପଠାଇ କହିଲା, “ହେ ଯିହୂଦାର ରାଜା, ଆପଣଙ୍କ ସଙ୍ଗେ ମୋହର କଅଣ ଅଛି? ମୁଁ ଆଜି ଆପଣଙ୍କ ବିରୁଦ୍ଧରେ ଆସୁ ନାହିଁ, ମାତ୍ର ଯେଉଁ ବଂଶ ସହିତ ମୋହର ଯୁଦ୍ଧ, ତାହା ବିରୁଦ୍ଧରେ ଆସୁଅଛି। ଈଶ୍ଵର ମୋତେ ଶୀଘ୍ର କରିବା ପାଇଁ କହିଲେ; ଈଶ୍ଵର ମୋʼ ସଙ୍ଗେ ଅଛନ୍ତି, ଆପଣ ତାହାଙ୍କ ବିରୋଧ କରନ୍ତୁ ନାହିଁ, ନୋହିଲେ ସେ ଆପଣଙ୍କୁ ବିନାଶ କରିବେ।”
22ତଥାପି ଯୋଶୀୟ ତାହାଠାରୁ ବିମୁଖ ହେଲେ ନାହିଁ, ମାତ୍ର ତାହା ବିରୁଦ୍ଧରେ ଯୁଦ୍ଧ କରିବା ନିମନ୍ତେ ଆପଣାକୁ ଛଦ୍ମବେଶ ଧାରଣ କଲେ। ସେ ଆମ୍ଭମାନଙ୍କ ପିତାଙ୍କ ମୁଖରୁ ଉକ୍ତ ନଖୋର ବାକ୍ୟ ପ୍ରତି ଅବଧାନ କଲେ ନାହିଁ, ଆଉ ମଗିଦ୍ଦୋ ପଦାରେ ଯୁଦ୍ଧ କରିବାକୁ ଗଲେ। a a v22 ଆମ୍ଭମାନଙ୍କ ପିତାଙ୍କ ସତର୍କବାଣୀ ଗୋଟିଏ ବିଦେଶୀ ରାଜାର ମୁଖ ଦେଇ ମଧ୍ୟ ଯୋଶୀୟଙ୍କ ନିକଟରେ ପହଞ୍ଚିଲା, ମାତ୍ର ଯୋଶୀୟ ଶୁଣିବାକୁ ଚାହିଁଲେ ନାହିଁ — ଆଉ ଯାହା ତାହାଙ୍କୁ ରକ୍ଷା କରିବା ପାଇଁ ଉଦ୍ଦିଷ୍ଟ ଥିଲା, ତାହା ଅଗ୍ରାହ୍ୟ ରହିଲା। 23ଆଉ ଧନୁର୍ଦ୍ଧରମାନେ ରାଜା ଯୋଶୀୟଙ୍କ ପ୍ରତି ତୀର ମାରିଲେ; ତହିଁରେ ରାଜା ଆପଣା ଦାସମାନଙ୍କୁ କହିଲେ, “ମୋତେ ନେଇଯାଅ, କାରଣ ମୁଁ ଅତ୍ୟନ୍ତ କ୍ଷତବିକ୍ଷତ ହୋଇଅଛି।”
24ତେଣୁ ତାହାଙ୍କ ଦାସମାନେ ତାହାଙ୍କୁ ରଥରୁ ବାହାର କରି ତାହାଙ୍କ ଦ୍ଵିତୀୟ ରଥରେ ବସାଇ ଯିରୂଶାଲମକୁ ଆଣିଲେ, ଆଉ ସେଠାରେ ସେ ମଲେ ଓ ଆପଣା ପିତୃଲୋକମାନଙ୍କ କବରରେ କବରସ୍ଥ ହେଲେ। ପୁଣି ସମଗ୍ର ଯିହୂଦା ଓ ଯିରୂଶାଲମ ଯୋଶୀୟଙ୍କ ନିମନ୍ତେ ଶୋକ କଲେ।
25ଆଉ ଯିରିମୀୟ ଯୋଶୀୟଙ୍କ ନିମନ୍ତେ ବିଳାପ ରଚନା କଲେ, ପୁଣି ସମସ୍ତ ଗାୟକ ଓ ଗାୟିକାମାନେ ଆଜି ପର୍ଯ୍ୟନ୍ତ ଆପଣା ଆପଣା ବିଳାପରେ ଯୋଶୀୟଙ୍କ ବିଷୟ କହନ୍ତି; ଆଉ ସେମାନେ ତାହା ଇସ୍ରାଏଲ ମଧ୍ୟରେ ଏକ ବିଧିସ୍ଵରୂପ କଲେ; ଆଉ ତାହା ବିଳାପ ପୁସ୍ତକରେ ଲିଖିତ ଅଛି। 26ଯୋଶୀୟଙ୍କ ଅବଶିଷ୍ଟ ବୃତ୍ତାନ୍ତ ଓ ଆମ୍ଭମାନଙ୍କ ପିତାଙ୍କ ବ୍ୟବସ୍ଥାରେ ଯାହା ଲିଖିତ ଅଛି, ତଦନୁସାରେ ତାହାଙ୍କ ବିଶ୍ଵସ୍ତ କାର୍ଯ୍ୟସବୁ, 27ପୁଣି ଆଦ୍ୟରୁ ଅନ୍ତ ପର୍ଯ୍ୟନ୍ତ ତାହାଙ୍କ କାର୍ଯ୍ୟସବୁ, ଦେଖ, ଇସ୍ରାଏଲ ଓ ଯିହୂଦାର ରାଜାମାନଙ୍କ ପୁସ୍ତକରେ ଲିଖିତ ଅଛି।