ନୀନିବୀର ବିଚାର ସମୟ
ଅବରୋଧ ଆସି ପହଞ୍ଚେ: ଲାଲ ଢାଲ, ବିଜୁଳି ପରି ଧାଉଁଥିବା ରଥ, ନଦୀର ଦ୍ୱାରସବୁ ଭଙ୍ଗା, ରାଜପ୍ରାସାଦ ଭୂମିସାତ୍, ଏବଂ ରାଣୀଙ୍କୁ ନେଇଯିବାବେଳେ ତାଙ୍କ ଦାସୀମାନେ ଛାତି ପିଟନ୍ତି। ଅଶୂର ଏକ ସିଂହ ଥିଲା ଯିଏ ଆପଣା ଗୁମ୍ଫାକୁ ଚିରା ମାଂସରେ ପୂର୍ଣ୍ଣ କରିଥିଲା; ସ୍ୱର୍ଗର ସୈନ୍ୟବାହିନୀର ପିତା କହନ୍ତି ସେ ତାହାର ବିପକ୍ଷ।
2 1ହେ ନୀନିବୀ, ବିଚ୍ଛିନ୍ନକାରୀ ତୁମ୍ଭ ବିରୁଦ୍ଧରେ ଉଠି ଆସିଅଛି। ଦୁର୍ଗ ରକ୍ଷା କର, ପଥ ଲକ୍ଷ୍ୟ କର, ଆପଣାକୁ ଦୃଢ଼ କର, ଆପଣା ସମସ୍ତ ବଳ ସଂଗ୍ରହ କର!
2କାରଣ ଲୁଣ୍ଠନକାରୀମାନେ ସେମାନଙ୍କୁ ବସ୍ତ୍ରହୀନ କରିଅଛନ୍ତି ଓ ସେମାନଙ୍କ ଶାଖାସବୁ ନଷ୍ଟ କରିଅଛନ୍ତି, ତଥାପି ଆମ୍ଭମାନଙ୍କ ପିତା ଇସ୍ରାଏଲର ମହିମା ତୁଲ୍ୟ ଯାକୁବର ମହିମା ପୁନଃ ସ୍ଥାପନ କରୁଅଛନ୍ତି। a a v2 ନୀନିବୀ ଉପରେ ବିଚାରର ପୁସ୍ତକରେ ସୁଦ୍ଧା, ଏହାର ମର୍ମ ହେଉଛି ଆମ୍ଭମାନଙ୍କ ପିତା ଆପଣା ଆହତ ସନ୍ତାନଗଣଙ୍କ ସମ୍ମାନ ପୁନଃ ସ୍ଥାପନ କରୁଅଛନ୍ତି।
3ତାହାଙ୍କ ବୀରମାନଙ୍କ ଢାଲ ରକ୍ତବର୍ଣ୍ଣ, ବିକ୍ରମଶାଳୀ ଲୋକମାନେ ସିନ୍ଦୂରବର୍ଣ୍ଣ ବସ୍ତ୍ର ପରିଧାନ କରିଅଛନ୍ତି; ପ୍ରସ୍ତୁତ ହେବା ଦିନ ରଥସବୁ ଅଗ୍ନି ପରି ଝଲସୁଅଛି, ପୁଣି ଦେବଦାରୁ ବର୍ଚ୍ଛାସବୁ ଚାଳିତ ହେଉଅଛି। 4ରଥସବୁ ସଡ଼କ ଦେଇ ବେଗରେ ଧାଇଁ ଯାଉଅଛି, ସେମାନେ ଛକସ୍ଥାନରେ ଏଣେତେଣେ ଦ୍ରୁତଗତିରେ ଦୌଡ଼ୁଅଛନ୍ତି; ସେମାନେ ମଶାଲ ପରି ଦେଖାଯାଉଅଛନ୍ତି, ସେମାନେ ବିଜୁଳି ପରି ଧାଇଁ ଯାଉଅଛନ୍ତି। 5ସେ ଆପଣା ସେନାପତିମାନଙ୍କୁ ଡାକନ୍ତି; ସେମାନେ ଚାଲିବା ବେଳେ ଝୁଣ୍ଟି ପଡ଼ନ୍ତି; ସେମାନେ ପ୍ରାଚୀର ଆଡ଼କୁ ଶୀଘ୍ର ଯାଆନ୍ତି, ପୁଣି ରକ୍ଷକ ଆବରଣ ସ୍ଥାପିତ ହୁଏ। 6ନଦୀର ଦ୍ଵାରସବୁ ଉନ୍ମୁକ୍ତ ହୁଏ, ଆଉ ରାଜପ୍ରାସାଦ ଭାଙ୍ଗି ପଡ଼େ। 7ଏହା ସ୍ଥିରୀକୃତ ହୋଇଅଛି: ସେ ବସ୍ତ୍ରହୀନ କରାଯାଇ ଅପହୃତ ହୁଏ, ପୁଣି ତାହାର ଦାସୀମାନେ ଆପଣା ବକ୍ଷ ପିଟି କପୋତ ପରି ବିଳାପ କରନ୍ତି। 8ନୀନିବୀ ଏକ ପୁଷ୍କରିଣୀ ପରି, ଯାହାର ଜଳ ନିଗାଡ଼ି ଯାଉଅଛି। “ଠିଆ ହୁଅ! ଠିଆ ହୁଅ!” ବୋଲି ସେମାନେ ଡାକ ପକାନ୍ତି, ମାତ୍ର କେହି ଫେରି ଚାହେଁ ନାହିଁ। 9ରୂପା ଲୁଟ କର! ସୁନା ଲୁଟ କର! ଭଣ୍ଡାରର କୌଣସି ସୀମା ନାହିଁ, ପ୍ରତ୍ୟେକ ବହୁମୂଲ୍ୟ ବସ୍ତୁର ପ୍ରଚୁରତା ଅଛି। 10ଶୂନ୍ୟତା ଓ ଧ୍ଵଂସ ଓ ଉଚ୍ଛିନ୍ନତା! ହୃଦୟ ତରଳି ଯାଏ, ଆଣ୍ଠୁ କମ୍ପିତ ହୁଏ, ପ୍ରତ୍ୟେକ ଶରୀର ଯନ୍ତ୍ରଣାଗ୍ରସ୍ତ ହୁଏ, ଆଉ ପ୍ରତ୍ୟେକ ମୁଖ ବିବର୍ଣ୍ଣ ହୋଇଯାଏ।
11ଯେଉଁଠାରେ ସିଂହ ଓ ସିଂହୀ ବିଚରଣ କରୁଥିଲେ, ଆଉ ସିଂହ ଶାବକମାନେ ଥିଲେ, କାହାରିକୁ ଭୟ କରିବାକୁ ନ ଥିବାରୁ, ସେହି ସିଂହର ଗହ୍ଵର, ଯୁବା ସିଂହମାନଙ୍କର ଆହାର ସ୍ଥାନ, ଏବେ କେଉଁଠାରେ? 12ସିଂହ ଆପଣା ଶାବକମାନଙ୍କ ନିମନ୍ତେ ଯଥେଷ୍ଟ ବିଦୀର୍ଣ୍ଣ କଲା ଓ ଆପଣା ସିଂହୀମାନଙ୍କ ନିମନ୍ତେ ଶିକାର ଗଳା ଟିପି ମାରିଲା; ସେ ଆପଣା ଗହ୍ଵରସବୁ ଶିକାରରେ ଓ ଆପଣା ଗୁମ୍ଫାସବୁ ବିଦୀର୍ଣ୍ଣ ମାଂସରେ ପୂର୍ଣ୍ଣ କଲା।
13ସ୍ଵର୍ଗୀୟ ବାହିନୀଗଣର ପିତା କହନ୍ତି, “ଦେଖ, ଆମ୍ଭେ ତୁମ୍ଭ ବିରୁଦ୍ଧରେ ଅଛୁ। ଆମ୍ଭେ ତୁମ୍ଭ ରଥସବୁ ଧୂଆଁରେ ଉଡ଼ାଇ ଦେବା, ଆଉ ଖଡ୍ଗ ତୁମ୍ଭ ଯୁବା ସିଂହମାନଙ୍କୁ ଗ୍ରାସ କରିବ। ଆମ୍ଭେ ତୁମ୍ଭ ଶିକାର ପୃଥିବୀରୁ ଉଚ୍ଛିନ୍ନ କରିବା, ଆଉ ତୁମ୍ଭ ଦୂତମାନଙ୍କର ସ୍ଵର ଆଉ ଶୁଣାଯିବ ନାହିଁ।”