ପିତା ଉତ୍ତର ଦିଗର ରାଜାମାନଙ୍କୁ ପରାସ୍ତ କରନ୍ତି
ସମୁଦ୍ର କୂଳର ବାଲି ପରି ଅଶ୍ୱ ଓ ରଥ ନେଇ ଉତ୍ତରର ଏକ ମିଳିତ ବାହିନୀ ଏକତ୍ର ହୁଏ, ଏବଂ ଆମର ପିତା ମେରୋମ ଜଳାଶୟ ନିକଟରେ ତାହାକୁ ପରାସ୍ତ କରନ୍ତି; ଅଶ୍ୱମାନଙ୍କ ପାଦର ଶିରା କଟାଯାଏ, ରଥଗୁଡ଼ିକ ପୋଡ଼ାଯାଏ। କେବଳ ହାତ୍ସୋରକୁ ପୋଡ଼ାଯାଏ। ତାʼପରେ ଦୀର୍ଘ ଯୁଦ୍ଧ ଶେଷ ହୁଏ, ଏବଂ ଦେଶ ବିଶ୍ରାମ ପାଏ।
11 1ହାସୋରର ରାଜା ଯାବୀନ୍ ଏହା ଶୁଣି ମାଦୋନର ରାଜା ଯୋବବ୍ ନିକଟକୁ, ଶିମ୍ରୋଣର ରାଜା ନିକଟକୁ ଓ ଅକ୍ଷାଫର ରାଜା ନିକଟକୁ ଲୋକ ପଠାଇଲା, 2ପୁଣି ଉତ୍ତର ଦିଗସ୍ଥ ରାଜାମାନଙ୍କ ନିକଟକୁ, ଅର୍ଥାତ୍ ପର୍ବତମୟ ଅଞ୍ଚଳରେ, କିନ୍ନେରତର ଦକ୍ଷିଣସ୍ଥ ଅରାବା ପ୍ରାନ୍ତରରେ, ନିମ୍ନ ଭୂମିରେ ଓ ପଶ୍ଚିମ ଦିଗରେ ଦୋରର ଉଚ୍ଚ ସ୍ଥାନରେ ଥିବା ରାଜାମାନଙ୍କ ନିକଟକୁ, 3ପୂର୍ବ ଓ ପଶ୍ଚିମ ଦିଗସ୍ଥ କିଣାନୀୟମାନଙ୍କ ନିକଟକୁ, ଇମୋରୀୟ, ହିତ୍ତୀୟ, ପରିଷୀୟ ଓ ପର୍ବତମୟ ଅଞ୍ଚଳସ୍ଥ ଯିବୂଷୀୟମାନଙ୍କ ନିକଟକୁ, ପୁଣି ମିସ୍ପା ଦେଶସ୍ଥ ହର୍ମୋଣ ତଳେ ଥିବା ହିବ୍ବୀୟମାନଙ୍କ ନିକଟକୁ ପଠାଇଲା। 4ତହିଁରେ ସେମାନେ ଆପଣାମାନଙ୍କ ସମସ୍ତ ସୈନ୍ୟ ସହିତ ବାହାର ହୋଇ ଆସିଲେ, ସମୁଦ୍ର କୂଳସ୍ଥ ବାଲୁକା ତୁଲ୍ୟ ଅସଂଖ୍ୟ ସୈନ୍ୟଦଳ ଓ ଅତ୍ୟନ୍ତ ଅନେକ ଅଶ୍ଵ ଓ ରଥ ସଙ୍ଗେ ଥିଲା। 5ଏହି ସମସ୍ତ ରାଜା ଏକତ୍ର ହୋଇ ଇସ୍ରାଏଲ ବିରୁଦ୍ଧରେ ଯୁଦ୍ଧ କରିବା ନିମନ୍ତେ ମେରୋମ ଜଳ ନିକଟରେ ଏକତ୍ର ଛାଉଣି ସ୍ଥାପନ କରିବାକୁ ଆସିଲେ।
6ସେତେବେଳେ ଆମ୍ଭମାନଙ୍କ ପିତା ଯିହୋଶୂୟଙ୍କୁ କହିଲେ, “ସେମାନଙ୍କୁ ଭୟ କର ନାହିଁ, କାରଣ କାଲି ଏହି ସମୟ ବେଳକୁ ଆମ୍ଭେ ସେମାନଙ୍କ ସମସ୍ତଙ୍କୁ ହତ କରି ଇସ୍ରାଏଲ ହସ୍ତରେ ସମର୍ପଣ କରିବା। ତୁମ୍ଭେ ସେମାନଙ୍କ ଅଶ୍ଵଗୁଡ଼ିକର ଗୋଡ଼ର ଶିରା କାଟି ପକାଇବ ଓ ସେମାନଙ୍କ ରଥ ଅଗ୍ନିରେ ଦଗ୍ଧ କରିବ।”
7ତହୁଁ ଯିହୋଶୂୟ ଓ ତାଙ୍କ ସମସ୍ତ ସୈନ୍ୟ ମେରୋମ ଜଳ ନିକଟରେ ହଠାତ୍ ସେମାନଙ୍କ ବିରୁଦ୍ଧରେ ଆସି ସେମାନଙ୍କୁ ଆକ୍ରମଣ କଲେ, 8ପୁଣି ଆମ୍ଭମାନଙ୍କ ପିତା ସେମାନଙ୍କୁ ଇସ୍ରାଏଲ ହସ୍ତରେ ସମର୍ପଣ କଲେ, ତହିଁରେ ସେମାନେ ସେମାନଙ୍କୁ ଆଘାତ କରି ବୃହତ୍ ସୀଦୋନ ଓ ମିଷ୍ରୋଫୋତ୍-ମୟିମ ପର୍ଯ୍ୟନ୍ତ, ପୁଣି ପୂର୍ବ ଦିଗରେ ମିସ୍ପିର ତଳଭୂମି ପର୍ଯ୍ୟନ୍ତ ସେମାନଙ୍କ ପଛେ ପଛେ ଗୋଡ଼ାଇ କାହାକୁ ଅବଶିଷ୍ଟ ନ ରଖି ବଧ କଲେ। 9ଆମ୍ଭମାନଙ୍କ ପିତା ଯିହୋଶୂୟଙ୍କୁ ଯେପରି କହିଥିଲେ, ସେ ସେମାନଙ୍କ ପ୍ରତି ସେପରି କଲେ; ସେ ସେମାନଙ୍କ ଅଶ୍ଵଗୁଡ଼ିକର ଗୋଡ଼ର ଶିରା କାଟି ପକାଇଲେ ଓ ସେମାନଙ୍କ ରଥ ଅଗ୍ନିରେ ଦଗ୍ଧ କଲେ। 10ସେହି ସମୟରେ ଯିହୋଶୂୟ ବାହୁଡ଼ି ଆସି ହାସୋର ହସ୍ତଗତ କଲେ ଓ ତହିଁର ରାଜାକୁ ଖଡ୍ଗରେ ବଧ କଲେ; କାରଣ ପୂର୍ବେ ହାସୋର ଏହି ସମସ୍ତ ରାଜ୍ୟର ପ୍ରଧାନ ଥିଲା। 11ପୁଣି ସେମାନେ ତନ୍ମଧ୍ୟସ୍ଥ ପ୍ରତ୍ୟେକ ପ୍ରାଣୀକୁ ଖଡ୍ଗଧାରରେ ଆଘାତ କରି ସମ୍ପୂର୍ଣ୍ଣ ରୂପେ ବିନାଶ କଲେ; ନିଶ୍ଵାସ ବହୁଥିବା କାହାକୁ ଅବଶିଷ୍ଟ ରଖିଲେ ନାହିଁ, ଆଉ ଯିହୋଶୂୟ ହାସୋରକୁ ଅଗ୍ନିରେ ଦଗ୍ଧ କଲେ। 12ଯିହୋଶୂୟ ଏହି ସମସ୍ତ ରାଜାଙ୍କ ନଗର ଓ ସେମାନଙ୍କ ସମସ୍ତ ରାଜାକୁ ହସ୍ତଗତ କରି ଆମ୍ଭମାନଙ୍କ ପିତାଙ୍କ ସେବକ ମୋଶାଙ୍କ ଆଜ୍ଞାନୁସାରେ ସେମାନଙ୍କୁ ଖଡ୍ଗଧାରରେ ଆଘାତ କରି ସମ୍ପୂର୍ଣ୍ଣ ରୂପେ ବିନାଶ କଲେ। 13ତଥାପି ଇସ୍ରାଏଲ କେବଳ ହାସୋର ବ୍ୟତୀତ ଆପଣା ଆପଣା ଢିପି ଉପରେ ଥିବା କୌଣସି ନଗରକୁ ଦଗ୍ଧ କଲେ ନାହିଁ; ଯିହୋଶୂୟ କେବଳ ତାହାକୁ ଦଗ୍ଧ କଲେ। 14ପୁଣି ଇସ୍ରାଏଲ ସନ୍ତାନଗଣ ଏହି ସମସ୍ତ ନଗରର ଲୁଟଦ୍ରବ୍ୟ ଓ ପଶୁ ଆପଣାମାନଙ୍କ ପାଇଁ ନେଲେ; ମାତ୍ର ପ୍ରତ୍ୟେକ ମନୁଷ୍ୟକୁ ନିଃଶ୍ଵାସ ବହୁଥିବା କାହାକୁ ଅବଶିଷ୍ଟ ନ ରଖିବା ପର୍ଯ୍ୟନ୍ତ ଖଡ୍ଗଧାରରେ ବଧ କଲେ। 15ଆମ୍ଭମାନଙ୍କ ପିତା ଆପଣା ସେବକ ମୋଶାଙ୍କୁ ଯେପରି ଆଜ୍ଞା ଦେଇଥିଲେ, ମୋଶା ସେପରି ଯିହୋଶୂୟଙ୍କୁ ଆଜ୍ଞା ଦେଲେ ଓ ଯିହୋଶୂୟ ସେହିପରି କଲେ; ଆମ୍ଭମାନଙ୍କ ପିତା ମୋଶାଙ୍କୁ ଯାହା ଆଜ୍ଞା ଦେଇଥିଲେ, ତହିଁ ମଧ୍ୟରୁ କିଛି ଅସମ୍ପୂର୍ଣ୍ଣ ରଖିଲେ ନାହିଁ।
16ଏହିରୂପେ ଯିହୋଶୂୟ ସେହି ସମସ୍ତ ଦେଶ ହସ୍ତଗତ କଲେ, ଅର୍ଥାତ୍ ପର୍ବତମୟ ଅଞ୍ଚଳ, ସମୁଦାୟ ଦକ୍ଷିଣ ଦେଶ, ଗୋଶନର ସମସ୍ତ ଦେଶ, ନିମ୍ନ ଭୂମି, ଅରାବା ପ୍ରାନ୍ତର ଓ ଇସ୍ରାଏଲର ପର୍ବତମୟ ଅଞ୍ଚଳ ଓ ତହିଁର ନିମ୍ନ ଭୂମି, 17ସେୟୀର ଆଡ଼କୁ ଉଠୁଥିବା ହାଲକ୍ ପର୍ବତଠାରୁ ହର୍ମୋଣ ପର୍ବତ ତଳେ ଲିବାନୋନ ତଳଭୂମିସ୍ଥ ବାଲ୍-ଗାଦ ପର୍ଯ୍ୟନ୍ତ ସମସ୍ତ ଅଧିକାର କଲେ; ପୁଣି ସେ ସେମାନଙ୍କ ସମସ୍ତ ରାଜାକୁ ଧରି ଆଘାତ କରି ବଧ କଲେ। 18ଯିହୋଶୂୟ ଏହି ସମସ୍ତ ରାଜା ବିରୁଦ୍ଧରେ ବହୁ କାଳ ଯୁଦ୍ଧ କଲେ। 19ଗିବୀୟୋନ ନିବାସୀ ହିବ୍ବୀୟମାନଙ୍କ ବ୍ୟତୀତ କୌଣସି ନଗର ଇସ୍ରାଏଲ ସହିତ ସନ୍ଧି କଲେ ନାହିଁ; ଇସ୍ରାଏଲ ଯୁଦ୍ଧ କରି ସେ ସମସ୍ତଙ୍କୁ ହସ୍ତଗତ କଲେ। 20କାରଣ ଇସ୍ରାଏଲ ବିରୁଦ୍ଧରେ ଯୁଦ୍ଧ କରିବା ନିମନ୍ତେ ଆମ୍ଭମାନଙ୍କ ପିତା ସେମାନଙ୍କ ହୃଦୟ କଠିନ କଲେ, ଯେପରି ସେମାନେ ସମ୍ପୂର୍ଣ୍ଣ ରୂପେ ବିନଷ୍ଟ ହୁଅନ୍ତି, ସେମାନଙ୍କ ପ୍ରତି କିଛି ଦୟା ଦେଖାଯାଏ ନାହିଁ ଓ ସେମାନେ ଉଚ୍ଛିନ୍ନ ହୁଅନ୍ତି—ଯେପରି ଆମ୍ଭମାନଙ୍କ ପିତା ମୋଶାଙ୍କୁ ଆଜ୍ଞା ଦେଇଥିଲେ। 21ସେହି ସମୟରେ ଯିହୋଶୂୟ ଯାଇ ପର୍ବତମୟ ଅଞ୍ଚଳରୁ, ହିବ୍ରୋଣ, ଦବୀର ଓ ଅନାବ୍ରୁ, ପୁଣି ଯିହୂଦାର ସମସ୍ତ ପର୍ବତମୟ ଅଞ୍ଚଳରୁ ଓ ଇସ୍ରାଏଲର ସମସ୍ତ ପର୍ବତମୟ ଅଞ୍ଚଳରୁ ଅନାକୀୟମାନଙ୍କୁ ଉଚ୍ଛିନ୍ନ କଲେ; ଯିହୋଶୂୟ ସେମାନଙ୍କୁ ଓ ସେମାନଙ୍କ ନଗରସମୂହକୁ ସମ୍ପୂର୍ଣ୍ଣ ରୂପେ ବିନାଶ କଲେ। 22ଇସ୍ରାଏଲ ସନ୍ତାନମାନଙ୍କ ଦେଶରେ କୌଣସି ଅନାକୀୟ ଅବଶିଷ୍ଟ ରହିଲେ ନାହିଁ; କେବଳ ଘସା, ଗାଥ ଓ ଅସ୍ଦୋଦରେ କେତେକ ଅବଶିଷ୍ଟ ରହିଲେ। 23ଏହିରୂପେ ଆମ୍ଭମାନଙ୍କ ପିତା ମୋଶାଙ୍କୁ ଯାହା କହିଥିଲେ, ତଦନୁସାରେ ଯିହୋଶୂୟ ସମୁଦାୟ ଦେଶ ହସ୍ତଗତ କରି ଇସ୍ରାଏଲକୁ ସେମାନଙ୍କ ଗୋଷ୍ଠୀ ବିଭାଗାନୁସାରେ ଅଧିକାର ନିମନ୍ତେ ଦେଲେ। ତହୁଁ ଦେଶ ଯୁଦ୍ଧରୁ ବିଶ୍ରାମ ପାଇଲା।