ଆମ୍ଭେ ତୁମ୍ଭକୁ କଦାପି ଦୂର କରି ନାହୁଁ
ଆମ ପିତା ପଚାରନ୍ତି ଛାଡ଼ପତ୍ର କେଉଁଠି, ଜୋର ଦେଇ କହନ୍ତି ଯେ ସେ କେବେ ନିଜ ଲୋକଙ୍କୁ ଦୂର କରି ନାହାନ୍ତି। ତାʼପରେ ଦାସ କହନ୍ତି: କ୍ଳାନ୍ତମାନଙ୍କ ପାଇଁ ଶିକ୍ଷିତ ଜିହ୍ୱା ପାଇ, ସେ ପ୍ରହାର, ଦାଢ଼ି ଉପାଡ଼ିବା, ଛେପ ପକାଇବା ସହନ୍ତି, ମୁହଁ ନ ଲୁଚାଇ, ନିଶ୍ଚିତ ଯେ ତାଙ୍କୁ ନିର୍ଦ୍ଦୋଷ ପ୍ରମାଣ କରୁଥିବା ଜଣ ନିକଟରେ ଠିଆ ହୋଇଛନ୍ତି।
50 1ଆମ୍ଭମାନଙ୍କ ପିତା ଏହା କହନ୍ତି, “ଯାହା ଦ୍ଵାରା ଆମ୍ଭେ ତୁମ୍ଭ ମାତାକୁ ଦୂର କରିଥିଲୁ, ତାହାର ସେହି ତ୍ୟାଗପତ୍ର କେଉଁଠାରେ? ଅବା ଆମ୍ଭର କେଉଁ ମହାଜନ ନିକଟରେ ଆମ୍ଭେ ତୁମ୍ଭମାନଙ୍କୁ ବିକ୍ରୟ କଲୁ? ଦେଖ, ତୁମ୍ଭେମାନେ ଆପଣା ପାପ ସକାଶୁ ବିକ୍ରୀତ ହେଲ, ଆଉ ତୁମ୍ଭମାନଙ୍କ ଅପରାଧ ସକାଶୁ ତୁମ୍ଭମାନଙ୍କ ମାତା ଦୂରୀକୃତ ହେଲା। 2ଆମ୍ଭେ ଆସିବା ବେଳେ କାହିଁକି କେହି ନ ଥିଲା? ଆମ୍ଭେ ଡାକିବା ବେଳେ ଉତ୍ତର ଦେବାକୁ କେହି ନ ଥିଲା? ଉଦ୍ଧାର କରିବା ପାଇଁ ଆମ୍ଭର ହସ୍ତ କି ଅତି କ୍ଷୁଦ୍ର? ଅବା ଉଦ୍ଧାର କରିବାକୁ କି ଆମ୍ଭର ଶକ୍ତି ନାହିଁ? ଦେଖ, ଆମ୍ଭେ ଆପଣା ଧମକ ଦ୍ଵାରା ସମୁଦ୍ରକୁ ଶୁଷ୍କ କରୁ, ଆମ୍ଭେ ନଦୀସମୂହକୁ ମରୁଭୂମି କରୁ; ଜଳ ଅଭାବରୁ ସେଗୁଡ଼ିକର ମତ୍ସ୍ୟ ଦୁର୍ଗନ୍ଧ ହୁଏ ଓ ତୃଷାରେ ମରେ। 3ଆମ୍ଭେ ଆକାଶମଣ୍ଡଳକୁ ଅନ୍ଧକାରରେ ବସ୍ତ୍ରାନ୍ଵିତ କରୁ ଓ ତାହାକୁ କୃଷ୍ଣବର୍ଣ୍ଣ ବସ୍ତ୍ରରେ ଆଚ୍ଛାଦନ କରୁ।”
4ମୋହର ପ୍ରଭୁ ପିତା ମୋତେ ଶିଷ୍ୟର ଜିହ୍ଵା ଦେଇଅଛନ୍ତି, ଯେପରି ମୁଁ କ୍ଲାନ୍ତ ଲୋକକୁ ବଳଦାୟକ ବାକ୍ୟ କହିବାକୁ ଜାଣିପାରେ। ସେ ପ୍ରତି ପ୍ରଭାତରେ ଜଗାନ୍ତି, ଶିଷ୍ୟ ପରି ଶୁଣିବା ପାଇଁ ସେ ମୋହର କର୍ଣ୍ଣ ଜଗାନ୍ତି। a a v4 ଯିଶାଇୟଙ୍କ ତୃତୀୟ ସେବକ-ଗୀତ — ଯୀଶୁ ବାଧ୍ୟ ପୁତ୍ର ଭାବରେ କଥା କହନ୍ତି, ଯେ ପ୍ରତି ପ୍ରଭାତରେ ଆପଣା ପିତାଙ୍କଠାରୁ ଶିକ୍ଷା ଲାଭ କରନ୍ତି। ଦୁଃଖଭୋଗର ବିବରଣୀ କ୍ରୁଶ ନିକଟରେ ଏହି ଦୃଶ୍ୟର ପ୍ରତିଧ୍ଵନି କରେ। 5ମୋହର ପ୍ରଭୁ ପିତା ମୋହର କର୍ଣ୍ଣ ଫିଟାଇ ଦେଇଅଛନ୍ତି, ଆଉ ମୁଁ ବିଦ୍ରୋହୀ ହେଲି ନାହିଁ; ମୁଁ ପଛକୁ ଫେରିଲି ନାହିଁ। 6ମୁଁ ପ୍ରହାରକମାନଙ୍କ ପ୍ରତି ଆପଣା ପିଠି, ଆଉ ଦାଢ଼ି ଉପାଡ଼ିବା ଲୋକମାନଙ୍କ ପ୍ରତି ଆପଣା ଗାଲ ଦେଲି; ଅପମାନ ଓ ଛେପରୁ ମୁଁ ଆପଣା ମୁଖ ଲୁଚାଇଲି ନାହିଁ। 7ମାତ୍ର ମୋହର ପ୍ରଭୁ ପିତା ମୋତେ ସାହାଯ୍ୟ କରନ୍ତି; ଏଣୁ ମୁଁ ଲଜ୍ଜିତ ହୋଇ ନାହିଁ; ଏଣୁ ମୁଁ ଆପଣା ମୁଖ ଚକମକି ପଥର ପରି ଦୃଢ଼ କରିଅଛି, ଆଉ ମୁଁ ଜାଣେ ଯେ ମୁଁ ଲଜ୍ଜିତ ହେବି ନାହିଁ। 8ଯେ ମୋତେ ନିର୍ଦ୍ଦୋଷ କରନ୍ତି, ସେ ନିକଟବର୍ତ୍ତୀ। କିଏ ମୋʼ ସହିତ ବିବାଦ କରିବ? ଆସ, ଆମ୍ଭେମାନେ ଏକତ୍ର ଠିଆ ହେଉ। ମୋହର ବିପକ୍ଷ କିଏ? ସେ ମୋʼ ନିକଟକୁ ଆସୁ। 9ଦେଖ, ମୋହର ପ୍ରଭୁ ପିତା ମୋତେ ସାହାଯ୍ୟ କରନ୍ତି; କିଏ ମୋତେ ଦୋଷୀ ବୋଲି କହିବ? ଦେଖ, ସେସମସ୍ତେ ବସ୍ତ୍ର ପରି ଜୀର୍ଣ୍ଣ ହୋଇଯିବେ; କୀଟ ସେମାନଙ୍କୁ ଖାଇ ପକାଇବ।
10ତୁମ୍ଭମାନଙ୍କ ମଧ୍ୟରେ କିଏ ଆମ୍ଭମାନଙ୍କ ପିତାଙ୍କୁ ଭୟ କରେ ଓ ତାହାଙ୍କ ସେବକର ରବ ମାନେ? ଯେ ଅନ୍ଧକାରରେ ଚାଲେ ଓ ଯାହାର କୌଣସି ଆଲୋକ ନାହିଁ, ସେ ତାହାଙ୍କ ନାମ ଉପରେ ବିଶ୍ଵାସ କରୁ ଓ ଆପଣା ପିତାଙ୍କ ଉପରେ ନିର୍ଭର କରୁ। 11ଦେଖ, ହେ ଅଗ୍ନି ଜ୍ଵଳାଉଥିବା ସମସ୍ତେ, ହେ ମଶାଲରେ ଆପଣାମାନଙ୍କୁ ସଜ୍ଜିତ କରୁଥିବା ଲୋକେ: ତୁମ୍ଭେମାନେ ଆପଣା ଅଗ୍ନିର ଆଲୋକରେ ଓ ଆପଣା ଜ୍ଵଳାଇଥିବା ମଶାଲ ମଧ୍ୟରେ ଚାଲ! ଆମ୍ଭ ହସ୍ତରୁ ତୁମ୍ଭେମାନେ ଏହା ପାଇବ: ତୁମ୍ଭେମାନେ ଯନ୍ତ୍ରଣାରେ ଶୟନ କରିବ।