ସମଗ୍ର ପୃଥିବୀ ନିମନ୍ତେ ଏକ ନୂତନ ଗୀତ
ନୂତନ ଗୀତଟି ମିଶନାରୀ — ଜାତିମାନଙ୍କ ମଧ୍ୟରେ ଆମ ପିତାଙ୍କ କାର୍ଯ୍ୟ ପ୍ରଚାର କର, ନୈବେଦ୍ୟ ଆଣ, ସେମାନଙ୍କୁ କୁହ ଯେ ସେ ରାଜତ୍ୱ କରନ୍ତି। ଅନ୍ୟ ଦେବତାମାନେ ହସ୍ତନିର୍ମିତ ଅସାର ବସ୍ତୁ। ସମୁଦ୍ର, କ୍ଷେତ୍ର ଓ ବନର ବୃକ୍ଷମାନେ ମଧ୍ୟ ଆଗତ ବିଚାରକର୍ତ୍ତାଙ୍କ ଜୟଧ୍ୱନି ପାଇଁ ନିଯୁକ୍ତ ହୁଅନ୍ତି।
96 1ପିତାଙ୍କ ଉଦ୍ଦେଶ୍ୟରେ ଏକ ନୂତନ ଗୀତ ଗାନ କର; ହେ ସମଗ୍ର ପୃଥିବୀ, ପିତାଙ୍କ ଉଦ୍ଦେଶ୍ୟରେ ଗାନ କର।
2ପିତାଙ୍କ ଉଦ୍ଦେଶ୍ୟରେ ଗାନ କର, ତାହାଙ୍କ ନାମର ଧନ୍ୟବାଦ କର; ଦିନକୁ ଦିନ ତାହାଙ୍କ ପରିତ୍ରାଣ ପ୍ରଚାର କର। 3ଅନ୍ୟଜାତିମାନଙ୍କ ମଧ୍ୟରେ ତାହାଙ୍କ ମହିମାନ୍ଵିତ କର୍ମସବୁ, ସମସ୍ତ ଗୋଷ୍ଠୀ ମଧ୍ୟରେ ତାହାଙ୍କ ଆଶ୍ଚର୍ଯ୍ୟ କାର୍ଯ୍ୟସବୁ ଘୋଷଣା କର। 4କାରଣ ପିତା ମହାନ ଓ ଅତ୍ୟନ୍ତ ପ୍ରଶଂସନୀୟ ଅଟନ୍ତି; ସେ ସମସ୍ତ ଦେବତାଙ୍କ ଅପେକ୍ଷା ଅଧିକ ଭୟଯୋଗ୍ୟ ଅଟନ୍ତି। 5କାରଣ ଗୋଷ୍ଠୀସମୂହର ସମସ୍ତ ଦେବତା ତ ପ୍ରତିମାମାତ୍ର, ମାତ୍ର ପିତା ଆକାଶମଣ୍ଡଳ ନିର୍ମାଣ କଲେ। 6ଗୌରବ ଓ ପ୍ରତାପ ତାହାଙ୍କ ସମ୍ମୁଖରେ ଅଛି; ବଳ ଓ ସୌନ୍ଦର୍ଯ୍ୟ ତାହାଙ୍କ ପବିତ୍ର ସ୍ଥାନରେ ଅଛି।
7ହେ ଗୋଷ୍ଠୀସମୂହର ସମସ୍ତ ବଂଶ, ପିତାଙ୍କ ଉଦ୍ଦେଶ୍ୟରେ, ପିତାଙ୍କ ଉଦ୍ଦେଶ୍ୟରେ ମହିମା ଓ ବଳ ସ୍ଵୀକାର କର। 8ପିତାଙ୍କ ନାମର ଯୋଗ୍ୟ ମହିମା ପିତାଙ୍କ ଉଦ୍ଦେଶ୍ୟରେ ସ୍ଵୀକାର କର; ନୈବେଦ୍ୟ ଆଣି ତାହାଙ୍କ ପ୍ରାଙ୍ଗଣ ମଧ୍ୟକୁ ଆସ। 9ପବିତ୍ରତାର ଶୋଭାରେ ପିତାଙ୍କୁ ପ୍ରଣାମ କର; ହେ ସମଗ୍ର ପୃଥିବୀ, ତାହାଙ୍କ ସମ୍ମୁଖରେ କମ୍ପିତ ହୁଅ। 10ଅନ୍ୟଜାତିମାନଙ୍କ ମଧ୍ୟରେ କୁହ, “ଆମ୍ଭମାନଙ୍କ ପିତା ରାଜତ୍ଵ କରନ୍ତି! ଜଗତ ଦୃଢ଼ରୂପେ ସ୍ଥାପିତ ହୋଇଅଛି; ତାହା କେବେ ହେଁ ବିଚଳିତ ହେବ ନାହିଁ। ସେ ନ୍ୟାୟରେ ଗୋଷ୍ଠୀସମୂହର ବିଚାର କରିବେ।”
11ଆକାଶମଣ୍ଡଳ ଆନନ୍ଦିତ ହେଉ ଓ ପୃଥିବୀ ଉଲ୍ଲସିତ ହେଉ; ସମୁଦ୍ର ଓ ତନ୍ମଧ୍ୟସ୍ଥ ସମସ୍ତ ଗର୍ଜ୍ଜନ କରୁ। 12କ୍ଷେତ୍ର ଓ ତନ୍ମଧ୍ୟସ୍ଥ ସମସ୍ତ ଆନନ୍ଦ କରୁ; ସେତେବେଳେ ବନର ସମସ୍ତ ବୃକ୍ଷ ଆନନ୍ଦରେ ଗାନ କରିବ। 13ପିତାଙ୍କ ସମ୍ମୁଖରେ, କାରଣ ସେ ଆସୁଅଛନ୍ତି, କାରଣ ପୃଥିବୀର ବିଚାର କରିବାକୁ ସେ ଆସୁଅଛନ୍ତି। ସେ ଧାର୍ମିକତାରେ ଜଗତର ଓ ଆପଣା ବିଶ୍ଵସ୍ତତାରେ ଗୋଷ୍ଠୀସମୂହର ବିଚାର କରିବେ।