ସେ ଆପଣା ଲୋକଙ୍କୁ ତ୍ୟାଗ କରିବେ ନାହିଁ
ବିଧବା ଓ ବିଦେଶୀମାନଙ୍କୁ ହତ୍ୟା କରି କେହି ଦେଖୁନାହିଁ ବୋଲି ଭାବୁଥିବା ଲୋକଙ୍କ ବିରୁଦ୍ଧରେ ଏକ ପ୍ରତିବାଦ। ଉତ୍ତରଟି ସାଧାରଣ ବୁଦ୍ଧି: ଯେ କାନ ରୋପଣ କଲେ, ସେ କଅଣ ଶୁଣନ୍ତି ନାହିଁ? ଏହା ବ୍ୟକ୍ତିଗତ ଭାବେ ଶେଷ ହୁଏ — ମୋର ପାଦ ଖସୁଥିଲା, ଆଉ ମୋ ପିତାଙ୍କ ନିୟମ-ପ୍ରେମ ମୋତେ ଧରି ରଖିଲା।
94 1ହେ ନ୍ୟାୟ ସାଧନକାରୀ ଆମ୍ଭମାନଙ୍କ ପିତା—ଆମ୍ଭମାନଙ୍କ ପିତା; ହେ ନ୍ୟାୟ ସାଧନକାରୀ ଆମ୍ଭମାନଙ୍କ ପିତା, ତେଜ ପ୍ରକାଶ କର! 2ହେ ପୃଥିବୀର ବିଚାରକର୍ତ୍ତା, ଉଠ; ଗର୍ବୀମାନଙ୍କୁ ସେମାନଙ୍କ ପ୍ରାପ୍ୟ ଫଳ ଦିଅ। 3ହେ ଆମ୍ଭମାନଙ୍କ ପିତା, ଦୁଷ୍ଟମାନେ କେତେ କାଳ—ଦୁଷ୍ଟମାନେ କେତେ କାଳ ଉଲ୍ଲାସ କରିବେ?
4ସେମାନେ ଅହଙ୍କାରର କଥା ଉଦ୍ଗାର କରନ୍ତି; ସମସ୍ତ କୁକର୍ମକାରୀ ଦର୍ପ କରନ୍ତି। 5ହେ ଆମ୍ଭମାନଙ୍କ ପିତା, ସେମାନେ ତୁମ୍ଭ ଲୋକଙ୍କୁ ଚୂର୍ଣ୍ଣ କରନ୍ତି ଓ ତୁମ୍ଭ ଅଧିକାରକୁ କ୍ଲେଶ ଦିଅନ୍ତି। 6ସେମାନେ ବିଧଵା ଓ ବିଦେଶୀକୁ ବଧ କରନ୍ତି, ଆଉ ପିତୃହୀନମାନଙ୍କୁ ହତ୍ୟା କରନ୍ତି। 7ସେମାନେ କହନ୍ତି, “ସଦାପ୍ରଭୁ ଦେଖନ୍ତି ନାହିଁ; ଯାକୁବର ପରମେଶ୍ଵର ମନୋଯୋଗ କରନ୍ତି ନାହିଁ।”
8ହେ ଲୋକମାନଙ୍କ ମଧ୍ୟରେ ନିର୍ବୋଧ ଲୋକମାନେ, ମନୋଯୋଗ କର; ହେ ମୂର୍ଖମାନେ, ତୁମ୍ଭେମାନେ କେବେ ବୁଦ୍ଧିମାନ ହେବ? 9ଯେ କର୍ଣ୍ଣ ରୋପଣ କରିଅଛନ୍ତି, ସେ କି ଶୁଣନ୍ତି ନାହିଁ? ଯେ ଚକ୍ଷୁ ନିର୍ମାଣ କରିଅଛନ୍ତି, ସେ କି ଦେଖନ୍ତି ନାହିଁ? 10ଯେ ଜାତିମାନଙ୍କୁ ଶାସନ କରନ୍ତି, ସେ କି ସେମାନଙ୍କୁ ସଂଶୋଧନ କରନ୍ତି ନାହିଁ—ଯେ ମନୁଷ୍ୟକୁ ଜ୍ଞାନ ଶିକ୍ଷା ଦିଅନ୍ତି? 11ଆମ୍ଭମାନଙ୍କ ପିତା ମନୁଷ୍ୟର ଚିନ୍ତାସବୁ ଜାଣନ୍ତି ଯେ ସେସବୁ କେବଳ ନିଃଶ୍ଵାସ ମାତ୍ର।
12ହେ ଆମ୍ଭମାନଙ୍କ ପିତା, ତୁମ୍ଭେ ଯାହାକୁ ଶାସନ କର ଓ ତୁମ୍ଭ ବ୍ୟବସ୍ଥାରୁ ଶିକ୍ଷା ଦିଅ, ସେ ଧନ୍ୟ, 13ଯେପରି ବିପଦ ଦିନରୁ ତାହାକୁ ବିଶ୍ରାମ ଦିଅ, ଯେପର୍ଯ୍ୟନ୍ତ ଦୁଷ୍ଟ ନିମନ୍ତେ ଗର୍ତ୍ତ ଖୋଳା ନ ଯାଏ। 14କାରଣ ଆମ୍ଭମାନଙ୍କ ପିତା ଆପଣା ଲୋକଙ୍କୁ ତ୍ୟାଗ କରିବେ ନାହିଁ; ସେ ଆପଣା ଅଧିକାରକୁ ପରିତ୍ୟାଗ କରିବେ ନାହିଁ। 15କାରଣ ବିଚାର ଧାର୍ମିକମାନଙ୍କ ନିକଟକୁ ଫେରିଆସିବ, ଆଉ ଅନ୍ତଃକରଣର ସମସ୍ତ ସରଳ ଲୋକ ତାହାର ଅନୁଗମନ କରିବେ।
16ଦୁଷ୍ଟମାନଙ୍କ ବିରୁଦ୍ଧରେ ମୋʼ ନିମନ୍ତେ କିଏ ଉଠିବ? କୁକର୍ମକାରୀମାନଙ୍କ ବିରୁଦ୍ଧରେ ମୋʼ ନିମନ୍ତେ କିଏ ଠିଆ ହେବ? 17ଯଦି ଆମ୍ଭମାନଙ୍କ ପିତା ମୋହର ସହାୟ ହୋଇ ନ ଥାଆନ୍ତେ, ତେବେ ମୋହର ପ୍ରାଣ ଶୀଘ୍ର ମୃତ୍ୟୁର ନୀରବତାରେ ବାସ କରିଥାଆନ୍ତା। 18ଯେତେବେଳେ ମୁଁ କହିଲି, “ମୋହର ଚରଣ ଖସିଯାଉଅଛି,” ହେ ଆମ୍ଭମାନଙ୍କ ପିତା, ସେତେବେଳେ ତୁମ୍ଭ ଦୟା ମୋତେ ଧରି ରଖିଲା। 19ଯେତେବେଳେ ମୋʼ ଅନ୍ତରରେ ଚିନ୍ତା ବହୁଳ ହେଲା, ସେତେବେଳେ ତୁମ୍ଭ ସାନ୍ତ୍ଵନା ମୋହର ପ୍ରାଣକୁ ଆନନ୍ଦିତ କଲା।
20ଯେଉଁ ଭ୍ରଷ୍ଟ ସିଂହାସନ ବ୍ୟବସ୍ଥା ଦ୍ଵାରା ଅନ୍ୟାୟ ରଚନା କରେ, ତାହା କି ତୁମ୍ଭ ସହିତ ସଙ୍ଗୀ ହୋଇପାରେ? 21ସେମାନେ ଧାର୍ମିକର ପ୍ରାଣ ବିରୁଦ୍ଧରେ ଏକତ୍ର ହୁଅନ୍ତି ଆଉ ନିର୍ଦ୍ଦୋଷକୁ ମୃତ୍ୟୁଦଣ୍ଡରେ ଦଣ୍ଡିତ କରନ୍ତି। 22ମାତ୍ର ଆମ୍ଭମାନଙ୍କ ପିତା ମୋହର ଉଚ୍ଚ ଦୁର୍ଗ ହୋଇଅଛନ୍ତି, ଆଉ ଆମ୍ଭମାନଙ୍କ ପିତା ମୋହର ଆଶ୍ରୟରୂପ ଶୈଳ ହୋଇଅଛନ୍ତି। 23ସେ ସେମାନଙ୍କ ନିଜ ପାପ ସେମାନଙ୍କ ଉପରକୁ ଫେରାଇ ଦେବେ ଓ ସେମାନଙ୍କ ଦୁଷ୍ଟତା ସକାଶୁ ସେମାନଙ୍କୁ ବିନାଶ କରିବେ; ଆମ୍ଭମାନଙ୍କ ପିତା ସେମାନଙ୍କୁ ବିନାଶ କରିବେ।