ପିତା ଏଜ୍ରାଙ୍କୁ ଯିରୂଶାଲମକୁ ଆଣନ୍ତି
ଏଜ୍ରା, ବ୍ୟବସ୍ଥାରେ ନିପୁଣ ଜଣେ ଯାଜକ ଓ ଅଧ୍ୟାପକ, ରୂପା, ସାମଗ୍ରୀ ଓ ବିଚାରକର୍ତ୍ତା ନିଯୁକ୍ତ କରିବାର ଅଧିକାର ପ୍ରଦାନ କରୁଥିବା ରାଜାଙ୍କ ପତ୍ର ଧରି ବାବିଲରୁ ଆସନ୍ତି। ଅଧ୍ୟାୟଟି ବାରମ୍ବାର କାରଣ କହେ: ତାଙ୍କ ପିତାଙ୍କ ମଙ୍ଗଳମୟ ହସ୍ତ ତାଙ୍କ ଉପରେ ଥିଲା। ଏଜ୍ରା ଅଧ୍ୟୟନ, ପାଳନ ଓ ଶିକ୍ଷା ଦେବା ପାଇଁ ନିଜ ହୃଦୟ ସ୍ଥିର କରିଥିଲେ।
7 1ଏହିସବୁ ଘଟଣା ପରେ, ପାରସ୍ୟର ରାଜା ଅର୍ତ୍ତକ୍ଷସ୍ତଙ୍କ ରାଜତ୍ଵ ସମୟରେ, ସରାୟର ପୁତ୍ର ଏଜ୍ରା; ସେହି ସରାୟ ଅସରୀୟର ପୁତ୍ର, ଅସରୀୟ ହିଲ୍କୀୟର ପୁତ୍ର, 2ହିଲ୍କୀୟ ଶଲ୍ଲୁମର ପୁତ୍ର, ଶଲ୍ଲୁମ ସାଦୋକର ପୁତ୍ର, ସାଦୋକ ଅହୀଟୂବର ପୁତ୍ର, 3ଅହୀଟୂବ ଅମରୀୟର ପୁତ୍ର, ଅମରୀୟ ଅସରୀୟର ପୁତ୍ର, ଅସରୀୟ ମରାୟୋତର ପୁତ୍ର, 4ମରାୟୋତ ସରହୀୟର ପୁତ୍ର, ସରହୀୟ ଉଷିର ପୁତ୍ର, ଉଷି ବୁକ୍କିର ପୁତ୍ର, 5ବୁକ୍କି ଅବୀଶୂୟର ପୁତ୍ର, ଅବୀଶୂୟ ପୀନହସର ପୁତ୍ର, ପୀନହସ ଇଲୀୟାସରର ପୁତ୍ର, ଇଲୀୟାସର ପ୍ରଧାନ ଯାଜକ ହାରୋଣର ପୁତ୍ର ଥିଲେ। 6ଏହି ଏଜ୍ରା ବାବିଲରୁ ଉପରକୁ ଆସିଲେ; ଇସ୍ରାଏଲର ଈଶ୍ଵର ଆମ୍ଭମାନଙ୍କ ପିତା ଯେଉଁ ମୋଶାଙ୍କ ବ୍ୟବସ୍ଥା ଦେଇଥିଲେ, ସେଥିରେ ସେ ନିପୁଣ ଅଧ୍ୟାପକ ଥିଲେ। ତାହାଙ୍କ ପିତାଙ୍କ ହସ୍ତ ତାହାଙ୍କ ଉପରେ ଥିବାରୁ ରାଜା ତାହାଙ୍କ ସମସ୍ତ ନିବେଦନ ପୂର୍ଣ୍ଣ କଲେ। 7ରାଜା ଅର୍ତ୍ତକ୍ଷସ୍ତଙ୍କ ସପ୍ତମ ବର୍ଷରେ କେତେକ ଇସ୍ରାଏଲ-ସନ୍ତାନ, ଯାଜକ, ଲେବୀୟ, ଗାୟକ, ଦ୍ଵାରପାଳ ଓ ମନ୍ଦିରର ସେବକମାନେ ଯିରୂଶାଲମକୁ ଗଲେ। 8ରାଜାଙ୍କ ସପ୍ତମ ବର୍ଷର ପଞ୍ଚମ ମାସରେ ଏଜ୍ରା ଯିରୂଶାଲମରେ ଉପସ୍ଥିତ ହେଲେ। 9ପ୍ରଥମ ମାସର ପ୍ରଥମ ଦିନରେ ସେ ବାବିଲରୁ ଯାତ୍ରା ଆରମ୍ଭ କଲେ; ତାହାଙ୍କ ପିତାଙ୍କ ମଙ୍ଗଳମୟ ହସ୍ତ ତାହାଙ୍କ ଉପରେ ଥିବାରୁ ସେ ପଞ୍ଚମ ମାସର ପ୍ରଥମ ଦିନରେ ଯିରୂଶାଲମରେ ପହଞ୍ଚିଲେ। 10କାରଣ ଏଜ୍ରା ଆମ୍ଭମାନଙ୍କ ପିତାଙ୍କ ବ୍ୟବସ୍ଥା ଅନୁଧ୍ୟାନ କରିବାକୁ, ତାହା ପାଳନ କରିବାକୁ ଓ ଇସ୍ରାଏଲ ମଧ୍ୟରେ ତାହାଙ୍କ ବିଧି ଓ ଶାସନ ଶିକ୍ଷା ଦେବାକୁ ଆପଣା ମନ ସ୍ଥିର କରିଥିଲେ।
ଏଜ୍ରାଙ୍କ ନିମନ୍ତେ ରାଜାଙ୍କ ପତ୍ର
11ରାଜା ଅର୍ତ୍ତକ୍ଷସ୍ତ, ଇସ୍ରାଏଲ ନିମନ୍ତେ ଆମ୍ଭମାନଙ୍କ ପିତାଙ୍କ ଆଜ୍ଞା ଓ ବିଧିରେ ବିଜ୍ଞ, ଯାଜକ ଓ ଅଧ୍ୟାପକ ଏଜ୍ରାଙ୍କୁ ଯେଉଁ ପତ୍ର ଦେଲେ, ତାହାର ଅନୁଲିପି ଏହି:
12ରାଜାଧିରାଜ ଅର୍ତ୍ତକ୍ଷସ୍ତ, ସ୍ଵର୍ଗର ଈଶ୍ଵରଙ୍କ ବ୍ୟବସ୍ଥାର ଯାଜକ ଓ ଅଧ୍ୟାପକ ଏଜ୍ରାଙ୍କ ପ୍ରତି ନମସ୍କାର। ବର୍ତ୍ତମାନ,
13ମୁଁ ଏହି ଆଜ୍ଞା ଦେଉଅଛି, ମୋʼ ରାଜ୍ୟ ମଧ୍ୟରେ ଯାଜକ ଓ ଲେବୀୟମାନଙ୍କ ସହିତ ଯେଉଁ ଇସ୍ରାଏଲ-ସନ୍ତାନ ଯିରୂଶାଲମକୁ ଯିବା ନିମନ୍ତେ ସ୍ଵେଚ୍ଛୁକ, ସେ ତୁମ୍ଭ ସଙ୍ଗରେ ଯାଇ ପାରେ। 14କାରଣ ତୁମ୍ଭ ହସ୍ତସ୍ଥିତ ତୁମ୍ଭ ଈଶ୍ଵରଙ୍କ ବ୍ୟବସ୍ଥାନୁସାରେ ଯିହୂଦା ଓ ଯିରୂଶାଲମ ବିଷୟରେ ଅନୁସନ୍ଧାନ କରିବା ନିମନ୍ତେ ତୁମ୍ଭେ ରାଜା ଓ ତାହାଙ୍କ ସାତ ମନ୍ତ୍ରୀଙ୍କ ଦ୍ଵାରା ପ୍ରେରିତ ହୋଇଅଛ, 15ପୁଣି ଇସ୍ରାଏଲର ଯେଉଁ ଈଶ୍ଵରଙ୍କ ବାସସ୍ଥାନ ଯିରୂଶାଲମରେ ଅଛି, ତାହାଙ୍କ ନିମନ୍ତେ ରାଜା ଓ ତାହାଙ୍କ ମନ୍ତ୍ରୀମାନେ ଯେଉଁ ରୂପା ଓ ସୁନା ସ୍ଵେଚ୍ଛାରେ ଦେଇଅଛନ୍ତି, ତାହା ନେଇଯିବା ନିମନ୍ତେ, 16ଆଉ ବାବିଲ ପ୍ରଦେଶ ସାରା ତୁମ୍ଭେ ଯେସମସ୍ତ ରୂପା ଓ ସୁନା ପାଉଅଛ, ତାହା ସହିତ ଯିରୂଶାଲମରେ ଥିବା ସେମାନଙ୍କ ଈଶ୍ଵରଙ୍କ ଗୃହ ନିମନ୍ତେ ଲୋକ ଓ ଯାଜକମାନେ ସ୍ଵେଚ୍ଛାରେ ଦେଇଥିବା ଦାନ ନେଇଯିବା ନିମନ୍ତେ ତୁମ୍ଭେ ପ୍ରେରିତ ହୋଇଅଛ। 17ଏହି ଅର୍ଥ ଦ୍ଵାରା ତୁମ୍ଭେ ଶୀଘ୍ର ବୃଷ, ମେଷ ଓ ମେଷଶାବକ, ପୁଣି ସେମାନଙ୍କ ଭକ୍ଷ୍ୟ ଓ ପେୟ-ନୈବେଦ୍ୟ କ୍ରୟ କରି ଯିରୂଶାଲମସ୍ଥିତ ତୁମ୍ଭ ଈଶ୍ଵରଙ୍କ ଗୃହର ଯଜ୍ଞବେଦି ଉପରେ ଉତ୍ସର୍ଗ କର। 18ଅବଶିଷ୍ଟ ରୂପା ଓ ସୁନା ବିଷୟରେ ତୁମ୍ଭର ଈଶ୍ଵରଙ୍କ ଇଚ୍ଛାନୁସାରେ ଯାହା ତୁମ୍ଭକୁ ଓ ତୁମ୍ଭ ଭ୍ରାତୃଗଣଙ୍କୁ ଭଲ ମନେହୁଏ, ତାହା କର। 19ତୁମ୍ଭ ଈଶ୍ଵରଙ୍କ ଗୃହର ସେବା ନିମନ୍ତେ ତୁମ୍ଭକୁ ଯେଉଁ ପାତ୍ରସମୂହ ଦତ୍ତ ହୋଇଅଛି, ତାହା ଯିରୂଶାଲମର ଈଶ୍ଵରଙ୍କ ସମ୍ମୁଖରେ ସମର୍ପଣ କର। 20ତୁମ୍ଭ ଈଶ୍ଵରଙ୍କ ଗୃହ ନିମନ୍ତେ ଆଉ ଯାହା ଯାହା ଆବଶ୍ୟକ ହୁଏ ଓ ଯାହା ଯୋଗାଇ ଦେବା ତୁମ୍ଭର କର୍ତ୍ତବ୍ୟ, ତାହା ରାଜଭଣ୍ଡାରରୁ ଯୋଗାଇ ଦିଅ।
21ଆଉ ମୁଁ ରାଜା ଅର୍ତ୍ତକ୍ଷସ୍ତ ନଦୀ-ସେପାରିସ୍ଥ ପ୍ରଦେଶର ପ୍ରତ୍ୟେକ ଭଣ୍ଡାରୀଙ୍କ ପ୍ରତି ଏହି ଆଜ୍ଞା ଦେଉଅଛି, ସ୍ଵର୍ଗର ଈଶ୍ଵରଙ୍କ ବ୍ୟବସ୍ଥାର ଯାଜକ ଓ ଅଧ୍ୟାପକ ଏଜ୍ରା ତୁମ୍ଭମାନଙ୍କଠାରୁ ଯାହା ଯାହା ମାଗନ୍ତି, ତାହା ଯଥାର୍ଥ ରୂପେ ସମାଧା କର; 22ପ୍ରାୟ ସାତ ହଜାର ପାଞ୍ଚ ଶହ ପାଉଣ୍ଡ ପର୍ଯ୍ୟନ୍ତ ରୂପା, ଛଅ ଶହ ମହଣ ଗହମ, ଛଅ ଶହ ଗାଲନ ଦ୍ରାକ୍ଷାରସ, ଛଅ ଶହ ଗାଲନ ତୈଳ ଓ ଅପରିମିତ ଲବଣ ପର୍ଯ୍ୟନ୍ତ। 23ସ୍ଵର୍ଗର ଈଶ୍ଵର ଯାହା ଯାହା ଆଜ୍ଞା କରନ୍ତି, ତାହା ତାହାଙ୍କ ଗୃହ ନିମନ୍ତେ ଯତ୍ନପୂର୍ବକ କରାଯାଉ, ଯେପରି ରାଜାଙ୍କ ରାଜ୍ୟ ଓ ତାହାଙ୍କ ପୁତ୍ରଗଣଙ୍କ ଉପରେ କ୍ରୋଧ ନ ଆସେ। 24ଆଉ ଆମ୍ଭେମାନେ ତୁମ୍ଭମାନଙ୍କୁ ଜଣାଉଅଛୁ, ଈଶ୍ଵରଙ୍କ ଏହି ଗୃହର କୌଣସି ଯାଜକ, ଲେବୀୟ, ଗାୟକ, ଦ୍ଵାରପାଳ, ମନ୍ଦିର-ସେବକ ବା କର୍ମଚାରୀଙ୍କ ଉପରେ କର, ରାଜସ୍ଵ ବା ପଥକର ଆରୋପ କରିବାର ଅଧିକାର ନାହିଁ।
25ହେ ଏଜ୍ରା, ତୁମ୍ଭ ହସ୍ତସ୍ଥିତ ତୁମ୍ଭ ଈଶ୍ଵରଙ୍କ ଜ୍ଞାନ ଅନୁସାରେ, ତୁମ୍ଭେ ନଦୀ-ସେପାରିସ୍ଥ ପ୍ରଦେଶର ସକଳ ଲୋକଙ୍କୁ, ଅର୍ଥାତ୍ ଯେଉଁମାନେ ତୁମ୍ଭ ଈଶ୍ଵରଙ୍କ ବ୍ୟବସ୍ଥା ଜାଣନ୍ତି, ସେସମସ୍ତଙ୍କ ଶାସନ କରିବା ନିମନ୍ତେ ଅଧ୍ୟକ୍ଷ ଓ ବିଚାରକର୍ତ୍ତା ନିଯୁକ୍ତ କର; ଆଉ ଯେଉଁମାନେ ଜାଣନ୍ତି ନାହିଁ, ସେମାନଙ୍କୁ ଶିକ୍ଷା ଦିଅ। 26ଯେକେହି ତୁମ୍ଭ ଈଶ୍ଵରଙ୍କ ବ୍ୟବସ୍ଥା ଓ ରାଜାଙ୍କ ବ୍ୟବସ୍ଥା ପାଳନ କରିବାକୁ ଅସମ୍ମତ ହୁଏ, ତାହାକୁ ଅବଶ୍ୟ କଠିନ ରୂପେ ଦଣ୍ଡ ଦିଆଯାଉ, ଅର୍ଥାତ୍ ମୃତ୍ୟୁ, ନିର୍ବାସନ, ସମ୍ପତ୍ତି ବାଜ୍ୟାପ୍ତି ବା କାରାଦଣ୍ଡ।
27ଯେଉଁ ଆମ୍ଭମାନଙ୍କ ପିତା, ଆମ୍ଭମାନଙ୍କ ପିତୃପୁରୁଷଗଣଙ୍କ ଈଶ୍ଵର, ଯିରୂଶାଲମସ୍ଥିତ ଆମ୍ଭମାନଙ୍କ ପିତାଙ୍କ ଗୃହ ସୁଶୋଭିତ କରିବା ନିମନ୍ତେ ରାଜାଙ୍କ ମନରେ ଏହିପରି ଭାବ ଦେଇଅଛନ୍ତି, ସେ ଧନ୍ୟ ହେଉନ୍ତୁ; 28ଆଉ ରାଜା, ତାହାଙ୍କ ମନ୍ତ୍ରୀଗଣ ଓ ରାଜାଙ୍କ ସମସ୍ତ ପରାକ୍ରାନ୍ତ ଅଧିପତିଙ୍କ ସମ୍ମୁଖରେ ସେ ମୋʼ ପ୍ରତି ଦୟା ପ୍ରକାଶ କଲେ। ତେଣୁ ମୋʼ ପିତାଙ୍କ ହସ୍ତ ମୋʼ ଉପରେ ଥିବାରୁ ମୁଁ ବଳବାନ ହେଲି, ପୁଣି ମୋʼ ସଙ୍ଗରେ ଯିବା ନିମନ୍ତେ ଇସ୍ରାଏଲ ମଧ୍ୟରୁ ପ୍ରଧାନବର୍ଗଙ୍କୁ ଏକତ୍ର କଲି।