ଯିରୂଶାଲମର ରକ୍ତପାତ ପ୍ରକାଶିତ
ଯିରୂଶାଲମ ବିରୁଦ୍ଧରେ ଏକ ଅଭିଯୋଗପତ୍ର। ଅଧିପତିମାନେ ରକ୍ତପାତ କରନ୍ତି, ପିତାମାତା ଅବଜ୍ଞାତ ହୁଅନ୍ତି, ବିଦେଶୀମାନେ ଶୋଷିତ ହୁଅନ୍ତି। ଯାଜକମାନେ ପବିତ୍ର ଓ ସାଧାରଣ ମଧ୍ୟରେ ପ୍ରଭେଦ ଲିଭାଇ ଦିଅନ୍ତି, ଆଉ ଭବିଷ୍ୟଦ୍ବକ୍ତାମାନେ ସବୁକିଛି ଉପରେ ଚୂନ ଲେପନ୍ତି। ଆମର ପିତା କହନ୍ତି, ସେ ଦେଶ ପାଇଁ ଭଙ୍ଗା ସ୍ଥାନରେ ଠିଆ ହେବାକୁ ଜଣେ ଲୋକ ଖୋଜିଲେ, କିନ୍ତୁ କାହାକୁ ପାଇଲେ ନାହିଁ।
22 1ଆମ୍ଭମାନଙ୍କ ପିତାଙ୍କ ବାକ୍ୟ ମୋʼ ନିକଟରେ ଉପସ୍ଥିତ ହେଲା,
2ଆଉ, ହେ ମନୁଷ୍ୟପୁତ୍ର, ତୁମ୍ଭେ କି ବିଚାର କରିବ? ରକ୍ତପାତକାରିଣୀ ନଗରୀକୁ କି ତୁମ୍ଭେ ବିଚାର କରିବ? ତେବେ ତାହାର ସମସ୍ତ ଘୃଣାଯୋଗ୍ୟ କର୍ମ ବିଷୟରେ ତାହାକୁ ଜଣାଅ। 3କୁହ, ପ୍ରଭୁ ପିତା ଏହା କହନ୍ତି: ଯେଉଁ ନଗରୀ ଆପଣା ମଧ୍ୟରେ ରକ୍ତପାତ କରେ, ଯେପରି ତାହାର ସମୟ ଉପସ୍ଥିତ ହୁଏ, ପୁଣି ଆପଣା ନିମନ୍ତେ ପ୍ରତିମା ନିର୍ମାଣ କରି ଅଶୁଚି ହୁଏ। 4ତୁମ୍ଭେ ଯେଉଁ ରକ୍ତପାତ କଲ, ସେଥିରେ ତୁମ୍ଭେ ଦୋଷୀ, ଆଉ ଯେଉଁ ପ୍ରତିମା ନିର୍ମାଣ କଲ, ସେଥିରେ ତୁମ୍ଭେ ଅଶୁଚି ହୋଇଅଛ। ତୁମ୍ଭେ ଆପଣା ଅନ୍ତିମ କାଳକୁ ନିକଟବର୍ତ୍ତୀ କରିଅଛ, ଆପଣା ବର୍ଷସମୂହର ଶେଷ ପର୍ଯ୍ୟନ୍ତ ପହଞ୍ଚିଅଛ। ଏଥିପାଇଁ ଆମ୍ଭେ ତୁମ୍ଭକୁ ନାନା ଦେଶୀୟ ଲୋକଙ୍କ ନିକଟରେ ନିନ୍ଦାର ପାତ୍ର ଓ ସମସ୍ତ ଦେଶ ନିକଟରେ ପରିହାସର ପାତ୍ର କରୁଅଛୁ। 5ତୁମ୍ଭର ନିକଟସ୍ଥ ଓ ଦୂରସ୍ଥ ଲୋକମାନେ ତୁମ୍ଭକୁ ପରିହାସ କରିବେ—ହେ ଅଶୁଚି ନାମବିଶିଷ୍ଟା, ଗୋଳମାଳରେ ପରିପୂର୍ଣ୍ଣ ନଗରୀ।
6ଦେଖ, ଇସ୍ରାଏଲର ଅଧିପତିମାନେ ପ୍ରତ୍ୟେକେ ତୁମ୍ଭ ମଧ୍ୟରେ ଆପଣା ଆପଣା କ୍ଷମତା ଅନୁସାରେ ରକ୍ତପାତ କରିବା ନିମନ୍ତେ କିପରି ଉଦ୍ୟତ ହୋଇଅଛନ୍ତି। 7ତୁମ୍ଭ ମଧ୍ୟରେ ସେମାନେ ପିତା ଓ ମାତାକୁ ତୁଚ୍ଛ କରିଅଛନ୍ତି; ତୁମ୍ଭ ମଧ୍ୟରେ ସେମାନେ ବିଦେଶୀ ଲୋକ ପ୍ରତି ଉପଦ୍ରବ କରିଅଛନ୍ତି; ତୁମ୍ଭ ମଧ୍ୟରେ ସେମାନେ ପିତୃହୀନ ଓ ବିଧବା ପ୍ରତି ଅନ୍ୟାୟ କରିଅଛନ୍ତି। 8ତୁମ୍ଭେ ଆମ୍ଭର ପବିତ୍ର ବସ୍ତୁସମୂହକୁ ତୁଚ୍ଛ କରିଅଛ ଓ ଆମ୍ଭର ବିଶ୍ରାମଦିନସବୁକୁ ଅପବିତ୍ର କରିଅଛ। 9ତୁମ୍ଭ ମଧ୍ୟରେ ରକ୍ତପାତ କରିବା ନିମନ୍ତେ ଉଦ୍ୟତ ପରନିନ୍ଦକ ଲୋକ ଅଛନ୍ତି; ତୁମ୍ଭ ମଧ୍ୟରେ ପର୍ବତସ୍ଥ ପୂଜାସ୍ଥାନରେ ଭୋଜନ କରିବା ଲୋକ ଅଛନ୍ତି ଓ ତୁମ୍ଭ ମଧ୍ୟରେ ସେମାନେ ଅଶ୍ଳୀଳ କର୍ମ କରନ୍ତି। 10ତୁମ୍ଭ ମଧ୍ୟରେ ସେମାନେ ଆପଣା ଆପଣା ପିତାଙ୍କ ଭାର୍ଯ୍ୟା ସହିତ ଶୟନ କରନ୍ତି; ତୁମ୍ଭ ମଧ୍ୟରେ ସେମାନେ ରଜସ୍ଵଳା ଅଶୁଚିତା ସମୟରେ ସ୍ତ୍ରୀକୁ ଭ୍ରଷ୍ଟ କରନ୍ତି। 11ଜଣେ ଆପଣା ପ୍ରତିବେଶୀର ଭାର୍ଯ୍ୟା ସହିତ ଘୃଣାଯୋଗ୍ୟ କର୍ମ କରେ; ଆଉ ଜଣେ ଅଶ୍ଳୀଳ ରୂପେ ଆପଣା ପୁତ୍ରବଧୂକୁ ଅଶୁଚି କରେ; ଆଉ ଜଣେ ଆପଣା ଭଗିନୀକୁ, ଆପଣା ପିତାଙ୍କ କନ୍ୟାକୁ ଭ୍ରଷ୍ଟ କରେ। 12ତୁମ୍ଭ ମଧ୍ୟରେ ସେମାନେ ରକ୍ତପାତ କରିବା ନିମନ୍ତେ ଲାଞ୍ଚ ନିଅନ୍ତି; ତୁମ୍ଭେ ସୁଧ ନିଅ, ଅଧିକ ଲାଭ କର, ପୁଣି ଅତ୍ୟାଚାର କରି ଆପଣା ପ୍ରତିବେଶୀମାନଙ୍କଠାରୁ ଅନ୍ୟାୟ ଲାଭ ଆଦାୟ କର। ଆଉ ଆମ୍ଭକୁ ତୁମ୍ଭେ ପାସୋରିଅଛ, ଏହା ପ୍ରଭୁ ପିତା କହନ୍ତି।
13ଏଣୁ ଦେଖ, ତୁମ୍ଭେ ଯେଉଁ ଅସାଧୁ ଲାଭ କରିଅଛ ଓ ତୁମ୍ଭ ମଧ୍ୟରେ ଯେଉଁ ରକ୍ତପାତ କରିଅଛ, ତହିଁ ବିରୁଦ୍ଧରେ ଆମ୍ଭେ ଆପଣା ହସ୍ତ ଏକତ୍ର ଆଘାତ କରିଅଛୁ। 14ଆମ୍ଭେ ତୁମ୍ଭ ସଙ୍ଗେ ବ୍ୟବହାର କରିବା ବେଳେ ତୁମ୍ଭର ସାହସ କି ସ୍ଥିର ରହିବ, ତୁମ୍ଭର ହସ୍ତ କି ବଳବାନ୍ ଥିବ? ଆମ୍ଭେ ତୁମ୍ଭର ପିତା, ଆମ୍ଭେ ଏହା କହିଅଛୁ ଓ କରିବୁ। 15ଆମ୍ଭେ ତୁମ୍ଭକୁ ନାନା ଦେଶୀୟ ଲୋକଙ୍କ ମଧ୍ୟରେ ଛିନ୍ନଭିନ୍ନ କରିବୁ ଓ ନାନା ଦେଶରେ ତୁମ୍ଭକୁ ବିଞ୍ଚିଦେବୁ, ପୁଣି ତୁମ୍ଭ ମଧ୍ୟରୁ ତୁମ୍ଭର ଅଶୁଚିତା ଦୂର କରିଦେବୁ। 16ତୁମ୍ଭେ ନାନା ଦେଶୀୟ ଲୋକଙ୍କ ସାକ୍ଷାତରେ ଅଶୁଚି ହେଲା ଉତ୍ତାରେ, ଆମ୍ଭେ ଯେ ତୁମ୍ଭର ପିତା, ଏହା ତୁମ୍ଭେ ଜାଣିବ।
17ତହୁଁ ଆମ୍ଭମାନଙ୍କ ପିତାଙ୍କ ବାକ୍ୟ ମୋʼ ନିକଟରେ ଉପସ୍ଥିତ ହେଲା,
18ହେ ମନୁଷ୍ୟପୁତ୍ର, ଇସ୍ରାଏଲ ବଂଶ ଆମ୍ଭ ପ୍ରତି ଖାଦ ସ୍ଵରୂପ ହୋଇଅଛି; ସେସମସ୍ତେ ଉହ୍ନେଇ ମଧ୍ୟରେ ପିତ୍ତଳ, ଦସ୍ତା, ଲୁହା ଓ ସୀସା—ରୂପାର ଖାଦ ସ୍ଵରୂପ ହୋଇଅଛନ୍ତି। 19ଏଥିପାଇଁ ପ୍ରଭୁ ପିତା ଏହା କହନ୍ତି: ତୁମ୍ଭେ ସମସ୍ତେ ଖାଦ ସ୍ଵରୂପ ହୋଇଥିବାରୁ, ଦେଖ, ଆମ୍ଭେ ତୁମ୍ଭମାନଙ୍କୁ ଯିରୂଶାଲମ ମଧ୍ୟରେ ଏକତ୍ର କରିବୁ। 20ରୂପା, ପିତ୍ତଳ, ଲୁହା, ସୀସା ଓ ଦସ୍ତାକୁ ଯେପରି ଉହ୍ନେଇ ମଧ୍ୟରେ ଏକତ୍ର କରାଯାଏ ଓ ତାହା ତରଳାଇବା ପାଇଁ ତହିଁ ଉପରେ ଅଗ୍ନି ଫୁଙ୍କାଯାଏ, ସେହିପରି ଆମ୍ଭେ ଆପଣା କ୍ରୋଧ ଓ କୋପରେ ତୁମ୍ଭମାନଙ୍କୁ ଏକତ୍ର କରିବୁ, ସେଠାରେ ରଖିବୁ ଓ ତୁମ୍ଭମାନଙ୍କୁ ତରଳାଇବୁ। 21ଆମ୍ଭେ ତୁମ୍ଭମାନଙ୍କୁ ଏକତ୍ର କରିବୁ ଓ ଆପଣା କ୍ରୋଧର ଅଗ୍ନିରେ ତୁମ୍ଭମାନଙ୍କ ଉପରେ ଫୁଙ୍କିବୁ, ଆଉ ତୁମ୍ଭେମାନେ ତହିଁ ମଧ୍ୟରେ ତରଳିଯିବ। 22ଉହ୍ନେଇ ମଧ୍ୟରେ ରୂପା ଯେପରି ତରଳେ, ସେହିପରି ତୁମ୍ଭେମାନେ ତହିଁ ମଧ୍ୟରେ ତରଳିଯିବ। ତହିଁରେ ଆମ୍ଭେ ଯେ ତୁମ୍ଭର ପିତା, ତୁମ୍ଭ ଉପରେ ଆପଣା କୋପ ଢାଳିଅଛୁ, ଏହା ତୁମ୍ଭେମାନେ ଜାଣିବ।
23ପୁନର୍ବାର ଆମ୍ଭମାନଙ୍କ ପିତାଙ୍କ ବାକ୍ୟ ମୋʼ ନିକଟରେ ଉପସ୍ଥିତ ହେଲା,
24ହେ ମନୁଷ୍ୟପୁତ୍ର, ତାହାକୁ କୁହ: ତୁମ୍ଭେ ଏପରି ଏକ ଦେଶ, ଯାହା ଶୁଚିକୃତ ହୋଇ ନାହିଁ କିମ୍ବା କ୍ରୋଧ ଦିନରେ ବୃଷ୍ଟି ପ୍ରାପ୍ତ ହୋଇ ନାହିଁ। 25ତାହାର ଭାବବାଦୀମାନେ ଏକତ୍ର ଚକ୍ରାନ୍ତ କରନ୍ତି, ଶିକାର ବିଦୀର୍ଣ୍ଣକାରୀ ଗର୍ଜ୍ଜନକାରୀ ସିଂହ ତୁଲ୍ୟ; ସେମାନେ ପ୍ରାଣ ଗ୍ରାସ କରନ୍ତି, ଧନ ଓ ବହୁମୂଲ୍ୟ ବସ୍ତୁ ଅପହରଣ କରନ୍ତି ଓ ତାହା ମଧ୍ୟରେ ଅନେକ ବିଧବା କରାନ୍ତି। 26ତାହାର ଯାଜକମାନେ ଆମ୍ଭ ବ୍ୟବସ୍ଥା ଲଙ୍ଘନ କରିଅଛନ୍ତି ଓ ଆମ୍ଭର ପବିତ୍ର ବସ୍ତୁସମୂହକୁ ଅପବିତ୍ର କରିଅଛନ୍ତି; ସେମାନେ ପବିତ୍ର ଓ ସାଧାରଣ ମଧ୍ୟରେ କୌଣସି ପ୍ରଭେଦ ରଖି ନାହାନ୍ତି, ଅଶୁଚି ଓ ଶୁଚି ମଧ୍ୟରେ ଭେଦ ଶିଖାଇ ନାହାନ୍ତି, ପୁଣି ଆମ୍ଭର ବିଶ୍ରାମଦିନସବୁଠାରୁ ଆପଣା ଆପଣା ଚକ୍ଷୁ ଆଚ୍ଛାଦନ କରିଅଛନ୍ତି, ତେଣୁ ଆମ୍ଭେ ସେମାନଙ୍କ ମଧ୍ୟରେ ଅପବିତ୍ରୀକୃତ ହୋଇଅଛୁ। 27ତାହା ମଧ୍ୟସ୍ଥିତ ଅଧିକାରୀମାନେ ଶିକାର ବିଦୀର୍ଣ୍ଣକାରୀ ବୃକ ତୁଲ୍ୟ, ସେମାନେ ରକ୍ତପାତ କରନ୍ତି ଓ ଅସାଧୁ ଲାଭ ନିମନ୍ତେ ପ୍ରାଣ ବିନାଶ କରନ୍ତି। 28ତାହାର ଭାବବାଦୀମାନେ ମିଥ୍ୟା ଦର୍ଶନ ଓ ମିଥ୍ୟା ମନ୍ତ୍ର ଦ୍ଵାରା ସେମାନଙ୍କ ନିମନ୍ତେ ଏହା ଚୂନ ଲେପନ କରିଅଛନ୍ତି, ଆଉ, “ପ୍ରଭୁ ଈଶ୍ଵର ଏହା କହନ୍ତି” ବୋଲି କହିଅଛନ୍ତି, ଯଦ୍ୟପି ଆମ୍ଭମାନଙ୍କ ପିତା କହି ନାହାନ୍ତି। 29ଦେଶସ୍ଥ ଲୋକମାନେ ଅତ୍ୟାଚାର ଓ ଲୁଣ୍ଠନ କରନ୍ତି; ସେମାନେ ଦୁଃଖୀ ଓ ଦରିଦ୍ର ପ୍ରତି ଉପଦ୍ରବ କରନ୍ତି ଓ ବିଦେଶୀ ଲୋକ ପ୍ରତି ଅନ୍ୟାୟ ବିଚାର କରନ୍ତି।
30ଆମ୍ଭେ ସେମାନଙ୍କ ମଧ୍ୟରେ ଏପରି ଜଣେ ଲୋକ ଅନ୍ଵେଷଣ କଲୁ, ଯେ ପ୍ରାଚୀର ନିର୍ମାଣ କରିବ ଓ ଆମ୍ଭେ ଯେପରି ଦେଶକୁ ବିନାଶ ନ କରିବୁ, ଏଥିପାଇଁ ତହିଁ ନିମନ୍ତେ ଭଙ୍ଗାସ୍ଥାନରେ ଆମ୍ଭ ସମ୍ମୁଖରେ ଠିଆ ହେବ—ମାତ୍ର କାହାକୁ ପାଇଲୁ ନାହିଁ। 31ଏଣୁ ଆମ୍ଭେ ସେମାନଙ୍କ ଉପରେ ଆପଣା କ୍ରୋଧ ଢାଳିଲୁ, ଆପଣା କୋପର ଅଗ୍ନିରେ ସେମାନଙ୍କୁ ସଂହାର କଲୁ। ଆମ୍ଭେ ସେମାନଙ୍କ ଆଚରଣ ସେମାନଙ୍କର ନିଜ ମସ୍ତକ ଉପରେ ବର୍ତ୍ତାଇଲୁ, ଏହା ପ୍ରଭୁ ପିତା କହନ୍ତି।