ମୁଦ୍ରଣରେ ଉପଲବ୍ଧ
ପୁସ୍ତକ

ଅଗ୍ନି ବିନା ଆଉ କୌଣସି କାର୍ଯ୍ୟର ଅଯୋଗ୍ୟ ଦ୍ରାକ୍ଷାଲତା

ଏକ ଛୋଟ, ନିରାଶାଜନକ ଚିତ୍ର। ଦ୍ରାକ୍ଷାଲତାର କାଠ ପୋଡ଼ିବା ପୂର୍ବରୁ ମଧ୍ୟ ନିର୍ମାଣ ପାଇଁ ଅକାମୀ, ଓ ପୋଡ଼ିଗଲେ ଦୁଇଗୁଣ ଅକାମୀ। ଆମର ପିତା କହନ୍ତି, ଯିରୂଶାଲମର ଲୋକମାନେ ତାହାଙ୍କ ପାଇଁ ଏହିପରି: ଅଗ୍ନି ପାଇଁ ରଖାଯାଇଛନ୍ତି, କୌଣସି କାମର ଯୋଗ୍ୟ ନୁହନ୍ତି।

ଅଧ୍ୟାୟ 15।

ଏହାପରେ ଆମ୍ଭମାନଙ୍କ ପିତାଙ୍କ ବାକ୍ୟ ମୋʼ ନିକଟରେ ଉପସ୍ଥିତ ହୋଇ କହିଲା,

“ହେ ମନୁଷ୍ୟପୁତ୍ର, ଅରଣ୍ୟର ବୃକ୍ଷଗଣ ମଧ୍ୟରେ ଥିବା ଦ୍ରାକ୍ଷାଲତାର କାଷ୍ଠ ଅନ୍ୟ କୌଣସି କାଷ୍ଠ ଅପେକ୍ଷା କିପରି ଶ୍ରେଷ୍ଠ? ତାହାର କାଷ୍ଠ କି କୌଣସି କାର୍ଯ୍ୟରେ ଲାଗିବ? କିମ୍ବା ତହିଁରୁ କି ଦ୍ରବ୍ୟ ଟଙ୍ଗାଇବା ନିମନ୍ତେ ଗୋଟିଏ କଣ୍ଟା ପ୍ରସ୍ତୁତ ହୋଇପାରିବ? ଦେଖ, ତାହା ଇନ୍ଧନ ନିମନ୍ତେ ଅଗ୍ନିରେ ନିକ୍ଷିପ୍ତ ହୁଏ। ଅଗ୍ନି ତାହାର ଦୁଇ ମୁଣ୍ଡ ଗ୍ରାସ କରେ, ଆଉ ତାହାର ମଧ୍ୟଭାଗ ଦଗ୍ଧ ହୁଏ। ତାହା କି କୌଣସି କାର୍ଯ୍ୟର ଯୋଗ୍ୟ? ଅକ୍ଷତ ଥିବା ବେଳେ ତାହା ଯେବେ ଅଦରକାରୀ, ତେବେ ଅଗ୍ନି ତାହା ଗ୍ରାସ କରି ତାହା ଦଗ୍ଧ ହେଲା ଉତ୍ତାରେ ଆଉ କେତେ ଅଧିକ ଅଯୋଗ୍ୟ ହେବ! ତାହା କି କୌଣସି ଦ୍ରବ୍ୟ ପ୍ରସ୍ତୁତ ହୋଇପାରିବ?”

ଏଥିପାଇଁ ସାର୍ବଭୌମ ପିତା ଏହି କଥା କହନ୍ତି, “ଅରଣ୍ୟର ବୃକ୍ଷଗଣ ମଧ୍ୟରେ ଥିବା ଯେଉଁ ଦ୍ରାକ୍ଷାଲତାର କାଷ୍ଠ ଆମ୍ଭେ ଇନ୍ଧନ ନିମନ୍ତେ ଅଗ୍ନିରେ ଦେଲୁ, ତାହା ପରି ଯିରୂଶାଲମ ନିବାସୀମାନଙ୍କୁ ଆମ୍ଭେ ତ୍ୟାଗ କରିଅଛୁ। ଆମ୍ଭେ ସେମାନଙ୍କ ବିରୁଦ୍ଧରେ ଆପଣା ମୁଖ ରଖିବା। ସେମାନେ ଗୋଟିଏ ଅଗ୍ନିରୁ ରକ୍ଷା ପାଇଲେ, ମାତ୍ର ଆଉ ଗୋଟିଏ ଅଗ୍ନି ସେମାନଙ୍କୁ ଗ୍ରାସ କରିବ; ଆଉ ଯେତେବେଳେ ଆମ୍ଭେ ସେମାନଙ୍କ ବିରୁଦ୍ଧରେ ଆପଣା ମୁଖ ରଖିବା, ସେତେବେଳେ ଆମ୍ଭେ ଯେ ତୁମ୍ଭମାନଙ୍କ ପିତା ଅଟୁ, ଏହା ତୁମ୍ଭେମାନେ ଜାଣିବ। ଆମ୍ଭେ ଦେଶକୁ ଧ୍ଵଂସସ୍ଥାନ କରିବା, କାରଣ ସେମାନେ ନିତାନ୍ତ ବିଶ୍ଵାସଘାତକତା କରିଅଛନ୍ତି, ଏହା ସାର୍ବଭୌମ ପିତା କହନ୍ତି।”