ତୀମଥି ଶୁଭ ସମ୍ବାଦ ଆଣନ୍ତି
ନୀରବତା ସହି ନ ପାରି ପାଉଲ ଏକା ଆଥେନ୍ସରେ ରହିଗଲେ ଓ ଚାପ ମଧ୍ୟରେ ସେମାନଙ୍କ ବିଶ୍ୱାସ ଟିକି ରହିଛି କି ନାହିଁ ଜାଣିବା ପାଇଁ ତୀମଥିଙ୍କୁ ପଠାଇଲେ। ତୀମଥି ଶୁଭ ସମ୍ବାଦ ନେଇ ଫେରିଲେ, ଏବଂ ସେହି ଆଶ୍ୱସ୍ତି ସ୍ପଷ୍ଟ ଶୁଣାଯାଏ: ଏବେ ଆମ୍ଭେମାନେ ବଞ୍ଚୁଛୁ। ଯୀଶୁ ଆସିବା ପୂର୍ବରୁ ସେମାନଙ୍କ ପ୍ରେମ ଉଚ୍ଛୁଳି ପଡ଼ୁ ବୋଲି ସେ ପ୍ରାର୍ଥନା କରନ୍ତି।
3 1ଅତଏବ, ଯେତେବେଳେ ଆମ୍ଭେମାନେ ଆଉ ସହି ପାରିଲୁ ନାହିଁ, ସେତେବେଳେ ଆମ୍ଭେମାନେ ଏକାକୀ ଆଥେନ୍ସରେ ରହିବାକୁ ସ୍ଥିର କଲୁ, 2ଆଉ ଖ୍ରୀଷ୍ଟଙ୍କ ସୁସମାଚାର ପ୍ରଚାରରେ ଆମ୍ଭମାନଙ୍କ ଭ୍ରାତା ଓ ଆମ୍ଭମାନଙ୍କ ପିତାଙ୍କ ସହକର୍ମୀ ତୀମଥିଙ୍କୁ, ତୁମ୍ଭମାନଙ୍କ ବିଶ୍ଵାସରେ ତୁମ୍ଭମାନଙ୍କୁ ସୁସ୍ଥିର ଓ ଉତ୍ସାହିତ କରିବା ନିମନ୍ତେ ପ୍ରେରଣ କଲୁ, 3ଯେପରି ଏହି କ୍ଲେଶସମୂହ ଦ୍ଵାରା ତୁମ୍ଭମାନଙ୍କ ମଧ୍ୟରୁ କେହି ବିଚଳିତ ନ ହୁଅ; କାରଣ ଆମ୍ଭେମାନେ ଯେ ଏଥିନିମନ୍ତେ ନିରୂପିତ, ତାହା ତୁମ୍ଭେମାନେ ନିଜେ ଜାଣ। 4ଯେତେବେଳେ ଆମ୍ଭେମାନେ ତୁମ୍ଭମାନଙ୍କ ସଙ୍ଗରେ ଥିଲୁ, ସେତେବେଳେ ଆମ୍ଭେମାନେ କ୍ଲେଶ ଭୋଗ କରିବୁ ବୋଲି ତୁମ୍ଭମାନଙ୍କୁ ପୂର୍ବରୁ କହିଥିଲୁ; ଆଉ ତୁମ୍ଭେମାନେ ଜାଣିଥିବା ପ୍ରକାରେ ତାହା ଘଟିଲା। 5ଏଥିନିମନ୍ତେ ମୁଁ ଆଉ ଅପେକ୍ଷା କରି ନ ପାରି, କାଳେ ପରୀକ୍ଷକ ତୁମ୍ଭମାନଙ୍କୁ ପରୀକ୍ଷା କରିଅଛି ଓ ଆମ୍ଭମାନଙ୍କ ପରିଶ୍ରମ ବୃଥା ହୋଇଅଛି, ଏହି ଭୟରେ ତୁମ୍ଭମାନଙ୍କ ବିଶ୍ଵାସ ବିଷୟ ଜାଣିବା ପାଇଁ ପଠାଇଲି।
6କିନ୍ତୁ ଏବେ ତୀମଥି ତୁମ୍ଭମାନଙ୍କ ନିକଟରୁ ଆମ୍ଭମାନଙ୍କ ପାଖକୁ ଆସି, ତୁମ୍ଭମାନଙ୍କ ବିଶ୍ଵାସ ଓ ପ୍ରେମର ଶୁଭ ସମ୍ବାଦ ଆଣିଲେ, ପୁଣି ତୁମ୍ଭେମାନେ ସର୍ବଦା ଆମ୍ଭମାନଙ୍କୁ ସ୍ନେହରେ ସ୍ମରଣ କରୁଅଛ, ଆଉ ଆମ୍ଭେମାନେ ଯେପରି ତୁମ୍ଭମାନଙ୍କୁ ଦେଖିବାକୁ ବାଞ୍ଛା କରୁଅଛୁ, ସେପରି ତୁମ୍ଭେମାନେ ମଧ୍ୟ ଆମ୍ଭମାନଙ୍କୁ ଦେଖିବାକୁ ବାଞ୍ଛା କରୁଅଛ ବୋଲି କହିଲେ। 7ଅତଏବ, ହେ ଭ୍ରାତୃଗଣ, ଆମ୍ଭମାନଙ୍କ ସମସ୍ତ ଦୁଃଖ ଓ କ୍ଲେଶ ମଧ୍ୟରେ ତୁମ୍ଭମାନଙ୍କ ବିଶ୍ଵାସ ଦ୍ଵାରା ଆମ୍ଭେମାନେ ସାନ୍ତ୍ଵନା ପାଇଲୁ, 8କାରଣ ଯଦି ତୁମ୍ଭେମାନେ ପ୍ରଭୁଙ୍କଠାରେ ସ୍ଥିର ହୋଇ ରହିଅଛ, ତେବେ ଆମ୍ଭେମାନେ ଏବେ ବଞ୍ଚିଅଛୁ। 9ତୁମ୍ଭମାନଙ୍କ ସକାଶେ ଆମ୍ଭମାନଙ୍କ ପିତାଙ୍କ ସମ୍ମୁଖରେ ଆମ୍ଭେମାନେ ଯେଉଁ ସମସ୍ତ ଆନନ୍ଦରେ ଆନନ୍ଦିତ ହେଉଅଛୁ, ସେଥିପାଇଁ ତୁମ୍ଭମାନଙ୍କ ନିମନ୍ତେ ଆମ୍ଭେମାନେ ପିତାଙ୍କୁ କି ପ୍ରକାର ଧନ୍ୟବାଦ ଦେଇ ପାରୁ? 10ଆମ୍ଭେମାନେ ଯେପରି ତୁମ୍ଭମାନଙ୍କ ମୁଖ ଦର୍ଶନ କରୁ ଓ ତୁମ୍ଭମାନଙ୍କ ବିଶ୍ଵାସର ଅଭାବ ପୂର୍ଣ୍ଣ କରୁ, ଏଥିପାଇଁ ଦିବାରାତ୍ର ଏକାନ୍ତ ଭାବରେ ପ୍ରାର୍ଥନା କରୁଅଛୁ।
11ଏବେ ଆମ୍ଭମାନଙ୍କ ପିତା ସ୍ଵୟଂ, ପୁଣି ଆମ୍ଭମାନଙ୍କ ପ୍ରଭୁ ଯୀଶୁ, ତୁମ୍ଭମାନଙ୍କ ନିକଟକୁ ଆମ୍ଭମାନଙ୍କ ପଥ ପରିଚାଳନା କରନ୍ତୁ। 12ଆଉ ଆମ୍ଭେମାନେ ଯେପରି ତୁମ୍ଭମାନଙ୍କ ପ୍ରତି ପ୍ରେମ କରୁଅଛୁ, ସେପରି ପ୍ରଭୁ ତୁମ୍ଭମାନଙ୍କୁ ପରସ୍ପର ପ୍ରତି ଓ ସମସ୍ତଙ୍କ ପ୍ରତି ପ୍ରେମରେ ବୃଦ୍ଧିଯୁକ୍ତ ଓ ଉଚ୍ଛୁଳିତ କରନ୍ତୁ, 13ଯେପରି ଆମ୍ଭମାନଙ୍କ ପ୍ରଭୁ ଯୀଶୁ ଆପଣା ସମସ୍ତ ପବିତ୍ର ଲୋକଙ୍କ ସହିତ ଆଗମନ କରିବା ସମୟରେ ସେ ଆମ୍ଭମାନଙ୍କ ପିତାଙ୍କ ସମ୍ମୁଖରେ ପବିତ୍ରତାରେ ନିର୍ଦ୍ଦୋଷ ହୋଇ ତୁମ୍ଭମାନଙ୍କ ହୃଦୟକୁ ସୁସ୍ଥିର କରନ୍ତୁ। a a v13 ‘ତାହାଙ୍କ ପବିତ୍ର ଲୋକ’ ବୋଲି ଦୂତଗଣଙ୍କୁ, କିମ୍ବା ପୂର୍ବରୁ ମୃତ୍ୟୁବରଣ କରିଥିବା ବିଶ୍ଵାସୀମାନଙ୍କୁ, ଅବା ଉଭୟଙ୍କୁ ବୁଝାଇ ପାରେ।