ଦୁଇ ଉତ୍କ୍ରୋଶ ପକ୍ଷୀ ବିଷୟକ ପିତାଙ୍କ ପ୍ରହେଳିକା
ଦୁଇଟି ଉତ୍କ୍ରୋଶ ପକ୍ଷୀ, ଏକ ଏରସ ବୃକ୍ଷର ଅଗ୍ରଭାଗ ଓ ଏକ ରୋପିତ ଦ୍ରାକ୍ଷାଲତା ବିଷୟରେ ଏକ ପ୍ରହେଳିକା, ଯାହାର ଅର୍ଥ ହେଉଛି ସିଦିକିୟ ବାବିଲ ପ୍ରତି ଆପଣା ଶପଥ ଭାଙ୍ଗି ଅଶ୍ୱ ପାଇଁ ମିସର ଆଡ଼କୁ ହାତ ବଢ଼ାଇବା। ସେ ଏଥିରୁ ରକ୍ଷା ପାଇବେ ନାହିଁ। ତଥାପି ଆମର ପିତା କହନ୍ତି ସେ ଇସ୍ରାଏଲର ପର୍ବତରେ ଆପଣାର ଏକ କୋମଳ ପଲ୍ଲବ ରୋପଣ କରିବେ।
17 1ଆମ୍ଭମାନଙ୍କ ପିତାଙ୍କ ବାକ୍ୟ ମୋʼ ନିକଟରେ ଉପସ୍ଥିତ ହେଲା:
2“ହେ ମନୁଷ୍ୟପୁତ୍ର, ତୁମ୍ଭେ ଇସ୍ରାଏଲ ବଂଶ ନିକଟରେ ଏକ ପ୍ରହେଳିକା ଉପସ୍ଥିତ କର ଓ ଏକ ଦୃଷ୍ଟାନ୍ତ କୁହ, 3ଆଉ କୁହ, ପ୍ରଭୁ ପିତା ଏହି କଥା କହନ୍ତି: ‘ଯାହାର ବୃହତ ପକ୍ଷ, ଦୀର୍ଘ ପର ଓ ନାନା ବର୍ଣ୍ଣର ପୂର୍ଣ୍ଣ ଲୋମ ଥିଲା, ଏପରି ଏକ ବୃହତ ଉତ୍କ୍ରୋଶ ପକ୍ଷୀ ଲିବାନୋନକୁ ଆସି ଏରସ ବୃକ୍ଷର ଅଗ୍ରଭାଗ ନେଇଗଲା। 4ସେ ତହିଁର ଅଙ୍କୁରସମୂହର ଅଗ୍ରଭାଗ ଛିଣ୍ଡାଇ ବାଣିଜ୍ୟ ଦେଶକୁ ନେଇଗଲା; ସେ ତାହା ବଣିକମାନଙ୍କ ନଗରରେ ସ୍ଥାପନ କଲା। 5ଆଉ ସେ ସେହି ଦେଶର କିଛି ବୀଜ ନେଇ ତାହା ଉର୍ବର ଭୂମିରେ ରୋପଣ କଲା; ବାଇଶୀ ବୃକ୍ଷ ପରି ବଢ଼ିବା ନିମନ୍ତେ ତାହା ପ୍ରଚୁର ଜଳ ନିକଟରେ ସ୍ଥାପନ କଲା। 6ଆଉ ତାହା ଅଙ୍କୁରିତ ହୋଇ ଏକ ନୀଚ ଓ ବିସ୍ତୃତ ଦ୍ରାକ୍ଷାଲତା ହେଲା, ଯାହାର ଶାଖାସବୁ ଉତ୍କ୍ରୋଶ ପକ୍ଷୀ ଆଡ଼କୁ ଫେରିଲା ଓ ଯାହାର ମୂଳସବୁ ତାହା ତଳେ ରହିଲା। ଏଣୁ ତାହା ଦ୍ରାକ୍ଷାଲତା ହୋଇ ଶାଖା ବିସ୍ତାର କଲା ଓ ପଲ୍ଲବ ମେଲିଲା। 7ମାତ୍ର ଆଉ ଏକ ବୃହତ ଉତ୍କ୍ରୋଶ ପକ୍ଷୀ ଥିଲା, ଯାହାର ବୃହତ ପକ୍ଷ ଓ ପ୍ରଚୁର ଲୋମ ଥିଲା; ଆଉ ଏହି ଦ୍ରାକ୍ଷାଲତା ଯେଉଁ କିଆରିରେ ରୋପିତ ହୋଇଥିଲା, ତହିଁଠାରୁ ଅଧିକ ଜଳ ତାହାଠାରୁ ପାଇବା ନିମନ୍ତେ ଆପଣା ମୂଳସବୁ ତାହା ଆଡ଼କୁ ନୁଆଁଇଲା ଓ ଆପଣା ଶାଖାସବୁ ତାହା ଆଡ଼କୁ ବିସ୍ତାର କଲା। 8ତାହା ଶାଖା ବିସ୍ତାର କରି ଫଳ ଫଳିବା ଓ ଉତ୍ତମ ଦ୍ରାକ୍ଷାଲତା ହେବା ନିମନ୍ତେ ପ୍ରଚୁର ଜଳ ନିକଟରେ ଉତ୍ତମ ଭୂମିରେ ରୋପିତ ହୋଇଥିଲା।'
9ତୁମ୍ଭେ କୁହ, ପ୍ରଭୁ ପିତା ଏହି କଥା କହନ୍ତି: “ତାହା କି ବୃଦ୍ଧି ପାଇବ? ସେ କʼଣ ତହିଁର ମୂଳସବୁ ଉତ୍ପାଟନ କରି ତହିଁର ଫଳ ଛିଣ୍ଡାଇ ନ ପକାଇବ, ଯେପରି ତହିଁର ସମସ୍ତ ନୂତନ କୋମଳ ପତ୍ର ଶୁଷ୍କ ହୁଅନ୍ତି? ତାହାକୁ ମୂଳ ସମେତ ଉପାଡ଼ିବା ନିମନ୍ତେ ବଳବାନ ବାହୁ କିମ୍ବା ବୃହତ ଜନସମୂହର ଆବଶ୍ୟକ ହେବ ନାହିଁ। 10ଯଦ୍ୟପି ତାହା ରୋପିତ, ତେବେ ତାହା କି ବୃଦ୍ଧି ପାଇବ? ପୂର୍ବୀୟ ବାୟୁ ଯେତେବେଳେ ତାହାକୁ ଆଘାତ କରିବ, ସେତେବେଳେ ତାହା କି ସମ୍ପୂର୍ଣ୍ଣ ଶୁଷ୍କ ନ ହେବ —ଯେଉଁ କିଆରିରେ ତାହା ବଢ଼ିଲା, ସେହି କିଆରିରେ କି ଶୁଷ୍କ ହୋଇ ନ ଯିବ?”
11ଏଥିଉତ୍ତାରେ ଆମ୍ଭମାନଙ୍କ ପିତାଙ୍କ ବାକ୍ୟ ମୋʼ ନିକଟରେ ଉପସ୍ଥିତ ହେଲା:
12“ତୁମ୍ଭେ ସେହି ବିଦ୍ରୋହୀ ବଂଶକୁ କୁହ: ଏହିସବୁର ଅର୍ଥ କି ତୁମ୍ଭେମାନେ ଜାଣ ନାହିଁ? ସେମାନଙ୍କୁ କୁହ: ଦେଖ, ବାବିଲର ରାଜା ଯିରୂଶାଲମକୁ ଆସି ତହିଁର ରାଜା ଓ ଅଧିପତିମାନଙ୍କୁ ନେଲା, ପୁଣି ସେମାନଙ୍କୁ ଆପଣା ନିକଟକୁ ବାବିଲକୁ ନେଇଗଲା। 13ଆଉ ସେ ରାଜବଂଶର ଜଣକୁ ନେଇ ତାହା ସହିତ ନିୟମ କରି ତାହାକୁ ଶପଥ କରାଇଲା, ପୁଣି ସେ ଦେଶର ପ୍ରଧାନ ଲୋକମାନଙ୍କୁ ନେଇଗଲା, 14ଯେପରି ରାଜ୍ୟ ନତ ହେବ ଓ ପୁନର୍ବାର ଉନ୍ନତ ହେବ ନାହିଁ, ମାତ୍ର ତାହାର ନିୟମ ପାଳନ କଲେ ତାହା ରକ୍ଷା ପାଇ ପାରିବ। 15ମାତ୍ର ସିଦିକୀୟ ଅଶ୍ଵ ଓ ବହୁ ସୈନ୍ୟ ପାଇବା ନିମନ୍ତେ ମିସରକୁ ଦୂତ ପଠାଇ ବାବିଲ ରାଜା ବିରୁଦ୍ଧରେ ବିଦ୍ରୋହ କଲା। ସେ କି କୃତକାର୍ଯ୍ୟ ହେବ? ଯେ ଏପରି କରେ, ସେ କି ରକ୍ଷା ପାଇବ? ସେ କି ନିୟମ ଭାଙ୍ଗି ରକ୍ଷା ପାଇ ପାରିବ?'
16“ଆମ୍ଭେ ଜୀବିତ ଥିବା ପ୍ରମାଣେ କହୁଅଛୁ, ପ୍ରଭୁ ପିତା କହନ୍ତି, ଯେଉଁ ରାଜା ତାହାକୁ ରାଜା କରିଥିଲା, ଯାହାର ଶପଥ ସେ ତୁଚ୍ଛ କଲା ଓ ଯାହାର ନିୟମ ସେ ଭାଙ୍ଗିଲା, ସେହି ରାଜା ଯେଉଁଠାରେ ବାସ କରେ, ସେହି ବାବିଲରେ ହିଁ ସେ ମରିବ। 17‘ଯେତେବେଳେ ଅନେକ ଲୋକଙ୍କ ପ୍ରାଣ ଉଚ୍ଛିନ୍ନ କରିବା ନିମନ୍ତେ ଅବରୋଧ-ବନ୍ଧ ଉଠିବ ଓ ଗଡ଼ ନିର୍ମିତ ହେବ, ସେତେବେଳେ ଫାରୋ ଆପଣା ବଳବାନ ସୈନ୍ୟ ଓ ବିପୁଳ ଜନତା ସହିତ ଯୁଦ୍ଧରେ ତାହାର ସାହାଯ୍ୟ କରିବ ନାହିଁ। 18ସେ ଶପଥ ତୁଚ୍ଛ କରି ନିୟମ ଭାଙ୍ଗିଲା; ଦେଖ, ସେ ହସ୍ତ ଦେଇଥିଲା, ତଥାପି ଏହିସବୁ କଲା, ଏଣୁ ସେ ରକ୍ଷା ପାଇବ ନାହିଁ।'
19ଏଥିପାଇଁ ପ୍ରଭୁ ପିତା ଏହି କଥା କହନ୍ତି: “ଆମ୍ଭେ ଜୀବିତ ଥିବା ପ୍ରମାଣେ, ଯେଉଁ ଶପଥ ସେ ତୁଚ୍ଛ କଲା ଓ ଯେଉଁ ନିୟମ ସେ ଭାଙ୍ଗିଲା, ଆମ୍ଭର ସେହି ଶପଥ ଓ ନିୟମ ଆମ୍ଭେ ତାହାର ନିଜ ମସ୍ତକରେ ବର୍ତ୍ତାଇବା। 20‘ଆମ୍ଭେ ତାହା ଉପରେ ଆପଣା ଜାଲ ବିସ୍ତାର କରିବା, ଆଉ ସେ ଆମ୍ଭ ଫାନ୍ଦରେ ଧରାଯିବ; ପୁଣି ଆମ୍ଭେ ତାହାକୁ ବାବିଲକୁ ନେଇଯାଇ, ସେ ଆମ୍ଭ ବିରୁଦ୍ଧରେ ଯେଉଁ ବିଶ୍ଵାସଘାତକତା କରିଅଛି, ତହିଁ ନିମନ୍ତେ ସେଠାରେ ତାହାର ବିଚାର କରିବା। 21ତାହାର ସମସ୍ତ ସୈନ୍ୟ ମଧ୍ୟରେ ଯେଉଁମାନେ ଶ୍ରେଷ୍ଠ ଯୋଦ୍ଧା, ସେମାନେ ଖଡ୍ଗ ଦ୍ଵାରା ପତିତ ହେବେ, ଆଉ ଅବଶିଷ୍ଟ ଲୋକମାନେ ପ୍ରତ୍ୟେକ ଦିଗରେ ଛିନ୍ନଭିନ୍ନ ହେବେ। ସେତେବେଳେ ଆମ୍ଭେ ତୁମ୍ଭମାନଙ୍କ ପିତା ଏହା କହିଅଛୁ ବୋଲି ତୁମ୍ଭେମାନେ ଜାଣିବ।'
22ପ୍ରଭୁ ପିତା ଏହି କଥା କହନ୍ତି: “ଆମ୍ଭେ ନିଜେ ଏରସ ବୃକ୍ଷର ଉଚ୍ଚ ଅଗ୍ରଭାଗରୁ ଏକ ଶାଖା ନେଇ ତାହା ରୋପଣ କରିବା; ଆମ୍ଭେ ତହିଁର କୋମଳ ଅଙ୍କୁରସମୂହର ଅଗ୍ରରୁ ଏକ ନବୀନ ଶାଖା ଛିଣ୍ଡାଇ ଉଚ୍ଚ ଓ ଉନ୍ନତ ପର୍ବତ ଉପରେ ଆପେ ତାହା ରୋପଣ କରିବା। a a v22 ଯେଉଁଠାରେ ମନୁଷ୍ୟମାନଙ୍କ ରାଜ୍ୟସବୁ ବିଫଳ ହୁଏ, ସେଠାରେ ଆମ୍ଭମାନଙ୍କ ପିତା ଆପଣାର ଏକ କୋମଳ ଶାଖା ରୋପଣ କରିବେ ବୋଲି ପ୍ରତିଜ୍ଞା କରନ୍ତି — ଯେ ଦାଉଦଙ୍କ ବଂଶରୁ ଆଗମନକାରୀ ରାଜା, ଯୀଶୁଙ୍କଠାରେ ସଫଳ, ଆଉ ଯେ ସମସ୍ତ ଲୋକଙ୍କୁ ଆଶ୍ରୟ ଦେଉଥିବା ରାଜ୍ୟରେ ବୃଦ୍ଧି ପାଆନ୍ତି। 23ଇସ୍ରାଏଲର ଉଚ୍ଚ ପର୍ବତ ଉପରେ ଆମ୍ଭେ ତାହା ରୋପଣ କରିବା, ଆଉ ତାହା ଶାଖା ବିସ୍ତାର କରି ଫଳ ଫଳିବ ପୁଣି ଉତ୍ତମ ଏରସ ବୃକ୍ଷ ହେବ। ତହିଁ ତଳେ ପ୍ରତ୍ୟେକ ଜାତୀୟ ପକ୍ଷୀ ବାସ କରିବ, ତହିଁ ଶାଖାର ଛାୟାରେ ବସା କରିବ। 24ଆଉ କ୍ଷେତ୍ରର ସମସ୍ତ ବୃକ୍ଷ ଜାଣିବେ ଯେ ଆମ୍ଭେ ପିତା, ଯେ ଉଚ୍ଚ ବୃକ୍ଷକୁ ନତ କରୁ ଓ ନୀଚ ବୃକ୍ଷକୁ ଉଚ୍ଚ କରୁ, ଯେ ସତେଜ ବୃକ୍ଷକୁ ଶୁଷ୍କ କରୁ ଓ ଶୁଷ୍କ ବୃକ୍ଷକୁ ସତେଜ କରୁ। ଆମ୍ଭେ ପିତା ଏହା କହିଅଛୁ, ଆଉ ଆମ୍ଭେ ତାହା ସଫଳ କରିବା।”