ବୁଦ୍ଧିରେ ଚାଲ, ବିଶ୍ଵସ୍ତ ଭାବରେ ପ୍ରାର୍ଥନା କର
ପାଉଲ ପ୍ରାର୍ଥନା ମାଗନ୍ତି ଯେ ସେ ଶିକୁଳିରେ ଥିଲେ ମଧ୍ୟ ଆମ ପିତା ବାର୍ତ୍ତା ପାଇଁ ଏକ ଦ୍ୱାର ଖୋଲନ୍ତୁ, ବାହାର ଲୋକମାନଙ୍କ ପ୍ରତି ଅନୁଗ୍ରହପୂର୍ଣ୍ଣ, ଲବଣଯୁକ୍ତ କଥା କହିବାକୁ ଉତ୍ସାହ ଦିଅନ୍ତି, ତାʼପରେ ତାଙ୍କ ବନ୍ଧୁମାନଙ୍କର ନାମ ଗୋଟି ଗୋଟି କରି ନିଅନ୍ତି — ତୁଖିକ, ଅନୀସିମ, ସେମାନଙ୍କ ପାଇଁ କଠିନ ପ୍ରାର୍ଥନା କରୁଥିବା ଇପାଫ୍ରା, ଲୂକ, ମାର୍କ।
4 1ହେ କର୍ତ୍ତାମାନେ, ତୁମ୍ଭେମାନେ ଆପଣା ଦାସମାନଙ୍କ ପ୍ରତି ଯାହା ନ୍ୟାଯ୍ୟ ଓ ଉଚିତ, ତାହା କର; ତୁମ୍ଭମାନଙ୍କର ମଧ୍ୟ ସ୍ଵର୍ଗରେ ଜଣେ କର୍ତ୍ତା ଅଛନ୍ତି, ଏହା ଜାଣ।
2ଧନ୍ୟବାଦ ସହିତ ପ୍ରାର୍ଥନାରେ ଜାଗ୍ରତ ରହି ଆପଣାମାନଙ୍କୁ ତହିଁରେ ନିବିଷ୍ଟ କର। 3ଆଉ ଆମ୍ଭମାନଙ୍କ ନିମନ୍ତେ ମଧ୍ୟ ପ୍ରାର୍ଥନା କର, ଯେପରି ଆମ୍ଭମାନଙ୍କ ପିତା ବାକ୍ୟ ପ୍ରଚାର କରିବା ନିମନ୍ତେ ଆମ୍ଭମାନଙ୍କ ପାଇଁ ଦ୍ଵାର ଉନ୍ମୁକ୍ତ କରନ୍ତି, ଯେଉଁ ଖ୍ରୀଷ୍ଟଙ୍କ ନିଗୂଢ଼ତତ୍ତ୍ଵ ହେତୁ ମୁଁ ମଧ୍ୟ ଶୃଙ୍ଖଳରେ ବନ୍ଧା ହୋଇଅଛି, ତାହା ଆମ୍ଭେମାନେ ଯେପରି ପ୍ରକାଶ କରିପାରୁ, 4ପୁଣି ଯେପରି ମୋହର କହିବା ଉଚିତ, ସେପରି ମୁଁ ଯେପରି ତାହା ସ୍ପଷ୍ଟ ରୂପେ ପ୍ରକାଶ କରିପାରେ।
5ବାହାରର ଲୋକମାନଙ୍କ ପ୍ରତି ବୁଦ୍ଧିରେ ଆଚରଣ କର, ଉପଯୁକ୍ତ ସମୟର ସଦୁପଯୋଗ କର। 6ତୁମ୍ଭମାନଙ୍କ ବାକ୍ୟ ସର୍ବଦା ଅନୁଗ୍ରହଯୁକ୍ତ ଓ ଲବଣରେ ଆସ୍ଵାଦିତ ହେଉ, ଯେପରି ପ୍ରତ୍ୟେକ ଜଣକୁ କିପରି ଉତ୍ତର ଦେବା ଉଚିତ, ତାହା ତୁମ୍ଭେମାନେ ଜାଣିପାର। a a v6 ଲବଣରେ ଆସ୍ଵାଦିତ: ବିବେଚନାପୂର୍ଣ୍ଣ ଓ ଆକର୍ଷଣୀୟ — ଶୁଣିବା ଯୋଗ୍ୟ ବାକ୍ୟ।
ପ୍ରିୟ ସହକର୍ମୀମାନେ
7ପ୍ରିୟ ଭ୍ରାତା, ବିଶ୍ଵସ୍ତ ସେବକ ଓ ପ୍ରଭୁଙ୍କଠାରେ ସହଦାସ ତୁଖିକ ମୋʼ ବିଷୟ ସମସ୍ତ ତୁମ୍ଭମାନଙ୍କୁ ଜଣାଇବେ। 8ମୁଁ ଏହି ଉଦ୍ଦେଶ୍ୟରେ ତାହାଙ୍କୁ ତୁମ୍ଭମାନଙ୍କ ନିକଟକୁ ପ୍ରେରଣ କଲି, ଯେପରି ତୁମ୍ଭେମାନେ ଆମ୍ଭମାନଙ୍କ ଅବସ୍ଥା ଜାଣିପାର ଓ ସେ ତୁମ୍ଭମାନଙ୍କ ହୃଦୟକୁ ଆଶ୍ଵାସନା ଦିଅନ୍ତି, 9ପୁଣି ତୁମ୍ଭମାନଙ୍କ ମଧ୍ୟରୁ ଜଣେ ବିଶ୍ଵସ୍ତ ଓ ପ୍ରିୟ ଭ୍ରାତା ଅନୀସିମଙ୍କ ସହିତ ତାହାଙ୍କୁ ପଠାଇଲି। ସେମାନେ ଏହି ସ୍ଥାନର ସମସ୍ତ ବିଷୟ ତୁମ୍ଭମାନଙ୍କୁ ଜଣାଇବେ।
10ମୋହର ସହବନ୍ଦୀ ଆରିସ୍ତାର୍ଖ ଓ ବର୍ଣ୍ଣବ୍ବାଙ୍କ ଭ୍ରାତୃଷ୍ପୁତ୍ର ମାର୍କ ତୁମ୍ଭମାନଙ୍କୁ ନମସ୍କାର ଜଣାଉଅଛନ୍ତି; ଏହି ମାର୍କଙ୍କ ବିଷୟରେ ତୁମ୍ଭେମାନେ ଆଜ୍ଞା ପାଇଅଛ: ସେ ଯଦି ତୁମ୍ଭମାନଙ୍କ ନିକଟକୁ ଆସନ୍ତି, ତେବେ ତାହାଙ୍କୁ ଗ୍ରହଣ କର, 11ପୁଣି ଯୁସ୍ତ ନାମରେ ଖ୍ୟାତ ଯୀଶୁ ମଧ୍ୟ ନମସ୍କାର ଜଣାଉଅଛନ୍ତି; ଆମ୍ଭମାନଙ୍କ ପିତାଙ୍କ ରାଜ୍ୟ ନିମନ୍ତେ ମୋହର ସହକର୍ମୀମାନଙ୍କ ମଧ୍ୟରେ ଏମାନେ ହିଁ କେବଳ ଯିହୂଦୀ ଅଟନ୍ତି; ଏମାନେ ମୋତେ ସାନ୍ତ୍ଵନା ଦେଇଅଛନ୍ତି।
12ତୁମ୍ଭମାନଙ୍କ ମଧ୍ୟରୁ ଜଣେ ଖ୍ରୀଷ୍ଟ ଯୀଶୁଙ୍କ ସେବକ ଏପାଫ୍ରା ତୁମ୍ଭମାନଙ୍କୁ ନମସ୍କାର ଜଣାଉଅଛନ୍ତି; ଯେପରି ତୁମ୍ଭେମାନେ ଆମ୍ଭମାନଙ୍କ ପିତାଙ୍କ ସମସ୍ତ ଇଚ୍ଛାରେ ସିଦ୍ଧ ଓ ପୂର୍ଣ୍ଣ ନିଶ୍ଚୟତା ସହିତ ସ୍ଥିର ହୋଇ ରହିପାର, ଏଥିପାଇଁ ସେ ସର୍ବଦା ତୁମ୍ଭମାନଙ୍କ ନିମନ୍ତେ ପ୍ରାର୍ଥନାରେ ପ୍ରାଣପଣ କରନ୍ତି। 13କାରଣ ତୁମ୍ଭମାନଙ୍କ ପାଇଁ, ଲାଅଦିକୀୟା ଓ ହିୟରାପଲିସ୍ର ଲୋକମାନଙ୍କ ପାଇଁ ସେ ବହୁ ପରିଶ୍ରମ କରିଅଛନ୍ତି ବୋଲି ମୁଁ ତାହାଙ୍କ ବିଷୟରେ ସାକ୍ଷ୍ୟ ଦେଉଅଛି। 14ପ୍ରିୟ ଚିକିତ୍ସକ ଲୂକ ଓ ଦୀମା ତୁମ୍ଭମାନଙ୍କୁ ନମସ୍କାର ଜଣାଉଅଛନ୍ତି।
15ଲାଅଦିକୀୟାସ୍ଥ ଭ୍ରାତୃଭଗିନୀମାନଙ୍କୁ, ପୁଣି ନୁମ୍ଫା ଓ ତାହାଙ୍କ ଗୃହସ୍ଥିତ ମଣ୍ଡଳୀକୁ ନମସ୍କାର ଜଣାଅ। 16ଆଉ ତୁମ୍ଭମାନଙ୍କ ମଧ୍ୟରେ ଏହି ପତ୍ର ପାଠ କରାଯିବା ଉତ୍ତାରେ ଲାଅଦିକୀୟା ମଣ୍ଡଳୀରେ ମଧ୍ୟ ଏହା ପାଠ କରାଯିବାକୁ ଦିଅ, ପୁଣି ଲାଅଦିକୀୟାରୁ ଆସୁଥିବା ପତ୍ର ମଧ୍ୟ ପାଠ କର। 17ଆଉ ଆର୍ଖିପ୍ପଙ୍କୁ କୁହ, “ପ୍ରଭୁଙ୍କଠାରେ ତୁମ୍ଭେ ଯେଉଁ ସେବାକାର୍ଯ୍ୟ ପ୍ରାପ୍ତ ହୋଇଅଛ, ତାହା ଯେପରି ସମ୍ପୂର୍ଣ୍ଣ କର, ଏଥିପ୍ରତି ଧ୍ୟାନ ଦିଅ।”
18ମୁଁ ପାଉଲ ନିଜ ହସ୍ତରେ ଏହି ନମସ୍କାର ଲେଖୁଅଛି। ମୋହର ଶୃଙ୍ଖଳ ସ୍ମରଣ କର। ଅନୁଗ୍ରହ ତୁମ୍ଭମାନଙ୍କ ସହିତ ଥାଉ।