ମିଥ୍ୟା ଭାବବାଦୀମାନଙ୍କ ବିରୁଦ୍ଧରେ ଆପଣା ହୃଦୟ ରକ୍ଷା କର
ଯେଉଁ ଭବିଷ୍ୟଦ୍ବକ୍ତାଙ୍କ ଚିହ୍ନ ସତ ହୁଏ, ସେ ମଧ୍ୟ ଯଦି ଅନ୍ୟ ଦେବତାମାନଙ୍କୁ ଅନୁସରଣ କରିବାକୁ କହେ, ତେବେ ତାକୁ ଅଗ୍ରାହ୍ୟ କରାଯାଏ; ତୁମ୍ଭେମାନେ ସମସ୍ତ ହୃଦୟରେ ତାଙ୍କୁ ପ୍ରେମ କରୁଛ କି ନାହିଁ, ତୁମ୍ଭମାନଙ୍କ ପିତା ପରୀକ୍ଷା କରୁଛନ୍ତି। ପ୍ରିୟ ଭାଇ, ପତ୍ନୀ ବା ବନ୍ଧୁ ପାଇଁ, ଏବଂ ସମଗ୍ର ନଗର ପାଇଁ ମଧ୍ୟ ଏହା ସମାନ: ଏହା ଇସ୍ରାଏଲ ପାଇଁ ସବୁଠାରୁ ଗୁରୁତର ବିପଦ।
13 1ଯଦି ତୁମ୍ଭମାନଙ୍କ ମଧ୍ୟରେ କୌଣସି ଭାବବାଦୀ କିମ୍ବା ସ୍ଵପ୍ନଦର୍ଶକ ଉଠି ତୁମ୍ଭକୁ କୌଣସି ଚିହ୍ନ କିମ୍ବା ଅଦ୍ଭୁତ ଲକ୍ଷଣ ଦେଖାଏ, 2ପୁଣି ସେ ଯେଉଁ ଚିହ୍ନ କିମ୍ବା ଅଦ୍ଭୁତ ଲକ୍ଷଣ ବିଷୟରେ କହିଥିଲା, ତାହା ସଫଳ ହୁଏ, ଆଉ ସେ କହେ, “ଆସ, ତୁମ୍ଭେ ଯେଉଁ ଅନ୍ୟ ଦେବତାମାନଙ୍କୁ ଜାଣି ନାହଁ, ସେମାନଙ୍କ ପଛେ ପଛେ ଯାଉ ଓ ସେମାନଙ୍କ ସେବା କରୁ,” 3ତେବେ ସେହି ଭାବବାଦୀ କିମ୍ବା ସ୍ଵପ୍ନଦର୍ଶକର ବାକ୍ୟ ଶୁଣ ନାହିଁ। ତୁମ୍ଭମାନଙ୍କ ପିତା ତୁମ୍ଭମାନଙ୍କୁ ପରୀକ୍ଷା କରୁଅଛନ୍ତି, ଯେପରି ତୁମ୍ଭେମାନେ ଆପଣା ସମସ୍ତ ଅନ୍ତଃକରଣ ଓ ସମସ୍ତ ପ୍ରାଣ ସହିତ ଆପଣା ପିତାଙ୍କୁ ପ୍ରେମ କର କି ନାହିଁ, ତାହା ସେ ଜାଣିପାରନ୍ତି। 4ତୁମ୍ଭେମାନେ ଆପଣା ପିତାଙ୍କ ପଛେ ପଛେ ଚାଲ, ତାହାଙ୍କୁ ଭୟ କର, ତାହାଙ୍କ ଆଜ୍ଞା ପାଳନ କର, ତାହାଙ୍କ ରବରେ ମନୋଯୋଗ କର, ତାହାଙ୍କ ସେବା କର ଓ ତାହାଙ୍କଠାରେ ଆସକ୍ତ ହୁଅ। 5ପୁଣି ସେହି ଭାବବାଦୀ କିମ୍ବା ସ୍ଵପ୍ନଦର୍ଶକ ହତ ହେବ, କାରଣ ଯେଉଁ ତୁମ୍ଭମାନଙ୍କ ପିତା ତୁମ୍ଭମାନଙ୍କୁ ମିସର ଦେଶରୁ ବାହାର କରି ଆଣିଲେ ଓ ଦାସଗୃହରୁ ମୁକ୍ତ କଲେ, ତାହାଙ୍କ ବିରୁଦ୍ଧରେ ସେ ବିଦ୍ରୋହର କଥା କହିଲା, ଯେପରି ତୁମ୍ଭମାନଙ୍କ ପିତା ତୁମ୍ଭକୁ ଯେଉଁ ପଥରେ ଚାଲିବା ନିମନ୍ତେ ଆଜ୍ଞା ଦେଇଥିଲେ, ସେଥିରୁ ତୁମ୍ଭକୁ ବିପଥଗାମୀ କରାଏ। ଏହିପରି ତୁମ୍ଭେ ଆପଣା ମଧ୍ୟରୁ ସେହି ମନ୍ଦତା ଦୂର କରିବ।
6ଯଦି ତୁମ୍ଭର ଭାଇ, ତୁମ୍ଭ ମାତାର ପୁତ୍ର, କିମ୍ବା ତୁମ୍ଭର ପୁତ୍ର ଅବା କନ୍ୟା, ଅବା ତୁମ୍ଭ ବକ୍ଷସ୍ଥିତା ଭାର୍ଯ୍ୟା, କିମ୍ବା ତୁମ୍ଭ ପ୍ରାଣ ତୁଲ୍ୟ ପ୍ରିୟ ବନ୍ଧୁ ଗୋପନରେ ତୁମ୍ଭକୁ ଭୁଲାଇ କହେ, “ଆସ, ଆମ୍ଭେମାନେ ଯାଇ ଅନ୍ୟ ଦେବତାମାନଙ୍କ ସେବା କରୁ”—ଯେଉଁ ଦେବତାମାନଙ୍କୁ ତୁମ୍ଭେ କି ତୁମ୍ଭ ପିତୃପୁରୁଷମାନେ କେବେ ଜାଣି ନ ଥିଲେ, 7ଅର୍ଥାତ୍ ତୁମ୍ଭ ଚତୁର୍ଦିଗସ୍ଥ ନିକଟବର୍ତ୍ତୀ କିମ୍ବା ଦୂରବର୍ତ୍ତୀ, ପୃଥିବୀର ଏକ ପ୍ରାନ୍ତରୁ ଅନ୍ୟ ପ୍ରାନ୍ତ ପର୍ଯ୍ୟନ୍ତ ଥିବା ଲୋକମାନଙ୍କର ଦେବତାଗଣ। 8ତୁମ୍ଭେ ତାହାର କଥାରେ ସମ୍ମତ ହୁଅ ନାହିଁ କି ତାହା କଥା ଶୁଣ ନାହିଁ; ପୁଣି ତାହାକୁ ଦୟା କର ନାହିଁ, ରକ୍ଷା କର ନାହିଁ କି ଲୁଚାଅ ନାହିଁ। 9ବରଂ ତୁମ୍ଭେ ଅବଶ୍ୟ ତାହାକୁ ବଧ କରିବ। ତାହାକୁ ବଧ କରିବା ନିମନ୍ତେ ପ୍ରଥମେ ତୁମ୍ଭର ହସ୍ତ, ତହିଁ ଉତ୍ତାରେ ସମସ୍ତ ଲୋକଙ୍କ ହସ୍ତ ଉଠିବ। 10ତୁମ୍ଭେ ତାହାକୁ ପଥର ମାରି ବଧ କରିବ, କାରଣ ଯେଉଁ ତୁମ୍ଭମାନଙ୍କ ପିତା ତୁମ୍ଭକୁ ମିସର ଦେଶରୁ, ଦାସଗୃହରୁ ବାହାର କରି ଆଣିଲେ, ତାହାଙ୍କଠାରୁ ତୁମ୍ଭକୁ ବିମୁଖ କରିବାକୁ ସେ ଚେଷ୍ଟା କଲା। 11ତହିଁରେ ସମଗ୍ର ଇସ୍ରାଏଲ ଶୁଣି ଭୀତ ହେବେ, ପୁଣି ତୁମ୍ଭମାନଙ୍କ ମଧ୍ୟରେ ଏହିପରି ମନ୍ଦ କର୍ମ ଆଉ କେବେ କରିବେ ନାହିଁ।
12ଯଦି ତୁମ୍ଭମାନଙ୍କ ପିତା ବାସ କରିବା ନିମନ୍ତେ ତୁମ୍ଭକୁ ଯେଉଁ ନଗରସମୂହ ଦେଉଅଛନ୍ତି, ତହିଁ ମଧ୍ୟରୁ କୌଣସି ଏକ ନଗର ବିଷୟରେ ତୁମ୍ଭେ ଏହା ଶୁଣ ଯେ, 13ତୁମ୍ଭ ମଧ୍ୟରୁ କେତେକ ପାପାଧମ ଲୋକ ବାହାରି ଯାଇ ଆପଣା ନଗରବାସୀମାନଙ୍କୁ ଏହା କହି ବିପଥଗାମୀ କରିଅଛନ୍ତି, “ଆସ, ଆମ୍ଭେମାନେ ଯାଇ ତୁମ୍ଭେମାନେ ଯେଉଁ ଦେବତାମାନଙ୍କୁ ଜାଣି ନାହଁ, ସେମାନଙ୍କ ସେବା କରୁ,” 14ତେବେ ତୁମ୍ଭେ ଅନୁସନ୍ଧାନ, ଅନୁଚିନ୍ତନ ଓ ଉତ୍ତମ ରୂପେ ଜିଜ୍ଞାସା କରିବ। ଯଦି ତାହା ସତ୍ୟ ଓ ନିଶ୍ଚିତ ହୁଏ ଯେ, ତୁମ୍ଭମାନଙ୍କ ମଧ୍ୟରେ ଏହି ଘୃଣ୍ୟ କର୍ମ କରାଯାଇଅଛି, 15ତେବେ ତୁମ୍ଭେ ଅବଶ୍ୟ ସେହି ନଗରନିବାସୀମାନଙ୍କୁ ଖଡ୍ଗଧାରରେ ଆଘାତ କରିବ, ପୁଣି ତାହା ଓ ତନ୍ମଧ୍ୟସ୍ଥ ସକଳ, ଆଉ ତହିଁର ପଶୁଗଣ, ଏସମସ୍ତ ଖଡ୍ଗଧାରରେ ସମ୍ପୂର୍ଣ୍ଣ ରୂପେ ବିନାଶ କରିବ। 16ତୁମ୍ଭେ ତହିଁର ସମସ୍ତ ଲୁଟଦ୍ରବ୍ୟ ତହିଁ ଛକର ମଧ୍ୟସ୍ଥାନରେ ଏକତ୍ର କରିବ, ପୁଣି ସେହି ନଗର ଓ ତହିଁର ସମସ୍ତ ଲୁଟଦ୍ରବ୍ୟ ତୁମ୍ଭମାନଙ୍କ ପିତାଙ୍କ ଉଦ୍ଦେଶ୍ୟରେ ସମ୍ପୂର୍ଣ୍ଣ ହୋମବଳି ରୂପେ ଅଗ୍ନିରେ ଦଗ୍ଧ କରିବ। ତାହା ଚିରକାଳ ଢିପି ହୋଇ ରହିବ, ଆଉ କେବେ ପୁନର୍ନିର୍ମିତ ହେବ ନାହିଁ। 17ବର୍ଜିତ ବସ୍ତୁରୁ କିଛି ତୁମ୍ଭ ହସ୍ତରେ ନ ଲାଗୁ, ଯେପରି ତୁମ୍ଭମାନଙ୍କ ପିତା ଆପଣା ପ୍ରଜ୍ଵଳିତ କ୍ରୋଧରୁ ନିବୃତ୍ତ ହୋଇ ତୁମ୍ଭକୁ କୃପା ଦେଖାଇବେ ଓ ତୁମ୍ଭ ପ୍ରତି ଦୟା କରିବେ, ପୁଣି ତୁମ୍ଭର ପିତୃପୁରୁଷମାନଙ୍କ ନିକଟରେ ଯେପରି ଶପଥ କରିଥିଲେ, ସେହିପରି ତୁମ୍ଭକୁ ବହୁବଂଶ କରିବେ, 18ଯଦି ତୁମ୍ଭେ ଆପଣା ପିତାଙ୍କ ରବରେ ମନୋଯୋଗ କରି, ଆଜି ମୁଁ ତୁମ୍ଭକୁ ଯେଉଁ ସମସ୍ତ ଆଜ୍ଞା ଦେଉଅଛି, ତାହା ପାଳନ କର, ଆଉ ତୁମ୍ଭମାନଙ୍କ ପିତାଙ୍କ ଦୃଷ୍ଟିରେ ଯାହା ଯଥାର୍ଥ, ତାହା କର।