ଯିହୋରାମ ଆମ୍ଭମାନଙ୍କ ପିତାଙ୍କ ପଥରୁ ବିମୁଖ ହୁଅନ୍ତି
ଯିହୋରାମ ନିଜର ସମସ୍ତ ଭାଇଙ୍କୁ ହତ୍ୟା କରି ସିଂହାସନ ସୁରକ୍ଷିତ କରନ୍ତି, ଆହାବଙ୍କ ବଂଶର ପଥରେ ଚାଲନ୍ତି, ଏବଂ ଯିହୁଦାକୁ ଆମ ପିତାଙ୍କଠାରୁ ଦୂରେଇ ପ୍ରତିମାପୂଜାରେ ନେଇଯାଆନ୍ତି। ଏଲିୟଙ୍କ ପତ୍ର ମହାମାରୀ ଓ ଏକ କ୍ଷୟକାରୀ ରୋଗ ବିଷୟରେ ଚେତାବନୀ ଦିଏ। ଆଠ ବର୍ଷ ପରେ ସେ ଯନ୍ତ୍ରଣାରେ ମରନ୍ତି, କେହି ଶୋକ କରନ୍ତି ନାହିଁ, ଏବଂ ରାଜାମାନଙ୍କ କବର ବାହାରେ ତାଙ୍କୁ କବର ଦିଆଯାଏ।
21 1ଯିହୋଶାଫଟ୍ ଆପଣା ପିତୃଲୋକଙ୍କ ସହିତ ବିଶ୍ରାମ କଲେ ଓ ଦାଉଦ-ନଗରରେ ସେମାନଙ୍କ ସଙ୍ଗେ କବର ପାଇଲେ; ପୁଣି ତାହାଙ୍କ ପୁତ୍ର ଯିହୋରାମ ତାହାଙ୍କ ପଦରେ ରାଜ୍ୟ କଲେ। 2ଯିହୋଶାଫଟ୍ଙ୍କ ପୁତ୍ର ଯିହୋରାମଙ୍କ ଭ୍ରାତୃଗଣ ଏହି, ଅର୍ଥାତ୍ ଅସରୀୟ, ଯିହୀୟେଲ, ଜିଖରୀୟ, ଅସରୀୟ, ମୀଖାୟେଲ ଓ ଶଫଟୀୟ। ଏସମସ୍ତେ ଇସ୍ରାଏଲର ରାଜା ଯିହୋଶାଫଟ୍ଙ୍କ ପୁତ୍ର ଥିଲେ। 3ସେମାନଙ୍କ ପିତା ସେମାନଙ୍କୁ ରୂପା, ସୁନା ଓ ବହୁମୂଲ୍ୟ ଦ୍ରବ୍ୟ ଆଦି ଅନେକ ଉପହାର, ପୁଣି ଯିହୂଦା ଦେଶସ୍ଥ ପ୍ରାଚୀର-ବେଷ୍ଟିତ ନଗରସମୂହ ଦେଲେ; ମାତ୍ର ଯିହୋରାମ ଜ୍ୟେଷ୍ଠ ହେବାରୁ ସେ ତାହାଙ୍କୁ ରାଜ୍ୟ ଦେଲେ। 4ଯିହୋରାମ ଆପଣା ପିତାଙ୍କ ରାଜ୍ୟ ଉପରେ ଉଠି ଆପଣାକୁ ଦୃଢ଼ କଲା ଉତ୍ତାରେ ଆପଣା ଭ୍ରାତୃଗଣ ସମସ୍ତଙ୍କୁ ଓ ଇସ୍ରାଏଲର କେତେକ ଅଧିପତିଙ୍କୁ ମଧ୍ୟ ଖଡ୍ଗ ଦ୍ଵାରା ବଧ କଲା। 5ଯିହୋରାମ ରାଜ୍ୟ କରିବାକୁ ଆରମ୍ଭ କରିବା ସମୟରେ ବତିଶ ବର୍ଷ ବୟସ୍କ ଥିଲା, ପୁଣି ସେ ଯିରୂଶାଲମରେ ଆଠ ବର୍ଷ ରାଜ୍ୟ କଲା। 6ଆହାବ-ବଂଶ ଯେପରି କରିଥିଲେ, ସେପରି ସେ ଇସ୍ରାଏଲର ରାଜାମାନଙ୍କ ପଥରେ ଚାଲିଲା, କାରଣ ଆହାବର କନ୍ୟା ତାହାର ଭାର୍ଯ୍ୟା ଥିଲା; ଆଉ ସେ ଆମ୍ଭମାନଙ୍କ ପିତାଙ୍କ ଦୃଷ୍ଟିରେ କୁକର୍ମ କଲା। 7ତଥାପି ଆମ୍ଭମାନଙ୍କ ପିତା ଦାଉଦଙ୍କ ବଂଶକୁ ବିନାଶ କରିବାକୁ ଅସମ୍ମତ ହେଲେ, କାରଣ ସେ ଦାଉଦଙ୍କ ସହିତ ନିୟମ ସ୍ଥାପନ କରିଥିଲେ, ପୁଣି ତାହାଙ୍କୁ ଓ ତାହାଙ୍କ ପୁତ୍ରଗଣଙ୍କୁ ସଦାକାଳ ନିମନ୍ତେ ଏକ ପ୍ରଦୀପ ଦେବା ପାଇଁ ପ୍ରତିଜ୍ଞା କରିଥିଲେ। a a v7 ଏକ ‘ପ୍ରଦୀପ’ ଅବିଚ୍ଛିନ୍ନ ରାଜବଂଶକୁ ଚିତ୍ରିତ କରେ — ଦାଉଦଙ୍କ ସିଂହାସନ ଉପରେ ସର୍ବଦା ରାଜ୍ୟ କରୁଥିବା ଜଣେ ବଂଶଧର।
8ଯିହୋରାମର ସମୟରେ ଇଦୋମ ଯିହୂଦାର ଅଧୀନତାର ବିରୁଦ୍ଧରେ ବିଦ୍ରୋହ କଲା ଓ ଆପଣାମାନଙ୍କ ପାଇଁ ଏକ ରାଜା ନିଯୁକ୍ତ କଲା। 9ତହିଁରେ ଯିହୋରାମ ଆପଣା ସେନାପତିଗଣ ଓ ସମସ୍ତ ରଥ ସଙ୍ଗେ ନେଇ ପାର ହୋଇ ଗଲା। ସେ ରାତ୍ରିରେ ଉଠି ଆପଣାକୁ ବେଷ୍ଟନକାରୀ ଇଦୋମୀୟମାନଙ୍କୁ ଓ ରଥାଧ୍ୟକ୍ଷଗଣଙ୍କୁ ଆଘାତ କଲା। 10ତେଣୁ ଇଦୋମ ଯିହୂଦାର ଅଧୀନତାର ବିରୁଦ୍ଧରେ ଆଜି ପର୍ଯ୍ୟନ୍ତ ବିଦ୍ରୋହୀ ହୋଇ ରହିଅଛି; ସେହି ସମୟରେ ଲିବ୍ନା ମଧ୍ୟ ବିଦ୍ରୋହ କଲା, କାରଣ ସେ ଆପଣା ପିତୃଲୋକଙ୍କ ଈଶ୍ଵର ଆମ୍ଭମାନଙ୍କ ପିତାଙ୍କୁ ପରିତ୍ୟାଗ କରିଥିଲା।
11ଆହୁରି ସେ ଯିହୂଦାର ପର୍ବତଗଣ ଉପରେ ଉଚ୍ଚସ୍ଥଳୀ ନିର୍ମାଣ କଲା, ଯିରୂଶାଲମ ନିବାସୀମାନଙ୍କୁ ବ୍ୟଭିଚାର କରାଇଲା ଓ ଯିହୂଦାକୁ ବିପଥଗାମୀ କଲା।
12ଏଥିଉତ୍ତାରେ ଭବିଷ୍ୟଦ୍ବକ୍ତା ଏଲିୟଙ୍କଠାରୁ ତାହା ନିକଟକୁ ଏକ ପତ୍ର ଆସିଲା, ତହିଁରେ ଲେଖାଥିଲା, “ତୁମ୍ଭ ପୂର୍ବପୁରୁଷ ଦାଉଦଙ୍କ ଈଶ୍ଵର, ତୁମ୍ଭ ପିତା ଏହା କହୁଅଛନ୍ତି, ତୁମ୍ଭେ ଆପଣା ପିତା ଯିହୋଶାଫଟ୍ଙ୍କ ପଥରେ କିମ୍ବା ଯିହୂଦାର ରାଜା ଆସାର ପଥରେ ନ ଚାଲି,” 13ମାତ୍ର ଇସ୍ରାଏଲର ରାଜାମାନଙ୍କ ପରି ଚାଲିଅଛ, ପୁଣି ଆହାବ-ବଂଶ ଯେପରି ଇସ୍ରାଏଲକୁ ବ୍ୟଭିଚାର କରାଇଲେ, ସେପରି ତୁମ୍ଭେ ଯିହୂଦା ଓ ଯିରୂଶାଲମ ନିବାସୀମାନଙ୍କୁ ବ୍ୟଭିଚାର କରାଇଅଛ, ଆଉ ତୁମ୍ଭ ଅପେକ୍ଷା ଉତ୍ତମ ଯେଉଁମାନେ, ତୁମ୍ଭ ପିତୃଗୃହର ସେହି ଭ୍ରାତୃଗଣଙ୍କୁ ବଧ କରିଅଛ, 14ଏହେତୁ ଦେଖ, ତୁମ୍ଭ ପିତା ତୁମ୍ଭ ଲୋକମାନଙ୍କୁ, ତୁମ୍ଭ ସନ୍ତାନଗଣଙ୍କୁ, ତୁମ୍ଭ ଭାର୍ଯ୍ୟାମାନଙ୍କୁ ଓ ତୁମ୍ଭ ସମସ୍ତ ସମ୍ପତ୍ତିକୁ ଏକ ମହାମାରୀ ଦ୍ଵାରା ଆଘାତ କରିବେ। 15ପୁଣି ତୁମ୍ଭର ଅନ୍ତ୍ରର ଏକ ଗୁରୁତର ପୀଡ଼ା ହେବ, ତହିଁରେ ଦିନକୁ ଦିନ ତୁମ୍ଭର ଅନ୍ତ୍ର ବାହାର ହୋଇଯିବ ପର୍ଯ୍ୟନ୍ତ ତୁମ୍ଭର ଏହି ପୀଡ଼ା ରହିବ।
16ଏଉତ୍ତାରେ ଆମ୍ଭମାନଙ୍କ ପିତା ଯିହୋରାମ ବିରୁଦ୍ଧରେ ପଲେଷ୍ଟୀୟ ଓ କୂଶୀୟମାନଙ୍କ ନିକଟବର୍ତ୍ତୀ ଆରବୀୟମାନଙ୍କ ଆତ୍ମାକୁ ଉତ୍ତେଜିତ କଲେ। 17ତହିଁରେ ସେମାନେ ଯିହୂଦା ଉପରେ ଆକ୍ରମଣ କଲେ ଓ ତହିଁ ମଧ୍ୟରେ ପ୍ରବେଶ କରି ରାଜଗୃହରେ ଯେଉଁ ସମସ୍ତ ସମ୍ପତ୍ତି ପାଇଲେ, ତାହା ଆଉ ତାହାର ପୁତ୍ରଗଣ ଓ ଭାର୍ଯ୍ୟାମାନଙ୍କୁ ହରଣ କରି ନେଇଗଲେ, ତେଣୁ ତାହାର କନିଷ୍ଠ ପୁତ୍ର ଯିହୋୟାହସ୍ ବିନା ଆଉ କୌଣସି ପୁତ୍ର ତାହାର ରହିଲା ନାହିଁ।
18ଏସମସ୍ତ ଉତ୍ତାରେ ଆମ୍ଭମାନଙ୍କ ପିତା ତାହାକୁ ତାହାର ଅନ୍ତ୍ରରେ ଏକ ଅପ୍ରତିକାର୍ଯ୍ୟ ପୀଡ଼ା ଦ୍ଵାରା ଆଘାତ କଲେ। 19କାଳକ୍ରମେ ଦୁଇ ବର୍ଷ ଗତ ହେଲା ଉତ୍ତାରେ ତାହାର ପୀଡ଼ା ସକାଶୁ ତାହାର ଅନ୍ତ୍ର ବାହାର ହୋଇଗଲା, ପୁଣି ସେ ଦୁଃସହ ଯନ୍ତ୍ରଣାରେ ମଲା। ତାହାର ପିତୃଲୋକମାନଙ୍କ ନିମନ୍ତେ ଯେପରି ଦାହ କରାଯାଇଥିଲା, ସେହିପରି ତାହାର ଲୋକମାନେ ତାହା ନିମନ୍ତେ କୌଣସି ଦାହ କଲେ ନାହିଁ। 20ସେ ରାଜ୍ୟ କରିବାକୁ ଆରମ୍ଭ କରିବା ସମୟରେ ବତିଶ ବର୍ଷ ବୟସ୍କ ଥିଲା; ପୁଣି ସେ ଯିରୂଶାଲମରେ ଆଠ ବର୍ଷ ରାଜ୍ୟ କଲା। ସେ କାହାର ଶୋକ ବିନା ମଲା ଓ ଦାଉଦ-ନଗରରେ କବର ପାଇଲା, ମାତ୍ର ରାଜାମାନଙ୍କ କବରସ୍ଥାନରେ ନୁହେଁ।