ଆମ୍ଭମାନଙ୍କ ପିତାଙ୍କ ମହିମା ପ୍ରକାଶିତ ହୁଏ
ଅଷ୍ଟମ ଦିନରେ ହାରୋଣ ଠିକ୍ ଆଜ୍ଞା ଅନୁସାରେ ପ୍ରଥମେ ନିଜ ପାଇଁ ଓ ତାʼପରେ ଲୋକମାନଙ୍କ ପାଇଁ ବଳି ଉତ୍ସର୍ଗ କରନ୍ତି। ସେ ସେମାନଙ୍କୁ ଆଶୀର୍ବାଦ କରନ୍ତି, ଏବଂ ଆମର ପିତାଙ୍କ ମହିମା ପ୍ରକାଶିତ ହୁଏ — ଅଗ୍ନି ବାହାରି ନୈବେଦ୍ୟକୁ ଗ୍ରାସ କରେ, ଏବଂ ସମସ୍ତ ଲୋକ ଆନନ୍ଦରେ ଜୟଧ୍ୱନି କରି ଉବୁଡ଼ ହୋଇ ପଡ଼ନ୍ତି।
9 1ଅଷ୍ଟମ ଦିନରେ ମୋଶା ହାରୋଣ, ତାଙ୍କ ପୁତ୍ରମାନଙ୍କୁ ଓ ଇସ୍ରାଏଲର ପ୍ରାଚୀନବର୍ଗଙ୍କୁ ଡାକିଲେ। 2ସେ ହାରୋଣଙ୍କୁ କହିଲେ, “ତୁମ୍ଭେ ଆପଣା ନିମନ୍ତେ ପାପାର୍ଥକ ବଳି ରୂପେ ଗୋଟିଏ ବାଛୁରି ଓ ହୋମାର୍ଥକ ବଳି ରୂପେ ଗୋଟିଏ ମେଷ, ଉଭୟ ନିର୍ଦ୍ଦୋଷ, ନେଇ ଆମ୍ଭମାନଙ୍କ ପିତାଙ୍କ ସମ୍ମୁଖରେ ଉତ୍ସର୍ଗ କର। 3ଆଉ ଇସ୍ରାଏଲ-ସନ୍ତାନମାନଙ୍କୁ କୁହ, ତୁମ୍ଭେମାନେ ପାପାର୍ଥକ ବଳି ନିମନ୍ତେ ଗୋଟିଏ ଛାଗ ଓ ହୋମାର୍ଥକ ବଳି ନିମନ୍ତେ ଏକ ବର୍ଷୀୟ ଗୋଟିଏ ବାଛୁରି ଓ ଗୋଟିଏ ମେଷଶାବକ, ଉଭୟ ନିର୍ଦ୍ଦୋଷ, ନିଅ। 4ପୁଣି ମଙ୍ଗଳାର୍ଥକ ବଳି ନିମନ୍ତେ ଗୋଟିଏ ବୃଷ ଓ ଗୋଟିଏ ମେଷ, ଆମ୍ଭମାନଙ୍କ ପିତାଙ୍କ ସମ୍ମୁଖରେ ବଳିଦାନ କରିବା ନିମନ୍ତେ, ଆଉ ତୈଳ ମିଶ୍ରିତ ଭକ୍ଷ୍ୟ-ନୈବେଦ୍ୟ ନିଅ; କାରଣ ଆଜି ଆମ୍ଭମାନଙ୍କ ପିତା ତୁମ୍ଭମାନଙ୍କ ନିକଟରେ ଦର୍ଶନ ଦେବେ।”
5ତହିଁରେ ମୋଶା ଯାହା ଆଜ୍ଞା ଦେଇଥିଲେ, ତାହା ସେମାନେ ସମାଗମ-ତମ୍ବୁର ପ୍ରବେଶ-ଦ୍ଵାର ନିକଟକୁ ଆଣିଲେ; ପୁଣି ସମଗ୍ର ମଣ୍ଡଳୀ ନିକଟକୁ ଆସି ଆମ୍ଭମାନଙ୍କ ପିତାଙ୍କ ସମ୍ମୁଖରେ ଠିଆ ହେଲେ। 6ଆଉ ମୋଶା କହିଲେ, “ଆମ୍ଭମାନଙ୍କ ପିତା ଯାହା ଆଜ୍ଞା ଦେଇଅଛନ୍ତି, ତାହା କର, ତେବେ ଆମ୍ଭମାନଙ୍କ ପିତାଙ୍କ ମହିମା ତୁମ୍ଭମାନଙ୍କ ନିକଟରେ ପ୍ରକାଶିତ ହେବ।” 7ପୁଣି ମୋଶା ହାରୋଣଙ୍କୁ କହିଲେ, “ବେଦି ନିକଟକୁ ଆସ। ଆପଣା ପାପାର୍ଥକ ବଳି ଓ ହୋମାର୍ଥକ ବଳି ଉତ୍ସର୍ଗ କରି ଆପଣା ନିମନ୍ତେ ଓ ଲୋକମାନଙ୍କ ନିମନ୍ତେ ପ୍ରାୟଶ୍ଚିତ୍ତ କର। ଆଉ ଲୋକମାନଙ୍କ ନୈବେଦ୍ୟ ଉତ୍ସର୍ଗ କରି ସେମାନଙ୍କ ନିମନ୍ତେ ପ୍ରାୟଶ୍ଚିତ୍ତ କର, ଯେପରି ଆମ୍ଭମାନଙ୍କ ପିତା ଆଜ୍ଞା ଦେଇଅଛନ୍ତି।”
8ତେଣୁ ହାରୋଣ ବେଦି ନିକଟକୁ ଯାଇ ଆପଣା ନିମନ୍ତେ ଥିବା ପାପାର୍ଥକ ବଳିର ବାଛୁରିକୁ ବଧ କଲେ। 9ଆଉ ହାରୋଣଙ୍କ ପୁତ୍ରମାନେ ତାଙ୍କ ନିକଟକୁ ରକ୍ତ ଆଣିଲେ; ପୁଣି ସେ ତହିଁରେ ଆପଣା ଅଙ୍ଗୁଳି ବୁଡ଼ାଇ ବେଦିର ଶୃଙ୍ଗ ଉପରେ ଦେଲେ ଓ ଅବଶିଷ୍ଟ ରକ୍ତ ବେଦିର ମୂଳ ନିକଟରେ ଢାଳିଲେ। 10ମାତ୍ର ପାପାର୍ଥକ ବଳିର ମେଦ, ଦୁଇ ଗୁରୁଦା ଓ ଯକୃତର ଉପରିସ୍ଥ ଆନ୍ତ୍ରପୁଟୁଳି ସେ ବେଦି ଉପରେ ଦଗ୍ଧ କଲେ, ଯେପରି ଆମ୍ଭମାନଙ୍କ ପିତା ମୋଶାଙ୍କୁ ଆଜ୍ଞା ଦେଇଥିଲେ। 11ଆଉ ମାଂସ ଓ ଚର୍ମ ସେ ଛାଉଣି ବାହାରେ ଅଗ୍ନିରେ ଦଗ୍ଧ କଲେ। 12ତାʼପରେ ସେ ହୋମାର୍ଥକ ବଳିକୁ ବଧ କଲେ। ପୁଣି ହାରୋଣଙ୍କ ପୁତ୍ରମାନେ ତାଙ୍କୁ ରକ୍ତ ଦେଲେ, ଆଉ ସେ ତାହା ବେଦିର ଚାରିଆଡ଼େ ସିଞ୍ଚିଲେ। 13ପୁଣି ସେମାନେ ହୋମାର୍ଥକ ବଳିକୁ ଖଣ୍ଡ ଖଣ୍ଡ କରି ମସ୍ତକ ସହିତ ତାଙ୍କୁ ଦେଲେ, ଆଉ ସେ ତାହା ବେଦି ଉପରେ ଦଗ୍ଧ କଲେ। 14ଆଉ ସେ ଅନ୍ତ ଓ ଜଙ୍ଘ ଧୋଇ ବେଦି ଉପରେ ହୋମାର୍ଥକ ବଳି ସହିତ ଦଗ୍ଧ କଲେ। 15ତେବେ ସେ ଲୋକମାନଙ୍କ ନୈବେଦ୍ୟ ଆଣିଲେ; ପୁଣି ଲୋକମାନଙ୍କ ପାପାର୍ଥକ ବଳିର ଛାଗକୁ ନେଇ ବଧ କଲେ, ଆଉ ପ୍ରଥମଟି ପରି ତାହା ପାପ ନିମନ୍ତେ ଉତ୍ସର୍ଗ କଲେ। 16ପୁଣି ସେ ହୋମାର୍ଥକ ବଳି ଉପସ୍ଥିତ କରି ବିଧି ଅନୁସାରେ ତାହା ଉତ୍ସର୍ଗ କଲେ। 17ଆଉ ସେ ଭକ୍ଷ୍ୟ-ନୈବେଦ୍ୟ ଆଣି ତହିଁରୁ ଏକ ମୁଠା ନେଇ ପ୍ରାତଃକାଳୀନ ହୋମାର୍ଥକ ବଳି ବ୍ୟତୀତ ତାହା ବେଦି ଉପରେ ଦଗ୍ଧ କଲେ। 18ପୁଣି ସେ ଲୋକମାନଙ୍କ ମଙ୍ଗଳାର୍ଥକ ବଳିଦାନର ବୃଷ ଓ ମେଷକୁ ବଧ କଲେ, ଆଉ ହାରୋଣଙ୍କ ପୁତ୍ରମାନେ ତାଙ୍କ ନିକଟକୁ ରକ୍ତ ଆଣିଲେ, ଆଉ ସେ ତାହା ବେଦିର ଚାରିଆଡ଼େ ସିଞ୍ଚିଲେ। 19ମାତ୍ର ବୃଷ ଓ ମେଷର ମେଦ, ଅର୍ଥାତ୍ ମେଦମୟ ଲାଙ୍ଗୁଳ, ଅନ୍ତ ଆଚ୍ଛାଦକ ମେଦ, ଦୁଇ ଗୁରୁଦା ଓ ଯକୃତର ଉପରିସ୍ଥ ଆନ୍ତ୍ରପୁଟୁଳି— 20ସେମାନେ ଏହି ମେଦଖଣ୍ଡସବୁ ବକ୍ଷ ଉପରେ ରଖିଲେ, ଆଉ ସେ ସେହି ମେଦଖଣ୍ଡସବୁ ବେଦି ଉପରେ ଦଗ୍ଧ କଲେ। 21ମାତ୍ର ବକ୍ଷ ଓ ଦକ୍ଷିଣ ଜଙ୍ଘ ହାରୋଣ ଦୋଳନୀୟ ନୈବେଦ୍ୟ ରୂପେ ଆମ୍ଭମାନଙ୍କ ପିତାଙ୍କ ସମ୍ମୁଖରେ ଦୋଳାଇଲେ, ଯେପରି ମୋଶା ଆଜ୍ଞା ଦେଇଥିଲେ। 22ଆଉ ହାରୋଣ ଲୋକମାନଙ୍କ ଆଡ଼କୁ ଆପଣା ହସ୍ତ ଉଠାଇ ସେମାନଙ୍କୁ ଆଶୀର୍ବାଦ କଲେ, ତାʼପରେ ପାପାର୍ଥକ, ହୋମାର୍ଥକ ଓ ମଙ୍ଗଳାର୍ଥକ ବଳି ଉତ୍ସର୍ଗ କରିସାରି ଓହ୍ଲାଇ ଆସିଲେ।
23ପୁଣି ମୋଶା ଓ ହାରୋଣ ସମାଗମ-ତମ୍ବୁ ଭିତରକୁ ଯାଇ ବାହାରକୁ ଆସି ଲୋକମାନଙ୍କୁ ଆଶୀର୍ବାଦ କଲେ; ଆଉ ଆମ୍ଭମାନଙ୍କ ପିତାଙ୍କ ମହିମା ସମସ୍ତ ଲୋକଙ୍କ ନିକଟରେ ପ୍ରକାଶିତ ହେଲା। 24ଆଉ ଆମ୍ଭମାନଙ୍କ ପିତାଙ୍କ ସମ୍ମୁଖରୁ ଅଗ୍ନି ନିର୍ଗତ ହୋଇ ବେଦି ଉପରିସ୍ଥ ହୋମାର୍ଥକ ବଳି ଓ ମେଦ ଗ୍ରାସ କଲା। ପୁଣି ସମସ୍ତ ଲୋକ ତାହା ଦେଖି ଆନନ୍ଦରେ ଜୟଧ୍ଵନି କଲେ ଓ ମୁହଁ ମାଡ଼ି ପଡ଼ିଲେ। a a v24 ଯେଉଁ ଅଗ୍ନି ପତିତ ହୋଇ ବଳି ଗ୍ରାସ କଲା, ତାହା ଆମ୍ଭମାନଙ୍କ ପିତାଙ୍କ ନିଜ ଉତ୍ତର ଥିଲା—ଲୋକମାନଙ୍କ ପକ୍ଷରୁ କରାଯାଇଥିବା ପ୍ରାୟଶ୍ଚିତ୍ତ ପ୍ରତି ତାହାଙ୍କ ଦୃଶ୍ୟମାନ ଗ୍ରହଣ, ଯାହା ସେମାନଙ୍କୁ ତାହାଙ୍କ ନିକଟକୁ ଆକର୍ଷଣ କରେ।