ମୁଦ୍ରଣରେ ଉପଲବ୍ଧ
ପୁସ୍ତକ

ବେଦି ନିକଟକୁ ପୁନରାଗମନ

ଧନସମ୍ପତ୍ତି ଯୋଗୁଁ ଅବ୍ରାମ ଓ ଲୋଟଙ୍କ ପଶୁପାଳକମାନଙ୍କ ମଧ୍ୟରେ ବିବାଦ ହୁଏ, ତେଣୁ ଅବ୍ରାମ ତାଙ୍କ ଭାଣଜାକୁ ପ୍ରଥମେ ବାଛିବାକୁ ଦିଅନ୍ତି। ଲୋଟ ଜଳସିକ୍ତ ଯର୍ଦ୍ଦନ ସମଭୂମି ନିଅନ୍ତି ଏବଂ ସଦୋମ ଆଡ଼କୁ ଗତି କରନ୍ତି। ଯାହା ବାକି ରହିଲା ତାହା ସହିତ ରହିଥିବା ଅବ୍ରାମଙ୍କୁ ଆମ ପିତା ଚାରିଆଡ଼େ ଦେଖିବାକୁ କହନ୍ତି: ଏହି ସମସ୍ତ ତାଙ୍କ ବଂଶଧରମାନଙ୍କର।

ଅଧ୍ୟାୟ 13।

ଅବ୍ରାମ, ତାଙ୍କ ଭାର୍ଯ୍ୟା, ତାଙ୍କର ସର୍ବସ୍ଵ ଓ ତାଙ୍କ ସଙ୍ଗେ ଲୋଟ ମିସରରୁ ଦକ୍ଷିଣ ପ୍ରଦେଶକୁ ଯାତ୍ରା କଲେ। ଅବ୍ରାମ ପଶୁଧନ, ରୂପା ଓ ସୁନାରେ ଅତ୍ୟନ୍ତ ସମୃଦ୍ଧିଶାଳୀ ହୋଇଥିଲେ। ପୁଣି ସେ ଦକ୍ଷିଣ ପ୍ରଦେଶରୁ ଯାତ୍ରା କରି କ୍ରମେ କ୍ରମେ ବେଥେଲ ପର୍ଯ୍ୟନ୍ତ, ଅର୍ଥାତ୍‍ ଯେଉଁ ସ୍ଥାନରେ ତାଙ୍କର ତମ୍ବୁ ପୂର୍ବେ ଥିଲା, ବେଥେଲ ଓ ଅୟ ମଧ୍ୟବର୍ତ୍ତୀ ସେହି ସ୍ଥାନକୁ ଗଲେ, ଯେଉଁଠାରେ ସେ ପ୍ରଥମେ ବେଦି ନିର୍ମାଣ କରିଥିଲେ। ସେହି ସ୍ଥାନରେ ଅବ୍ରାମ ଆମ୍ଭମାନଙ୍କ ପିତାଙ୍କ ନାମରେ ପ୍ରାର୍ଥନା କଲେ। ଅବ୍ରାମଙ୍କ ସଙ୍ଗେ ଯାତ୍ରା କରୁଥିବା ଲୋଟର ମଧ୍ୟ ଗୋମେଷାଦି ପଲ ଓ ତମ୍ବୁ ଥିଲା। ଏକତ୍ର ବାସ କରିବା ନିମନ୍ତେ ସେହି ଭୂମି ସେମାନଙ୍କୁ ଧରିପାରିଲା ନାହିଁ; କାରଣ ସେମାନଙ୍କ ସମ୍ପତ୍ତି ଏତେ ଅଧିକ ଥିଲା ଯେ ସେମାନେ ଏକତ୍ର ବାସ କରିପାରିଲେ ନାହିଁ। ଅବ୍ରାମଙ୍କ ପଶୁପାଳକ ଓ ଲୋଟର ପଶୁପାଳକମାନଙ୍କ ମଧ୍ୟରେ ବିବାଦ ଉପସ୍ଥିତ ହେଲା। ସେସମୟରେ କିଣାନୀୟ ଓ ପରିଜ୍ଜୀୟ ଲୋକମାନେ ସେହି ଦେଶରେ ବାସ କରୁଥିଲେ। ଅବ୍ରାମ ଲୋଟକୁ କହିଲେ, “ବିନୟ କରୁଅଛି, ତୁମ୍ଭ ଓ ମୋʼ ମଧ୍ୟରେ, ପୁଣି ତୁମ୍ଭ ପଶୁପାଳକ ଓ ମୋʼ ପଶୁପାଳକମାନଙ୍କ ମଧ୍ୟରେ ବିବାଦ ନ ହେଉ, କାରଣ ଆମ୍ଭେମାନେ ତ ଭାଇ। ସମ୍ପୂର୍ଣ୍ଣ ଦେଶ କʼଣ ତୁମ୍ଭ ସମ୍ମୁଖରେ ନାହିଁ? ବିନୟ କରୁଅଛି, ମୋʼଠାରୁ ପୃଥକ ହୁଅ; ଯେବେ ବାମ ଆଡ଼କୁ ଯିବ, ତେବେ ମୁଁ ଦକ୍ଷିଣ ଆଡ଼କୁ ଯିବି; ଅବା ଯେବେ ଦକ୍ଷିଣ ଆଡ଼କୁ ଯିବ, ତେବେ ମୁଁ ବାମ ଆଡ଼କୁ ଯିବି।”

ତହୁଁ ଲୋଟ ଅନାଇ ଦେଖିଲା ଯେ, ସୋୟର ପର୍ଯ୍ୟନ୍ତ ଯର୍ଦ୍ଦନର ସମସ୍ତ ପ୍ରାନ୍ତର ସର୍ବତ୍ର ସୁସିକ୍ତ, ଆମ୍ଭମାନଙ୍କ ପିତାଙ୍କ ଉଦ୍ୟାନ ତୁଲ୍ୟ, ମିସର ଦେଶ ତୁଲ୍ୟ। (ଆମ୍ଭମାନଙ୍କ ପିତା ସଦୋମ ଓ ହମୋରାକୁ ବିନଷ୍ଟ କରିବା ପୂର୍ବରୁ ଏହା ଥିଲା।) ତେଣୁ ଲୋଟ ଆପଣା ନିମନ୍ତେ ଯର୍ଦ୍ଦନର ସମସ୍ତ ପ୍ରାନ୍ତର ମନୋନୀତ କରି ପୂର୍ବ ଆଡ଼କୁ ଯାତ୍ରା କଲା; ଏହିରୂପେ ସେମାନେ ଏକ ଅନ୍ୟଠାରୁ ପୃଥକ ହେଲେ। ଅବ୍ରାମ କିଣାନ ଦେଶରେ ବାସ କଲେ; ମାତ୍ର ଲୋଟ ପ୍ରାନ୍ତରସ୍ଥ ନଗରସମୂହରେ ବାସ କରି ସଦୋମ ପର୍ଯ୍ୟନ୍ତ ତମ୍ବୁ ସ୍ଥାପନ କଲା। ସଦୋମର ଲୋକମାନେ ଦୁଷ୍ଟ ଓ ଆମ୍ଭମାନଙ୍କ ପିତାଙ୍କ ବିରୁଦ୍ଧରେ ମହାପାପୀ ଥିଲେ।

ଲୋଟ ଅବ୍ରାମଙ୍କଠାରୁ ପୃଥକ ହେଲା ଉତ୍ତାରେ ଆମ୍ଭମାନଙ୍କ ପିତା ଅବ୍ରାମଙ୍କୁ କହିଲେ, “ତୁମ୍ଭେ ଯେଉଁ ସ୍ଥାନରେ ଅଛ, ସେଠାରୁ ଅନାଇ ଉତ୍ତର, ଦକ୍ଷିଣ, ପୂର୍ବ ଓ ପଶ୍ଚିମ ଆଡ଼କୁ ଦୃଷ୍ଟିପାତ କର; କାରଣ ଏହି ଯେଉଁ ସମସ୍ତ ଦେଶ ତୁମ୍ଭେ ଦେଖୁଅଛ, ତାହା ଆମ୍ଭେ ତୁମ୍ଭକୁ ଓ ତୁମ୍ଭ ସନ୍ତାନଗଣକୁ ଅନନ୍ତକାଳ ନିମନ୍ତେ ଦେବା। ପୁଣି ଆମ୍ଭେ ତୁମ୍ଭ ସନ୍ତାନଗଣକୁ ପୃଥିବୀର ଧୂଳି ତୁଲ୍ୟ କରିବା; ଯେବେ କେହି ପୃଥିବୀର ଧୂଳି ଗଣିପାରେ, ତେବେ ତୁମ୍ଭ ସନ୍ତାନଗଣ ମଧ୍ୟ ଗଣାଯାଇ ପାରିବେ। ଉଠ, ଏହି ଦେଶର ଦୈର୍ଘ୍ୟ ଓ ପ୍ରସ୍ଥ ଦେଇ ଭ୍ରମଣ କର, କାରଣ ଆମ୍ଭେ ଏହା ତୁମ୍ଭକୁ ଦେବା।”

ତେଣୁ ଅବ୍ରାମ ଆପଣା ତମ୍ବୁ ନେଇ ଯାଇ ହିବ୍ରୋଣସ୍ଥିତ ମମ୍ରିର ଅଲୋନ ବୃକ୍ଷ ନିକଟରେ ବାସ କଲେ, ପୁଣି ସେହି ସ୍ଥାନରେ ଆମ୍ଭମାନଙ୍କ ପିତାଙ୍କ ଉଦ୍ଦେଶ୍ୟରେ ଏକ ବେଦି ନିର୍ମାଣ କଲେ।