ହାରୋଣ ଓ ତାହାଙ୍କ ପୁତ୍ରଗଣ ନିକଟକୁ ଆହୂତ
ଗୌରବ ଓ ସୌନ୍ଦର୍ଯ୍ୟ ପାଇଁ ନିର୍ମିତ ଯାଜକୀୟ ବସ୍ତ୍ର, ଏବଂ ଲୋକମାନଙ୍କୁ ବହନ କରିବା ପାଇଁ ନିର୍ମିତ: କାନ୍ଧ ପଥରରେ ଖୋଦିତ ଇସ୍ରାଏଲର ବାରଟି ନାମ, ଏବଂ ବକ୍ଷପଟରେ ରତ୍ନଖଚିତ ବାରଟି ଗୋଷ୍ଠୀ, ଯାହା ହାରୋଣ ଭିତରକୁ ଯିବା ବେଳେ ତାଙ୍କ ହୃଦୟ ଉପରେ ପିନ୍ଧନ୍ତି। ତାଙ୍କ କପାଳରେ ଏକ ସୁନା ପଟାରେ ଲେଖା ଅଛି: ପିତାଙ୍କ ପ୍ରତି ପବିତ୍ର।
28 1“ତୁମ୍ଭେ ଇସ୍ରାଏଲ ସନ୍ତାନଗଣ ମଧ୍ୟରୁ ଆପଣା ଭ୍ରାତା ହାରୋଣ ଓ ତାହାଙ୍କ ସଙ୍ଗେ ତାହାଙ୍କ ପୁତ୍ରମାନଙ୍କୁ, ଅର୍ଥାତ୍ ହାରୋଣ, ନାଦବ, ଅବୀହୂ, ଇଲୀୟାସର ଓ ଈଥାମରଙ୍କୁ, ଆମ୍ଭର ଯାଜକ କର୍ମ କରିବା ନିମନ୍ତେ ଆପଣା ନିକଟକୁ ଆଣ। ଏମାନେ ହାରୋଣଙ୍କ ପୁତ୍ର। 2ତୁମ୍ଭେ ଆପଣା ଭ୍ରାତା ହାରୋଣଙ୍କ ନିମନ୍ତେ ଗୌରବ ଓ ଶୋଭା ନିମନ୍ତେ ପବିତ୍ର ବସ୍ତ୍ର ପ୍ରସ୍ତୁତ କର। 3ଆମ୍ଭେ ଯେଉଁ ଜ୍ଞାନୀ ଲୋକମାନଙ୍କୁ ଜ୍ଞାନରୂପ ଆତ୍ମାରେ ପରିପୂର୍ଣ୍ଣ କରିଅଛୁ, ସେହି ସମସ୍ତଙ୍କୁ କୁହ, ସେମାନେ ହାରୋଣଙ୍କୁ ଆମ୍ଭର ଯାଜକ କର୍ମ କରିବା ନିମନ୍ତେ ପବିତ୍ର କରିବା ପାଇଁ ତାହାଙ୍କ ବସ୍ତ୍ର ପ୍ରସ୍ତୁତ କରନ୍ତୁ। 4ସେମାନେ ଯେଉଁ ବସ୍ତ୍ର ପ୍ରସ୍ତୁତ କରିବେ, ତାହା ଏହି: ବୁକୁପଟା, ଏଫୋଦ, ଚୋଗା, ବୁଣା ଅଙ୍ଗରଖା, ପଗଡ଼ି ଓ କଟିବନ୍ଧନୀ। ସେମାନେ ଯେପରି ଆମ୍ଭର ଯାଜକ କର୍ମ କରି ପାରିବେ, ଏଥିପାଇଁ ସେମାନେ ତୁମ୍ଭ ଭ୍ରାତା ହାରୋଣ ଓ ତାହାଙ୍କ ପୁତ୍ରମାନଙ୍କ ନିମନ୍ତେ ଏହିସବୁ ପବିତ୍ର ବସ୍ତ୍ର ପ୍ରସ୍ତୁତ କରିବେ। 5ସେମାନେ ସୁବର୍ଣ୍ଣ, ନୀଳ, ଧୂମ୍ର ଓ ସିନ୍ଦୂରବର୍ଣ୍ଣ ସୂତା ପୁଣି ଶୁଭ୍ର କ୍ଷୋମସୂତ୍ର ବ୍ୟବହାର କରିବେ।
ଏଫୋଦ
6“ତୁମ୍ଭେ ସୁବର୍ଣ୍ଣ, ନୀଳ, ଧୂମ୍ର ଓ ସିନ୍ଦୂରବର୍ଣ୍ଣ ସୂତା ପୁଣି ବଳା ଶୁଭ୍ର କ୍ଷୋମସୂତ୍ର ଦ୍ଵାରା ନିପୁଣ ଶିଳ୍ପକାରଙ୍କ କର୍ମରେ ଏଫୋଦ ପ୍ରସ୍ତୁତ କର। 7ତାହାର ଦୁଇ ପ୍ରାନ୍ତ ଯୋଡ଼ିବା ନିମନ୍ତେ ତାହାର ଦୁଇ କାନ୍ଧପଟି ରହିବ, ଯାହା ଦ୍ଵାରା ତାହା ଏକତ୍ର ସଂଲଗ୍ନ ହେବ। 8ତାହା ଉପରେ ଥିବା ଚିତ୍ରିତ ପଟୁକା ତାହାରି ସଙ୍ଗେ ଏକ ହେବ; ତାହା ସୁବର୍ଣ୍ଣ, ନୀଳ, ଧୂମ୍ର ଓ ସିନ୍ଦୂରବର୍ଣ୍ଣ ସୂତା ଓ ବଳା ଶୁଭ୍ର କ୍ଷୋମସୂତ୍ରରେ ଏକାଠି ପ୍ରସ୍ତୁତ ହେବ। 9ତୁମ୍ଭେ ଦୁଇଟି ଗୋମେଦକ ମଣି ନେଇ ସେଥିରେ ଇସ୍ରାଏଲ ସନ୍ତାନଗଣର ନାମ ଖୋଦନ କର। 10ସେମାନଙ୍କ ଜନ୍ମକ୍ରମାନୁସାରେ ଗୋଟିଏ ମଣି ଉପରେ ଛଅ ନାମ ଓ ଦ୍ଵିତୀୟ ମଣି ଉପରେ ଅବଶିଷ୍ଟ ଛଅ ନାମ ରହିବ। 11ମଣିକାର ମୁଦ୍ରା ଖୋଦନ କଲାପରି ତୁମ୍ଭେ ସେହି ଦୁଇ ମଣିରେ ଇସ୍ରାଏଲ ସନ୍ତାନଗଣର ନାମ ଖୋଦନ କରି ସେଗୁଡ଼ିକୁ ସୁବର୍ଣ୍ଣ କୋଠାରେ ବସାଇବ। 12ତୁମ୍ଭେ ଇସ୍ରାଏଲ ସନ୍ତାନଗଣର ସ୍ମରଣାର୍ଥକ ମଣିରୂପେ ସେହି ଦୁଇ ମଣି ଏଫୋଦର କାନ୍ଧପଟି ଉପରେ ବସାଇବ; ଆଉ ହାରୋଣ ସ୍ମରଣାର୍ଥେ ଆମ୍ଭ ସମ୍ମୁଖରେ ଆପଣା ଦୁଇ କାନ୍ଧରେ ସେମାନଙ୍କ ନାମ ବହିବେ। 13ତୁମ୍ଭେ ସୁବର୍ଣ୍ଣ କୋଠା ପ୍ରସ୍ତୁତ କର, 14ପୁଣି ଡୋରି ପରି ବଳା ନିର୍ମଳ ସୁବର୍ଣ୍ଣର ଦୁଇ ଜଞ୍ଜିର ପ୍ରସ୍ତୁତ କରି ସେହି ବଳା ଜଞ୍ଜିର କୋଠାରେ ଲଗାଇବ।
ବୁକୁପଟା
15“ତୁମ୍ଭେ ବିଚାରାର୍ଥକ ବୁକୁପଟା ନିପୁଣ କର୍ମରେ ପ୍ରସ୍ତୁତ କର; ଏଫୋଦର କର୍ମ ପରି ତାହା ସୁବର୍ଣ୍ଣ, ନୀଳ, ଧୂମ୍ର ଓ ସିନ୍ଦୂରବର୍ଣ୍ଣ ସୂତା ଓ ବଳା ଶୁଭ୍ର କ୍ଷୋମସୂତ୍ରରେ ନିର୍ମାଣ କର। 16ତାହା ଚତୁଷ୍କୋଣ ଓ ଦୋହରା ହେବ; ପ୍ରାୟ ଏକ ବିଘତ ଦୀର୍ଘ ଓ ଏକ ବିଘତ ପ୍ରସ୍ଥ ହେବ। 17ତୁମ୍ଭେ ତାହା ଉପରେ ଚାରି ଧାଡ଼ି ମଣି ବସାଇବ। ପ୍ରଥମ ଧାଡ଼ିରେ ଚୂଣୀ, ପୀତମଣି ଓ ବୈଦୁର୍ଯ୍ୟ ରହିବ; 18ଦ୍ଵିତୀୟ ଧାଡ଼ିରେ ପେରୋଜ, ନୀଳକାନ୍ତ ଓ ମରକତ; 19ତୃତୀୟ ଧାଡ଼ିରେ ପଦ୍ମରାଗ, ଅକୀକ ଓ କଟାହେଳା; 20ଆଉ ଚତୁର୍ଥ ଧାଡ଼ିରେ ବୈଦୁର୍ଯ୍ୟ, ଗୋମେଦକ ଓ ସୂର୍ଯ୍ୟକାନ୍ତ ରହିବ। ସେସବୁ ସୁବର୍ଣ୍ଣ କୋଠାରେ ଖଚିତ ହେବ। 21ସେହି ମଣିସବୁ ଇସ୍ରାଏଲ ସନ୍ତାନଗଣର ନାମାନୁସାରେ ବାର ଗୋଟି ହେବ, ପ୍ରତ୍ୟେକ ନାମ ନିମନ୍ତେ ଗୋଟିଏ; ବାର ଗୋଷ୍ଠୀ ନିମନ୍ତେ ପ୍ରତ୍ୟେକ ମଣିରେ ମୁଦ୍ରା ପରି ଆପଣା ଆପଣା ନାମ ଖୋଦିତ ହେବ। 22ତୁମ୍ଭେ ବୁକୁପଟା ନିମନ୍ତେ ଡୋରି ପରି ବଳା ନିର୍ମଳ ସୁବର୍ଣ୍ଣର ଜଞ୍ଜିର ପ୍ରସ୍ତୁତ କର। 23ପୁଣି ବୁକୁପଟା ନିମନ୍ତେ ଦୁଇ ସୁବର୍ଣ୍ଣ କଡ଼ା ପ୍ରସ୍ତୁତ କରି ବୁକୁପଟାର ଦୁଇ ପ୍ରାନ୍ତରେ ସେହି ଦୁଇ କଡ଼ା ଲଗାଇବ। 24ତହୁଁ ବୁକୁପଟାର ପ୍ରାନ୍ତସ୍ଥିତ ଦୁଇ କଡ଼ାରେ ସେହି ଦୁଇ ସୁବର୍ଣ୍ଣ ଡୋରି ବାନ୍ଧିବ। 25ପୁଣି ସେହି ଦୁଇ ଡୋରିର ଅବଶିଷ୍ଟ ଦୁଇ ମୁଣ୍ଡ ଦୁଇ କୋଠାରେ ବାନ୍ଧି ଏଫୋଦର ସମ୍ମୁଖ ଭାଗରେ ତାହାର କାନ୍ଧପଟି ଉପରେ ଲଗାଇବ। 26ତୁମ୍ଭେ ଆଉ ଦୁଇ ସୁବର୍ଣ୍ଣ କଡ଼ା ପ୍ରସ୍ତୁତ କରି ବୁକୁପଟାର ଦୁଇ ମୁଣ୍ଡରେ, ଅର୍ଥାତ୍ ଏଫୋଦ ନିକଟସ୍ଥ ଭିତର ପ୍ରାନ୍ତରେ ଲଗାଇବ। 27ତୁମ୍ଭେ ଆହୁରି ଦୁଇ ସୁବର୍ଣ୍ଣ କଡ଼ା ପ୍ରସ୍ତୁତ କରି ଏଫୋଦର ଦୁଇ କାନ୍ଧପଟିର ତଳ ଭାଗରେ, ସମ୍ମୁଖରେ, ତାହାର ଯୋଡ଼ ନିକଟରେ, ଏଫୋଦର ଚିତ୍ରିତ ପଟୁକା ଉପରେ ଲଗାଇବ। 28ଲୋକମାନେ ବୁକୁପଟାକୁ ତାହାର କଡ଼ା ଦ୍ଵାରା ଏଫୋଦର କଡ଼ା ସହିତ ନୀଳସୂତ୍ରରେ ବାନ୍ଧିବେ, ଯେପରି ତାହା ଏଫୋଦର ଚିତ୍ରିତ ପଟୁକା ଉପରେ ରହିବ ଓ ଏଫୋଦରୁ ଖସି ନ ଯିବ। 29ହାରୋଣ ପବିତ୍ର ସ୍ଥାନରେ ପ୍ରବେଶ କରିବା ସମୟରେ ଆମ୍ଭ ସମ୍ମୁଖରେ ନିତ୍ୟ ସ୍ମରଣାର୍ଥେ ବିଚାରାର୍ଥକ ବୁକୁପଟାରେ ଆପଣା ହୃଦୟ ଉପରେ ଇସ୍ରାଏଲ ସନ୍ତାନଗଣର ନାମ ବହିବେ। 30ତୁମ୍ଭେ ବିଚାରାର୍ଥକ ବୁକୁପଟା ଭିତରେ ଊରୀମ୍ ଓ ତୁମ୍ମୀମ୍ ରଖିବ, ଯେପରି ହାରୋଣ ଆମ୍ଭ ସମ୍ମୁଖକୁ ଆସିବା ସମୟରେ ତାହା ତାହାଙ୍କ ହୃଦୟ ଉପରେ ରହିବ। ଆଉ ହାରୋଣ ଆମ୍ଭ ସମ୍ମୁଖରେ ଆପଣା ହୃଦୟ ଉପରେ ଇସ୍ରାଏଲ ସନ୍ତାନଗଣର ବିଚାର ସର୍ବଦା ବହିବେ। a a v30 ଊରୀମ୍ ଓ ତୁମ୍ମୀମ୍ ପବିତ୍ର ବସ୍ତୁ ଥିଲା, ଯାହା ମହାଯାଜକ ଆପଣା ଲୋକମାନଙ୍କ ନିମନ୍ତେ ଆମ୍ଭମାନଙ୍କ ପିତାଙ୍କ ନିଷ୍ପତ୍ତି ଜାଣିବା ପାଇଁ ବୁକୁପଟା ଭିତରେ ବହୁଥିଲେ।
ଚୋଗା ଓ ସୁବର୍ଣ୍ଣ ପଟି
31“ତୁମ୍ଭେ ଏଫୋଦର ଚୋଗା ସମ୍ପୂର୍ଣ୍ଣ ନୀଳବର୍ଣ୍ଣ ବସ୍ତ୍ରରେ ପ୍ରସ୍ତୁତ କର। 32ତାହାର ମଧ୍ୟଭାଗରେ ମସ୍ତକ ନିମନ୍ତେ ଗୋଟିଏ ଛିଦ୍ର ରହିବ; ଯେପରି ତାହା ନ ଚିରେ, ଏଥିପାଇଁ ଅଙ୍ଗରଖାର ବେକ ପରି ସେହି ଛିଦ୍ରର ଚାରିଆଡ଼େ ବୁଣା ଘେର ରହିବ। 33ତୁମ୍ଭେ ତାହାର ଅଞ୍ଚଳର ଚାରିଆଡ଼େ ନୀଳ, ଧୂମ୍ର ଓ ସିନ୍ଦୂରବର୍ଣ୍ଣ ସୂତାର ଡାଳିମ୍ବ ପ୍ରସ୍ତୁତ କରିବ ଓ ସେଗୁଡ଼ିକ ମଧ୍ୟରେ ସୁବର୍ଣ୍ଣ ଘଣ୍ଟି ରଖିବ। 34ଚୋଗାର ଅଞ୍ଚଳର ଚାରିଆଡ଼େ ଗୋଟିଏ ସୁବର୍ଣ୍ଣ ଘଣ୍ଟି ଓ ଗୋଟିଏ ଡାଳିମ୍ବ, ପୁଣି ଗୋଟିଏ ସୁବର୍ଣ୍ଣ ଘଣ୍ଟି ଓ ଗୋଟିଏ ଡାଳିମ୍ବ ରହିବ। 35ହାରୋଣ ସେବା କରିବା ସମୟରେ ତାହା ପରିଧାନ କରିବେ। ସେ ଯେପରି ନ ମରନ୍ତି, ଏଥିପାଇଁ ଆମ୍ଭ ସମ୍ମୁଖରେ ପବିତ୍ର ସ୍ଥାନରେ ପ୍ରବେଶ ଓ ନିର୍ଗମନ କରିବା ସମୟରେ ତାହାର ଶବ୍ଦ ଶୁଣାଯିବ।
36“ତୁମ୍ଭେ ନିର୍ମଳ ସୁବର୍ଣ୍ଣର ଗୋଟିଏ ପଟି ପ୍ରସ୍ତୁତ କରି ମୁଦ୍ରା ଖୋଦନ କଲାପରି ତହିଁ ଉପରେ ‘ପିତାଙ୍କ ଉଦ୍ଦେଶ୍ୟରେ ପବିତ୍ର’ ବୋଲି ଖୋଦନ କର। 37ତୁମ୍ଭେ ତାହା ନୀଳସୂତ୍ରରେ ପଗଡ଼ିର ସମ୍ମୁଖ ଭାଗରେ ବାନ୍ଧିବ। 38ତାହା ହାରୋଣଙ୍କ କପାଳରେ ରହିବ; ଇସ୍ରାଏଲ ସନ୍ତାନଗଣ ଆପଣାମାନଙ୍କ ପବିତ୍ର ଉପହାର ରୂପେ ଯେଉଁ ପବିତ୍ର ବସ୍ତୁ ଉତ୍ସର୍ଗ କରିବେ, ତହିଁର ଦୋଷ ହାରୋଣ ବହିବେ। ସେମାନେ ଯେପରି ଆମ୍ଭ ସମ୍ମୁଖରେ ଗ୍ରାହ୍ୟ ହେବେ, ଏଥିପାଇଁ ତାହା ସର୍ବଦା ତାହାଙ୍କ କପାଳରେ ରହିବ। 39ତୁମ୍ଭେ ଶୁଭ୍ର କ୍ଷୋମସୂତ୍ରର ଅଙ୍ଗରଖା ବୁଣିବ, ଶୁଭ୍ର କ୍ଷୋମସୂତ୍ରର ପଗଡ଼ି ପ୍ରସ୍ତୁତ କରିବ ଓ ସୂଚିକର୍ମରେ କଟିବନ୍ଧନୀ ପ୍ରସ୍ତୁତ କରିବ। 40ତୁମ୍ଭେ ହାରୋଣଙ୍କ ପୁତ୍ରମାନଙ୍କ ନିମନ୍ତେ ଗୌରବ ଓ ଶୋଭା ନିମନ୍ତେ ଅଙ୍ଗରଖା, କଟିବନ୍ଧନୀ ଓ ଟୋପି ପ୍ରସ୍ତୁତ କରିବ। 41ତୁମ୍ଭେ ଆପଣା ଭ୍ରାତା ହାରୋଣଙ୍କୁ ଓ ତାହାଙ୍କ ସଙ୍ଗେ ତାହାଙ୍କ ପୁତ୍ରମାନଙ୍କୁ ଏହିସବୁ ବସ୍ତ୍ର ପିନ୍ଧାଇ ସେମାନଙ୍କୁ ଅଭିଷେକ କରିବ, ନିଯୁକ୍ତ କରିବ ଓ ପବିତ୍ର କରିବ, ଯେପରି ସେମାନେ ଆମ୍ଭର ଯାଜକ କର୍ମ କରି ପାରିବେ। 42ସେମାନଙ୍କ ଉଲଙ୍ଗ ଶରୀର ଢାଙ୍କିବା ନିମନ୍ତେ ତୁମ୍ଭେ ସେମାନଙ୍କ ପାଇଁ ଶୁଭ୍ର କ୍ଷୋମସୂତ୍ରର ଜଙ୍ଘିଆ ପ୍ରସ୍ତୁତ କରିବ, ତାହା କଟିଦେଶଠାରୁ ଜଙ୍ଘ ପର୍ଯ୍ୟନ୍ତ ରହିବ। 43ହାରୋଣ ଓ ତାହାଙ୍କ ପୁତ୍ରଗଣ ସମାଗମ ତମ୍ବୁରେ ପ୍ରବେଶ କରିବା ସମୟରେ ଅବା ପବିତ୍ର ସ୍ଥାନରେ ସେବା କରିବା ନିମନ୍ତେ ଯଜ୍ଞବେଦି ନିକଟକୁ ଆସିବା ସମୟରେ ତାହା ପରିଧାନ କରିବେ, ଯେପରି ସେମାନେ ଦୋଷ ବହି ନ ମରନ୍ତି। ଏହା ତାହାଙ୍କ ଓ ତାହାଙ୍କ ଉତ୍ତରବର୍ତ୍ତୀ ବଂଶ ନିମନ୍ତେ ଅନନ୍ତକାଳୀନ ବିଧି।”