ଶାଉଲ ଓ ତାଙ୍କ ପୁତ୍ରମାନଙ୍କ ଯୁଦ୍ଧରେ ପତନ
ପୁସ୍ତକର ପ୍ରଥମ କାହାଣୀ ଏକ ପରାଜୟ। ଆହତ ଶାଉଲ ନିଜ ଖଡ୍ଗ ଉପରେ ପଡ଼ନ୍ତି; ତାଙ୍କ ପୁତ୍ରମାନେ ତାଙ୍କ ସହ ମରନ୍ତି ଏବଂ ପଲେଷ୍ଟୀୟମାନେ ତାଙ୍କ ମସ୍ତକ ନିଜ ମନ୍ଦିରରେ ଟାଙ୍ଗନ୍ତି। ଯାବେଶ-ଗିଲୀୟଦ ଶବଗୁଡ଼ିକ ଉଦ୍ଧାର କରେ। ବିଚାର: ଅବିଶ୍ୱସ୍ତତା — ସେ ଆମ ପିତାଙ୍କୁ ଖୋଜିଲେ ନାହିଁ — ଏବଂ ରାଜ୍ୟ ଦାଉଦଙ୍କ ଆଡ଼କୁ ଯାଏ।
10 1ପଲେଷ୍ଟୀୟମାନେ ଇସ୍ରାଏଲ ବିରୁଦ୍ଧରେ ଯୁଦ୍ଧ କଲେ; ଇସ୍ରାଏଲର ଲୋକମାନେ ସେମାନଙ୍କ ସମ୍ମୁଖରୁ ପଳାଇଲେ ଓ ଗିଲ୍ବୋୟ ପର୍ବତରେ ହତ ହୋଇ ପଡ଼ିଲେ। 2ପଲେଷ୍ଟୀୟମାନେ ଶାଉଲ ଓ ତାଙ୍କ ପୁତ୍ରମାନଙ୍କ ପଛେ ଗୋଡ଼ାଇ ଶାଉଲଙ୍କ ପୁତ୍ର ଯୋନାଥନ, ଅବୀନାଦବ ଓ ମଲ୍କୀଶୂୟଙ୍କୁ ବଧ କଲେ। 3ଶାଉଲଙ୍କ ବିରୁଦ୍ଧରେ ଯୁଦ୍ଧ ଭୟଙ୍କର ହୋଇ ଉଠିଲା; ଧନୁର୍ଦ୍ଧରମାନେ ତାଙ୍କ ପର୍ଯ୍ୟନ୍ତ ପହଞ୍ଚି ତାଙ୍କୁ ଅତ୍ୟନ୍ତ କ୍ଷତବିକ୍ଷତ କଲେ। 4ସେତେବେଳେ ଶାଉଲ ଆପଣା ଅସ୍ତ୍ରବାହକକୁ କହିଲେ, “ତୁମ୍ଭ ଖଡ୍ଗ କାଢ଼ି ମୋତେ ତହିଁ ଦ୍ଵାରା ଭୁସି ଦିଅ, ନୋହିଲେ ଏହି ଅସୁନ୍ନତ ଲୋକମାନେ ଆସି ମୋତେ ଅପମାନ କରିବେ।” ମାତ୍ର ତାହାର ଅସ୍ତ୍ରବାହକ ଅତିଶୟ ଭୀତ ହୋଇ ତାହା କରିବାକୁ ରାଜି ହେଲା ନାହିଁ। ଏଣୁ ଶାଉଲ ଆପେ ଖଡ୍ଗ ନେଇ ତହିଁ ଉପରେ ପଡ଼ିଲେ।
5ଆଉ ଶାଉଲ ମଲେ ବୋଲି ଦେଖି ତାହାର ଅସ୍ତ୍ରବାହକ ମଧ୍ୟ ଆପଣା ଖଡ୍ଗ ଉପରେ ପଡ଼ି ମଲା। 6ଏହିରୂପେ ଶାଉଲ ଓ ତାଙ୍କ ତିନି ପୁତ୍ର ମଲେ, ପୁଣି ତାଙ୍କ ସମଗ୍ର ପରିବାର ଏକତ୍ର ମଲେ।
7ଆଉ ସୈନ୍ୟଦଳ ପଳାଇଲା ଓ ଶାଉଲ ଓ ତାଙ୍କ ପୁତ୍ରମାନେ ମଲେ ବୋଲି ଦେଖି ଉପତ୍ୟକାସ୍ଥିତ ଇସ୍ରାଏଲ ଲୋକମାନେ ଆପଣା ଆପଣା ନଗର ଛାଡ଼ି ପଳାଇଲେ; ତହିଁରେ ପଲେଷ୍ଟୀୟମାନେ ଆସି ସେହିସବୁରେ ବାସ କଲେ।
8ପରଦିନ ପଲେଷ୍ଟୀୟମାନେ ହତ ଲୋକମାନଙ୍କ ବସ୍ତ୍ର କାଢ଼ି ନେବାକୁ ଆସି ଶାଉଲ ଓ ତାଙ୍କ ପୁତ୍ରମାନଙ୍କୁ ଗିଲ୍ବୋୟ ପର୍ବତରେ ପଡ଼ିଥିବା ଦେଖିଲେ। 9ପୁଣି ସେମାନେ ତାଙ୍କ ବସ୍ତ୍ର କାଢ଼ି ତାଙ୍କ ମସ୍ତକ ଓ ସଜ୍ଜା ନେଲେ, ଆଉ ଆପଣାମାନଙ୍କ ପ୍ରତିମାଗଣ ଓ ଲୋକମାନଙ୍କ ନିକଟରେ ତାହା ପ୍ରଚାର କରିବା ନିମନ୍ତେ ପଲେଷ୍ଟୀୟମାନଙ୍କ ଦେଶର ଚତୁର୍ଦ୍ଦିଗକୁ ବାର୍ତ୍ତାବାହକ ପଠାଇଲେ। 10ପୁଣି ସେମାନେ ତାଙ୍କ ଅସ୍ତ୍ରଶସ୍ତ୍ର ଆପଣାମାନଙ୍କ ଦେବତାଗଣର ମନ୍ଦିରରେ ରଖିଲେ ଓ ତାଙ୍କ ମସ୍ତକ ଦାଗୋନ୍ର ମନ୍ଦିରରେ କଣ୍ଟାରେ ଜଡ଼ିଲେ।
11ମାତ୍ର ପଲେଷ୍ଟୀୟମାନେ ଶାଉଲଙ୍କ ପ୍ରତି ଯାହା ଯାହା କରିଥିଲେ, ତାହାସବୁ ଯାବେଶ-ଗିଲୀୟଦ ନିବାସୀ ସମସ୍ତ ଲୋକ ଶୁଣନ୍ତେ, 12ସେମାନଙ୍କ ବୀର ଲୋକମାନେ ସମସ୍ତେ ଉଠି ଶାଉଲଙ୍କ ଶବ ଓ ତାଙ୍କ ପୁତ୍ରମାନଙ୍କ ଶବ ନେଇ ଯାବେଶକୁ ଆଣିଲେ, ପୁଣି ଯାବେଶସ୍ଥିତ ଅଲୋନ୍ ବୃକ୍ଷ ତଳେ ସେମାନଙ୍କ ଅସ୍ଥିସବୁ ପୋତି ସାତ ଦିନ ଉପବାସ କଲେ।
13ଏହିରୂପେ ଶାଉଲ ଆମ୍ଭମାନଙ୍କ ପିତାଙ୍କ ବିରୁଦ୍ଧରେ ଆପଣା ବିଶ୍ଵାସଘାତକତା ହେତୁ ମଲେ—ସେ ଆମ୍ଭମାନଙ୍କ ପିତାଙ୍କ ବାକ୍ୟ ପାଳନ କଲେ ନାହିଁ, ଆହୁରି ପରାମର୍ଶ ପାଇଁ ଭୂତୁଡ଼ିଆ ନିକଟରେ ଅନୁସନ୍ଧାନ କଲେ, 14ପୁଣି ଆମ୍ଭମାନଙ୍କ ପିତାଙ୍କ ଅନ୍ଵେଷଣ କଲେ ନାହିଁ, ଏଣୁ ଆମ୍ଭମାନଙ୍କ ପିତା ତାଙ୍କୁ ବଧ କଲେ ଓ ରାଜ୍ୟ ଯିଶୀର ପୁତ୍ର ଦାଉଦଙ୍କ ହସ୍ତକୁ ଫେରାଇ ଦେଲେ।