ମୁଦ୍ରଣରେ ଉପଲବ୍ଧ
ପୁସ୍ତକ

ଆମ୍ଭମାନଙ୍କ ପିତା ଆପଣା ଯାଜକମାନଙ୍କ ନିମନ୍ତେ ବ୍ୟବସ୍ଥା କରନ୍ତି

ଯାଜକମାନଙ୍କର ଭୂମି ନ ଥିବାରୁ ସେମାନେ ନୈବେଦ୍ୟରୁ ଜୀବିକା ପାଆନ୍ତି। ଜାତିମାନଙ୍କ ଭାଗ୍ୟ ଗଣନା, ମନ୍ତ୍ରତନ୍ତ୍ର ଓ ମୃତମାନଙ୍କ ସହ ପରାମର୍ଶ ସମ୍ପୂର୍ଣ୍ଣ ନିଷିଦ୍ଧ। ଏହା ପରିବର୍ତ୍ତେ ଆମ ପିତା ସେମାନଙ୍କ ନିଜ ଭାଇମାନଙ୍କ ମଧ୍ୟରୁ ମୋଶାଙ୍କ ପରି ଜଣେ ଭାବବାଦୀ ଉତ୍ପନ୍ନ କରିବେ, ଏବଂ ଭାବବାଦୀଙ୍କ କଥା ସତ ହେବା ହିଁ ସେ ପ୍ରେରିତ କି ନାହିଁ ତାହାର ପରୀକ୍ଷା।

ଅଧ୍ୟାୟ 18।

ଲେବୀୟ ଯାଜକମାନେ, ଅର୍ଥାତ୍ ଲେବୀର ସମୁଦାୟ ବଂଶ, ଇସ୍ରାଏଲ ସହିତ କୌଣସି ଅଂଶ କି ଅଧିକାର ପାଇବେ ନାହିଁ; ସେମାନେ ଆମ୍ଭମାନଙ୍କ ପିତାଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗୀକୃତ ଅଗ୍ନିକୃତ ନୈବେଦ୍ୟ, ଅର୍ଥାତ୍ ତାହାଙ୍କର ଅଧିକାର ଭୋଜନ କରିବେ। ଆପଣା ଭ୍ରାତୃଗଣ ମଧ୍ୟରେ ସେମାନଙ୍କର କୌଣସି ଅଧିକାର ରହିବ ନାହିଁ; ଆମ୍ଭମାନଙ୍କ ପିତା ସେମାନଙ୍କୁ ଯେପରି ପ୍ରତିଜ୍ଞା କଲେ, ସେହିପରି ସେ ହିଁ ସେମାନଙ୍କର ଅଧିକାର ଅଟନ୍ତି। ଲୋକମାନଙ୍କଠାରୁ ଯାଜକମାନଙ୍କର ଏହି ପ୍ରାପ୍ୟ ଅଟେ: ଯେଉଁମାନେ ବଳଦ କି ମେଷ ବଳିଦାନ କରିବେ, ସେମାନେ ଯାଜକକୁ ସ୍କନ୍ଧ, ଦୁଇ ଗାଲ ଓ ପାକସ୍ଥଳୀ ଦେବେ। ତୁମ୍ଭେ ଆପଣା ଶସ୍ୟ, ନୂତନ ଦ୍ରାକ୍ଷାରସ ଓ ତୈଳର ପ୍ରଥମ ଅଂଶ, ପୁଣି ଆପଣା ମେଷର ପ୍ରଥମ ଲୋମ ତାହାକୁ ଦେବ। କାରଣ ତୁମ୍ଭ ପିତା ତୁମ୍ଭ ସମସ୍ତ ବଂଶ ମଧ୍ୟରୁ ତାହାକୁ ଓ ତାହାର ପୁତ୍ରଗଣଙ୍କୁ ଆମ୍ଭମାନଙ୍କ ପିତାଙ୍କ ନାମରେ ଠିଆ ହୋଇ ସଦାକାଳ ସେବା କରିବା ନିମନ୍ତେ ମନୋନୀତ କଲେ।

ଯଦି ଜଣେ ଲେବୀୟ ଇସ୍ରାଏଲ ମଧ୍ୟରେ ଯେଉଁ ନଗରରେ ବାସ କରେ, ତୁମ୍ଭର ସେହି ନଗରସମୂହରୁ କୌଣସି ସ୍ଥାନରୁ ବାହାରି, ଆପଣା ପ୍ରାଣର ସମସ୍ତ ବାଞ୍ଛା ଅନୁସାରେ ଆମ୍ଭମାନଙ୍କ ପିତା ଯେଉଁ ସ୍ଥାନ ମନୋନୀତ କରିବେ, ସେଠାକୁ ଆସେ, ତେବେ ସେଠାରେ ଆମ୍ଭମାନଙ୍କ ପିତାଙ୍କ ସମ୍ମୁଖରେ ଠିଆ ହେଉଥିବା ଆପଣା ଲେବୀୟ ଭ୍ରାତୃଗଣ ତୁଲ୍ୟ ସେ ଆମ୍ଭମାନଙ୍କ ପିତାଙ୍କ ନାମରେ ସେବା କରିପାରିବ। ଆପଣା ପିତୃସମ୍ପତ୍ତି ବିକ୍ରୟରୁ ସେ ଯାହା ପାଇବ, ତାହା ଛଡ଼ା ସେ ସମାନ ଅଂଶ ଭୋଜନ କରିବ।

ପିତା ଗୁପ୍ତବିଦ୍ୟା ନିଷେଧ କରନ୍ତି

ତୁମ୍ଭ ପିତା ତୁମ୍ଭକୁ ଯେଉଁ ଦେଶ ଦେଉଅଛନ୍ତି, ସେଠାକୁ ଯେତେବେଳେ ତୁମ୍ଭେ ପ୍ରବେଶ କରିବ, ସେତେବେଳେ ସେହି ଗୋଷ୍ଠୀସମୂହର ଘୃଣ୍ୟ କର୍ମ ଅନୁକରଣ କରିବାକୁ ଶିଖ ନାହିଁ। ତୁମ୍ଭମାନଙ୍କ ମଧ୍ୟରେ କେହି ଆପଣା ପୁତ୍ର କି କନ୍ୟାକୁ ଅଗ୍ନିରେ ବଳିଦାନ ନ କରୁ, କେହି ମନ୍ତ୍ରଜ୍ଞ, ଶୁଭାଶୁଭବାଦୀ, ଲକ୍ଷଣବେତ୍ତା କି ମାୟାବୀ, ଅଥବା ଗୁଣିଆ, କି ଭୂତୁଡ଼ିଆ, କି ପ୍ରେତସାଧକ, କି ମୃତମାନଙ୍କ ସଙ୍ଗେ ଆଳାପକାରୀ ନ ହେଉ। କାରଣ ଯେକେହି ଏହିସବୁ କର୍ମ କରେ, ସେ ଆମ୍ଭମାନଙ୍କ ପିତାଙ୍କ ନିକଟରେ ଘୃଣ୍ୟ ଅଟେ; ଏହି ଘୃଣ୍ୟ କର୍ମ ସକାଶୁ ତୁମ୍ଭ ପିତା ସେମାନଙ୍କୁ ତୁମ୍ଭ ସମ୍ମୁଖରୁ ତଡ଼ିଦେଉଅଛନ୍ତି। ତୁମ୍ଭେ ଆପଣା ପିତାଙ୍କ ସମ୍ମୁଖରେ ନିଖୁଣ ହେବ। ତୁମ୍ଭେ ଯେଉଁ ଗୋଷ୍ଠୀସମୂହକୁ ଅଧିକାରଚ୍ୟୁତ କରିବ, ସେମାନେ ଶୁଭାଶୁଭବାଦୀ ଓ ମନ୍ତ୍ରଜ୍ଞମାନଙ୍କ କଥା ଶୁଣନ୍ତି। ମାତ୍ର ତୁମ୍ଭ ପିତା ତୁମ୍ଭକୁ ଏପରି କରିବାକୁ ଅନୁମତି ଦେଇ ନାହାନ୍ତି।

ପିତା ଜଣେ ଭାବବାଦୀ ପ୍ରେରଣ କରିବେ

ତୁମ୍ଭ ପିତା ତୁମ୍ଭ ନିମନ୍ତେ ତୁମ୍ଭ ମଧ୍ୟରୁ, ତୁମ୍ଭ ଭ୍ରାତୃଗଣ ମଧ୍ୟରୁ ମୋʼ ତୁଲ୍ୟ ଜଣେ ଭାବବାଦୀ ଉତ୍ପନ୍ନ କରିବେ; ତୁମ୍ଭେ ତାହାଙ୍କ କଥା ଶୁଣିବ। a a v15 ଆମ୍ଭମାନଙ୍କ ପିତା ଯେଉଁ ଭାବବାଦୀଙ୍କୁ ଉତ୍ପନ୍ନ କରିବା ନିମନ୍ତେ ପ୍ରତିଜ୍ଞା କଲେ, ଯାହାଙ୍କ କଥା ପ୍ରତ୍ୟେକ ଇସ୍ରାଏଲୀୟ ଶୁଣିବାର ଥିଲା, ପିତର ଓ ସ୍ତିଫାନ ସେହି ଭାବବାଦୀ ବୋଲି ଯୀଶୁଙ୍କ ନାମ ଦର୍ଶାନ୍ତି (ପ୍ରେରିତ ୩:୨୨-୨୩; ପ୍ରେରିତ ୭:୩୭)। ହୋରେବ ପର୍ବତ ନିକଟରେ ସମାଜ-ସମାବେଶ ଦିନ ତୁମ୍ଭେ ଆପଣା ପିତାଙ୍କଠାରୁ ଏହି ବିଷୟ ମାଗିଥିଲ, “ଆମ୍ଭେମାନେ ଆମ୍ଭମାନଙ୍କ ପିତାଙ୍କ ରବ ଆଉ ନ ଶୁଣୁ, କିଅବା ଏହି ମହାଅଗ୍ନି ଆଉ ନ ଦେଖୁ, ନୋହିଲେ ଆମ୍ଭେମାନେ ମରିଯିବୁ।”

ତହିଁରେ ଆମ୍ଭମାନଙ୍କ ପିତା ମୋତେ କହିଲେ, “ସେମାନେ ଯାହା କହିଅଛନ୍ତି, ତାହା ଯଥାର୍ଥ। ଆମ୍ଭେ ସେମାନଙ୍କ ନିମନ୍ତେ ସେମାନଙ୍କ ଭ୍ରାତୃଗଣ ମଧ୍ୟରୁ ତୁମ୍ଭ ତୁଲ୍ୟ ଜଣେ ଭାବବାଦୀ ଉତ୍ପନ୍ନ କରିବା; ଆମ୍ଭେ ଆପଣା ବାକ୍ୟ ତାହାର ମୁଖରେ ଦେବା, ପୁଣି ଆମ୍ଭେ ତାହାକୁ ଯାହା ଆଜ୍ଞା ଦେବା, ସେହିସବୁ ସେ ସେମାନଙ୍କୁ କହିବ। ଆମ୍ଭର ନାମରେ ସେ ଯେଉଁ ଆମ୍ଭ ବାକ୍ୟ କହିବ, ଯେକେହି ତାହା ନ ଶୁଣିବ, ଆମ୍ଭେ ଆପେ ତାହାଠାରୁ ତହିଁର ହିସାବ ନେବା। କିନ୍ତୁ ଯେଉଁ ଭାବବାଦୀ ଅହଂକାର ପୂର୍ବକ ଆମ୍ଭ ନାମରେ ଆମ୍ଭର ଅନାଜ୍ଞାତ କୌଣସି ବାକ୍ୟ କହିବ, କିଅବା ଅନ୍ୟ ଦେବତାମାନଙ୍କ ନାମରେ କଥା କହିବ, ସେହି ଭାବବାଦୀକୁ ମରିବାକୁ ହେବ।”

ଆଉ ଯଦି ତୁମ୍ଭେ ଆପଣା ମନରେ କୁହ, “ଆମ୍ଭମାନଙ୍କ ପିତା ଯେଉଁ ବାକ୍ୟ କହି ନାହାନ୍ତି, ତାହା ଆମ୍ଭେମାନେ କିପରି ଜାଣିବୁ?” ଯେତେବେଳେ କୌଣସି ଭାବବାଦୀ ଆମ୍ଭମାନଙ୍କ ପିତାଙ୍କ ନାମରେ କଥା କହେ, ଆଉ ସେହି ବାକ୍ୟ ନ ଘଟେ କି ସଫଳ ନ ହୁଏ, ତେବେ ଆମ୍ଭମାନଙ୍କ ପିତା ତାହା କହି ନାହାନ୍ତି; ସେହି ଭାବବାଦୀ ଅହଂକାରରେ ତାହା କହିଅଛି। ତୁମ୍ଭେ ତାହାକୁ ଭୟ କର ନାହିଁ।