ମୁଦ୍ରଣରେ ଉପଲବ୍ଧ
ପୁସ୍ତକ

ଯିହୋଶାଫଟ୍ ପିତାଙ୍କ ସହିତ ଗମନ କରନ୍ତି

ଆମ ପିତା ଯିହୋଶାଫଟଙ୍କ ସହିତ ଥାଆନ୍ତି, କାରଣ ସେ ବାଲ୍‌ମାନଙ୍କୁ ନ ଖୋଜି ତାଙ୍କୁ ଖୋଜନ୍ତି। ତାଙ୍କର ସବୁଠାରୁ ଉଲ୍ଲେଖନୀୟ କାର୍ଯ୍ୟ ହେଉଛି ଯିହୁଦାର ପ୍ରତ୍ୟେକ ନଗରରେ ଶିକ୍ଷା ଦେବା ପାଇଁ ଅଧିକାରୀ ଓ ଲେବୀୟମାନଙ୍କୁ ବ୍ୟବସ୍ଥା ପୁସ୍ତକ ସହିତ ପଠାଇବା, ଏବଂ ତାଙ୍କ ରାଜ୍ୟ ଶକ୍ତିଶାଳୀ, ଧନୀ ଓ ପ୍ରଚୁର ସାମଗ୍ରୀରେ ପୂର୍ଣ୍ଣ ହୁଏ।

ଅଧ୍ୟାୟ 17।

ତାହାଙ୍କ ପୁତ୍ର ଯିହୋଶାଫଟ୍ ତାହାଙ୍କ ପଦରେ ରାଜା ହେଲେ ଓ ଇସ୍ରାଏଲ ବିରୁଦ୍ଧରେ ଆପଣାକୁ ବଳବାନ କଲେ। ସେ ଯିହୂଦାର ସମସ୍ତ ପ୍ରାଚୀରବେଷ୍ଟିତ ନଗରରେ ସୈନ୍ୟଦଳ ଓ ଯିହୂଦା ଦେଶରେ ଏବଂ ଆପଣା ପିତା ଆସା ଯେଉଁ ଇଫ୍ରୟିମ ନଗରଗୁଡ଼ିକ ହସ୍ତଗତ କରିଥିଲେ, ସେଠାରେ ପ୍ରହରୀଦଳ ନିଯୁକ୍ତ କଲେ। ଆମ୍ଭମାନଙ୍କ ପିତା ଯିହୋଶାଫଟ୍ଙ୍କ ସଙ୍ଗରେ ଥିଲେ, କାରଣ ସେ ଆପଣା ପିତା ଦାଉଦଙ୍କର ପୂର୍ବକାଳୀନ ପଥରେ ଚାଲିଲେ ଓ ବାଲ୍-ଦେବଗଣର ଅନ୍ଵେଷଣ କଲେ ନାହିଁ। ବରଂ ଆପଣା ପିତା ଯାହାଙ୍କର ସେବା କରିଥିଲେ, ସେହି ପିତାଙ୍କ ଅନ୍ଵେଷଣ କଲେ ଓ ତାହାଙ୍କ ଆଜ୍ଞାସବୁ ପାଳନ କଲେ, ମାତ୍ର ଇସ୍ରାଏଲର ଆଚରଣ ଅନୁସାରେ ନ କଲେ। ଏଣୁ ଆମ୍ଭମାନଙ୍କ ପିତା ତାହାଙ୍କ ହସ୍ତରେ ରାଜ୍ୟ ସୁସ୍ଥିର କଲେ; ସମଗ୍ର ଯିହୂଦା ଯିହୋଶାଫଟ୍ଙ୍କ ନିକଟକୁ ଉପହାର ଆଣିଲେ ଓ ତାହାଙ୍କର ବହୁତ ଐଶ୍ଵର୍ଯ୍ୟ ଓ ସମ୍ମାନ ହେଲା। ତାହାଙ୍କ ହୃଦୟ ଆମ୍ଭମାନଙ୍କ ପିତାଙ୍କ ପଥରେ ଉଦ୍‌ଯୁକ୍ତ ହେଲା; ପୁଣି ସେ ଯିହୂଦାରୁ ଉଚ୍ଚସ୍ଥଳୀ ଓ ଆଶେରା-ସ୍ତମ୍ଭସବୁ ଦୂର କଲେ। a a v6 ଉଚ୍ଚସ୍ଥଳୀ ଥିଲା ପର୍ବତ ଶିଖରସ୍ଥିତ ମୁକ୍ତ-ପ୍ରାଙ୍ଗଣସ୍ଥ ପୂଜାସ୍ଥାନ, ଯାହା ପ୍ରତିମାପୂଜା ନିମନ୍ତେ ବ୍ୟବହୃତ ହେଉଥିଲା; ଆଶେରା-ସ୍ତମ୍ଭ ଥିଲା କିଣାନୀୟ ଦେବୀ ଆଶେରା ଉଦ୍ଦେଶ୍ୟରେ ଉତ୍ସର୍ଗୀକୃତ ଖୋଦିତ କାଷ୍ଠ-ପୂଜାବସ୍ତୁ।

ଆପଣା ରାଜତ୍ଵର ତୃତୀୟ ବର୍ଷରେ ସେ ଯିହୂଦାର ନଗରସମୂହରେ ଶିକ୍ଷା ଦେବା ନିମନ୍ତେ ଆପଣା ଅଧିପତି ବେନ୍-ହୟିଲ, ଓବଦୀୟ, ଜିଖରୀୟ, ନଥନେଲ ଓ ମୀଖାୟକୁ ପ୍ରେରଣ କଲେ, ପୁଣି ସେମାନଙ୍କ ସଙ୍ଗରେ ଏହି ଲେବୀୟମାନେ ଥିଲେ, ଅର୍ଥାତ୍ ଶମୟୀୟ, ନଥନୀୟ, ସବଦୀୟ, ଅସାହେଲ, ଶମୀରାମୋତ୍, ଯିହୋନାଥନ, ଅଦୋନୀୟ, ଟୋବୀୟ ଓ ଟୋବ୍-ଅଦୋନୀୟ; ଆଉ ସେମାନଙ୍କ ସଙ୍ଗରେ ଇଲୀଶାମା ଓ ଯିହୋରାମ ନାମକ ଯାଜକମାନେ ଥିଲେ। ସେମାନେ ଆମ୍ଭମାନଙ୍କ ପିତାଙ୍କ ବ୍ୟବସ୍ଥା-ପୁସ୍ତକ ସଙ୍ଗରେ ନେଇ ସମଗ୍ର ଯିହୂଦାରେ ଶିକ୍ଷା ଦେଲେ, ଯିହୂଦାର ସମସ୍ତ ନଗରକୁ ଯାଇ ଲୋକମାନଙ୍କୁ ଶିକ୍ଷା ଦେଲେ।

ଯିହୂଦାର ଚତୁର୍ଦ୍ଦିଗସ୍ଥ ସମସ୍ତ ରାଜ୍ୟ ଉପରେ ଆମ୍ଭମାନଙ୍କ ପିତାଙ୍କ ବିଷୟକ ଭୟ ଉପସ୍ଥିତ ହେଲା, ଏଣୁ ସେମାନେ ଯିହୋଶାଫଟ୍ଙ୍କ ବିରୁଦ୍ଧରେ ଯୁଦ୍ଧ କଲେ ନାହିଁ। କେତେକ ପଲେଷ୍ଟୀୟ ଯିହୋଶାଫଟ୍ଙ୍କ ନିକଟକୁ ଉପହାର ଓ କରସ୍ଵରୂପ ରୂପା ଆଣିଲେ; ଆରବୀୟମାନେ ତାହାଙ୍କ ନିକଟକୁ ପଲ ଆଣିଲେ, ଅର୍ଥାତ୍ ସାତ ହଜାର ସାତ ଶହ ମେଷ ଓ ସାତ ହଜାର ସାତ ଶହ ଛାଗ। ଯିହୋଶାଫଟ୍ କ୍ରମଶଃ ଅଧିକ ବଳବାନ ହୋଇ ଉଠିଲେ ଓ ସେ ଯିହୂଦାରେ ଦୁର୍ଗ ଓ ଭଣ୍ଡାର-ନଗରସମୂହ ନିର୍ମାଣ କଲେ। ଯିହୂଦାର ନଗରସମୂହରେ ତାହାଙ୍କ ବହୁତ ସାମଗ୍ରୀ ଓ ଯିରୂଶାଲମରେ ମହାବୀର ଯୋଦ୍ଧାଗଣ ଥିଲେ। ପିତୃବଂଶ ଅନୁସାରେ ସେମାନଙ୍କ ଗଣନା ଏହି; ଯିହୂଦାରୁ ସହସ୍ରପତିଗଣ, ଅର୍ଥାତ୍ ଅଦ୍‌ନ ନାମକ ସେନାପତି ଓ ତାହାଙ୍କ ସଙ୍ଗରେ ତିନି ଲକ୍ଷ ମହାବୀର ଯୋଦ୍ଧା; ତାହାଙ୍କ ପରେ ଯିହୋହାନନ୍ ନାମକ ସେନାପତି ଓ ତାହାଙ୍କ ସଙ୍ଗରେ ଦୁଇ ଲକ୍ଷ ଅଶୀ ହଜାର; ତାହାଙ୍କ ପରେ ସିଖ୍ରିର ପୁତ୍ର ଅମସୀୟ, ଯେ ଆପେ ଆମ୍ଭମାନଙ୍କ ପିତାଙ୍କ ଉଦ୍ଦେଶ୍ୟରେ ଆତ୍ମନିବେଦନ କରିଥିଲେ, ତାହାଙ୍କ ସଙ୍ଗରେ ଦୁଇ ଲକ୍ଷ ମହାବୀର ଯୋଦ୍ଧା ଥିଲେ। ବିନ୍ୟାମୀନ୍‌ରୁ ଇଲ୍‌ୟାଦା ନାମକ ଏକ ମହାବୀର ଯୋଦ୍ଧା ଓ ତାହାଙ୍କ ସଙ୍ଗରେ ଧନୁ ଓ ଢାଲ ଧରିବା ଦୁଇ ଲକ୍ଷ ଲୋକ; ତାହାଙ୍କ ପରେ ଯିହୋଷାବଦ୍ ଓ ତାହାଙ୍କ ସଙ୍ଗରେ ଯୁଦ୍ଧ ନିମନ୍ତେ ସସଜ୍ଜିତ ଏକ ଲକ୍ଷ ଅଶୀ ହଜାର ଲୋକ ଥିଲେ। ରାଜା ଯିହୂଦାର ପ୍ରାଚୀରବେଷ୍ଟିତ ନଗରସମୂହରେ ଯେଉଁମାନଙ୍କୁ ନିଯୁକ୍ତ କରିଥିଲେ, ସେମାନଙ୍କ ବ୍ୟତୀତ ଏହି ଲୋକମାନେ ରାଜାଙ୍କ ସେବା କଲେ।