ମୁଦ୍ରଣରେ ଉପଲବ୍ଧ
ପୁସ୍ତକ

ଦୀପବୃକ୍ଷ

ହାରୋଣ ସାତୋଟି ପ୍ରଦୀପ ସଜାନ୍ତି, ଏବଂ ଲେବୀୟମାନଙ୍କୁ ଧୁଆଯାଇ, କ୍ଷୌର କରାଯାଇ, ଇସ୍ରାଏଲର ଜୀବନ୍ତ ନୈବେଦ୍ୟ ରୂପେ ଆମ ପିତାଙ୍କ ସମ୍ମୁଖରେ ଦୋଳାୟମାନ କରାଯାଏ — ପ୍ରଥମଜାତମାନଙ୍କ ବଦଳରେ ଦିଆଯାଆନ୍ତି, ଯେପରି ଲୋକମାନେ ମହାମାରୀ ବିନା ନିକଟକୁ ଆସିପାରିବେ। ସେମାନଙ୍କ ସେବା ପଚିଶରୁ ପଚାଶ ବର୍ଷ ପର୍ଯ୍ୟନ୍ତ।

ଅଧ୍ୟାୟ 8।

ଆମ୍ଭମାନଙ୍କ ପିତା ମୋଶାଙ୍କୁ କହିଲେ,

“ହାରୋଣଙ୍କୁ କୁହ, ତୁମ୍ଭେ ପ୍ରଦୀପସବୁ ସଜାଇବା ସମୟରେ ସେହି ସାତୋଟି ଦୀପବୃକ୍ଷ ସମ୍ମୁଖରେ ଆଲୋକ ଦେବ।”

ଆମ୍ଭମାନଙ୍କ ପିତା ମୋଶାଙ୍କୁ ଯେପରି ଆଜ୍ଞା ଦେଇଥିଲେ, ହାରୋଣ ସେହିପରି କଲେ, ଆଉ ଦୀପବୃକ୍ଷ ସମ୍ମୁଖ ଆଡ଼କୁ ଆଲୋକ ଦେବା ପାଇଁ ତାହାର ପ୍ରଦୀପସବୁ ଜ୍ଵଳାଇଲେ। ଦୀପବୃକ୍ଷର କର୍ମ ଏହିପରି—ପିଟା ସୁବର୍ଣ୍ଣ, ତାହାର ମୂଳରୁ ପୁଷ୍ପ ପର୍ଯ୍ୟନ୍ତ ପିଟା; ଆମ୍ଭମାନଙ୍କ ପିତା ମୋଶାଙ୍କୁ ଯେଉଁ ଆକାର ଦେଖାଇଥିଲେ, ଠିକ୍ ସେହିପରି ତାହା ନିର୍ମିତ ହେଲା।

ଆମ୍ଭମାନଙ୍କ ପିତାଙ୍କ ନିମନ୍ତେ ପୃଥକୀକୃତ

ଆମ୍ଭମାନଙ୍କ ପିତା ମୋଶାଙ୍କୁ କହିଲେ,

“ଇସ୍ରାଏଲ ସନ୍ତାନଗଣ ମଧ୍ୟରୁ ଲେବୀୟମାନଙ୍କୁ ନେଇ ସେମାନଙ୍କୁ ଶୁଚି କର। ସେମାନଙ୍କୁ ଶୁଚି କରିବା ପାଇଁ ଏହିପରି କର; ସେମାନଙ୍କ ଉପରେ ପାପମୋଚନ ଜଳ ସେଚନ କର, ସେମାନେ ଆପଣାମାନଙ୍କ ସମଗ୍ର ଶରୀର ଉପରେ କ୍ଷୁର ବୁଲାନ୍ତୁ, ଆପଣାମାନଙ୍କ ବସ୍ତ୍ର ଧୋଇ ଶୁଚି ହେଉନ୍ତୁ। a a v7 ପାପମୋଚନ ଜଳ ଏକ ବିଶେଷ ଶୁଚିକାରକ ଜଳ ଥିଲା, ଯାହା ଲେବୀୟମାନଙ୍କ ପୃଥକୀକରଣ ସମୟରେ ବ୍ୟବହୃତ ହେଉଥିଲା, ଆଉ ତାହା ଆମ୍ଭମାନଙ୍କ ପିତାଙ୍କ ଉପସ୍ଥିତିରେ ସେବା କରିବା ନିମନ୍ତେ ସେମାନଙ୍କୁ ଶୁଚିକୃତ ବୋଲି ଚିହ୍ନିତ କରୁଥିଲା। ଆଉ ସେମାନେ ଗୋରୁପଲରୁ ଗୋଟିଏ ଯୁବା ବୃଷ, ତହିଁ ସଙ୍ଗେ ତୈଳମିଶ୍ରିତ ସରୁ ମଇଦାର ଭକ୍ଷ୍ୟ ନୈବେଦ୍ୟ ନେଉନ୍ତୁ, ପୁଣି ତୁମ୍ଭେ ପାପାର୍ଥକ ବଳି ନିମନ୍ତେ ଗୋରୁପଲରୁ ଦ୍ଵିତୀୟ ଏକ ଯୁବା ବୃଷ ନେବ। ଆଉ ଲେବୀୟମାନଙ୍କୁ ସମାଗମ-ତମ୍ବୁ ସମ୍ମୁଖକୁ ଆଣି ଇସ୍ରାଏଲ ସନ୍ତାନଗଣର ସମଗ୍ର ମଣ୍ଡଳୀକୁ ଏକତ୍ର କର। ଆଉ ତୁମ୍ଭେ ଲେବୀୟମାନଙ୍କୁ ମୋʼ ସମ୍ମୁଖରେ ଉପସ୍ଥିତ କଲେ, ଇସ୍ରାଏଲ ସନ୍ତାନଗଣ ଲେବୀୟମାନଙ୍କ ଉପରେ ଆପଣାମାନଙ୍କ ହସ୍ତ ଅର୍ପଣ କରିବେ, ପୁଣି ଲେବୀୟମାନେ ଯେପରି ମୋହର ସେବା-କର୍ମ କରିବେ, ଏଥିପାଇଁ ହାରୋଣ ଇସ୍ରାଏଲ ସନ୍ତାନଗଣଠାରୁ ଏକ ଉପହାର ସ୍ୱରୂପେ ସେମାନଙ୍କୁ ମୋʼ ସମ୍ମୁଖରେ ଦୋଳନୀୟ ନୈବେଦ୍ୟ ରୂପେ ଦୋଳାଇବେ। ଆଉ ଲେବୀୟମାନେ ବୃଷମାନଙ୍କ ମସ୍ତକ ଉପରେ ଆପଣାମାନଙ୍କ ହସ୍ତ ଅର୍ପଣ କରିବେ; ଲେବୀୟମାନଙ୍କ ନିମନ୍ତେ ପ୍ରାୟଶ୍ଚିତ୍ତ କରିବା ପାଇଁ ତୁମ୍ଭେ ଗୋଟିକୁ ପାପାର୍ଥକ ବଳି ରୂପେ ଓ ଗୋଟିକୁ ମୋʼ ଉଦ୍ଦେଶ୍ୟରେ ହୋମବଳି ରୂପେ ଉତ୍ସର୍ଗ କର। ଆଉ ତୁମ୍ଭେ ଲେବୀୟମାନଙ୍କୁ ହାରୋଣ ଓ ତାହାର ପୁତ୍ରଗଣ ସମ୍ମୁଖରେ ଠିଆ କରାଇ ଦୋଳନୀୟ ନୈବେଦ୍ୟ ରୂପେ ମୋʼ ନିକଟରେ ଉତ୍ସର୍ଗ କର। ଏହିରୂପେ ତୁମ୍ଭେ ଇସ୍ରାଏଲ ସନ୍ତାନଗଣ ମଧ୍ୟରୁ ଲେବୀୟମାନଙ୍କୁ ପୃଥକ୍ କରିବ, ପୁଣି ଲେବୀୟମାନେ ମୋହର ହେବେ। ଏଥିଉତ୍ତାରେ ଲେବୀୟମାନେ ସମାଗମ-ତମ୍ବୁର ସେବା କରିବାକୁ ପ୍ରବେଶ କରିବେ; ତୁମ୍ଭେ ସେମାନଙ୍କୁ ଶୁଚି କରି ଦୋଳନୀୟ ନୈବେଦ୍ୟ ରୂପେ ଦୋଳାଇବା ପରେ ଏହା ହେବ। କାରଣ ସେମାନେ ଇସ୍ରାଏଲ ସନ୍ତାନଗଣ ମଧ୍ୟରୁ ସମ୍ପୂର୍ଣ୍ଣ ରୂପେ ମୋତେ ଦତ୍ତ ହୋଇଅଛନ୍ତି; ପ୍ରତ୍ୟେକ ଗର୍ଭଜାତ, ଅର୍ଥାତ୍ ଇସ୍ରାଏଲ ସନ୍ତାନଗଣ ମଧ୍ୟରୁ ସମସ୍ତ ପ୍ରଥମଜାତ ବଦଳେ ଆମ୍ଭେ ସେମାନଙ୍କୁ ଆପଣା ନିମନ୍ତେ ଗ୍ରହଣ କରିଅଛୁ। ମନୁଷ୍ୟ କି ପଶୁ, ଇସ୍ରାଏଲ ସନ୍ତାନଗଣ ମଧ୍ୟରେ ସମସ୍ତ ପ୍ରଥମଜାତ ଆମ୍ଭର; ଯେଉଁ ଦିନ ଆମ୍ଭେ ମିସର ଦେଶର ସମସ୍ତ ପ୍ରଥମଜାତଙ୍କୁ ଆଘାତ କଲୁ, ସେହି ଦିନ ଆମ୍ଭେ ସେମାନଙ୍କୁ ଆପଣା ନିମନ୍ତେ ପବିତ୍ର କଲୁ। ଆଉ ଆମ୍ଭେ ଇସ୍ରାଏଲ ସନ୍ତାନଗଣ ମଧ୍ୟରେ ସମସ୍ତ ପ୍ରଥମଜାତ ବଦଳେ ଲେବୀୟମାନଙ୍କୁ ଗ୍ରହଣ କରିଅଛୁ। ଆଉ ଆମ୍ଭେ ଇସ୍ରାଏଲ ସନ୍ତାନଗଣ ମଧ୍ୟରୁ ଏକ ଦାନ ସ୍ୱରୂପେ ଲେବୀୟମାନଙ୍କୁ ହାରୋଣ ଓ ତାହାର ପୁତ୍ରଗଣଙ୍କୁ ଦେଇଅଛୁ, ଯେପରି ସେମାନେ ସମାଗମ-ତମ୍ବୁରେ ଇସ୍ରାଏଲ ସନ୍ତାନଗଣର ସେବା କରିବେ ଓ ଇସ୍ରାଏଲ ସନ୍ତାନଗଣ ନିମନ୍ତେ ପ୍ରାୟଶ୍ଚିତ୍ତ କରିବେ, ଆଉ ଇସ୍ରାଏଲ ସନ୍ତାନଗଣ ଧର୍ମଧାମ ନିକଟକୁ ଆସିବା ସମୟରେ ସେମାନଙ୍କ ମଧ୍ୟରେ ଯେପରି କୌଣସି ମାରୀ ନ ହୁଏ।”

ତହିଁରେ ମୋଶା, ହାରୋଣ ଓ ଇସ୍ରାଏଲ ସନ୍ତାନଗଣର ସମଗ୍ର ମଣ୍ଡଳୀ ଲେବୀୟମାନଙ୍କ ବିଷୟରେ ଆମ୍ଭମାନଙ୍କ ପିତା ମୋଶାଙ୍କୁ ଯାହା ଯାହା ଆଜ୍ଞା ଦେଇଥିଲେ, ତଦନୁସାରେ ସେମାନେ ଲେବୀୟମାନଙ୍କ ପ୍ରତି ସମସ୍ତ କଲେ; ଇସ୍ରାଏଲ ସନ୍ତାନଗଣ ସେମାନଙ୍କ ପ୍ରତି ସେହିପରି କଲେ। ଆଉ ଲେବୀୟମାନେ ଆପଣାମାନଙ୍କୁ ପାପରୁ ଶୁଚି କଲେ ଓ ଆପଣାମାନଙ୍କ ବସ୍ତ୍ର ଧୋଇଲେ; ପୁଣି ହାରୋଣ ଆମ୍ଭମାନଙ୍କ ପିତାଙ୍କ ସମ୍ମୁଖରେ ସେମାନଙ୍କୁ ଦୋଳନୀୟ ନୈବେଦ୍ୟ ରୂପେ ଉତ୍ସର୍ଗ କଲେ ଓ ସେମାନଙ୍କୁ ଶୁଚି କରିବା ପାଇଁ ସେମାନଙ୍କ ନିମନ୍ତେ ପ୍ରାୟଶ୍ଚିତ୍ତ କଲେ। ତହିଁ ଉତ୍ତାରେ ଲେବୀୟମାନେ ହାରୋଣ ଓ ତାହାର ପୁତ୍ରଗଣ ସମ୍ମୁଖରେ ସମାଗମ-ତମ୍ବୁରେ ଆପଣାମାନଙ୍କ ସେବା-କର୍ମ କରିବା ପାଇଁ ପ୍ରବେଶ କଲେ; ଆମ୍ଭମାନଙ୍କ ପିତା ଲେବୀୟମାନଙ୍କ ବିଷୟରେ ମୋଶାଙ୍କୁ ଯେପରି ଆଜ୍ଞା ଦେଇଥିଲେ, ସେମାନେ ସେମାନଙ୍କ ପ୍ରତି ସେହିପରି କଲେ।

ଆମ୍ଭମାନଙ୍କ ପିତା ମୋଶାଙ୍କୁ କହିଲେ,

“ଲେବୀୟମାନଙ୍କ ବିଷୟରେ ଏହା ପ୍ରଯୁଜ୍ୟ; ପଚିଶ ବର୍ଷ ବୟସରୁ ସେମାନେ ସମାଗମ-ତମ୍ବୁର କର୍ମରେ ସେବା କରିବାକୁ ପ୍ରବେଶ କରିବେ। ପୁଣି ପଚାଶ ବର୍ଷ ବୟସରୁ ସେମାନେ ସେବା-କର୍ମରୁ ନିବୃତ୍ତ ହେବେ ଓ ଆଉ ସେବା କରିବେ ନାହିଁ। ସେମାନେ ସମାଗମ-ତମ୍ବୁରେ ପ୍ରହରୀ କର୍ମ କରି ଆପଣାମାନଙ୍କ ଭ୍ରାତୃଗଣର ସାହାଯ୍ୟ କରି ପାରିବେ, ମାତ୍ର କୌଣସି ସେବା-କର୍ମ କରିବେ ନାହିଁ। ଲେବୀୟମାନଙ୍କ କର୍ତ୍ତବ୍ୟ ବିଷୟରେ ତୁମ୍ଭେ ଏହିପରି ନିରୂପଣ କରିବ।”